Unknown

 

 

 

 

 

 

 

 

 

 

 

ରାଧାକି ସେମାନେ

କାଳୀ ପ୍ରସାଦ ଦାସ

 

 

 

 

ରାଧା କି ସେମାନେ

 

Loneliness, and the aching void caused by personal loss, do not endure forever. Old wounds heal; new friendships and associations come as anodynes.

 

Nevil Shute

Image

 

ରାଧା କି ସେମାନେ !

 

ନୂଆବୋଉଙ୍କ କଥାରେ ମୁଁ ଡିଟୋ ମାରି ନଥିଲି, କି ଯୁକ୍ତି କରି ନଥିଲି । ଇଚ୍ଛା ହେଉଥିଲା ବିଦାୟବେଳ ପାଖେଇ ଆସୁଛି ଯେତେବେଳେ, ତାଙ୍କୁ ମୁଁ ପଦେ ହାଣି କହିବି । ସେ ବୋଧହୁଏ ତୁମର ଚିନ୍ତା କରି ଛାତିରେ ଛନକା ପଶିବା କଥା କହିଲେ ।

 

କିନ୍ତୁ କହି ହେଲାନାହିଁ । ତୁମ ପାଖରେ କରିଥିବା ପ୍ରତିଜ୍ଞାକୁ ଭ୍ରଷ୍ଟ ନ କରି ମୁଁ ଚୁପ୍‌ ରହିଥିଲି । କେବଳ ତାଙ୍କୁ ଭୁଲେଇବା ଛଳରେ କହିଥିଲି–ନୂଆବୋଉ ଆଜିକାଲି ବରମାନେ କ’ଣ ସଖୀକଣ୍ଢେଇ ଭଳି ଦେଖାଯାଉଛନ୍ତି । ଲମ୍ୱା କଲି, ପଏଣ୍ଟେଡ଼ ସୁ । ପୁଣି ଛାପି ଛାପିକିଆ ବ୍ଲାଉଜ କନାର ହାୱାନି ଓ ଜିଗିନି ହାର । ବରମାନେ ଓଲଟି ଯାଇ ସତେ କନିଆ ହୋଇଯିବେ କି ।

 

ମନ୍ତବ୍ୟ ପ୍ରକାଶ କରିଥିଲେ ନୂଆବୋଉଙ୍କ ଆଗରେ । ଭଲ ଭେଲର ସମୀକ୍ଷା କରାହେଉ ନଥିଲା । ଉପଲକ୍ଷ ଦିଆହେଉଥିଲା ତୁମର ଲମ୍ୱା କଲି ନାହିଁ, ପଏଣ୍ଟେଡ଼ ସୁ ନାହିଁ, କି ଚିପା ପ୍ୟାଣ୍ଟ ନାହିଁ । ଅଥଚ ତୁମେ ଏଇ ଯୁଗର ମଣିଷ । ଏଇ ଫେସନପାଇଁ ତ ବିଶେଷ କିଛି ପଇସା ଖର୍ଚ୍ଚ ହେଉନାହିଁ ।

 

ମୋ ବିବାହ ଉପଲକ୍ଷେ ଏଇ ବରଙ୍କର ଫେସନ ତାହାହିଁ ଥିଲା ଓ ମୋ ମନ୍ତବ୍ୟରେ ଉନ୍ମୁଖମନା ନୂଆବୋଉ ହସି ହସି କହିଥିଲେ ଏ ସମୟରେ ଯୁଗ ବା ଆଧୁନିକତାର ରୁଚି କାମ କରୁନାହିଁ । ଗୋଟିଏ ଦଶନ୍ଧି ପରେ ଆଉ ଗୋଟିଏ ଦଶନ୍ଧି ଯେତିକି ତଫାତ୍‌ରେ ଆଗେଇ ଚାଲିଛି । ମଣିଷର କାରିଗରୀ ମନ ବା ରୁଚି ସେତିକି କିମ୍ୱା ତା’ଠାରୁ ଅଧିକ ନୂଆ ନୂଆ ପ୍ରବୃତ୍ତିଦ୍ୱାରା ପରିମାର୍ଜିତ ହୋଇ ବଢ଼ି ଚାଲିଛି । ଫଳରେ ଆଜି ଦେଖିଲାବେଳକୁ ଯେଉଁଠି ଡେକ୍ରୋନ୍‌ ଶାଢ଼ୀ ବାହାରିଲାଣି, କାଲିକି ତା’ର ବଜାର ଆଉ ନାହିଁ । ସେଇଟି ପୁରୁଣା ହୋଇଗଲା, ରୁବି ଭଏଲ ବା ଟେରୀ ଭଏଲ ଯେଉଁଟି ସର୍ବାଧୁନିକ ସେଇ ବଜାରକୁ ଆସୁ ।

 

ମୁଁ ତୋ ଆଗ୍ରହକୁ ଯେମିତି ଅନୁଭବ କଲି, ସେମିତି ଉତ୍ତର ଦେଲି । ଅବଶ୍ୟ ମୁହଁ ଦେଖାଣିଆ ହଁଟାଏ ମୋତେ ମାରି ଆସିଥାନ୍ତା । ହେଲେ ସେମିତି ଲାଭ କ’ଣ ? ତୋ ପକ୍ଷରେ ଧନର କେଉଁ ଅଭାବ ଅଛି ଯେ, ତୁ ଦିଲ୍ଲୀ ଆସିପାରିବୁନାହିଁ ।

 

ତୋତେ ଆଘାତ ଦେଇ କିଛି କହିବା ଅବସ୍ଥାରେ ମୁଁ ନଥିଲି, ମୁଁ କେବଳ ମନକୁ ମନ ଯାହା ସାନ୍ତ୍ୱନା ଦେବାରେ ଖୁସି ହେଉଥିଲି । ମାଉସୀ କେତେ କ’ଣ କହିଯାଉଥିଲେ ତା’ର ଟିକିନିକି ବିଶ୍ଳେଷଣ ମୁଁ କରୁନାହିଁ । କିନ୍ତୁ ଯେତିକି ମନରେ ରହିବାର କଥା ସେତିକି ମନେରଖିଛି-

 

ମାଉସୀ ତୋ ବିବାହ ସପକ୍ଷରେ ମୋ ମତାମତ ଚାହୁଁଥିଲେ । କହିଲେ, ମଉସା କେତେ ଯୋଗ୍ୟ ବରର ଅନୁସନ୍ଧାନରେ ଅଛନ୍ତି । କିଏ ଡାକ୍ତର ତ, କିଏ ଇଂଜିନିୟର, କିଏ ଆଇ. ଏ. ଏସ୍‌. ଅଫିସର ତ, କିଏ ନାଭି କ୍ୟାପ୍‌ଟେନ । ଯୌତୁକ ଦେବାକୁ ମଉସା ମାଉସୀ ସମ୍ପୂର୍ଣ୍ଣ ପ୍ରସ୍ତୁତଥିବାର ଦେଖିଲି । ତୋ ବିବାହରେ ଆନୁମାନିକ ପଚାଶ ହଜାର ଟଙ୍କା ଖର୍ଚ୍ଚ ହେଉଥିବାର ମୋଟାମୋଟି ହିସାବ ମଧ୍ୟ ମୁଁ ଜାଣିବାକୁ ପାଇଲି । ତହିଁରେ ପୁଣି ସେଇ ଯୋଗ୍ୟ ପାତ୍ରମାନଙ୍କର ଫଟୋ ଦେଖି ମୁଁ ବିସ୍ମିତ ନ ହୋଇ ରହିପାରିଲିନାହିଁ ।

 

ରେଣୁ !

 

ସେଇ ପାତ୍ରମାନଙ୍କର ବାମ ପାର୍ଶ୍ୱରେ ତୋତେ ପରିକଳ୍ପନାରେ ଯୋଡ଼ି ମୁଁ ମନେ ମନେ ଭାରି ଖୁସି ହେଉଥିଲି । ତୁ କହିପାରୁ ଦହନର ଯନ୍ତ୍ରଣାକୁ ଗୋପନରେ ଚପାଇ ଦେଇ ମୁଁ ମୋ ମନ୍ତବ୍ୟ ଦେଉଛି । ଦେ’ଶିଜୁ କଣ୍ଟାର ଚରିତ୍ର ଚିତ୍ରଣ ଛଳରେ ନିଜ ମନ ଚରିତ୍ରକୁ ସଂଯତ କରି ମୁଁ ନିଜକୁ ନିଜେ ସଫେଇ ଦେଉଛି ।

 

ତାହା ଅବଶ୍ୟ ଠିକ୍‌ । ବାଘବଜାରୀ ଖେଳିଲାବେଳେ ମୁଁ ଯେତେବେଳେ ଛେଳି ହୋଇ ତୋତେ ତୁଠରେ ପାଣି ପିଇବାକୁ ଅଟକେଇ ଦିଏ, ତୁ ସେତେବେଳେ କେମିତି ହରବର ହେଉ କହିଲୁ ? ସେମିତି ମୁଁ ନୀରବରେ ବ୍ୟତିବ୍ୟସ୍ତ ହେଉଥିଲି ।

 

ଚଳଚ୍ଚିତ୍ରର ଦୃଶ୍ୟ ଭଳି ମୋତେ ସେଇ ଦିନର ମୁହୂର୍ତ୍ତଗୁଡ଼ିକ ବୋଧ ହୋଇଥିଲା । ତା’ପରେ ମୁଁ ତୋଠାରୁ ଦୂରେଇ ଆସି ଯେଉଁ ବ୍ୟଥା ଅନୁଭବ କଲି ତା’ର ଯନ୍ତ୍ରଣାକୁ ମୋତେ ଅତି କଷ୍ଟରେ ସହ୍ୟ କରିବାକୁ ପଡ଼ିଲା ।

 

ବାଘବଜାରୀ ଖେଳିଥିଲା ମିଛିମିଛିକା । ସେଥିରେ ଉଭୟେ ଥରକୁ ଥର ବାଘ ଛେଳି ହେବାର ପୋଷାକ ବଦଳେଇଲେ ମନରେ କୌଣସି କ୍ଷୋଭ ଜାତ ହୁଏନାହିଁ । ହାରିବାରେ ଯନ୍ତ୍ରଣା ନଥାଏ କି ଜିତିବାର ଯଶ ନଥାଏ । କିନ୍ତୁ ସଂସାର ଦରବାରରେ ଯେଉଁ ପ୍ରଣୟ ପଶାପାଲି ଖେଳ ହୁଏ, ସେଥିରେ ହାର୍‌ଜିତ୍‌ ହେଉଛି ପ୍ରେମିକ ପ୍ରେମିକାଙ୍କ ଭାଗ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଧି ।

 

ତୋର ମନେଥିବ କି ନାହିଁ, ସେଦିନ ଦୋଳ ପୁନେଇ ହୋଇଥିଲା । ଆମେ ଦୁହେଁ ‘ସଂଯୋଗ’ ଫିଲିମ୍‌ ଦେଖିଯାଇଥିଲେ । ତହିଁ ଆରଦିନ ହୋରୀ ଖେଳପାଇଁ ଆମର ଲମ୍ୱା ପ୍ରୋଗାମ ସ୍ଥିର ହୋଇଗଲା । ଖେଳ ଶେଷରେ ଆମେ ଚଣ୍ଡୀ ମନ୍ଦିର ଗଲେ । ସେ ପ୍ରସ୍ତାବ ଅବଶ୍ୟ ପୂର୍ବ କଳ୍ପିତ ନଥିଲା ।

 

କିନ୍ତୁ ମୁଁ ପ୍ରତିବାଦ କରି ନଥିଲି । ଖାଲି କହିଥିଲି, ମନ୍ଦିର ନ ଗଲେ ମନ କ’ଣ ମାର୍ଜନା ହେବ ନାହିଁ ? ମନ ବୁଝିଲେ ପରା ସବୁ ।

 

ଉହୁଁ !

 

ମୁହଁକୁ ତଳକୁ ପୋତି ତୁ କେବଳ ଏତିକି କହିଥିଲୁ ।

 

ତୋ ଅଳି ନ ଭାଙ୍ଗି ମୁଁ ସହଗମନ କରିଥିଲି ଚଣ୍ଡୀ ମନ୍ଦିର । ରାସ୍ତାରେ କେତେ ଚିହ୍ନାଜଣାଙ୍କ ଆଖି ଏଡ଼ାଇ ମୋତେ ତୋ ସହିତ ଯିବାକୁ ପଡ଼ିଥିଲା ।

 

ଚଣ୍ଡୀ ଦର୍ଶନ କରି ଫେରିଲେ । ତୋ ହାତରେ ଥିଲା ଭୋଗ । ତୁ ମୋ ପାଟିରେ ଭୋଗ ଖୁଆଇ ଦେବା ସଙ୍ଗେ ସଙ୍ଗେ କପାଳରେ ସିନ୍ଦୂର ଟୋପାଏ ମାରିଦେଲୁ ।

 

ମୋତେ ଅତି ଖୁସି ଲାଗିଥିଲା । ଅଧିକ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ତୁ ମୋତେ କହିଥିଲୁ, ବିଜୁ ଭାଇ ମୁଁ ଅନେକଥର ତୁମ ଦେହ ଛୁଇଁଛି, ଉତ୍ତେଜନାରେ ବିହ୍ୱଳ ହୋଇ କହିଛି ଯେ, ତୁମ ଛଡ଼ା ମୁଁ ଆଉ କାହାର ହେବିନାହିଁ । ହେଲେ ସେଇ ଶପଥ ମୋତେ ସବଳ କରିପାରିନାହିଁ-। ବେଳେ ବେଳେ ଦୁର୍ବଳତାର ବଶବର୍ତ୍ତୀ ହୋଇ ମୁଁ ତୁମ ବ୍ୟବଧାନର ଆଶଙ୍କା କରିଛି । ତେଣୁ ଏଇ ଚଣ୍ଡୀ ଭୋଗ ଖୁଆଇ, ସିନ୍ଦୂର ଦେଇ ଶପଥ କଲି ଯେ ମୁଁ ଆଜିଠାରୁ ତୁମର । ତୁମଠାରୁ ମୋତେ କେହି ଛଡ଼ାଇ ନେବେନାହିଁ ।

 

ସେତେବେଳରେ ତୁ ପ୍ରକୃତରେ ଦୁର୍ବଳ ଥିଲୁ କି ନା, ମୁଁ କହିପାରିବିନାହିଁ । କିନ୍ତୁ ମୁଁ ପ୍ରକୃତ ଦୁର୍ବଳ ହୋଇ ପଡ଼ିଥିଲି । ମୁଁ ସତରେ ଯେ ତୋ ସ୍ୱାମୀ ହେବି ଏ ବିଶ୍ୱାସ ମୋର ଆସୁ ନଥିଲା । ପ୍ରତ୍ୟୟରେ ବିବର୍ତ୍ତନ ମୋ ମନ ଗ୍ରହରେ ପ୍ରଦକ୍ଷଣ କରି ମୋତେ ସେଇ ରିକ୍‍ସାରେ ବିବ୍ରତ କରି ପକାଉଥିଲା ।

 

ତୁ ତ ଜାଣୁ ମୁଁ କିଭଳି ଧର୍ମଭୀରୁ, ତେଣୁ ମୋତେ ତୋ କଥା ଭାବିବାକୁ ପଡ଼ିଲା ସେଦିନ ରାତିସାରା । ବିଛଣାରେ ଶୋଇଲେ ସୁଦ୍ଧା ଆଖିରୁ ମୋଟେ ନିଦ ହେଲାନାହିଁ । ତୋ ନିଃସଙ୍ଗତାର ମର୍ମର ମୋ ପିପାସିତ ମରୁଭୂମିରେ ଅବଲମ୍ବନର ନଦୀପାଇଁ ଆଶ୍ରୟର ସ୍ୱପ୍ନଧ୍ୱନି ସୃଷ୍ଟି କଲା ।

 

ମୁଁ ଛଟପଟ ହେଲି । ମୁଁ ତୋର ସ୍ୱାମୀ ହେବି ଭାବି ତୁ ଅନ୍ତତଃ ଖୁସିରେ ଗର୍ବ ଅନୁଭବ କରୁଥିବୁ ବୋଲି ଧାରଣା କରିନେଲି । କକ୍ଷଥିଲା ଅନ୍ଧାର, ରାତିଥିଲା ନିଝୁମ । ଇଚ୍ଛା ହେଉଥିଲେ ସୁଦ୍ଧା ତୋ ପାଖକୁ ଯାଇ ଶୋଷ ମେଣ୍ଟାଇ ପାରିଲିନାହିଁ ।

 

ରାତି ପାହିଗଲା । ଉଲଗ୍ନ ମୋ ଶରୀର ଦେହରେ ପରିଚ୍ଛଦର ଆବରଣ ଯଥାଯଥଭାବେ ତୋଳି ପ୍ରାତଃକାର୍ଯ୍ୟରେ ମୁଁ ଲାଗି ପଡ଼ିଲି । ମଝିରେ ମଝିରେ ତୋ ଶପଥ ମୋ ଅବଚେତନ ମନରେ ଚେତନାର ଜ୍ୟୋତ୍ସ୍ନା ଝରାଇ ବସୁଥାଏ । ତୁ ଚାହୁଁଥିଲୁ ପ୍ରତିଷ୍ଠା । ମନ୍ଦିରର ପ୍ରତିଷ୍ଠା ନହେଲେ ମୂର୍ତ୍ତି ଆରାଧନାର ମୂଲ୍ୟ ବା କ’ଣ ! ମୋ ପାଟିରେ ଭୋଗ ଖୁଆଇ ଦେଇ ତୁ ମୋତେ ଏକରକମ ଦେବତାର ମର୍ଯ୍ୟାଦା ଦେଇଥିଲୁ ।

ପ୍ରେମିକ ହୋଇବି ମୁଁ ଥିଲି ତୋ ଶପଥର ସତ୍ୟବାନ । ପ୍ରଣୟରେ ତୁ ସତରେ ବ୍ରତ କରିଥିଲୁ ମୋତେ ପାଇବାପାଇଁ କି ନା, ମୁଁ ଜାଣେନା । କିନ୍ତୁ ମୋତେ କେମିତି କେମିତି ଲାଗିଥିଲା-

ବାହା ନ ହୋଇ ଆଜିକାଲି ଅନେକ ନାରୀଙ୍କୁ ‘ମା’ ଦୋଷ ଲାଗୁଛି । ମୋତେ ଅବଶ୍ୟ ପାପ ସ୍ୱାମୀ ଦୋଷ ଲାଗିବାର ଭୟ ନଥିଲା ଯେ ମୁଁ ଚାହୁଁଥିଲି ସୁନାକୁ କଷଟି ପଥରରେ କଷିଲା ପରି ଆମ ପ୍ରଣୟକୁ ନିର୍ଭୁଲଭାବେ ପରୀକ୍ଷା କରିବାକୁ !

ଧର୍ମଭୀରୁ ମୁଁ । ଆଉ ପ୍ରତି ପ୍ରେମିକଙ୍କ ବିପକ୍ଷରେ ଯେଉଁ ବିଶେଷଣ ଲାଗେ ‘ଦୁର୍ବଳ’, ମୁଁ ସେମିତି । ତେଣୁ ମୁଁ ଆକାଂକ୍ଷିତ ଚିତ୍ତରେ ପାଗଳ ପ୍ରାୟ ଧାଇଁ ଗଲି ମୋ ଜ୍ୟୋତିଷବନ୍ଧୁଙ୍କ ନିକଟକୁ-। ହାତରେ ନେଇଥିଲି ମୋ ଜାତକ । ତୋ ରାଶି ନାଁବି ମୋର ମନେଥିଲା । ବନ୍ଧୁ ସୁଧାକାନ୍ତ ଜ୍ୟୋତିଷ ବୋଲି ତୁ ଜାଣୁ । ସେ ମୋଠୁଁ ସବୁ କଥା ତନ୍ନ ତନ୍ନ କରି ଶୁଣି ପ୍ରୀତ ହେଲେ-

କିନ୍ତୁ ତାଙ୍କ ଭବିଷ୍ୟତବାଣୀରେ ମୋ ଆଶାର ଜୁଆର ତତ୍‌କ୍ଷଣାତ୍‌ ସ୍ଫୀତ ହୋଇଗଲା । ସେ କହିଲେ, ମୋର ପ୍ରଥମ ସ୍ଥାନ ବିବାହ ଭାଙ୍ଗିଯିବ । ଦ୍ୱିତୀୟ ପ୍ରସ୍ତାବରେହିଁ ହେବ ।

ମନ ଫିକା ପଡ଼ିଗଲା । ହଠାତ୍‌ ମୁଣ୍ଡରୁ ବିଜୁଳି ଖସି ପଡ଼ିଲା ଭଳି ବୋଧ ହେଲା । ବିମୁଖ ମୁଖଭଙ୍ଗୀ କରି ମୁଁ ସୁଧାକାନ୍ତଙ୍କଠାରୁ ବିଦାୟ ନେଇ ଫେରିଆସିଲି ।

ପୂର୍ବଦିନର ତୋ ଶପଥ ପରଦିନରେ ମୋ ଦୁର୍ବଳତାର ଯଜ୍ଞରେ ଆହୁତି ନେଲା । ଭାବିଲି ତୁ ମହାନ୍‌ ହୋଇଗଲୁ ରେଣୁ । ତୋ ଭଳି ପ୍ରେମ ବଳି ଦେବା ପ୍ରେମିକା ଏ ଯୁଗରେ ମିଳିବେ କି ନା ସନ୍ଦେହ । ହେଉ ଠାକୁରଙ୍କ ଇଚ୍ଛା ।

ଶୁଣିଲେ ତୋ ମନରେ ଆଘାତ ହେବ ଜାଣି ମୁଁ କହି ନଥିଲି । ତୁ ତୋ ସ୍ୱପ୍ନରେ ଆତ୍ମବିଭୋର ହୋଇ ରହିଲେ ମୋ ପ୍ରେମ ସଫଳ ହେଲା ବୋଲି ଭାବିବି ।

ମୁଁ ନିଶ୍ଚଳ ରହିଥିଲି । ସୁଧାକର ଜ୍ୟାତିଷଙ୍କ ଉପରେ ମୋର ପୂରା ବିଶ୍ୱାସ । ତାଙ୍କ ବାଣୀ ଅନ୍ୟଥା ହୁଏନା । ତାଙ୍କ ଗଣନା ନିର୍ଭୁଲ । ମୋ ପ୍ରେମ ସ୍ଥିର ହୋଇଗଲା । ଅଥଚ ସେଠି ଫୁଲ୍‌ଷ୍ଟପ୍‌ ପଡ଼ିଲାନାହିଁ । ତୋ ସ୍ପର୍ଶରେ ମୋ ମନବେଣୁ ସୁର ମେଲିଲାନାହିଁ ।

ତୁ ଆଶ୍ଚର୍ଯ୍ୟ ହୋଇ କହିଥିଲୁ । ବିଜୁ ଭାଇ, ତମର କ’ଣ ହେଲା, କାଇଁ ଆଗଭଳି ହସି ହସି ଖେଳ କୌତୁକରେ ମଜ୍ଜୁ ନାହଁ ? ମୋତେ ସତ ଉତ୍ତର ଦେଇ ଆସି ନଥିଲା ସେଦିନ । ଏଣୁତେଣୁ ପିଲାଙ୍କ ଭଳି ଭଣ୍ଡେଇ ଦେଇଥିଲି ।

ତେବେବି ଅବସ୍ଥାଥିଲା ପ୍ରଣୟ ଉପରେ । ଯଦି ଭବିଷ୍ୟତରେ ଆମ ଦୁହିଁଙ୍କର ସଂଯୋଗ ହୁଏ ମୁଁ ସୁଧାକର ନାଁରେ ଅପପ୍ରଚାର କରିବି । ଚାରିଆଡ଼େ କହିହେବି ଯେ ସେ ଜଣେ ଭଣ୍ଡ ଜ୍ୟୋତିଷ ।

ସେଇ ଦିନଠାରୁ ତମ ଘରକୁ ଯିବାର ବ୍ୟବଧାନ ଥିଲା ମୋଟେ ଦୁଇ ମାସର ସମୟ । ସେଇ ମଧ୍ୟରେ ମଉସା ମାଉସୀ ତୋ ବିଭାଘର ପାଇଁ ଯେ ଏତେ ବ୍ୟଗ୍ର ହୋଇ ପଡ଼ିଥିବେ ସେ ଧାରଣା ମୋର ନଥିଲା । ମୁଁ ଦେଖୁଥିଲି ତୋ ମୁହ୍ୟମାନ ଶରୀର । ସୂର୍ଯ୍ୟମୁଖୀ ସମ ମୋ ଦିଗରୁ ଢଳି ଥିଲା, ଅଥଚ ସୂର୍ଯ୍ୟକାନ୍ତ ପରି ମୋତେ ଆନ୍ତରିକ ଭକ୍ତି କରୁଥିଲା କି ନା କହି ହେବନାହିଁ ।

ଅତଳ ଜଳ ଭିତରେ କ’ଣ ଥାଏ କିଏ କହିପାରିବ କହନି ? ସେମିତି ପ୍ରେମ ହେଉଛି ଗଭୀର । ତାକୁ ଛଳନା ସହ୍ୟ କରିପାରିଲେ ହେଲା ।

 

ସେଇ ଦୃଷ୍ଟିରୁ ଆମ ପ୍ରେମକୁ ଦୁନିଆ ସହିପାରିଲାନାହିଁ । ଭାଗ୍ୟ ତୋର ଭାରି ଉଚ୍ଚ ରେଣୁ । କେଡ଼େ ବଡ଼ ବରକୁ ତୁ ବିବାହ କରିବୁ । ସାମାନ୍ୟ ମୋପରି ଜଣେ କିରାଣୀର ହାତଧରି ଲାଭ କ’ଣ ? ଦାମ୍ପତ୍ୟ ଜୀବନର ରାସ୍ତା ଉପରେ ସଂସାର ବାନ୍ଧି ସଭ୍ୟତାର ବିମୋହନ ବେଣୁ ବଜାଇ ମୁଁ ତୋତେ ସନ୍ତୁଷ୍ଟ କରିପାରିଥାନ୍ତି କି ?
 

ନିରୋଳାରେ ତୋତେ ତମ ଘରେ ଦେଖି ମୁଁ ଖୁସି ହେଲି । ତୋ ହାତ ପାପୁଲି ଥିଲା ମୋ ହାତରେ । ତୋତେ ମୋ ଶରୀରରେ ସୀମାବନ୍ଧ କରି ରଖିବାର ସ୍ପୃହା କମିଆସୁଥିଲା । କାରଣ ଏକ ଶୁଭ ଆୟୋଜନ ମଧ୍ୟରେ ଅବାଞ୍ଛିତ ପ୍ରୟୋଜନକୁ ପ୍ରଶ୍ରୟ ଦେବାପାଇଁ ମୁଁ କୁଣ୍ଠାବୋଧ କରିଥିଲି । ତୋତେ ଭର୍ତ୍ସନା କରିବାର ଆଉ ଅଧିକାରନାହିଁ ବୋଲି ମୁଁ ଭାବିଲି । ମୋ ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ନିରାଶାର ଶର ଏତେଦୂର ବିଦ୍ଧ କରି ପକାଉଥିଲା, ତାହା କିପରି ଉଦ୍ଧାର ପାଇବ ସେଇ ଚିନ୍ତାରେ ମୁଁ ରହିଲି ।

 

ମାଉସୀଙ୍କ ସରାଗ, ମଉସାଙ୍କ ଆଦର ଆଉ ତୋ ସ୍ନେହ ମୋତେ ଯେଉଁଭଳି କଟୁ ତିକ୍ତ କଷାୟ ଭଳି ଅନୁମିତ ହେଲା ତାହା ମୁଁ ବର୍ଣ୍ଣନା କରିବାକୁ ଅକ୍ଷମ ।

 

ଏ ଜନ୍ମପାଇଁ ମୁଁ ତୋତେ ସ୍ୱପ୍ନର ସନ୍ଧ୍ୟାରେ ଲବ୍‌ଧ କରିଥିଲି ଓ ପାଶୋରି ଦେଲି ବୋଲି ଭାବୁଛି । ମନେକର ତୁ ମୋ ନିକଟରେ ଥିଲୁ ସ୍ୱର୍ଗର ଉର୍ବଶୀ ଆଉ ମୁଁ ଥିଲି ଧୂଳି ମାଟିର ଅର୍ଜୁନ; ତେଣୁ ଆମ ପ୍ରେମ ସଫଳ ହେଲାନାହିଁ । ସ୍ୱର୍ଗ ମର୍ତ୍ତ୍ୟର ସୁଦୀର୍ଘ ଅକଳନୀୟ ବ୍ୟବଧାନ ମଧ୍ୟରେ କେଉଁଠି ତାହା ସତ୍ତା ହରେଇ ବସିଲା କହି ହେବନାହିଁ । ତୁ ଭୁଲିଯା ରେଣୁ । ଆମ ପ୍ରେମ ଥିଲା ଅଭିଶପ୍ତ । ଯୁଗ ଯନ୍ତ୍ରଣାରେ ଜର୍ଜରିତ ସମାଜ ଆମ ପ୍ରେମର କ୍ଷରଣ ଅନୁଭବ କରିବାକୁ ଅସମର୍ଥ ହେଲା । ସେ କେବଳ ବୁଝିଲା ଯାହାର କୋଠା ଅଛି, ଧନ ଦୌଲତ ଅଛି, କାର୍‌ ଟ୍ରକ୍‌ ଚାଲୁଛି, ସହରରେ କାରଖାନା, ଗୋଦାମ ଅଛି, ତା’ରି ପୁଅ ସାଙ୍ଗରେ ତା’ରି ଝିଅ ପ୍ରେମ କରିବା; ବିବାହ କରିବା ସମୀଚୀନ । କାରଣ ସେଠି ତାରତାମ୍ୟନାହିଁ, ଖାଲ ଢିପନାହିଁ, ଉଚ୍ଚ ନୀଚନାହିଁ । ଧନୀ, ଦରିଦ୍ର ସମତୁଲ ହେବେ କେଉଁ ଯୁକ୍ତିରେ ?

 

ସେଇ ତମ ଘର ଆଗରେ ଥିବା ଦେ’ଶିଜୁ କଣ୍ଟା ଗଛ କଥା କହୁଛି । ଏତେବଡ଼ କୋଠାକୁ ଫୁଟେଇ ତୋ ଗୋଡ଼ରେ ସେ ଫୁଟିଯିବାର ସାହସନାହିଁ । କିନ୍ତୁ ମୋ ଗୋଡ଼ରେ ଫୁଟି ନ ଯାଇ ମନରେ ଫୁଟିଗଲା । ରକ୍ତ ବୋହିଲା, ଅଥଚ ଏ ପର୍ଯ୍ୟନ୍ତ ତା’ର ଧାର ଶୁଖିଲାନାହିଁ ।

 

ସେ ଧାର କ’ଣ କେବେ ଶୁଖିଯାଇପାରେ ?

 

। ଇତି ।

ତୋ ଆଦରର ବିଜୁ ଭାଇ

Image

 

ଦ୍ୱିତୀୟ ପରିଚ୍ଛେଦ

 

ସ୍ନେହର ରେଣୁ,

 

ତୋତେ ମୁଁ କ୍ରମଶ ଭୁଲି ଯାଉଛି । ଅଭିଜାତ ଦିଲ୍ଲୀ ନଗରୀ କୋଳରେ ଥାଇ କେବଳ ତୋ ଟିକି ମୁହଁଟି ଛଡ଼ା ଶରୀରର ଅବଶିଷ୍ଟାଂଶ ବାସ୍ତବିକ ଭୁଲି ଗଲିଣି ।

 

ଚିଠିର ଉପକ୍ରମକୁ ଆଉଥରେ ପଢ଼ିବି ଅଧାପଢ଼ା ରଖିଦେଲା ରେଣୁ । କେଡ଼େ ନିର୍ମମ ସେ ଉପକ୍ରମ ମ ! ଭଲପାଇବାର ଡୋରୀ ଟାଣ ଥିଲେ ଭୁଲିଯିବାର ଛୁରୀ କ’ଣ ତାକୁ କେବେ କାଟି ପକାଏ ?

 

ଭଲପାଇବାର ଆକାଶ ସବୁବେଳେ ପରିଷ୍କାର, ପରିଚ୍ଛନ୍ନ । ଅନାବିଳ ମେଘଖଣ୍ଡ ତାକୁ କେବେହେଲେ ଅପରିଷ୍କାର କରିପାରେନା । କାରଣ ତା’ର ବ୍ୟକ୍ତିଗତ ସହୃଦୟତା ଅଛି, ଅନୁଭବ ଶକ୍ତି ଅଛି । ତା’ ସୂର୍ଯ୍ୟ ସ୍ୱତନ୍ତ୍ର, ତା’ ଚନ୍ଦ୍ର ମଣିଯୁକ୍ତ । ଅମାବାସ୍ୟାର ଅନ୍ଧକାର ସେ ପ୍ରଣୟର ଚନ୍ଦ୍ରକୁ ନିଶ୍ଚିହ୍ନ କରିପାରେନା ।

 

ଭୁଲି ହୋଇଯିବ କିପରି ? ଅପସରି ଯିବ କେଉଁ ଉପାୟରେ ?

 

ଅଭିମାନ କରି ନିଚ୍ଛକ ସତକଥା ଲେଖିବା ସଙ୍ଗେ ସଙ୍ଗେ ସେ ଏଣୁତେଣୁ ବନେଇଚୁନେଇ ଯାହା ଲେଖି ଯାଇଛନ୍ତି ତାକୁ ବୁଝିବା ବଡ଼ କଷ୍ଟ । ରେଣୁର ବିବାହ ହେଉଛି । ଆଉ ଜଣେ ଯୁବକ ବରକୁ ସେ ବିବାହ କରିବାକୁ ଯାଉଛି । ଡାକ୍ତର ସେ । ବାପା ବୋଉ ଠିକ୍‌ କରିସାରିଲେଣି । ଅମଙ୍ଗ ପ୍ରକାଶ କଲେ ସୁଦ୍ଧା ବାପା ବୋଉଙ୍କ ମାନମର୍ଯ୍ୟାଦା ରକ୍ଷା କରିବାକୁ ଯାଇ ସେ ହଁ ଭରିଛି । ତା’ ନ ହେଲେ ଉପାୟ ନଥିଲା । ବିଜୁଭାଇଙ୍କ ଗୋପନ ପ୍ରଣୟର ପରିପ୍ରକାଶ କରିବା ଅନୁଚିତ ।

 

ବାପା ଜାଣିଲେ ବିଜୁଭାଇଙ୍କ ସତ୍ତା ଦୁନିଆରୁ ଲୋପ କରିଦେବେ । ରାଜନୈତିକ ମହଲ ତଥା ଅଫିସର ମହଲ ମଧ୍ୟରେ ସେ ଅତ୍ୟନ୍ତ ଜଣାଶୁଣା । ତେଣୁ ଦାନ୍ତ ଚିପି ନୀରବ ରହିଲା ରେଣୁ । ଅନ୍ୟକୁ ସେ ବିବାହ କରି ଯାଉପଛେ, ହେଲେ ତା’ ବିଜୁଭାଇ ସୁଖରେ ରହନ୍ତୁ ।

 

ସେଦିନ ତା’ କାଇଁଚ ମାଳି କାଖରେ ପୁଅ ନେଇ ତାଙ୍କ ଘରକୁ ବୁଲି ଆସିଥିଲା । ତାକୁ ଦେଖେଇ ତା’ ବୋଉକୁ କହିଲା ମାଉସୀ, ମନକୁ ପାଉଥିବା ପିଲାଟିଏ ଦେଖି କାଇଁଚର ହାତକୁ ଛନ୍ଦି ଦେଲନାହିଁ । ଆଉ କେଇ ଦିନ ଘରେ ବୁଢ଼ୀ କରି ରଖିବ ମ ! ପାଠପଢ଼ା ତ ସରିଲା, ଏବେ ବାହାଘର ଶାଠ ପଢ଼େଇବାକୁ ଛାଡ଼ିଦିଅ ।

 

ବଡ଼ ଅଲାଜୁକୀ ଏଇ ତା’ କାଇଁଚ । ପାଟିରୁ ତା’ର ପାଣି ଛାଡ଼ି ଯାଇଛି । ତା’ ପେଟରେ ଭଲା ଲୁଣ ମିଳେଇବ ନା ? ତେବେ ସେ ଯେତେବେଳେ ତା’ କାଇଁଚ, ରେଣୁ କିଛି ଲୁଚେଇନାହିଁ ମନ ଭିତରେ ।

 

ଆଜି ସିନା ମାଳି ବିବାହ କରି କାଖରେ ପୁଅ କାଖେଇ ଘରଣୀ ସାଜି କଥା କହୁଚି, ହେଲେ ପିଲାଦିନେ ତା’ କାନ କାଟିଲେ ମୋଟେ ବଚନ ବାହାରୁ ନଥିଲା । ବାରିଆଡ଼େ ବୋହୂବୋହୂକା ଖେଳିଲାବେଳେ ଆଗୁସାର ହୋଇ ରେଣୁ ମାଳି ମୁଣ୍ଡରେ ଚିରାପଣତ ଖଣ୍ଡେ ଢାଙ୍କିଦିଏ, କହେ ତୋ ଶାଶୁଘରେ ତୁ ଏମିତି ବୋହୂ ସାଜିବୁ ଲୋ କାଇଁଚ । ମୁଣ୍ଡରେ ଓଢ଼ଣା ଦେଇ ନଇଁ ନଇଁକା ଚାଲିବୁ । ଲାଜେଇ ଲାଜେଇ କଥା କହିବୁ । ପୁଣି ଚୁପ୍‌ ଚୁପ୍‌ କରି ଠାରିବୁ । ତୋଠେଇଁ ତ ଟିକେ ସରମନାହିଁ ମୋଠଉଁ ହେଲେ ଶିଖୁନୁ ।

 

ମାଳିର ଗୁରୁ ହୁଏ ରେଣୁ । ସବୁ ଶିଖେଇ ଦିଏ । ମିଛମିଛିକା ବୋହୂବୋହୂକା ଖେଳରେ ମାଳି ବୋହୂ ସାଜି ବଡ଼ ସୁନ୍ଦର ଦେଖାଯାଏ । ଆଜି ମଧ୍ୟ ଶାଶୁଘରେ ବୋହୂ ହୋଇ ମାଳି ଫେରିଆସିଛି ବାପଘରକୁ । ମଥାରେ ଶାଢ଼ୀ ଢାଙ୍କିଛି, ନାକରେ ନାଇଛି ବସାଣ, ମଥାରେ ମଥାମଣି ପିନ୍ଧି ବଡ଼ ସୁନ୍ଦର ଦେଖାଯାଉଛି ସେ ।

 

ରେଣୁକୁ ଦେଖେଇ କହିଲା, କାଇଁଚ ଲୋ, ବାପା ବୋଉ ତ ମୋତେ ନିମକାଠି ବକଟେ ଯଉତୁକ ଦେଇ ନଥିଲେ, ଏସବୁ ସେ କରିଛନ୍ତି । କଲିକତା ମୋତେ ବୁଲେଇ ନେଇ ଏଇ ଚନ୍ଦ୍ରଝୁମ୍ପି, ହାର କରି ଦେଇଛନ୍ତି । ବୁଦ୍ଧି ତାଙ୍କର ବଡ଼ ସରସ । ତୁ ବଡ଼ ଘରର ଝିଅ । ତୋ କଥା ସିଏ ମୋଠୁଁ ସବୁବେଳେ ଶୁଣନ୍ତି । ତୋ ବିଜୁଭାଇଙ୍କ କଥା ଶୁଣିଲେ ମନ ତାଙ୍କର କ’ଣ ହୋଇଯାଏ-। କହନ୍ତି ତାଙ୍କ ଦୁହିଁଙ୍କୁ କଲିକତା ବୁଲେଇ ଆଣିଲେ, ଦକ୍ଷିଣେଶ୍ୱର କାଳୀ ମନ୍ଦିରରେ ବାହା କରି ଦିଅନ୍ତେ ।

 

ରେଣୁ ଶୁଣି ମୁହଁରେ ଶୁଖିଲା ହସ ହସିଦିଏ । ଗୋପନରେ ମାଳିକୁ କୁହେ କାଇଁଚ, ତୋ ଭବିଷ୍ୟତବାଣୀ ସତ ହେଲା ନାଇଁଲୋ । ତାଙ୍କ ବନ୍ଧୁଙ୍କ କଥା ଠିକ୍‌ ହେଲା । ଆମ ଯୋଡ଼ିଏ ଜନ୍ମପାଇଁ ନୁହେଁ । ମୁଁ କେବଳ ପ୍ରଣୟ ନୃତ୍ୟଭଙ୍ଗୀରେ ଉର୍ବଶୀର ଭୂମିକା ନେଇ ତାଙ୍କୁ ବିମୋହିତ କରିବାକୁ ଆସିଥିଲି । ସେ ଅର୍ଜୁନ ହୋଇ ଅନ୍ୟମାନଙ୍କର ହୃଦୟ ପଟ୍ଟୟସୀ ହେଲେ । ଅଥଚ ମୁଁ ବାଦ୍‌ ପଡ଼ିଗଲି । ମୋ ଫୁଲ ତାଙ୍କ ଭଳି ଦେବତାଙ୍କ କର ମଣ୍ଡନ କରିବାପାଇଁ ସମର୍ଥ ହେଲାନାହିଁ-

 

ମାଳି କହିଲା, ସବୁଦିନେ ତୋର ସେଇ ଅଭିମାନିଆ କଥା ଗଲା ନାହିଁଲୋ । ଦୁନିଆରେ ଖାଲି ବିଜୁ ଭାଇ ଅଛନ୍ତି, ନ ହେଲେ ଆଉ କେହି ନାହାନ୍ତି । ଯାହା ହାତ ଧରିବୁ ସିଏ ପରା ହେବ ଦେବତା । ନାରୀ ଭାଗ୍ୟରେ ସେତିକିହିଁ ସାର । ଧନ ଗୋଟାଏ କ’ଣ ବଡ଼ ଜିନିଷ । ଆଜି ଅଛି, ଶୂନ ଭଳି କାଲିକି କୁଆଡ଼େ ମିଳେଇ ଯିବଣି ।

 

ମାଳି କଥା ମୋଟେ ମନକୁ ପାଇଲାନାହିଁ ରେଣୁର । ପ୍ରେମର ସୁଆଦ ଯିଏ ଥରେ ଚାଖିଛି ତାକୁ ଅନ୍ୟ କିଛି ଭଲଲାଗେନାହିଁ । ନୂଆ ସ୍ୱାମୀ ଆସିଲେ ତାକୁ କ’ଣ ବିଜୁ ଭାଇର ଆଲିଙ୍ଗନ୍ନ ପରଶ ଦେଇପାରିବେ ?

 

ରେଣୁ ଯେତେ ଯାହା ଶୁଣିଲା, ସେ ସବୁ ଯେ ତା’ପାଇଁ ଆଶ୍ୱାସନା ତାହା ନୁହେଁ । ସବୁଠୁଁ ବଡ଼ ଜଣାଯାଉଥିଲେ ତା’ ବିଜୁଭାଇ । ମାଳି ଗଲା ପରେ ତା’ ଆଖିରେ ଅତୀତ ନାଚି ଉଠିଥିଲା ।

 

ଏଇ ତା’ ବିଜୁ ଭାଇ ! କିଏ ସେ ? ସେ ତ ଆମ ଗାଁ ଭୂଇଁର ପିଲା ନୁହଁନ୍ତି । ତାଙ୍କ ଘର ପୁରୀରେ ଆଉ ଆମ ଘର କଟକରେ । ଦୁହିଁଙ୍କ ଘରର ସମ୍ପର୍କ ଆଗରୁ ନଥିଲା ।

 

ଆମର କଟକରେ ଘର ଅଛି । ସେତେବେଳେ ବାପା ଚାକିରୀ କରୁଥିଲେ ଭୁବନେଶ୍ୱରରେ । ସରକାରଙ୍କର ବିଶ୍ୱସ୍ତ ଅଫିସରରୂପେ ବେଶ୍‌ ସୁନାମ ଅର୍ଜନ କରୁଥିଲେ ସେ । କଟକରେ ବୋଉ ସହିତ ମୁଁ ରହୁଥିଲି । ଆମ ପରିବାରର ଲୋକ ସଂଖ୍ୟା ଯେ ବାପା ବୋଉ ଓ ମୋ ସହିତ ସୀମିତ, ତା’ ନୁହେଁ । ମୋର ଏକମାତ୍ର ବଡ଼ଭାଇ ଯେ କି ଡେରାଡ଼ୁନ୍‌ରେ ଚାକିରୀ କରନ୍ତି । ତାଙ୍କ ସହିତ ଜ୍ୟୋତ୍ସ୍ନା ନୂଆବୋଉ ଅବସ୍ଥାନ କରୁଥିଲେ । ଭାଇ ଓ ନୂଆବୋଉଙ୍କର ଅସୀମ ସ୍ନେହ, ମମତା ମୋ ପ୍ରତି ଅଛି । କଲେଜ ଛୁଟିରେ ମୁଁ ତାଙ୍କ ନିକଟ ଡେରାଡ଼ୁନ୍‌ ଯାଇଛି । ହେଲେ ବିଜୁଭାଇଙ୍କ ଅନୁପସ୍ଥିତି ମୋତେ ସେଠାରେ ଆଦୌ ଭଲଲାଗିନାହିଁ । ମୁଁ ଫେରିଆସିଛି କଟକ । ଉନ୍ମତ୍ତ କଟକ ସହର ବିଜୁଭାଇଙ୍କ ମନ୍ତ୍ରମୁଗ୍‌ଧ ବେଣୁ ସ୍ୱନରେ ଚହଲି ଯାଇଛି ମୋ ଲାଗି ।

ଅତୀତର ଏକ ସୁସନ୍ଧ୍ୟା । କାଠଯୋଡ଼ିକୂଳର ସାନ୍ଧ୍ୟଭ୍ରମଣରେ ଉତ୍ତଳା ବନ୍ୟା ଜଳରାଶି ସନ୍ଦର୍ଶନ କରୁଥାନ୍ତି ଅନେକ ନରନାରୀ । ସେ ସନ୍ଧ୍ୟା ଥିଲା ଶ୍ରାବଣର । ନିମିଷକ ପୂର୍ବରୁ ଗୋଧୂଳି ଅପସରି ଯାଇଥାଏ । ଶ୍ରାବଣ ସନ୍ଧ୍ୟାର ପୁନେଇ ପାଖ ଜହ୍ନଟି ଉଇଁ ଆସୁଥିଲା । ମୋର ଅନ୍ୟମନସ୍କତା ପ୍ରାୟ ସେଇ ଆଡ଼କୁହିଁ ଲକ୍ଷ୍ୟକରି ରହିଥିଲା । ମୁଁ ଥିଲି ଏକାକିନୀ । କୌଣସି କୋଳାହଳ ମୋତେ ବିବ୍ରତ କରୁ ନଥିଲା । ଯେ କୌଣସି ଅବସ୍ଥାକୁ ମୁଁ ଗଭୀରଭାବେ ଉପଭୋଗ କରି ଚାଲୁଥିଲି । କିଛିକ୍ଷଣ ପରେ ପଛରେ ଏକ ଗଣ୍ଡଗୋଳ ସୃଷ୍ଟି ହେଲା । ଜଣେ ବାଦାମ ବିକାଳିକୁ କେତେକ କଲେଜ ପିଲା ମାରି ସେଇ ଅଶୋଭନୀୟ ପରିସ୍ଥିତିକୁ ବରଣ କରି ଆଣିଲେ । ଫଳରେ ବିବାଦ ଘନେଇ ଆସିବାରୁ ପୋଲିସ୍‌ ଆସି ସେଠାରେ ହସ୍ତକ୍ଷେପ କଲେ ।

ତାହା ଦେଖି ମୁଁ ବ୍ୟସ୍ତ ହୋଇପଡ଼ିଲି । ଏକୁଟିଆ ବୁଲି ଆସିବା ଠିକ୍‌ ହେଲାନାହିଁ ଭାବି ମନକୁ ମନ ବହୁ ଧିକ୍‌କାର କଲି ।

କେମିତି ବା ସେଠୁ ମୁଁ ନିରାପଦରେ ବାହାରି ଯାଉଛି । ବାହାରେ କେଉଁଠି ରେକ୍‌ସାନାହିଁ । ଗଣ୍ଡଗୋଳ ଯୋଗୁଁ ରେକ୍‌ସାବାଲାମାନେ ଛତ୍ରଭଙ୍ଗ ଦେଲେଣି । ବଡ଼ ଅଡ଼ୁଆରେ ପଡ଼ିଲି । ଯାହାହେଉ ମେତେ ଯିବାକୁ ହେବ ଭାବି ଆଗକୁ ପାଦ ବଢ଼ାଇଲି । ଆଶଙ୍କାର ଅନ୍ଧକାର ମୋ ମନର ଉନ୍ମୁଖତାକୁ ଏକାବେଳକେ ନିସ୍ତେଜ କରିପକାଇଥାଏ ।

ଚାରିଆଡ଼କୁ ଚାହିଁଲି । କୌଣସି ଜଣେ ହେଲେ ଝିଅ, ବୋହୂଙ୍କୁ ନ ଦେଖି ମନରେ ମୋର ଚେତା ହଜିଗଲା । ପାଦରେ ଚାଲି ଚାଲି ମୋତେ ଆସିବାକୁ ହେବ ରାଣୀହାଟ ।

 

ହେଉ ।

 

ଚାଲିଲି ।

 

ଆଉ ଉପାୟ ନଥିଲା । ଗଣ୍ଡଗୋଳର ଗୋଟିଏ ପାର୍ଶ୍ୱଦେଇ ଏକ ସୁବିଧାଜନକ ରାସ୍ତା ପାଇବାରୁ ବାହାରକୁ ଆସି ମୁଁ ଆଶ୍ୱସ୍ତ ହେଲି ।

 

ରାସ୍ତାର ବାମ ପାର୍ଶ୍ୱଦେଇ ମୁଁ ଚାଲୁଥାଏ । ଲକ୍ଷ୍ୟ ଥିଲା ଯେ, ଅନତିଦୂରରେ ଖଣ୍ଡେ ରିକ୍‌ସା ମିଳିଗଲେ ଘରେ ପହଞ୍ଚିଯିବି । ବିପଦ ପଛରେ ପଡ଼ିରହୁ । ମୋର ବା ସେଥିରେ ଭାଗ କ’ଣ ଅଛି ।

 

କିନ୍ତୁ ବିପଦର ଅଦୃଶ୍ୟ ଶକ୍ତି ଯେ ମୋ ପଛେ ପଛେ ଅନୁସରଣ କରୁଥିଲା ତାହା ମୋତେ ଜଣା ନଥିଲା । କିଛି ଦୂର ଆସିଛି କି ନାହିଁ ଦଳେ ମଦ୍ୟପୀ ମୋର ପଥ ଓଗାଳି ବସିଲେ-। ସେମାନଙ୍କର ଲକ୍ଷ୍ୟ ନଥିଲା ମୋଠାରୁ ଧନ ଲୁଣ୍ଠନ କରିବା । ସେମାନେ ବଳପୂର୍ବକ ମୋ ଶରୀରରେ ଅତ୍ୟାଚାର ଆରମ୍ଭ କରିବାକୁ ଇଚ୍ଛା କଲେ ।

 

ଯୌବନର ନୂଆ ରାସ୍ତାରେ ମୁଁ ସେତେବେଳେ ପାଦ ଦେଇଥିଲି । ସେ ରାସ୍ତା ଯେ ପିଚ୍ଛିଳ ତାହା ନୂଆବୋଉ ଜ୍ୟୋତ୍ସ୍ନାଙ୍କ ପାଖରୁ ଶୁଣି ଖୁବ୍‌ ସତର୍କତା ସହ ଚାଲି ଶିଖୁଥିଲି । ସେ ସମୟରେ ସୀମା ମଧ୍ୟରେ ରହିବା ଉଚିତ ବୋଲି ଜାଣିଥିଲେହେଁ ପଞ୍ଜୁରୀ ବହିର୍ଗତ ହୋଇ ମୁଁ ଭୁଲ କରିଥିବାରୁ ନିଜକୁ ନିଜେ ବହୁ ଧିକ୍‌କାର କଲି ।

 

ପିପାସିତ ମଦ୍ୟପୀମାନେ ଉତ୍କଣ୍ଠାର ସହ ମୋତେ ସୀମାବଦ୍ଧ କରିଦେଲେ । ସେମାନଙ୍କଠାରେ କରୁଣା ଓ ସହାନୁଭୂତିର ଲେଶମାତ୍ର ଚେତନା ଜାଗ୍ରତ ହେଲାନାହିଁ ଯାହାକି ମୋ ଆକୁଳିତ ଆବେଦନର ମର୍ଯ୍ୟାଦା ରକ୍ଷା କରିଥାନ୍ତା ।

 

ଲାଳସାର ବଶବର୍ତ୍ତୀ ହୋଇ ବିବେକର ସତ୍ତା ହଜାଇ ସାରିଛନ୍ତି ଯେଉଁମାନେ ସେମାନେ ବା ମୋ ଆର୍ତ୍ତନାଦ ଶୁଣନ୍ତେ କାହିଁକି ? ତେଣୁ ଆଶଙ୍କାରେ ମୁଁ ଥରିବାକୁ ଲାଗିଲି । ନାରୀ ହିସାବରେ ସହଜେ ତ ମୁଁ ଦୁର୍ବଳା । ତେଣୁ ସେମାନଙ୍କ ଅସଭ୍ୟ ଭାଷା, ସଶକ୍ତ ଆକ୍ଷେପ ନିକଟରେ ମୁଁ ତିଷ୍ଠି ପାରିଲିନାହିଁ ।

 

ମୋତେ ସେମାନେ ଅନ୍ୟତ୍ର ହରଣଚାଲ କରି ନେବାର ଆୟୋଜନ କରନ୍ତେ ତାହା ଅନୁମାନ କରି ବିବ୍ରତ କଣ୍ଠରେ ମୁଁ ଚିତ୍କାର କରିବାକୁ ଲାଗିଲି । ଅବଶ୍ୟ ମୋ ଆହ୍ୱାନ ଅଦୂରବର୍ତ୍ତୀ ଜନତା ପାଖରେ ପହଞ୍ଚି ପାରି ନଥିଲା ।

 

ନାରୀକୁ ଦୁର୍ବଳ ମୁହୂର୍ତ୍ତରେ ସହାୟ ହେବାକୁ ଈଶ୍ୱରଙ୍କର କରୁଣା ସବୁବେଳେ ଅଛି । ତା’ ନ ହେଲେ ସେହି ପିପାସିତ ଲୋଲୁପ ଗୃଧ୍ରମାନଙ୍କ ଅସତ୍‌ କାମନାର ଅନ୍ତରାଳରୁ ତାଙ୍କ ବିନା ବା ଆଉ କିଏ ମୋତେ ରକ୍ଷା କରିପାରିଥାନ୍ତା !

 

ସମୟ ପନ୍ଦର ମିନିଟ୍‌ ଅତିକ୍ରମ କରି ଚାଲିଯାଇଥିଲା । ଠିକ୍‌ ସେତିକିବେଳେ ଜଣେ ସୁଠାମ ସୁନ୍ଦର ଯୁବକ ସାଇକେଲ୍‌ରେ ସେଠାରେ ଆସି ପହଞ୍ଚିଗଲେ । ତତ୍‌କ୍ଷଣାତ୍‌ ସେ ଘଟଣାର କ୍ରମ ବୁଝିନେଇ ମୋତେ ସାହାଯ୍ୟ କରିଥିଲେ । ସେମାନଙ୍କ ବଳ ଟାଣ ପଡ଼ିବାରୁ ଆମ ଉଭୟଙ୍କ ପ୍ରତି ମିଳିତ ଆକ୍ରମଣ କରି ବସନ୍ତେ କ୍ରମଶଃ ପଥିକମାନଙ୍କର ଭିଡ଼ ଜମି ଆସିଥିଲା । ଫଳରେ ଦୁର୍ବଳ ହୋଇ ପଡ଼ିଲେ ଆକ୍ରମଣକାରୀମାନେ । ତାଙ୍କ ଉପରେ ଆମ ପକ୍ଷରୁ ନିସ୍ତୁକ ମାଡ଼ ହୁଅନ୍ତେ, ଭୟରେ ସେମାନେ ଛତ୍ରଭଙ୍ଗ ଦେବାକୁ ଲାଗିଥିଲେ ।

 

ଉଦ୍ଧାର ପାଇ ମୁଁ ଦୀର୍ଘନିଃଶ୍ୱାସ ଛାଡ଼ିଲି ଓ ସେଇ ସହୃଦୟ ପଥିକମାନଙ୍କ ପ୍ରତି ଅନେକ କୃତଜ୍ଞତା ଜ୍ଞାପନ କଲି । ସେମାନେ ଜଣ ଜଣ କରି ମୋଠାରୁ ଦୂରେଇ ଯାଇଥିଲେ । ଅବଶେଷରେ ରହିଥିଲେ ସେଇ ଯୁବକ ଜଣଙ୍କ ।

 

ମୁଖମଣ୍ଡଳରେ ହାସ୍ୟର ଉଜ୍ଜ୍ୱଳ ରେଖା ଫୁଟାଇ ସେ କହିଲେ, ଆପଣଙ୍କ ବୟସର ଝିଅ ବିନା ଅଭିଭାବକଙ୍କ ସାହାଯ୍ୟରେ ଏକାକିନୀ ଘରୁ ପାଦ କାଢ଼ିବା ଉଚିତ ନୁହେଁ । ଏ ଯୁଗରେ ପ୍ରତିକ୍ଷଣରେ ବିପଦ ଲାଗି ରହିଛି । ଆଜି ସାକ୍ଷାତ କଲେ ମଦ୍ୟପୀମାନଙ୍କୁ, କାଲି କରିବେ ନକ୍‌ସଲାଇଟ୍‌ଙ୍କୁ । ସୀମାବଦ୍ଧ ଜୀବନଯାପନ କରିବା ଏବେ ଠିକ୍‌ ମୁକ୍ତିର ପନ୍ଥା ।

 

ତାଙ୍କ ଆଦର୍ଶ ଦୃଷ୍ଟିଭଙ୍ଗୀ ମୋତେ ପ୍ରୀତି କରିଥିଲା । ବିବର୍ଣ୍ଣ ମନରେ ଭରି ଦେଇଥିଲା ପୁଲକର ରଙ୍ଗ । ଶରୀର ସଙ୍ଗୀତର ସ୍ୱର ଝଙ୍କାର ନୀରବରେ ଧ୍ୱନି ତୋଳିଥିଲା ! ମୁଁ ଲଜ୍ୟାରେ ସଙ୍କୁଚିତା ହୋଇଯାଇଥିଲି । ମୁଦ୍ରିତ ଲାଜକୁଳିଲତାର ସାମୟିକ ପରଶର ସତ୍ତାକୁ ମନେ ମନେ ଅନୁଭବ କରି ନେଉଥିଲି ।

 

ସେ ଥିଲେ ଯୁବକ । ଯୌବନର କଅଁଳ ଖରାରେ ଶରୀର ତାଙ୍କର ଝଟକି ଉଠୁଥିଲା । ତାଙ୍କ ସୌମ୍ୟ କାନ୍ତିରୁ ପୌରୁଷର ଶୌର୍ଯ୍ୟ ମୟୁଖ କରିପ୍ରକାଶ ହେଉଥିଲା । ଅପରିଚିତ ଯୁବକ ଓ ମୋ ମଧ୍ୟରେ ସମସ୍ତ ପରିଚୟ ଆଦାନପ୍ରଦାନ ହୋଇଯିବା ପରେ ମୋତେ ସେ ବିଦାୟ ଦେଇଥିଲେ ।

 

ତା’ପରେ ତାଙ୍କର ଅନେକ ଦିନ ପର୍ଯ୍ୟନ୍ତ ସାକ୍ଷାତ ହେଲାନାହିଁ ।

Image

 

ତୃତୀୟ ପରିଚ୍ଛେଦ

 

କୃତ୍ରିମ ରଙ୍ଗ କ୍ରମଶଃ ଫିକା ପଡ଼ିଯାଏ । କିନ୍ତୁ ଯେଉଁ ରଙ୍ଗ ଅକୃତ୍ରିମ ? ସାହାରାରେ ଶୋଷ ହେଲେ ସିନା ପାଣିନାହିଁ, କିନ୍ତୁ ଆମାଜନ୍‌ରେ ।

 

ହଁ, ମୁଁ ଅବଶ୍ୟ ସାହିତ୍ୟିକ ଫଲାସି ନେଇ ତୋ ନିକଟରେ ବହୁ ଅବାନ୍ତର ଯୁକ୍ତି କରିଆସିଛି । ସାହାରାରେ ଶୋଷକୁ ନୀଳ ନଦୀ ଊର୍ମିଳ ନୀର ଦାନ କରି ପିପାସା ମୋଚନ କରୁଚି-। ଯାହାକି ଆମାଜନ୍‌ ଆମେରିକା ପକ୍ଷରେ କରୁ ନଥିବ । ଆଉ ମୁଁ ? ମୁଁ ହିଁ କେବଳ ‘ମୁଁ’ ହୋଇ ରହିଗଲି । ସେ ଦୁଇଟିର ଉଦାହରଣରୁ କୌଣସି ଗୋଟିକର ଅନ୍ତର୍ଗତ ହୋଇ ମାଧ୍ୟମିକ ଭୂମିକା ଗ୍ରହଣ କରିବାରେ ମୁଁ ସମର୍ଥ ହେଲିନାହିଁ ।

 

ମୋତେ ତୁ ବୁଝୁ ନଥିଲୁ । କହିଥିଲୁ ବିଜୁଭାଇ, ପ୍ରେମର ଗଭୀରତାନାହିଁ । ଯାହାକି ବିବାହରେ ଅଛି । ମନରେ ପୋତନାହିଁ, ଯାହାକି ଶରୀରରେ ଅଛି । କିନ୍ତୁ ସେଦିନ ସେଇଠି ଭୁଲ କରୁଥିଲୁ । ମନରେ ଖେଳିଲେ ଭୁଲ୍‌ ହୁଏନାହିଁ । ଯାହା ଶରୀର ସତ୍ୟରେ ସୀମିତ । ମୁଁ ତୋତେ କହି ନଥିଲିନା, ଏ ଶତାବ୍ଦୀର ପ୍ରେମ ହେଉଛି, ଦ୍ୱିତୀୟ ମହାଯୁଦ୍ଧ ଠାରୁ ଆହୁରି ଅସ୍ଥିର, ପୁଣି ଫୁଜିୟାମାଠାରୁ ଆହୁରି କ୍ଷତିକାରକ ?

 

ତୁ ମୋ ଯୁକ୍ତିକୁ ଅବଜ୍ଞା କରିଥିଲୁ । ଅଉ ମାଲ୍ୟାଣୀ ଯେଉଁଭଳି ରାଜକୁମାରକୁ ଦିନରେ ମେଣ୍ଢା; ପୁଣି ରାତିରେ ଦିବ୍ୟସୁନ୍ଦର ପୁରୁଷ କରି ମନ୍ତ୍ରବତ୍‌ ରଖିଥାଏ ତୁ ସେମିତି ମୋତେ ରଖିଥିଲୁ-। ଆଖିଆଗରେ ତୁ ତ ଦେଖିଥିଲୁ ମୋ ଜ୍ୟୋତ୍ସ୍ନା ଭାଉଜଙ୍କ ଅତୀତ ? ସେ କ’ଣ ଅତୀତରେ ଉନ୍ମାଦ ଫଗୁଣର ବଶବର୍ତ୍ତୀ ହୋଇ ଯୌବନର ଉପାସନା କରୁ ନଥିଲେ ? ତାଙ୍କଠାରୁ ତୋ ବୟସର ବ୍ୟବଧାନ ବା କେତେ ତଫାତ୍‌ ?

 

ରେଣୁ ମନରେ ଉଦାସୀନତା ହଠାତ୍‌ ଚହଲି ଉଠିଲା । ଜ୍ୟୋତ୍ସ୍ନା ନୂଆବୋଉଙ୍କ ପ୍ରେମିକ ଥିଲେ ତା’ ବିଜୁଭାଇ । ଯୌବନର ପ୍ରଥମ ପ୍ରଭାତରେ ଦୁହେଁ ଦୁହିଁଙ୍କୁ ଅତି ଆକସ୍ମିକଭାବେ ଭଲପାଇ ବସିଥିଲେ । ବିଜୁଭାଇ କହୁଥିଲେ ରେଣୁ, ତୋ ନିମନ୍ତ୍ରଣ ମୁଁ ରକ୍ଷା ନ କରିବାର କାରଣ ହେଉଛି, ତୁମ ନୂଆବୋଉଙ୍କୁ ମୋର ପ୍ରାଣେ ଡର । ତାଙ୍କୁ ପଲକମାତ୍ରେ ଦେଖିପକାଇଲେ, ଅନ୍ତରାଳରେ ମୁଁ ଲୁଚିଯାଏ ।

 

ରେଣୁ କୁହେ ନୂଆବୋଉ ସ୍ତ୍ରୀ, ତୁମେ ପୁରୁଷ । ନାରୀ ଠାରୁ ପୁରୁଷ ଶକ୍ତ । ତାଙ୍କୁ ତୁମେ ଭୟ କରିବ କାହିଁକି ? ଜ୍ୟୋତ୍ସ୍ନା ନୂଆବୋଉ ତୁମର ଚିହ୍ନା ହୋଇଥିଲେ ତାଙ୍କ ସହ ବନ୍ଧୁତା ବାନ୍ଧିବା ଗୌରବର କଥା । କାରଣ ସେ ଅତି ଆଳାପୀ ଲୋକ । ସାଥୀ ପାଇଲେ ଆଳାପରେ ସମୟ କଟାଇବାକୁ ସେ ଖୁସି ପାଆନ୍ତି ।

 

ବିଜୁ ଭାଇ ରେଣୁ କଥାରେ ଡିଟୋ ମାରିଥିଲେ । ଆଉ କହିଥିଲେ, ମୋ ସହ ତୁମର ସମ୍ପର୍କ ତୁମ ଭାଉଜ ଜାଣିଲେ ଏଇ ନୂଆ ନୂଆ ଭାବରେ ପୂର୍ଣ୍ଣଚ୍ଛେଦ ପଡ଼ିଯିବ । ସେଥିପାଇଁ ଜାଣିଶୁଣି ସତର୍କ ରହିବା ବାଞ୍ଛନୀୟ ।

 

ସେତେବେଳେ ପ୍ରଣୟ ଆକାଶରେ ନୂଆ ଖଣ୍ଡିଉଡ଼ା ଦେଇ ଶିଖୁଥିଲେ ରେଣୁ ଆଉ ବିଜୁ-। ଜଣେ ଅନ୍ୟଜଣଙ୍କର ପ୍ରେମ ପରିପୂରକଭାବେ ଆପଣା ମନର ସରସତା ଉପଭୋଗ କରି ଚାଲୁଥିଲେ । ଚାଲିଚଳନରେ ଗୋପନୀୟତା ରକ୍ଷା, ସାଥୀ ସମ୍ୱନ୍ଧରେ ନିର୍ଜନତାର ପୁଲକ, ଭାଷା ଆବୃତ୍ତିରେ ଯୌନସୁଲଭ ଛଟା ଆଉ ବ୍ୟବଧାନରେ ଅଭିମାନର ଗୁଞ୍ଜନ ରେଣୁ ଓ ତା’ ବିଜୁଭାଇଙ୍କୁ କାହିଁ କେଉଁ ଆକାଶୀ ପରିକଳ୍ପନା ରାଜ୍ୟରେ ଘୁରେଇ ବୁଲାଉଥିଲା ।

 

ଦିନୁଦିନ ଦୁହିଁଙ୍କ ପ୍ରୀତି ସମ୍ୱନ୍ଧରେ ପରିବୃଦ୍ଧି ଘଟିଲା । ବିଜୁ କହିଲା ରେଣୁ, ଅଜଣାଭାବେ ମୁଁ ସେଦିନ ତମ ଉପରେ ହେବାକୁ ଯାଉଥିବା ଅତ୍ୟାଚାରର ପ୍ରତିହତ କରିଥିବାରୁ ଇମୋସନାଲ ହୋଇ ତୁମେ ମୋତେ ଅଶ୍ଳୀଳ ଭାବରେ ଭଲପାଇଯିବା ଠିକ୍‌ ହୋଇନାହିଁ । ଘରେ ତୁମର ବାପ ମା’ ଭାଇ ଭାଉଜ ସମସ୍ତେ ଅଛନ୍ତି । ସେମାନେ ହେଲେ ତୁମ ଅନ୍ତସ୍କରଣର ଅବିଭାବକ । ଉଚ୍ଛୃଙ୍ଖଳତାର ଶାଖାନଦୀ ହୋଇ ଉପନଦୀ ମାଧ୍ୟମରେ ନଦୀ ସହିତ ସମୁଦ୍ର ସାଙ୍ଗରେ ମିଶିବାକୁ ଚେଷ୍ଟା କଲେ ସେଥିରେ ଗୌରବ ବା କ’ଣ ଅଛି । ଶାଖାନଦୀର ପରା ବ୍ୟକ୍ତିତ୍ୱନାହିଁ ।

 

ରେଣୁ ବିଜୁଭାଇର ମର୍ମ ବୁଝୁ ବା ନ ବୁଝୁ କହିଲା, ତୁମେ ନୂଆବୋଉଙ୍କୁ ଡର, ଅଥଚ ଡରେଇ ସେଇବାଟେ ଦେହକୁ କିଳିବ ବୋଲି ବସିଚ । ହେଉ, ମୁଁ ତୁମ ପରିଚୟ କଥା ନୂଆବୋଉଙ୍କୁ କହିଦେଲେ ସେ ତୁମ ସିଆଣାପଣ ଭାଙ୍ଗି ଦେବେ । ଆଉ ବାଟ ଥିବ ଯେ ତୁମେ ହଜାର ଯୁକ୍ତି କରି କଟେଇବ ।

 

ଶଙ୍କିଯାଏ ବିଜୁ । ରେଣୁ କ’ଣ ସତେ ତା’ ନୂଆବୋଉଙ୍କୁ ତା’ କଥା କହିଦେବ । ସେଦିନ ରାତିରେ ଏତେବଡ଼ ଦୁର୍ଘଟଣା ସମ୍ୱାଦ ଆତ୍ମସମ୍ମାନ ଦୃଷ୍ଟିରୁ ଘରର କୌଣସି ଆତ୍ମୀୟଙ୍କ ନିକଟରେ ପରିପ୍ରକାଶ ନ କରି ଆତ୍ମଗୋପନ କରି ରଖିଲା ଯିଏ, ସେଇ ରେଣୁର ଖିଆଲ ବିଜୁ ସମ୍ୱନ୍ଧରେ ଏତେଦୂର ଚହଲି ଯିବନାହିଁ । ତା’ ଆଖିରେ ଜ୍ୟୋତ୍ସ୍ନା ଅନ୍ଧକାରରେ ଆଶ୍ରିତା, ଆଉ ରେଣୁ ହେଉଛି ଆଲୋକର ପ୍ରଦୀପ । ସଂସ୍ପର୍ଶର ପରଶରେ ରେଣୁ ଯେହେତୁ ତା’ ନିକଟରେ କ୍ରମଶଃ ସଙ୍କୁଚିତ ହୋଇ ଆସିଲାଣି ଏଣିକି ଅତୀତର ଭୁଲକୁ ଭୟ କଲେ ଲାଭନାହିଁ । ଉପେକ୍ଷାର ଜୁଆରରେ ସମୁଦ୍ର ମଧ୍ୟକୁ ପ୍ରତ୍ୟାବର୍ତ୍ତିତ ହୋଇଯିବାହିଁ ଭଲ ।

 

ବିଜୁ ମନରେ ନୀରବତାର ବାତ୍ୟାବିଧ୍ୱସ୍ତ ଭାବନା ପରି ଲକ୍ଷ୍ୟ କରି ରେଣୁ ବିଶି ଆଙ୍ଗୁଠି ପାଟିରେ ଚୁଚୁମି ମୁରୁକିହସା ଦେଇଥିଲା ।

 

ପ୍ରଣୟର ଚେତନା, ବିମୁଗ୍‌ଧ ବସନ୍ତର ଅଭିବାଦନ ଗ୍ରହଣ କରୁଥିଲା ବୋଧହୁଏ ।

Image

 

ଚତୁର୍ଥ ପରିଚ୍ଛେଦ

 

ଦିଲ୍ଲୀ ନଗରୀର ଉନ୍ନତ ହୋଟେଲ ଓ ବାର୍‍ମାନଙ୍କରେ ଯେଉଁସବୁ ଆମୋଦ ବିନୋଦନ କାର୍ଯ୍ୟକ୍ରମ ସୃଷ୍ଟି ହୋଇଥାଏ, ତାହା ସ୍ୱତଃବୈଦେଶିକ ଶୈଳୀରେ ପରିବେଷିତ ହୁଏ କହିଲେ ଚଳେ-। ଭାରତୀୟ ନାଗରିକମାନେ ସେଥିରେ ଉପଭୋଗକାରୀ ବା ଅଂଶୀଦାର ହୋଇଥାନ୍ତୁ ପଛକେ ସଭ୍ୟତାର ଆକର୍ଷଣ ଦୃଷ୍ଟିରୁ ଆମୋଦପ୍ରମୋଦ ଯଥେଷ୍ଟ ଅସଂଯତ ଆଉ ଉଚ୍ଛୃଙ୍ଖଳ ହେଉଥିବାର ମନେହୁଏ । ସେଥିପାଇଁ ଲାଇସେନ୍‌ସ ଅଛି, ପ୍ରମୋଦ କର ମଧ୍ୟ ଦେବାକୁ ପଡ଼ୁଛି । ସେଇହେତୁ ସ୍ୱାଧୀନତା ନାଁରେ ଯେ କୌଣସି ଅଶ୍ଳୀଳ ସ୍ୱେଚ୍ଛାଚାରିତାକୁ ପ୍ରଶ୍ରୟ ଦିଆଯିବାରେ ଆକ୍ଷେପ କରିବାର ଅଧିକାର କାହାରନାହିଁ । ମନେ ମନେ ଘୃଣା, ସମାଲୋଚନା କିମ୍ୱା ବିରୋଧ କରୁଥିବା ବ୍ୟକ୍ତି ବାହାରେ ବାହାରେ ଚାଲିଯାଆନ୍ତି ।

 

ଗହନର ଅନ୍ଧକାର ମଧ୍ୟରେ ଅଶ୍ଳୀଳତାର ନିଝୁମ ଉପତ୍ୟକା ଗର୍ଜନ କରି ଉଠେ । ସମୁଦ୍ର ଡାକୁଛି, ଜୁଆର ମେଲାଣି ମାଗୁଛି, ଉତ୍ତେଜନାର ଢେଉ ପିଟି ହୋଇଗଲେ ଉପକୂଳର ଗଣ୍ଡଦେଶରେ ସେଇ ଯେଉଁ ମଦିରାର ଧାର ! ଇସ୍‌ ଦୁର୍ଗନ୍ଧ । ପରଶରେ କି ବିଭ୍ରାନ୍ତ ଉଷ୍ଣତା !

 

ଅପ୍‌ସରା ବାର୍‌ରେ ଶତାବ୍ଦୀର ସଭ୍ୟତା ପଳାତକ ପ୍ରେମିକାମାନଙ୍କୁ ଆହ୍ୱାନ ଦେଉଛି । ଶିଶୁପାଳ ହେଲେ ଦୁଃଖନାହିଁ । ମୁଁ ଅଛି, ମୁଁ ତୁମର ପ୍ରିୟା, ମୁଁ ତୁମର କୁମୁଦିନୀ । ଆକର୍ଷଣ ବ୍ୟର୍ଥ ହେବନାହିଁ । ଅଭିସାର ନଷ୍ଟ ହେବ ନାହିଁ । ମୋତେ ବିଶ୍ୱାସ କର ପ୍ରିୟତମ ! କେତେ ରାଜା, କେତେ ବାଦଶାହା, କେତେ ନଟ, କେତେ ପରିବ୍ରାଜକ ମୋ ପରଶରେ ଅଳସ ଭାଙ୍ଗି ଯାଇଛନ୍ତି କ୍ଳାନ୍ତି ମୋଚନ କରିଛନ୍ତି ମୋ ଅଙ୍ଗରେ । ମୋତେ ଭୁଲ ନ ବୁଝି ଥରେ ତୁମର ଅତୃପ୍ତ କାମନାକୁ ପରୀକ୍ଷା କରିନିଅ । ଛାଡ଼ିଆସିଥିବା ତୁମ ପ୍ରେମିକାଙ୍କ ଭଳି ମୁଁ ମିଛ କହି ପ୍ରତାରଣା କରି ଜାଣେନାହିଁ-। ମୋ ପ୍ରେମ ଗଭୀର, ନିରବଚ୍ଛିନ୍ନ ।

 

ଦିଲ୍ଲୀ ସହରରେ ପଳାତକ ପ୍ରେମିକମାନେ ଭୁରି ଭୁରି ପ୍ରଶଂସା କରିଥାନ୍ତି ଅପ୍‌ସରାର । ଖାନାପିନା ଅପ୍‌ସରାରେ ଯେମିତି ମଜାଦାର୍‌, ପ୍ରେମସାଗରରେ ବୁଡ଼ିରହିବା ଆହୁରି ଉଦ୍ଦାମଦାୟକ-। କିଛି ଭୁଲ୍‌ ହୁଏନା ସେଠି, ବରଂ ସବୁ ଭଳି ହୋଇଯାଏ !

 

ଅପ୍‌ସରାର ପ୍ରଚାର ଶତମୁଖୀ । ନିର୍ଜନ ଯୌବନର ଅନୁରାଗିଣୀରେ ମତୁଆଲା ପ୍ରେମିକଗଣ ଲମ୍ଫ ପ୍ରଦାନ କରନ୍ତି ଅପ୍‌ସରାର ଆସରକୁ । ଲାଇନ୍‌ ଲାଗେ, ଭିଡ଼ ଜମେ । ପୁଣି କେତେବେଳେ ନିରୋଳା, ଫାଙ୍କା ! ସବୁ ଟଙ୍କାର ଖେଳ । ଶହ ଶହ ଟଙ୍କାର ଖେଳ କୌତୁକ ଅହରହ ଲାଗି ରହିଛି ଅପ୍‌ସରା କୋଳରେ । ଟଙ୍କା ଥିଲେ ମନ ଉଛୁଳି ଉଠେ ! ନ ହେଲେ ମନ ମୋଡ଼ ଭାଙ୍ଗେ । ତେବେ ବିରହର ବିପର୍ଯ୍ୟୟକୁ ଭୁଲିଯିବାକୁ ହେଲେ ଅପ୍‌ସରା ଯେ ପରାସ୍ତ ପ୍ରେମିକମାନଙ୍କର ଅଭୁଲା ସହଚର ତାହା ମାନି ନେବାକୁ ପଡ଼ିବ ।

 

ଦିଲ୍ଲୀ ନଗରୀରେ ରହଣୀକାଳ ମଧ୍ୟରେ ବିଜୁ ଅପ୍‌ସରାର ବନ୍ଧୁ ହୋଇଗଲା । ଚମ୍ପାବାଈ ବିଜୁ ମନର ଉପଶମ ସପକ୍ଷରେ ଅପ୍‌ସରାର ମାଲିକ ମି: ପାନିକରଙ୍କ ବାଖ୍ୟା କରିବାରେ ସମସ୍ତ ସୁଯୋଗ ବିଜୁକୁ ମିଳିବାପାଇଁ ସୁପାରିଶ୍‌ ହୋଇଗଲା ! କ୍ରମେ ଅନୁକ୍ରମେ ବିଜୁର ଆସନ ଦୃଢ଼ ପ୍ରତିଷ୍ଠା ଲାଭକଲା ଆଗନ୍ତୁକ ଭଦ୍ରବ୍ୟକ୍ତିଙ୍କ ଗହଣରେ ।

 

ମିଛି ମିଛି ଅତୀତ ସେ ଅନ୍ଧାର ସପନ....ବିଜୁ କଣ୍ଠ ନିଃସୃତ ସେଇ ପ୍ରଣୟ ସଙ୍ଗୀତର ମୂର୍ଚ୍ଛନାରେ ଝଙ୍କୃତି ହୋଇ ଉଠିଥିଲା ବାର୍‌ର ପେଣ୍ଡାଲଟି । ନିହାରିକା ମନ୍ତ୍ରବତ୍‌ ବିମୁଗ୍‌ଧା ହୋଇ ପଡ଼ିଥିଲେ । ତାଙ୍କ କଣ୍ଠ ବିଜୁର ସମ୍ମୁଖରେ ଭାଙ୍ଗି ଭାଙ୍ଗି ପଡ଼ିଲା । ଜୀବନରେ ପ୍ରଥମଥର ପାଇଁ ହାରି ଯାଉଥିବାର ଦୁର୍ବଳତାକୁ ନିଜଠାରେ ଅନୁଭବ କରିଥିଲେ ସେ । ନିହାରିକା ସୁପ୍ରସିଦ୍ଧ ଗାୟିକା-। ତାଙ୍କ କଣ୍ଠ ଲାଳିତ୍ୟର ତାରୁଣ୍ୟରେ ଅସଂଖ୍ୟ ବସନ୍ତର ଜୁଆର । ପ୍ରତି ସଙ୍ଗୀତପ୍ରେମୀ ସେଇ ଜୁଆରରେ ଭାସି ଯାଆନ୍ତି । ସେଇ ଲହରରେ ଲହଡ଼ି ଭାଙ୍ଗି ଗାୟକ ହେବାକୁ ଚେଷ୍ଟା କରନ୍ତି-

 

ସତେଇଶିଟି ବସନ୍ତର ବର୍ଣ୍ଣୋଜ୍ଜ୍ୱଳ ଆକଣ୍ଠ ପାନ କରି ଆଗେଇ ଚାଲିଛନ୍ତି ନିହାରିକା । ଆଖିରେ ତାଙ୍କର ମଦାଳସୀ ସ୍ୱପ୍ନ । ମନରେ ସମୂହ ଆବେଗମୟତା । ଜିଣିବାର ଇଚ୍ଛା ନେଇ ଯୌବନର ସମସ୍ତ ତର୍ପଣ କରିସାରିଛନ୍ତି ସେ । ଯଶହିଁ କେବଳ ତାଙ୍କ ଲୁକ୍‌କାୟିତ ଅତୀତର ଆବରଣ ।

 

ପରିଚୟ ହୋଇଗଲା ନିହାରିକାଙ୍କ ସହିତ । ରେଣୁର ବିଜୁଭାଇ ଜୀବନର ପଟ୍ଟପରିବର୍ତ୍ତନ କରିବାକୁ ଆଗେଇ ଗଲେ । ରେଣୁ ଜୀବନରେ ଯେଉଁଦିନ ପହିଲି ଶଙ୍ଖ ବାଜିଲା ସେଦିନ ଅପ୍‌ସରା କୋଳରେ ବିଜୁଭାଇ ମଦ ପାନ କରି ଆତ୍ମବିସୃତି ହୋଇଯିବାକୁ ବସିଥିଲେ । ସ୍ୱାମୀ ସହ ମଧୁଯାମିନୀର କଳା ଅନ୍ଧକାରକୁ ଛିନ୍ନଭିନ୍ନ କରି ଯେଉଁ ସମୟରେ ରେଣୁ ସରମରେ ଖିଲି ଖିଲି ହୋଇ ହସି ଉଠିଥିବ, ବିଜୁଭାଇ ଠିକ୍‌ ସେତିକିବେଳେ ଶରୀରର ସତ୍ତା ହରେଇ ବସିଥିଲେ ଚମ୍ପାବାଈ ସହିତ ।

 

ମି: ପାନିକରଙ୍କର ପ୍ରାରମ୍ଭ ବୟସର କାମନା ହେଉଛି ଚମ୍ପାବାଈ । ପାନିକରଙ୍କର ବୟସ ପ୍ରାୟ ପାଖାପାଖି ଷାଠିଏ ହେଲାଣି । ଚମ୍ପାବାଈ ମଧ୍ୟ କମ୍‌ ବୟସର ନୁହେଁ । ତାକୁ ବୟସ ହେବ ପଞ୍ଚଚାଳିଶ । ତଥାପି ପେଟପାଟଣା ପାଇଁ ସେ ତା’ ପେଷାକୁ ବଜାୟ ରଖିଛି । ବାହାର ଟୁଙ୍ଗୀ ଘରେ ସେ ନିମନ୍ତ୍ରଣ କରେ ଅଶିକ୍ଷିତ ଇତର ଆଗନ୍ତୁକଙ୍କୁ । ବେଳେ ବେଳେ ଅପ୍‌ସରାର ପ୍ରୋପାଇଟର ମି: ପାନିକର ମଧ୍ୟ ସହାନୁଭୂତି ଛଳରେ ସାହାଯ୍ୟ ଦେଇଥାନ୍ତି ଚମ୍ପାବାଈକୁ ।

 

ଅପ୍‌ସରା ଚଞ୍ଚଳା, ଅନୁପମା ଆଉ ମନୋହାରିଣୀ । ଯାହାର ପୁତ୍କାରରେ ଟଙ୍କା ଉଡ଼ି ଯାଉଛି, କ୍ଷୀର ଖଣ୍ଡରେ ପଦ ଧୌତ ହେଉଛି, ବସି ଖାଇବାକୁ ଭାବନାନାହିଁ; ସେଇଭଳି ଲୋକ ଅପ୍‌ସରାରେ ଉପଭୋଗର ମଧୁ ଆହରଣ କରନ୍ତି । କିନ୍ତୁ ଚମ୍ପାବାଈର ଟୁଙ୍ଗୀ ଅନୁନ୍ନତ, ଅପରିଚ୍ଛନ୍ନ-। ଆଖିଲୋଭ ନୁହେଁ । ତେବେ ଏପର୍ଯ୍ୟନ୍ତବି ଅର୍ଦ୍ଧଶିକ୍ଷିତ ବେପାରୁଆ ସିନେମାଖୋର ଯୁବକମାନେ ଚମ୍ପାବାଈର ଯୌନଜାନୁକୁ ଆଶା କରିଥାଆନ୍ତି । ପଇସା ଅଳ୍ପ, ମନ ତ ବହୁତ । ମୁଣ୍ଡରେ ଟୁଙ୍ଗୀ ବାଜିଲେ ଯେତିକି କାଟେ, ଆଶାକୁ ଉପଭୋଗ କଲେ ସେତିକି ଅବଶୋଷ ଦୂର ହୁଏ ।

 

ରେଣୁର ଯେଉଁଦିନ ବାସର ରାତି, ସେଇଦିନ ତା’ ଉପେକ୍ଷିତ ବିଜୁଭାଇ ଆକାଂକ୍ଷାର ସାନ୍ତ୍ୱନା ଉପଲବ୍‌ଧି କରି ବସିଥିଲେ ଚମ୍ପାବାଈର ଅଙ୍ଗକୋମଳରୁ । ବୟସର ଆତିଶଯ୍ୟକୁ ଘୃଣା କରି ଚମ୍ପାବାଈଠାରୁ ଅପସରି ଆସୁଥିଲା ବିଜୁ ! ହେଲେ ଅପ୍‌ସରାର ମଦିରା ତା’ ପାଟିରେ ଚଖାଇ ଦେଇ ଚମ୍ପାବାଈ ତାକୁ କାବୁ କରି ଦେଇଥିଲା । ଟଙ୍କା ଦରକାର ଚମ୍ପାର, କିନ୍ତୁ ଲାଳସା ପରିପୂରଣ କରିବା କାମ୍ୟ ଥିଲା ବିଜୁର । ରେଣୁ ବେଦୀରେ ବସି ତା’ ବର ସାଥିରେ ଚିରହସ୍ତ ବନ୍ଧନକୁ ଗ୍ରହଣ କରି ନେଉଥିବାବେଳେ, ପ୍ରଳାପର ଉପଶମ ପାଇଁ ଏହି ଚମ୍ପାବାଈର ଆଶ୍ରମକୁ ଯଥାର୍ଥ ବୋଲି ଆଦରି ନେଇଥିଲା ବିଜୁ । ପୁଣି ରେଣୁ ଶରୀରରେ ପ୍ରହେଳିକାର ଭଗ୍ନାଂଶକୁ ପରିକଳ୍ପନା କରି ଚମ୍ପାବାଈର ଅସ୍ତମିତ ଯୌନ ହ୍ରଦରେ ଅବଗାହନ କରି ବସିଲା ସେ । କି ବିଚିତ୍ର ଏ ଜୀବନ ନାଟକ ସତେ !

 

ରେଣୁ ଘର ଆଗର ଦେ’ଶିଜୁ କଣ୍ଟା ଗଛ, ଚମ୍ପାବାଈର ଚାଳି ଟୁଙ୍ଗୀ, ଆଉ ଅପ୍‌ସରାର ଶତାବ୍ଦୀ ଅଧ୍ୟୁଷିତ ମସୃଣ ଅଭ୍ୟନ୍ତର; ଏମାନେ ସତେ କ’ଣ ଜୀବନକୁ ନିୟନ୍ତ୍ରଣ କରି ଚାଲୁଛନ୍ତି !

 

ଜୀବନର ରାସ୍ତା ତଥାପି ସରୁନାହିଁ । ନିହାରୀକା ଆସି ପହଞ୍ଚି ଗଲେଣି । ବିଜୁ ତା’ ବହି ଲେଖା ବନ୍ଦ କରିଦେଲା ।

 

ବିଜୁର କକ୍ଷରେ ପାଦ ଦେଉ ଦେଉ ନିହାରୀକା ମନ୍ତବ୍ୟ ଦେଇଥିଲେ, ଭବିଷ୍ୟତରେ ଆପଣ ଜଣେ ସ୍ୱନାମଧନ୍ୟ ବ୍ୟକ୍ତିରୂପେ ଆତ୍ମପ୍ରକାଶ କରିବେ । ଆପଣଙ୍କର ପ୍ରତିଟି ଚାଲିଚଳନ ଉନ୍ନତିର କାମନା ବହନ କରି ଚାଲିଛି । ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ।

 

ନିହାରୀକାଙ୍କ ସାହଚର୍ଯ୍ୟ ପ୍ରଥମେ ବିଜୁକୁ ଅଡ଼ୁଆ ଲାଗୁଥିଲା । ସେ ଭାବୁଥିଲା ଯେ ନିହାରୀକା ନିଶ୍ଚୟ ବିବାହିତା ! କିନ୍ତୁ ପରେ ସେ ତାଙ୍କ ସମ୍ୱନ୍ଧରେ ସମ୍ୟକ୍‌ ଧାରଣା କରି ନିଜକୁ ସନ୍ତୁଷ୍ଟ କରିପାରିଥିଲା ।

 

ନିହାରୀକା କହୁଥିଲେ, ବିଜୁବାବୁ ମୁଁ ଆପଣଙ୍କଠାରୁ ବୟସରେ ତିନିବର୍ଷ ବଡ଼ । ତେଣୁ ମୋ ଆତ୍ମକାହାଣୀ ଟିକିନିଖି କରି ଶୁଣିଲେ ମୋତେ ଆପଣ ଘୃଣା କରିବେ । ହେଲେ ମୋଠାରେ ମୋ ଜୀବନର ଯେଉଁଭଳି ସ୍ୱାସ୍ଥ୍ୟଭଙ୍ଗ ଘଟିଛି ତାକୁ ଗୋପନ କରି ରଖିଲେ ବା ଆଉ ଲାଭ କ’ଣ ? ମୁଁ କହୁଛି–ମୋ ସ୍ୱାମୀଙ୍କ ଶରୀରରେ କୁଷ୍ଠ ରୋଗର ଆକ୍ରମଣ ଉପଲବ୍‌ଧି କରନ୍ତେ ବାସର ରାତିର ଶେଷ ପ୍ରହରରେ ତାଙ୍କୁ ପ୍ରତ୍ୟାଖ୍ୟାନ କରି ଚାଲି ଆସିଲି । ସେଥିଲାଗି ମୋ ପ୍ରତି ବିପଦ ଘନେଇ ଆସିବ ଜାଣି ମୁଁ ସହରରେ ଓକିଲମାନଙ୍କର ପରାମର୍ଶ ନେଲି ଓ ସେମାନଙ୍କର ସହାନୁଭୂତିଶୀଳ ଉପଦେଶ କ୍ରମେ ତାଙ୍କୁ ଛାଡ଼ପତ୍ର ଦେବାକୁ ବାଧ୍ୟ ହୋଇଥିଲି ।

 

ବିଜୁ ଆଶ୍ଚର୍ଯ୍ୟ ହୋଇ ନଥିଲା । ନିହାରୀକାବି ତାକୁ ଠକେଇବାକୁ ଚେଷ୍ଟା କରୁ ନଥିଲେ-। ବିବାହ ପୂର୍ବରୁ ନିହାରୀକା କିମ୍ୱା ତାଙ୍କ ମାଆଙ୍କୁ ଧନର ପ୍ରଲୋଭନରେ ଖୁବ୍‌ ପ୍ରଲୋଭିତ କରାହୋଇଥିଲା ! ରୀତିମତ ଖୁଡ଼ୁତା ଏଇ ଚକ୍ରାନ୍ତ କରିଥିଲେ । ଆଶା ଥିଲା ସେଇ କୁଷ୍ଠରୋଗୀ ସ୍ୱାମୀଙ୍କଠାରୁ ସମ୍ପତ୍ତି ହସ୍ତଗତ କରିବା । ହେଲେ ପ୍ରକୃତ କ୍ଷେତ୍ରରେ ନିହାରୀକାଙ୍କୁ ଭଗବାନ ସହାୟ ହେଲେ । ଖୁଡ଼ୁତା ଭାବିଥିଲା ଯେ ଆପଣା ବାସସ୍ଥାନଠାରୁ ବହୁଦୂରରେ ନିହାରୀକାଙ୍କ ବିବାହ ସମ୍ପନ୍ନ କରାଗଲେ, କୌଣସି ହୃଦୟବାନ୍‌ ବ୍ୟକ୍ତି ଷଡ଼ଯନ୍ତ୍ର ମଧ୍ୟକୁ ପ୍ରବେଶ କରି ତା’ର ବିରୋଧ କରିପାରିବେ ନାହିଁ । ସେଇ ବିବାହକୁ ସେ ଆପଣା କୁବୁଦ୍ଧି ସାହାଯ୍ୟରେ ସମ୍ପନ୍ନ କରାଇଲେ ସିନା, ମାତ୍ର ତାଙ୍କ ଫଳ ପାଇବାର ଆଶା ଆକାଶରେ ବଜ୍ର ଛିଣ୍ଡି ପଡ଼ିଲା ।

 

ନିହାରୀକା ଦୁର୍ବଳତାର ଆବରଣ ଖୋଲି ଦେଇ ଉତ୍ୟକ୍ତା ହୋଇ ଉଠିଲେ । ଶଯ୍ୟା ନିକଟକୁ ଆସିଲେ ଶିକ୍ଷିତ ସ୍ୱାମୀ ରାମଗୋପାଳ । କୁଷ୍ଠରୋଗାକ୍ରାନ୍ତ ରାମଗୋପାଳ ବାସର ରାତ୍ରିର ଉଷ୍ଣ ଉତ୍ତେଜନାରେ ବିଭୋର ହୋଇ ଉଠୁଥିଲେ । କାରଣ ତାଙ୍କ ପକ୍ଷରେ ତ ନାରୀ ସହବାସ ସମ୍ଭବ ହୋଇ ନଥାନ୍ତା, ସେଇହେତୁ ଦୀର୍ଘ ଅବକାଶର ତୃଷ୍ଣା ଲାଲସାକୁ ନିହାରୀକାର ଅଙ୍ଗସଙ୍ଗରେ ମିଶାଇ ଏକା ନିଶ୍ୱାସକେ ଆହରଣ କରି ନେବାକୁ ସେ ଚେଷ୍ଟାକରି ଥିଲେ । ଉଲଗ୍ନ ତାଙ୍କ ଦେହରୁ ଦୁର୍ଗନ୍ଧର ବାସନା ଆଘ୍ରାଣ ପୂର୍ବକ ହା ହା କରି ଉଠିଲେ ନିହାରୀକାଙ୍କ ପ୍ରାଣ ।

 

ନିହାରୀକା ସେତେବେଳେ ଆତ୍ମ ସଂକୋଚନ ପରିହାର କରି ରାଗିଯାଇ କହିଲେ, ତୁମେ କିଏ ? ମୋ ବାସର ରାତିର ଉତ୍ତେଜନା ଉପରେ କୁଠାରାଘାତ କରିବାପାଇଁ ତୁମକୁ କିଏ ପଠାଇଲା ?

 

ହସୁଥିଲେ ରୋଗୀ ରାମଗୋପାଳ । ନରକରେ ଘାଣ୍ଟି ହୋଇ ସୁଦ୍ଧା ଜୀବନ ଯୌବନର ତର୍ପଣ ଲାଗି ରାମଗୋପାଳଙ୍କ ମୁହଁରୁ ବିକଟାଳ ଚିତ୍କାର ବାହାରି ଆସୁଥିଲା ।

 

ମୁଁ ତୁମକୁ ପୂରାପୂରି ଉପଭୋଗ କରିବି ନିହାରୀକା । ମୋତେ ବାରଣ କରନାହିଁ । ମୋ ନଗ୍ନ ଶରୀରରେ ସିନା ତୁମେ ଦେଖିବାକୁ ପାଇଲ କୁଷ୍ଠ ରୋଗର ସତ୍ତା, ହେଲେ ମୋ ପୋଷାକ ପରିଚ୍ଛଦର ଶରୀରଟା କେଡ଼େ ସୁନ୍ଦର ନୁହେଁ କହିଲ ? ତୁମେ ଯଦି ବେଶ୍ୟା ହୋଇଥାନ୍ତ, ମୋ ଠାରୁ ପାଉଣା ଆଡ଼୍‌ଭାନସ୍‌ ନେଇ ମୋତେ କ’ଣ ଉପେକ୍ଷା କରିପାରିଥାନ୍ତ ?

 

ନିହାରୀକାଙ୍କୁ ରାମଗୋପାଳଙ୍କ ଯୁକ୍ତି ଭଲଲାଗି ନଥିଲା । ସେ ଆହତ ସର୍ପିଣୀ ସମ ଫଣା ଗର୍ଜନ କରି ଖୁବ୍‌ ଜୋରରେ ଏକ ଚଟକଣା ବସେଇଦେଲେ ତାଙ୍କ ଗାଲରେ । ଫଳରେ ରାମଗୋପାଳଙ୍କୁ ଭାରି ଅପମାନ ବୋଧହେଲା । ସେ ଜବରଦସ୍ତ ନିହାରୀକାଙ୍କୁ କରାୟତ୍ତ କରିବା ନିମନ୍ତେ ସମସ୍ତ ବଳ ପ୍ରୟୋଗ କରନ୍ତେ ଦଇବ ଯୋଗକୁ ଗୋଟିଏ ସାପ ଘରର ଜାଲି କଣା ଦେଇ ଅଚାନକ ଓ ଆଶ୍ଚର୍ଯ୍ୟଭାବେ ଡେଇଁପଡ଼ିଲା ରାମଗୋପାଳଙ୍କ କାନ୍ଧ ଉପରେ ।

 

ରାମଗୋପାଳ ଭୟରେ କିଂକର୍ତ୍ତବ୍ୟମୂଢ଼ ହୋଇ ପଡ଼ିଲେ ଓ ସେଇ ସୁଯୋଗରେ ନିହାରୀକା ପଦାକୁ ବାହାରି ଚାଲି ଆସିଲେ ।

 

ରାତି ଦୁଇଟା । ବିଭାଘରର ପରିଶ୍ରମ ଯୋଗୁଁ କ୍ଳାନ୍ତ ପରିବାରବର୍ଗ ନିଘୋଡ଼ ନିଦ ଯାଇଥାନ୍ତି । ରାମଗୋପାଳଙ୍କ ଆହ୍ୱାନରେ ହଠାତ୍‌ ତାଙ୍କ ଦୁର୍ଦ୍ଦଶା ପ୍ରତି କେହି ସଚେତନ ହୋଇପାରିଲେନାହିଁ । ତେଣୁ ଆଶଙ୍କାରେ ସ୍ପନ୍ଦିତ ହୃଦୟ ନେଇ ନିହାରୀକା ଖଣ୍ଡେ ଦୂର ପାର ହୋଇ ଆସନ୍ତେ ଏକ ଟ୍ୟାକ୍‌ସି ସାହାଯ୍ୟରେ ଅନ୍ୟ ସହରରେ ଆଶ୍ରୟ ନେଲେ ।

 

ଯୌତୁକସ୍ୱରୂପ ଆଣିଥିବା ଅଳଙ୍କାରତକ ବିକ୍ରୟ କରି ସେ ତହିଁ ଆରଦିନ ଓକିଲ ପରାମର୍ଶ କ୍ରମେ ଛାଡ଼ପତ୍ର ଦେଇଥିଲେ ରାମଗୋପାଳଙ୍କୁ । ସେହିଦିନ ଠାରୁ ନିହାରୀକାଙ୍କ ଜୀବନ ନଦୀରେ ପତ୍ନୀ ହେବାର ସ୍ୱପ୍ନଜୁଆର ଛାଡ଼ିଯାଇ ନିଷ୍ଫଳତାର ଭଟ୍ଟା ପଡ଼ିଗଲା । ଚିହ୍ନାଜଣା ଲୋକ ଯାହା କୁହନ୍ତୁ ପଛେ, ସେ ବୁଝିଲେ ଯେ ସେ ହେଉଛନ୍ତି ଜଣେ କିମ୍ଭୁତକିମାକାର ନାରୀ । ଯାହାକୁ କେହି କୁମାରୀ କହିବେନାହିଁ କି ସ୍ତ୍ରୀ କହିବେନାହିଁ ।

 

ମଥାର ସିନ୍ଦୂର ଲିଭିଗଲା । ଓଢ଼ଣା ଖୋଲିଗଲା । ସ୍ୱାମୀସଙ୍ଗମର ପିପାସାକୁ ଶିଥିଳ ଲବଣାକ୍ତ ହ୍ରଦକୂଳରେ ଉପହାସର ଚାହାଣୀ ବୁଲାଇ ମର୍ମେ ମର୍ମେ ମେଣ୍ଟାଇ ଦେଲେ ।

 

ଉପାୟ ନଥିଲା । ଶୋଷ କଲେ ଲୁଣିପାଣିର ଆବଶ୍ୟକତା ବା କ’ଣ ଅଛି ? ଉପହାସ, ବିଦ୍ରୂପର ପାନୀୟ ସେ ଯେ !

 

ନିହାରୀକା ଅଶ୍ରୁ ମୁଞ୍ଚନ କରୁଥିଲେ । ବିଜୁର କକ୍ଷରେ ନିର୍ଜନତାର ମର୍ମରକୁ ଚେତନାର ଚନ୍ଦ୍ରଚୂଡ଼ାରେ ଉପଲବ୍‌ଧି କରି ସେ ଇଚ୍ଛା କରୁଥିଲେ ଅନ୍ଧବିଶ୍ୱାସର ବନ୍ଧ ଭାଙ୍ଗି ତା’ରି ଧ୍ୱନି ସ୍ରୋତରେ ଭାସିଯିବାକୁ । ଯାହା ସେ ରାମଗୋପାଳଙ୍କ ଅନୁର୍ବର ତ୍ରିକୋଣଭୂମି ଶଯ୍ୟାରେ ପ୍ରାପ୍ତ ହୋଇପାରିଲେନାହିଁ, ତା’ରି ଅଭାବକୁ ପରିପୂରଣ କରି ନେଇଥାନ୍ତେ ଅନ୍ୟ କେଉଁ ସୁପୁରୁଷଙ୍କ ଅଙ୍ଗଶଯ୍ୟାରେ ।

 

ନିହାରୀକାଙ୍କ ଉପାଖ୍ୟାନରେ ପ୍ରେମ, ବିରହର ଉପାଦାନ ନଥିଲା ସତ, କିନ୍ତୁ ଯେଉଁ ସତ୍ୟର ସ୍ମାରକୀ ଅବଚେତନାର ମନକୁ ଜାଗରଣ ଅଶ୍ରୁସାଗରରେ ଭସାଇ ନେଉଥିଲା ତାହା ବାସ୍ତବିକ୍‌ ସପ୍ରାଣ ସହାନୁଭୂତି ଉଦ୍ରେକ କରିଥିଲା ବିଜୁ ଠାରେ । ବିଜୁ କହିଥିଲା ନିହାରୀକା, ଆପଣ ପଛ କଥା ଭୁଲି ଆଗେଇ ଚାଲନ୍ତୁ । ଦେଖିବେ ଆପଣଙ୍କ ପାଦତଳେ ଅସଂଖ୍ୟ ଅଭ୍ୟର୍ଥନା ଗଦା ହୋଇ ପଡ଼ିବ । ଆପଣ ପୁଣି ଉଜ୍ଜ୍ୱଳି ଉଠିବେ । ଆପଣଙ୍କ ନାରୀ ଜୀବନ ଧନ୍ୟ ହେବ ।

 

ବିଜୁର ଉପଦେଶରେ ନିହାରୀକା ଆଶ୍ୱସ୍ତ ହୋଇପାରିଲେନାହିଁ । ତାଙ୍କୁ ଚେତନାର ପାପ ସ୍ୱପ୍ନେ ଜାଗରଣେ ଖାଇ ଗୋଡ଼େଇଲା ପରି ଜଣାଗଲା । ମନ କଥା ଖୋଲି ନ କହି ସେ ଗୋପନରେ ଶୋକାତୁର କଣ୍ଠରେ କହିପକାଇଲେ, ସ୍ୱାମୀକୁ ଅର୍ଥ ଅନର୍ଥରେ ଉପଲବ୍‌ଧି କରିବାପାଇଁ ମୁଁ ସତୀସାବିତ୍ରୀ ନୁହେଁ ସତ, ମାତ୍ର ମୋଠାରେ ଯେଉଁ କୁମାରୀତ୍ୱର ଅବସାନ ଘଟିଲା, ତାହାର ସତ୍ୟାସତ୍ୟ ଦୁନିଆ ଦରବାରରେ ମୁଁ ପ୍ରମାଣିତ କରିବି କେଉଁ ଉପାୟରେ ? ମୁଁ କ’ଣ କହିବି ମୋଠାରେ ସ୍ୱାମୀସଙ୍ଗ ଦୋଷ ଲାଗିନାହିଁ ? ଜାଣୁ ଜାଣୁ ରାଧା ଚନ୍ଦ୍ରଶେଣାଙ୍କଠାରୁ ବିଚ୍ୟୁତ ହୋଇ କୃଷ୍ଣ କକ୍ଷରେ ଘୁରିଥିଲେ । କୁନ୍ତୀ ଘୁରିଥିଲେ ପବନ, ଇନ୍ଦ୍ର ଆଉ ଚନ୍ଦ୍ରଙ୍କ ସଙ୍ଗରେ । ମୁଁ ସେମିତି ଘୁରିବି । ଦୁନିଆ ସେଇ ମନ୍ତବ୍ୟ ମୋ ପ୍ରଚାର ପଛରେ ସୃଷ୍ଟି କରିବ । କିନ୍ତୁ ମୋ ସତୀଆତ୍ମା ଛତିଶ କୋଟି ଦେବତାଙ୍କ ରାଣ ଖାଇ କହିବ ମୁଁ ରାମଗୋପାଳଙ୍କ ପରି ରୁଗ୍‌ଣ ମଧୁମକ୍ଷିକାଙ୍କୁ ମୋ ଦେହରୁ ମଧୁପାନ କରାଇ ଦେଇନାହିଁ ।

 

ବିଜୁର ପ୍ରଶ୍ନରେ ନିହାରୀକା ସେଇ ଉତ୍ତରହିଁ ଦେଇଥିଲା । ପୁଣି ବାରମ୍ୱାର ପାପ ଛୁଇଁଥିବା ମନକୁ ବୋଧ କରିବାକୁ ଯାଇ କହି ଦେଉଥିଲେ, ବିଜୁବାବୁ ମୋତେ ବିଶ୍ୱାସ କରନ୍ତୁ, ରାମଗୋପାଳବାବୁଙ୍କ ପଲକ ଯେତେବେଳେ ମୋ ଦୃଷ୍ଟିରେ ବିନିମୟ ହୋଇଗଲା ମୁଁ ଅବାକ୍‌ ହୋଇଯାଇଥିଲି । ସେ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ଥିଲେ ଓ ମୋତେ ଉଲଗ୍ନ ହେବାକୁ ଆଦେଶ ଦିଅନ୍ତେ ମୁଁ ଦୁର୍ଗନ୍ଧ ଆଘ୍ରାଣରେ ଆଘାତପ୍ରାପ୍ତ ହୋଇ କ୍ଷୁବ୍‌ଧ ହେଲି । ମୋଠାରେ ଉତ୍ତେଜନାର ସୂର୍ଯ୍ୟ ଅସ୍ତମିତ ହୋଇଗଲେ ଓ ମୁଁ ହିତାହିତ ଜ୍ଞାନକୁ ହରାଇ ଦେଇ ବସିଲି ଶୂନ୍ୟ ଅନ୍ଧକାର ମଧ୍ୟରେ । ତା’ପରେ ଯାହା ଆପଣ ସବୁ ଶୁଣି ଆସିଛନ୍ତି ।

 

ନିହାରୀକା ତୃଷାର୍ତ୍ତ । ତାଙ୍କ ଆର୍ତ୍ତ ନଦୀର କୂଳ ଉଛୁଳି ଉଠୁଛି ଛଳନାର ବାଲିବନ୍ଧ ଭାଙ୍ଗି ମାଡ଼ି ଚାଲିବାକୁ ମିଳନ ସପକ୍ଷରେ ସବୁଜ ପ୍ରାନ୍ତରରେ । ସେଠି ଥିବେ ମଧୁମାସର ନାୟକ । ସେଠି ଥିବ ମୋହନ ବେଣୁ । ସେଠି ଥିବେ କେଳିକଳାନିଧି କୃଷ୍ଣ ।

 

ନିହାରୀକାଙ୍କ ସବୁଜ ବନରୁ ମାନସିକ ମୁକ୍ତ ହରିଣୀ ସ୍ୱପ୍ନର ମରୀଚିକା ସୃଷ୍ଟି କରୁଥିଲେ-। ଆଉ କିଛି ବାକି ରହିଲାନାହିଁ ବିଜୁର ବୁଝିବାରେ ।

 

ଅସ୍ତ ସୂର୍ଯ୍ୟର ବାଲି ଢିପରେ ଗୋଧୂଳି ପୂର୍ବର ଲାଲ ଅଗ୍ନି ଆକାଶର ଛାତି ଫଟାଇ ଖୁବ୍‌ ଜୋରରେ ଜଳି ଉଠିଥିଲେ ।

Image

 

ପଞ୍ଚମ ପରିଚ୍ଛେଦ

 

ବିଜୁଭାଇ ମ,

 

ତୁମେ କାହିଁକି ସ୍ୱପ୍ନେ ଜାଗରଣେ ମୋ ମନ ତନ୍ଦ୍ରାର ଅଳସ ଭାଙ୍ଗି ଦେଉଛ ? ମୁଁ ତୁମର କି ଦୋଷ କରିଛି କହୁନ ? ମନରେ ଈର୍ଷା ହେଉଛି ବୋଧହୁଏ । ମୋ ବର ଡାକ୍ତର । ମୋ ବରଙ୍କର କାର୍‌ ଅଛି, ମଟର ସାଇକେଲ ଅଛି । ବହୁ ଟଙ୍କାର ବ୍ୟାଙ୍କ୍‌ ବାଲାନସ୍‌ ଅଛି । ଆଜହୁଁ ସେ ବେଶ୍‌ ସୁନାମ ଅର୍ଜନ କଲେଣି । କ’ଣ ଅଭାବ ଯେ ମୁଁ ଆଉ ତୁମ ପାଖକୁ ଯିବି !

 

ତୁମେ କହିପାର ମୋର ଆଉ କେହି ବାଘବଜାରୀ ଖେଳ ସାଥୀ ନାହାନ୍ତି । ତା’ ଅବଶ୍ୟ ମୁଁ ମାନି ନେଉଛି । ହେଲେ ସେଇଟା ଥିଲା ପିଲାଦିନର ଖେଳ । ସପନ । ମୁଁ ଏହାଙ୍କୁ ସେ ଖେଳ କଥା କହିଲେ, ସେ ମୁରୁକିହସା ଦେଇ କୁହନ୍ତି ମନ ଯେବେ ହେଉଛି, ତାସ୍‌ ଖେଳ । କ୍ୟାରମ୍‌ ଖେଳ । ବାଡ଼ମିଣ୍ଟନ୍‌ ଖେଳ । ସେସବୁ ବୟସ ଗୁଣେ ଇଣ୍ଟରେଷ୍ଟିଙ୍ଗ୍‌ । ସେଥିରେ ପକ୍‌କା ଖେଳାଳୀ ହୋଇଗଲେ ଜୀବନର ପ୍ରତିଯୋଗିତାରେ ଭାଗ ମିଳିବ ଓ ବିଜେତା ହେଲେ ପୁରସ୍କାର ମଧ୍ୟ ମିଳିବ-। ବାଘବଜାରୀ ଖେଳରେ ତ ଜିତିଲେ କେହି ପୁରସ୍କାର ଦେବେନାହିଁ !

 

ପକ୍‌କା ଖେଳୁଆଡ଼ ଇଏ । ପୁଣି ଡାକ୍ତର ହିସାବରେ ସେ ଅତି ସିଦ୍ଧହସ୍ତ । ତାଙ୍କ ପାଖକୁ ଆସୁଥିବା ରୋଗୀମାନେ ଆରୋଗ୍ୟ ଲାଭକରି ଗଲେ ଯେଉଁ ପ୍ରଶଂସା କରନ୍ତି ତାହା ଶୁଣି ମୁଁ ଭାରି ଖୁସି ହୁଏ । ତାଙ୍କୁ ଦୀର୍ଘାୟୁ କାମନା କରିଯାଆନ୍ତି । ତାଙ୍କ ପରିବାରର ଉତ୍ତରୋତ୍ତର ଉନ୍ନତିର ବଧାଇ ଜଣାଇ ଫେରିଥାନ୍ତି ।

 

ଅସାଧ୍ୟ ରୋଗୀକୁ ପୂର୍ବସ୍ଥିତ ଅବସ୍ଥାକୁ ଫେରାଇ ନେଇ ସେ ଯେଉଁ ଜୀବନର କୁହୁକ ମାୟା ରଚନା କରିଥାନ୍ତି, ତାହା ଆଖିରେ ନ ଦେଖିଲେ କେହି ପରତେ ଯିବେନାହିଁ ।

 

କୁଷ୍ଠରୋଗୀ ରାମଗୋପାଳ ତାଙ୍କର ଚିକିତ୍ସାଧୀନ । ତାଙ୍କୁ ସେ ଭଲ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ରାମଗୋପାଳଙ୍କ ଜୀବନର ଦୁର୍ଭାଗ୍ୟଜନକ କାହାଣୀ ଶୁଣି ଡାକ୍ତରବାବୁ ବିଚଳିତ ହୋଇ ପଡ଼ିଛନ୍ତି । ଜଣେ ଶିକ୍ଷିତ ଯୁବକ ସେ । ରୋଗରେ ପଡ଼ି ନଥିଲେ ଭବିଷ୍ୟତ ତାଙ୍କର କେତେ ଉନ୍ନତି କରି ନଥାନ୍ତା ! ବିବାହ କରି ରାତିକପାଇଁ ହେଲେ ସେ ସ୍ତ୍ରୀ ସୁଖ ଉପଭୋଗ କରିଥାନ୍ତେ ଭଲା ! ଦଇବ କେତେ ନିଷ୍ଠୁର ସତେ !

 

ଯାହାହେଉ ରାମଗୋପାଳଙ୍କୁ ଭଲ କରିଦେବା ଲକ୍ଷ୍ୟର ପ୍ରଚ୍ଛନ୍ନରେ ଡାକ୍ତରବାବୁଙ୍କର ମଧ୍ୟ ମସ୍ତବଡ଼ ସ୍ୱାର୍ଥ ଅଛି । କୁଷ୍ଠରୋଗ ହେଉଛି ଅସାଧ୍ୟ ରୋଗ । ତା’ର ଯନ୍ତ୍ରଣା ଯେମିତି ଦୀର୍ଘସ୍ଥାୟୀ, ତା’ର ରଙ୍ଗ ଦେଖିବାକୁବି ସେମିତି ଘୃଣ୍ୟ । ସେଥିଉପରେ ଥେସିସ୍‌ ପରୀକ୍ଷା କରୁଛନ୍ତି ଡାକ୍ତରବାବୁ । ତାଙ୍କ ପ୍ରଚେଷ୍ଟା ପ୍ରତି ଆଗ୍ରହ ପରିଲକ୍ଷ କରି ଉପରିସ୍ଥ ସର୍ବୋଚ୍ଚ ସଂସ୍ଥା ପକ୍ଷରୁ ନିର୍ଦ୍ଦେଶ ଆସିଛି ଯେ ସେ ସଫଳକାମ ହୁଅନ୍ତି ତାଙ୍କୁ ଏକ ଡକ୍‌ଟରେଟ୍ ଉପାଧିରେ ଭୂଷିତ କରାଯିବ-

 

ବିଜୁଭାଇ, ରୋଗ ଯନ୍ତ୍ରଣାରେ ମଣିଷ କେତେ କଲବଲ ନ ହୁଏ କହିଲ ? ତୁମେ କହିବ ବିରହରେ ମଣିଷ ତା’ଠାରୁ ବେଶୀ ଯନ୍ତ୍ରଣା ଭୋଗେ । ବିରହରେ ଯେଉଁ ଦୁଃଖ ମିଳେ, ଅବଶୋଷ ମିଳେ, ବୈରାଗ୍ୟ ଜାତ ହୁଏ, ଜୀବନ ପ୍ରତି ବିତୃଷ୍ଣା ଭାବ ଜାଗେ, ତା’ଅପେକ୍ଷା ଦୁନିଆର କୌଣସି ରୋଗ ବଡ଼ ନୁହେଁ । ତାହା କେବଳ ତୁମେ କହିପାର । କାରଣ ତୁମେ ପ୍ରେମ କରିଛ । ସେଥିରୁ ଜାତ ଅଭିମାନକୁ ଅନୁଭବ କରିଛ । ପୁଣି ସେଥିମଧ୍ୟରୁ ସୃଷ୍ଟି ମନସ୍ତତ୍ତ୍ୱର ବିଷକୁ ନୀଳକଣ୍ଠ ସମ ଆକଣ୍ଠ ପାନ କରିଯାଇଛ । ସେଥିଲାଗି ତୁମେ ଉଦ୍‌ଭ୍ରାନ୍ତ ହୋଇ ପଡ଼ିଥିବ । ଦିଲ୍ଲୀ ନଗରୀରେ ଥାଇ ସେଦିନ ଆମ ଘର ଆଗରେ ଥିବା ଦେ’ଶିଜୁ ଗଛ କଣ୍ଟା ଯଦି ତୁମ ପାଦରେ ଗଳି ଯାଇପାରିଲା, ତାହେଲେ ତୁମେ କେତେ ବଡ଼ ମନସ୍ତତ୍ତ୍ୱବିତ୍‌ ହେବାକୁ ଯାଉନ ସତେ !

 

ଥରେ ମୁଁ ଡାକ୍ତରବାବୁଙ୍କୁ ପ୍ରଶ୍ନ କରିଥିଲି, ତୁମେମାନେ ପାଗଳ, ନା ମନସ୍ତତ୍ତ୍ୱବିତ୍‌ମାନେ ପାଗଳ ? ସେ ମୋତେ କି ଉତ୍ତର ଦେଇଥିଲେ ଜାଣ ? ସେ କହିଥିଲେ ଏ ଦୁନିଆରେ ପ୍ରତ୍ୟେକେ ଜଣେ ଜଣେ ପାଗଳ । କିନ୍ତୁ ମସ୍ତ ପାଗଳ ସେଇମାନେ ଯେଉଁମାନେ ପ୍ରଣୟରେ ପ୍ରମତ୍ତ ପୁଣି ପରାସ୍ତ ।

 

ବାସ୍ତବିକ୍‌ ସେଇ ଉତ୍ତର ଶୁଣି ମନ ମୋର ଫିକା ପଡ଼ିଗଲା । ମୁଁ ତୁମର କଥା ଭାବିଲି । ଅତୀତର ପ୍ରତିମୁହୂର୍ତ୍ତ ମୋ ଚେତନା କନ୍ଦରରେ ପ୍ରତିଧ୍ୱନି ସୃଷ୍ଟି କଲା । ପାଖରେ କେଉଁ ତୁମେ ଅଛ ଯେ, ଧାଇଁ ଯାଇ ମନ କଥା ଖୋଲି ତୁମକୁ କହି ଦେଇପାରିଥାନ୍ତି ।

 

ପ୍ରେମିକମାନେ ବଡ଼ ମହାନ୍‌ ବିଜୁଭାଇ । କୃଷ୍ଣ ରୁକ୍ମିଣୀ, ସତ୍ୟଭାମାଙ୍କର ସ୍ୱାମୀ ହିସାବରେ ଯେତେ ପ୍ରଖ୍ୟାତ ନୁହନ୍ତି, ରାଧାଙ୍କର ପ୍ରେମିକରୂପେ କେତେ ବଡ଼ ଯୁଗଯଶା ହୋଇପାରିଛନ୍ତି କହିଲ ? ବିରହ, ତ୍ୟାଗରେ ପ୍ରେମିକମାନେ ବଡ଼ ହୋଇଯାଆନ୍ତି । ଏ ଶତାବ୍ଦୀରେ ସିନା ଲକ୍ଷ ତମାଳ ବନନାହିଁ, ଯମୁନାର କାମିନୀକୂଳନାହିଁ କିମ୍ୱା କେଳିକଦମ୍ୱ ମୂଳ ନାହିଁ, ମାତ୍ର ଏ ଯୁଗରେ ଯାହା ଅଛି ତାହା କେଉଁ ଯୁଗରେ ନଥିଲା । ଅଭିମାନ ହେଉଛି ଏ ଶତାବ୍ଦୀ ପ୍ରେମର ଶ୍ରେଷ୍ଠ ସମ୍ପଦ । ଚନ୍ଦ୍ରଜୟର ସଭ୍ୟତା ପର୍ଯ୍ୟାୟରେ ପହଞ୍ଚି ସୁଦ୍ଧା ପ୍ରେମିକ ପ୍ରେମିକା ପରାଜୟର ଶୋକକୁ ଭୁଲିପାରୁନାହାନ୍ତି, କି ପାରିବେନାହିଁ ।

 

ତେବେ ଡାକ୍ତରବାବୁ କୁହନ୍ତି ପ୍ରେମିକ ହେଉଛି ଛାୟା, ଆଉ ସ୍ୱାମୀ କାୟା । ନାରୀର ଭାଗ୍ୟ ସ୍ୱାମୀ ଭାଗ୍ୟରେ ବନ୍ଧା ହୋଇଥାଏ, ପ୍ରେମିକ ସାଙ୍ଗରେ ନୁହେଁ । ମନକୁ ଭୁଲାଇବାକୁ ଯାଇ ତାଙ୍କୁ ମୁଁ କହିଛି, ସତ କହିଲ, ତୁମେ କେବେ କେଉଁ ଝିଅକୁ ପ୍ରେମ କରିନାହଁ ? ସେ ସତ କହିଛନ୍ତି । କର୍ତ୍ତବ୍ୟକୁ ସେ ଭଲପାଇବା ଛଡ଼ା କୌଣସି ଝିଅ ପ୍ରତି ପଲକ ପକାଇନାହାନ୍ତି ।

 

ତାଙ୍କ ଉତ୍ତରରେ ମୁଁ ଦବି ଯାଇଥିଲି । ମନେ ମନେ ମୋ ଅତୀତକୁ ନିନ୍ଦା କରିଥିଲି । ଭୀଷଣ ରାଗ ହୋଇଥିଲା ତୁମ ଉପରେ । ତୁମ ପାଖରେ ସବୁ ହେବାର ଗୌରବ ପାଇ ଆଜି ମୁଁ ନିଃସ୍ୱା, କାଙ୍ଗାଳୁଣୀ । ମୋର ସ୍ୱାତନ୍ତ୍ର୍ୟନାହିଁ, ଗର୍ବନାହିଁ । ମୁଁ ତାଙ୍କୁ କହିପାରିବିନାହିଁ ଯେ ମୁଁ ସତୀ-। ମୋ ଗୋଡ଼ ଚରିତ୍ରହୀନତାର ପୋଖରୀକୁ ଖସି ଯାଇନାହିଁ କହିଲେ ସେଇ ମିଛ ଆଦର୍ଶ ବିବେକକୁ ପୂରାପୂରି ଦଂଶନ କରିବ ।

 

ତେଣୁ ମୋ ଭାଗ୍ୟଲିପିକୁ ଅସମାନ୍ତରଭାବେ ଜଡ଼ାଇ ରଖିଛି ତାଙ୍କରି ସୁଲଭ ସୁନ୍ଦର ସ୍ୱଭାବ ସାଙ୍ଗରେ । ନିକଟରେ ଜ୍ୟୋତ୍ସ୍ନା ନୂଆବୋଉ ଖଣ୍ଡେ ଚିଠି ଲେଖିଥିଲେ । ସେଥିରେ ତୁମରି ପ୍ରଶଂସାମାନ ଗାନ କରିଥିଲେ । ତୁମେ କୁଆଡ଼େ ଦିଲ୍ଲୀରେ ଜଣେ ଆଦରଣୀୟ ବେତାର ଶିଳ୍ପୀଭାବେ ପ୍ରସିଦ୍ଧି ପ୍ରାପ୍ତ ହେଲଣି । ତୁମ ସହିତ ମଲ୍ଲିକା ନାମରେ ଜଣେ ଓଡ଼ିଆ ତରୁଣୀବି ଖୁବ୍‌ ପ୍ରତିଯୋଗିତାରେ ବ୍ୟସ୍ତ ଅଛନ୍ତି । ତାଙ୍କୁ ତୁମେ ଜୀବନସଙ୍ଗିନୀଭାବେ ଗ୍ରହଣ କରୁଛ କି ?

 

ରେଣୁର ଚିନ୍ତାଧାରା ବିକ୍ଷିପ୍ତ ହୋଇ ଉଠୁଥିଲା । କେତେବେଳେ ସେ ସଂକ୍ଷିପ୍ତ ସାର ସେଥିରୁ ସଂଗ୍ରହ କରି ଚିଠି ଲେଖା ଆରମ୍ଭ କରି ଦେଉଥିଲା ତ, ପୁଣି ମନ ହେଲେ ତାକୁ ଚିରି ଫୋପାଡ଼ି ଦେଉଥିଲା । ବଡ଼ଘରର ବୋହୂ ସାଜିଛି ସେ । ଡାକ୍ତର ସୁଧାକାନ୍ତଙ୍କର ହାତ ଧରି ସହରସ୍ଥ ତାଙ୍କ ନିବାସରେ ତା’ ପାଇଁ ଦାସୀପରବାରୀ ସବୁ ଖଟୁଛନ୍ତି । ଶାରୀରିକ କିମ୍ୱା ମାନସିକ କେଉଁ ଅବସ୍ଥାରେ ହେଲେବି ପରିଶ୍ରମ ତାକୁ ଟିକେ ପଡ଼ୁନାହିଁ । ଏକରକମ ଅୟସରେ ଅଛି ସେ କହିଲେ ଚଳେ ।

 

ଡା. ସୁଧାକାନ୍ତ ଘରେ ପ୍ରବେଶ କଲେ ରେଣୁର କୁଶଳ ପଚାରି ବସନ୍ତି । ଆଉ କୁହନ୍ତି, ତୁମେ କେବେ ରୋଗୀଙ୍କ ଆର୍ତ୍ତନାଦ ବୋଧହୁଏ ଶୁଣି ନାହଁ ରେଣୁ ! ଯଦି ଆଖିରେ ଦେଖି କାନରେ ଶୁଣି ଆସନ୍ତ ତାହେଲେ ଏ ଜୀବନକୁ ସମ୍ପୂର୍ଣ୍ଣ ଅନୁଭବ କରିପାରନ୍ତ । ତୁମେ ସୁସ୍ଥରେ ଅଛ, ତେଣୁ ତୁମପାଇଁ ଔଷଧ ଦରକାରନାହିଁ । ସେମାନେ ଅସୁସ୍ଥ, ରୁଗ୍‌ଣ; ବସନ୍ତ ମଳୟର ଅଭିଶାପରେ ସେମାନେ ଶାପଗ୍ରସ୍ତ ।

 

ଏଇ ରାମଗୋପାଳଙ୍କ ଉଦାହରଣ ନିଅ । ଏକ୍‌ସପେରିମେଣ୍ଟ ଫଳରେ କିୟଦଂଶ ଆରୋଗ୍ୟ ଲାଭ କରୁ କରୁ ସେ ଖୋଜି ବସିଲେଣି ତାଙ୍କ ନବ-ବିବାହିତା ନିହାରୀକାଙ୍କୁ । ସେ ତାଙ୍କୁ ଛାଡ଼ପତ୍ର ଦେଇ ଫେରାର ହୋଇଥିବା କଥା ଯେତେ କହିଲେହେଁ ରାମଗୋପାଳ ବୁଝିବାକୁ ନାରାଜ ।

 

ନିହାରୀକାଙ୍କ ସୁଷମ ସୌନ୍ଦର୍ଯ୍ୟର ସମୁଦ୍ରରେ ସେ ଲହଡ଼ି ଭାଙ୍ଗିବେ । ଜବରଦସ୍ତ ତାଙ୍କପାଇଁ ଅତ୍ୟାଚାର କରି ଅପମାନର ପ୍ରତିଶୋଧ ନେବେ । ନିହାରୀକା ପାଇଁ ସେ ତୃଷାର୍ତ୍ତ । ସମଗ୍ର ଦୁନିଆ ତାଙ୍କ ଆଖିରେ ସାହାରାର ବିସ୍ତୀର୍ଣ୍ଣ ବାଲୁକାରାଶି । ଯେଉଁଠି ଶୋଷପାଇଁ ପାଣି ଟୋପାଏନାହିଁ, କାମନାପାଇଁ ଯୁବତୀର ବାହୁଛାୟାନାହିଁ ।

 

ମୁଁ ତାଙ୍କ ହୃଦୟର ସ୍ପନ୍ଦନ ଅନୁଭବ କଲି ରେଣୁ । ନିର୍ବାକ ଟେଥିସ୍କୋପଟାରେ ସବୁ କିଛି ଭାଷା ମୋ କାନ ଦେଇ ପ୍ରବେଶ କଲା । ତୁମରି କଥା ମୁଁ ମନେପକେଇଲି । ମୋତେ ଯେମିତି ଜଣାଗଲା ଏ ଦୁନିଆକୁ ପ୍ରେମବିଷ ଘାରି ନିହାତି ଅସୁସ୍ଥ କରି ଦେବାକୁ ଯାଉଛି । ପ୍ରେମ ଅପେକ୍ଷା ବିବାହ ବରଂ ଖୁବ୍‌ ସ୍ୱାଦଯୁକ୍ତ ଆଉ ସ୍ୱାସ୍ଥ୍ୟକର । ଯେଉଁ ଯୁବକ ଯୁବତୀମାନେ ପ୍ରେମ କରିବା ପରେ ବିବାହ କରୁଛନ୍ତି ସେମାନଙ୍କ ଦାମ୍ପତ୍ୟଜୀବନ ପ୍ରୀତି-ମଧୁର ନୁହେଁ ।

 

ମୋରି ଚଉଠି ରାତିରେ ସମସ୍ତ ଆବେଗମୟତା, ଉତ୍ତେଜନା ଆଉ ଉଦ୍‌ବେଳନକୁ ଉପଭୋଗ କରି ମୁଁ ଠିକ୍‌ ଉପଲବ୍‍ଧି କରିପାରିଛି । ପ୍ରେମ ତା’ଠାରୁ ଅଧିକ ନୁହେଁ ? ଡାଃ ସୁଧାକାନ୍ତ ରେଣୁ ସମ୍ମୁଖରେ ଏହି ମତ ପୋଷଣ କରିଥିଲେ ।

Image

 

ଷଷ୍ଠ ପରିଚ୍ଛେଦ

 

ପ୍ରଣୟର ଉପସାଗରରେ ଯେଉଁ ଜୁଆର ଉଠେ, ତାହା ସମୟର କୌଣସି ବାଧା ମାନେନା । ଭସାଇ ନେଇଯାଏ ଖିଆଲକୁ, ଦଗ୍‌ଧ କରିଦିଏ ପରିକଳ୍ପନାକୁ; ପୁଣି ଗତି ପରିବର୍ତ୍ତନ କରି ବିପଥଗାମୀ କରାଏ ମଣିଷ ଜୀବନକୁ ।

 

ପରୀକ୍ଷା, ପ୍ରମାଣ, ଯୁକ୍ତି, ତର୍କ ସେ ସବୁ ଜୀବନ ନିର୍ବାହର ଇଚ୍ଛାଧୀନ ସାମଗ୍ରୀ । ତାକୁ ନେଇ ମଣିଷର ସ୍ୱଭାବ ଚରିତ୍ର ଗଢ଼ି ହୁଏ । ହେଲେ ସବୁବେଳେ କ’ଣ ତାହା ଠିକ୍‌ ? ରେଣୁ ଆଉ ଜ୍ୟୋତ୍ସ୍ନା ସେମାନଙ୍କ ଦାମ୍ପତ୍ୟ ଜୀବନରେ ଯେତେ ସୁଖୀ ହେଲେ ମଧ୍ୟ ଆପଣା ବିବେକ ନିକଟରେ ସେମାନେ ଅତି ଦୁଃଖୀ । ସତୀତ୍ୱର ପରୀକ୍ଷା ଦେବାପାଇଁ ତାଙ୍କୁ ଯଦି କୁହାଯାଏ ଯେ ସୁନା କଳସୀ ଦାନ୍ତରେ କାମୁଡ଼ି ସମୁକ ଦରିଆରୁ ପାଣି ଭରି ଆଣିବ, ବାଟରେ ଟୋପାଏ ଚହଲିବନାହିଁ, ତାହେଲେ ସେମାନଙ୍କ ଛାତି ନିଶ୍ଚୟ ଥରିଉଠିବ । କିନ୍ତୁ ନିହାରୀକା ସେଥିପାଇଁ ନିର୍ଭର ପ୍ରତିଶ୍ରୁତି ଦେବେ । ପରିଶେଷରେ ସେ ଆଣି ନ ପାରନ୍ତୁ । ଫଳରେ ସେଥିରୁ ପ୍ରମାଣିତ ହୋଇଯିବ ଯେ ଅମ୍ଳାନ ଚରିତ୍ରବତୀ ହୋଇଥିବାରୁ ନିହାରୀକାଙ୍କ ସାହସ ତାଙ୍କୁ ସତ୍ୟରେ ବିଜୟିନୀ କରିପାରିଲା । ଅଥଚ ମିଛ ଆଉ ଆବରଣର ମୁଖା ଢାଙ୍କି ସତୀତ୍ୱର ସ୍ତୁତିଗାନ କରୁଥିବା ରେଣୁ ଓ ଜ୍ୟୋତ୍ସ୍ନା ଅସତୀ ବୋଲି ଧରା ପଡ଼ିଗଲେ ।

 

ବିଜୁ ଏଣିକି ଆଉ ଚମ୍ପାବାଈର ଦ୍ୱାରସ୍ଥ ହେଉନାହିଁ । ନିହାରୀକା ତା’ର ଅଗ୍ରଗାମୀ । ତା’ ଉପଦେଶ, ଅନୁନୟ, ମିନତି ବିଜୁ ଜୀବନର ପ୍ରଳାପକୁ ଆହରଣ କରି ନେଇଛି । ମାନସିକ ଘୂର୍ଣ୍ଣନରୁ ସ୍ଥିର ଏକନିଷ୍ଠ ଦିଗକୁ ଫେରାଇଆଣିବାରେ ନିହାରୀକାଙ୍କ ସାଧନା ଆଶ୍ଚର୍ଯ୍ୟର ରଙ୍ଗ ବୋଳି ଦେଇଛି ତା’ ମନରେ ।

 

ନିହାରୀକା ମଲ୍ଲିକା ହୋଇଛି । ଦିଲ୍ଲୀରେ ତା’ର ପରିପ୍ରଚାର ସେଇ ନାମରେ । କ୍ଷତି କ’ଣ ଅଛି ? ସେ ତ ମିଛ କହୁନାହିଁ, ଶପଥ ଭ୍ରଷ୍ଟ ହେଉନାହିଁ ? ତା’ ରେଣୁ ପରି ବିଜୁଭାଇ ଡାକି, ଚଣ୍ଡୀ ଭୋଗ ଖୁଆଇ, ମଥାରେ ସିନ୍ଦୂର ଦେଇ ଆଡ଼ମ୍ୱରର କୁହେଳି ମଧ୍ୟରେ ତ ତାକୁ ଆଚ୍ଛନ୍ନ କରି ରଖୁନାହିଁ ?

 

ଅପ୍‌ସରା ବାର୍‌ରେ ସମସ୍ତେ ଆସକ୍ତ । କିନ୍ତୁ ନିହାରୀକା ତା’ କର୍ତ୍ତବ୍ୟରେ ଅଭ୍ୟସ୍ତ । କିଛି ନଥିବା ଜୀବନରେ ସଙ୍ଗୀତକୁ ପାଥେୟ କରି ସେ ବଞ୍ଚିବାର ମୋହକୁ ଆଦରି ନେଇଛନ୍ତି । ବିଜୁ କହିଲା, ନିହାରୀକା, ବାର୍‌ର ବଲ୍‌ ଡ୍ୟାନସ୍‍ପାଇଁ ମୁଁ ପ୍ରଥମେ ପାଗଳ ହୋଇ ଉଠୁଥିଲି ମି: ପାନିକରଙ୍କ ପ୍ରେରଣା ଯୋଗୁଁ । କିନ୍ତୁ ତୁମ ସଂସ୍ପର୍ଶରେ ଆସିବା ପରେ ସେଥିପ୍ରତି ମୋର ସ୍ପୃହା କମି ଯାଇଛି । ମୁଁ ଦେଖୁଛି ଦୁନିଆରେ ବିଫଳ ହୋଇ ମଣିଷ ଯେଉଁ ତାମସିକ ସୁଖ ପଛରେ ଧାଇଁଯାଏ ଚିରଆନନ୍ଦ ପାଇବା ଲକ୍ଷ୍ୟରେ, ତାହା ମୋଟେ ଠିକ୍‌ ନୁହେଁ । ସେ ହେଉଛି ମୃଗତୃଷ୍ଣା । ମୁହୂର୍ତ୍ତର ନିଶାରେ ସବୁ ଧ୍ୱଂସ କରି ଛାରଖାର କରି ପକାଏ ।

 

ନିହାରୀକା ସଂଗ୍ରାମ କରୁଛନ୍ତି । ସଙ୍ଗୀତ ପ୍ରତିଯୋଗିତାରେ ତାଳ ଦେଇ ଊର୍ଦ୍ଧ୍ୱକୁ ଉଠିବାପାଇଁ ଚେଷ୍ଟା କରୁଛନ୍ତି । ଖୁବ୍‌ ଭଲଲାଗୁଛି ବିଜୁକୁ । ଚମ୍ପାବାଈ ଦେଖାହେଲେ ନିହାରୀକା ସାଙ୍ଗରେ ବିଜୁକୁ ଦେଖି ସେ କହୁଛନ୍ତି, ଏଥର ଠିକ୍‌ ସାଜିଲା ପୁଅ । ସାଙ୍ଗକୁ ସାଙ୍ଗ ପଡ଼ିଲେ ସିନା ହେବ, ନ ହେଲେ...

 

ଆଉ ତା’ କଥା ଅଧା ରହିଯାଏ । ବିଜୁ ତାକୁ ଲକ୍ଷ୍ୟ କରି ମୁରୁକିହସା ଦେଇ ମନେ ମନେ ଭାବେ ଚମ୍ପାବାଈ ପଣତ କାଳକୁ ପାପ ପ୍ରକ୍ଷାଳନର ବ୍ୟବସ୍ଥା କରୁଛି ବୋଧହୁଏ । ତା’ ନ ହେଲେ ଯାହାକୁ ସେ ଦେହ ଦେଲା, ତାକୁ ପୁଅ ଦୃଷ୍ଟିରେ ସ୍ନେହାଶୀର୍ବାଦ କରୁଛି କେମିତି ?

 

ନିହାରୀକା କୁହେ, ଏଇମାନେ ହେଲେ ସୌମ୍ୟ ସୁଠାମ ଯୁବକମାନଙ୍କର କାଳ । ତାଙ୍କ ଯୌବନର ବେଳାଭୂମିରେ ଭ୍ରମଣ କରି ଦେହର ସବୁତକ ସାର ଲୁଟି ନେଇଥାନ୍ତି । ଏମାନଙ୍କୁ ବିଶ୍ୱାସ କରିବା ମୋଟେ ଉଚିତ ନୁହେଁ ।

 

ବିଜୁ ଯୁକ୍ତି କରେନାହିଁ । ତା’ର ମନେପଡ଼ିଯାଏ ରେଣୁ କଥା । ପୁଣି ଜ୍ୟୋତ୍ସ୍ନା କଥା । ପ୍ରେମ, ବିବାହ ଜୀବନପାଇଁ ଦୁଇଟି ଉପାଦାନ । ପ୍ରେମକୁ ଅଗ୍ରାହ୍ୟ କରିବା ଯେତେ ସମୀଚୀନ, ବିବାହକୁ ନୁହେଁ । ସେଦିନ ଏହାହିଁ ଜ୍ୟୋତ୍ସ୍ନା କହୁଥିଲା ।

 

ମାମୁଁ ଘର ଗାଁର ଝିଅ ଜ୍ୟୋତ୍ସ୍ନା । ବିଜୁ ଯେତେବେଳେ ତା’ ମାମୁଁ ଘରକୁ ବୁଲିଯାଏ, ଜ୍ୟୋତ୍ସ୍ନାକୁ ଦେଖେ । ବୟସରେ ଜ୍ୟୋତ୍ସ୍ନା ବଡ଼, ଆଉ ବିଜୁ ସାନ । ଜ୍ୟୋତ୍ସ୍ନାକୁ ଏକୋଇଶି ବର୍ଷ ବେଳେ ବିଜୁକୁ ସତରବର୍ଷ । ପ୍ରାରମ୍ଭ ଯୌବନର ପ୍ରଭାତରେ ବିଜୁର ଦେହ ବିଭାସ ଗୋପନରେ ଉଜ୍ଜ୍ୱଳି ଉଠୁଥିଲା । ଶରୀର କୋମଳ, ମୁଖମଣ୍ଡଳ ସୁଶ୍ରୀ, ଚାହାଣୀରେ ଉଦ୍‌ବିଗ୍ନତା, ସବୁ ଏକନ୍ତ୍ରୀଭୂତ ହୋଇ ତା’ ବୟସର ଗୌରବକୁ ପରିପ୍ରକାଶ କରି ଦେଉଥିଲା ।

ଏଇ ଗୀତ ଗାଇବାର ସୁକୋମଳ କଣ୍ଠ ସେ ସମୟରେ ମଧ୍ୟ ସୁମଧୁର ଥିଲା । ରିମ୍‍ଝିମ୍‌ ଶୁଭୁଥିଲା । ଅବଶ୍ୟ ପ୍ରକୃତ ଗୀତ ଗାଇ ଆସୁ ନଥିଲା । ଚିହ୍ନାଜଣା ପ୍ରତ୍ୟେକ ବିଜୁର କଥା ଶୁଣିବାକୁ ଆଗ୍ରହ ପ୍ରକାଶ କରୁଥିଲେ । ମାମୁଁ ମାଇଁ ଅତି ଶ୍ରଦ୍ଧା କରୁଥିଲେ ତାକୁ । ସତରବର୍ଷବେଳେବି ତାକୁ ପାଖରେ ବସେଇ ତା’ ପାଟିରେ ମାଇଁ ଖୁଆଇ ଦିଅନ୍ତି । ଗୋଟିଏ ବୋଲି ଭଣଜା, ପେଟ ଭରି ଶରଧା ନ କଲେ କେମିତି ହେବ ।

ଜ୍ୟୋତ୍ସ୍ନା ମାମୁଁଙ୍କ ଘରକୁ ବୁଲି ଆସିଲେ ସେଇସବୁ ନବରଙ୍ଗ ଦେଖେ । ମାମୁଁଙ୍କ ଘରଠାରୁ ଦୁଇ ଖଞ୍ଜା ବାଆଁ ପଟକୁ ଛାଡ଼ି ଆସିଲେ ତାଙ୍କ ଘର ପଡ଼େ । ମାଇଁଙ୍କ ପାଖରୁ ବୁଣାବୁଣି କାମ ଶିଖିବା ଲକ୍ଷ୍ୟରେ ଯିବାଆସିବା କରିବାରୁ ବେଶୀ ଭାବ ବଢ଼ି ଯାଇଥାଏ ତା’ର ।

ପ୍ରଥମେ ଜ୍ୟୋତ୍ସ୍ନାକୁ ଦେଖି ମୁଁ ମାଇଁଙ୍କ ସାହାଯ୍ୟରେ ତା’ର ପରିଚୟ ମାଗିଥିଲି । ମାଇଁ କହିଥିଲେ ସେ ଅମୁକ ଦାଦାଙ୍କ ଝିଅ । ତେଣୁ ଲେଖାଯୋଖାରେ ମୁଁ ତାକୁ ଅପା ଡାକିବା କଥା । କିନ୍ତୁ ମୁଁ ସେମିତି ଗେଲେଇ ହୋଇ ତା’ ସହିତ ମିଶିବାକୁ କିମ୍ୱା ଆଳାପ କରିବାକୁ ଇଚ୍ଛା କରୁ ନଥିଲି ।

ବରଂ ସୁବିଧା, ଅବସର ସମୟରେ ସେ ମୋ ସହ ମିଳିବାକୁ ଚେଷ୍ଟା କଲା । ଆଉ ମୋ ଖାପଛଡ଼ା ଢଙ୍ଗକୁ ଆକ୍ଷେପ କରି କହିଲା, ବଡ଼ ମାଇଚିଆ ତୁମେ ବିଜୁ । ପୁରୁଷ ପୁଅ ହୋଇ ଏଇ ବୟସରୁ ତୁମେ ଯଦି ମୁହଁ ଫିଟା ହୋଇ ନ ପାରିଲ, ତେବେ ବଡ଼ ଦିନକୁ ବହୁ ଲୋକଙ୍କ ସାଙ୍ଗରେ ମିଶିବ କେମିତି ?

ଜ୍ୟୋତ୍ସ୍ନା କଥାରେ ମୁଁ ନ ହସି ରହିପାରି ନଥିଲି । ମୋ ଅବୁଝା କାମନା କାନନର ସମସ୍ତ ସବୁଜିମା ଉଲ୍ଲସିତ ହୋଇ ଉଠିଥିଲେ । କେବଳ ପ୍ରଥମ ସାକ୍ଷାତରେ ନୁହେଁ, ପରେ ପରେ ଯେତେ ମୁହୂର୍ତ୍ତ ଜ୍ୟୋତ୍ସ୍ନା ସହିତ ମୋର ବିତି ଯାଇଛି, ସବୁଥିରେ ମୁଁ ଅନୁଭବ କରିଥିଲି ଆସକ୍ତିର ମୋହ । ଏଇ ନିହାରୀକାଙ୍କ ପରି ସେ ଅତି ଫ୍ରି ଫ୍ୟାଙ୍କ୍‌ ଥିଲେ । ତେବେ ତଫାତ୍‌ ଏତିକି ଯେ ଜ୍ୟୋତ୍ସ୍ନା ନିହାରୀକାଙ୍କ ଦୁର୍ଦ୍ଦିନ ଜୀବନର ଦଶା ପ୍ରାପ୍ତ ହୋଇ ନଥିଲା ।

ବିଂଶତି ବର୍ଷର ପରପାରରେବି ଜ୍ୟୋତ୍ସ୍ନାର ବିବାହ ଆୟୋଜନ ହୋଇ ନଥିଲା । ମଫସଲର ଝିଅ ଏତେଦିନ ଅବିବାହିତା ହୋଇ ଘରେ ରହିବା ଉଚିତ୍‌ ନୁହେଁ । କିନ୍ତୁ ମୁଁ ବୁଝିବାକୁ ପାଇଲି ଯେ ସେ ସେଇବର୍ଷ ବି. ଏ. ପାସ୍ କରି ଘରେ ରହିଛନ୍ତି । ସୁବିଧା ସୁଯୋଗ ମିଳିଲେ ଯାଇଁ ତାଙ୍କର ବିଭାଘର ହେବ ।

ମାମୁଁ ଘରକୁ ଥରକୁ ଦୁଇଥର ଯିବାରେ ଜ୍ୟୋତ୍ସ୍ନା ସହିତ ମୋର ଭାବ ବଢ଼ିଗଲା । ସେ ତାଙ୍କ ଗ୍ରୁପ୍‍ରେ ମୋତେ ଏକ ଖେଳାଳୀ ହିସାବରେ ବାଛିନେଲା । ତାସ୍‌ ଖେଳ ଥିଲା ପ୍ରଧାନ । ଯେଉଁମାନେ ଖେଳାଳୀ ହୋଇଥାନ୍ତୁ ପଛେ, ମୁଁ ଯେମିତି ତା’ର ପାର୍ଟନର ହୋଇ ଖେଳେ ତାହା ସେ ଜିଦ୍‌ ଧରି ବସୁଥିଲା ।

ଜ୍ୟୋତ୍ସ୍ନା ଓ ମୁଁ ପାର୍ଟନର ହୋଇ ସଦାବେଳେ ଜିତିବାକୁ ଲାଗିଲୁ । କ୍ରମେ ସେହି କ୍ରୀଡ଼ାଭାବ ଆମ ଦୁହିଁଙ୍କ ମନର ସୀମା ଲଘଂନ କଲା । ଏପରିକି ତାସ୍‌ ନିଶାରେ ରାତି ରାତି ଭରି ଆମେ ଦୁହେଁ ଅନିଦ୍ରା ହେଲୁ । ଅନ୍ୟ କେହି ନ ଜୁଟିଲେ ସୁଦ୍ଧା ଆମେ ଦୁଇଜଣ ଖେଳି ଚାଲିଲୁ । କିନ୍ତୁ ସବୁ ରାତିରେ ତ ଅନିଦ୍ରା ରହିଲେ ଚଳିବନାହିଁ, ଯେତେବେଳେ ନିଦ ମାଡ଼ିଲା ସେଇ ନିରୋଳା କକ୍ଷରେ ଢୋଳେଇ ଶୋଇପଡ଼ିଲୁ । ଲଣ୍ଠନ ଆଲୁଅ ସେମିତି ଜଳୁଥାଏ । ତାସ୍‌ ସେମିତି ଖେଳା ହୋଇ ପଡ଼ିଥାଏ । ଉଦ୍ଦେଶ୍ୟ ଯେ ନିଦ ଭାଙ୍ଗିଲେ ଉଠି ପୁଣି ଖେଳିବୁ ।

କେବେ କେବେ ନିଦ ଭାଙ୍ଗିଯାଏ । ହେଲେ ଖେଳ ହୁଏନାହିଁ । ତା’ର ନିଦ ଭାଙ୍ଗିଲେ ସିନା ସେ ମୋତେ ଡାକନ୍ତା । ମାତ୍ର ମୁଁ ଡାକିବାକୁ ସୁଖ ପାଏନାହିଁ । କାରଣ ତା’ ଅବସ୍ଥା ଦେଖି ମୁଁ ତଟସ୍ଥ ହୋଇଯାଏ । ସେ ଯେଉଁଭଳିଭାବେ ଅସଂଯତ ହୋଇ ପଡ଼ିଥାଏ, ସେଥିପ୍ରତି ଦୃଷ୍ଟ ନିକ୍ଷେପଭାବେ ପୂର୍ବକ ମୁଁ ଲଜ୍ଜିତ ହୋଇ ଉଠେ ।

ଜ୍ୟୋତ୍ସ୍ନା ଉଲଗ୍ନଅବସ୍ଥାରେ ପଡ଼ିଥାଏ । ତା’ ଶରୀରରେ ଯୌବନର ସଂକୋଚନକୁ ସନ୍ଦର୍ଶନ କରି ମୁଁ ଭାବେ ନାନାଦି ଅଶ୍ଳୀଳ ଭାବନା । କିନ୍ତୁ ମୁଁ କିଛି କରିପାରେନାହିଁ । ଯେହେତୁ ଅଭିଜ୍ଞତାହୀନ ମନ ମୋର ଯୌବନର ଆକାଶରେ ଉଡ଼ି ଶିଖି ନଥିଲା । ସେମିତି ରାତିପାହି ଯାଇଛି ବ୍ୟର୍ଥତାରେ । କୌଣସି ଦୁର୍ଘଟଣା ଘଟିନାହିଁ । ଅବଶ୍ୟ ମଝିରେ ମଝିରେ ଜ୍ୟୋତ୍ସ୍ନା ଉଠି ମୋ ସଚେତନତା ପ୍ରତି ସମ୍ୟକ ଦୃଷ୍ଟିପାତ୍‌ କରିଛି, ଉତ୍ତେଜନାର କଲ୍ଲୋଳରେ ବିଭୋର ହୋଇ ମୋ ସଙ୍ଗରେ ମିଳିବାକୁ ଆଶାୟୀ ହୋଇଛି । କିନ୍ତୁ କାର୍ଯ୍ୟତଃ ପ୍ରଥମେ ସେ ସଫଳ ହୋଇନାହିଁ ।

ଯେତେବେଳେ ମୁଁ ମୋ ତରଫରୁ ଯୌବନର ଭୌଗୋଳିକ ଜଳବାୟୁ ସମ୍ୱନ୍ଧରେ ସାମାନ୍ୟ ପ୍ରଶ୍ନ ପଚାରିଥିଲି, ଜ୍ୟୋତ୍ସ୍ନା ସେତେବେଳେ ହସି ହସି ଉତ୍ତର ଦେଇଥିଲା ପ୍ରେମ ନ କଲେ ଯୌବନର ଆକାଶରେ ଉଡ଼ି ପାରିବ କେମିତି । ଜୀବନର ଯେତେ ସିଡ଼ି ଖଞ୍ଜା ହୋଇ ପଡ଼ିଛି, ପ୍ରେମ ପରା ହେଉଛି ଅସଲ ସିଡ଼ିମାନଙ୍କ ମଧ୍ୟରୁ ଗୋଟିଏ । ସେଥିରେ ଆରୋହଣ କଲେ ଉଡ଼ିବାର ଦକ୍ଷତା ଆସିବ, ପୁଣି ଅବଶେଷରେ ସଫଳତା ଅର୍ଜନ କରିବ । ନ ହେଲେ ଅବରୋହଣହିଁ ସାର ହେବ । ଯାହାକି ମଣିଷକୁ ଜଣେ ନିର୍ମମ, ନିଷ୍ଠୁର ପ୍ରେମିକ କରି ତୋଳିବ ।

ବିଜୁ କହିଥିଲା, ମୁଁ ତୁମ କଥା କିଛି ବୁଝିପାରୁନାହିଁ ଜ୍ୟୋତ୍ସ୍ନା ଅପା । ମୁଁ ସିନା ବଡ଼ ହୋଇ ତୁମ ଭଳି ବହୁ ପାଠପଢ଼ିଥିଲେ ବୁଝିବାକୁ ଅସୁବିଧା ରୁହନ୍ତା ନାହିଁ । ମୁଁ ପରା ଜମା ସତରବର୍ଷର ପିଲା ! ବିଜୁ ସେତେବେଳେ କେବଳ ଯେ ବୟସରେ ଛୋଟଥିଲା, ତାହା ନୁହେଁ, ଜ୍ଞାନ ଗାରିମାରେ ମଧ୍ୟ ଛୋଟ ଥିଲା । ସେଇ ବର୍ଷ ସେ ମାଟ୍ରିକ୍ୟୁଲେଶନ୍‌ ପରୀକ୍ଷା ଦେଇ ଦୀର୍ଘଦିନର ଛୁଟି ଉପଭୋଗ କରୁଥାଏ । ମାମୁଁ ଘରେ ଅଧେ ଛୁଟି କେବଳ କଟିଗଲା ଏଇ ଜ୍ୟୋତ୍ସ୍ନାପାଇଁ । ଆଜିକାଲି ପରି ଦିନ ମଧ୍ୟରେ ସେ ଯେଉଁ ସମୟରେ ପ୍ରସ୍ତୁତ ହୋଇଛି ତା’ ଘରକୁ ଫେରିଆସିବ ବୋଲି, ସବୁବେଳେ ତାକୁ ବାଧା ଦେଇଛି ଜ୍ୟୋତ୍ସ୍ନା ।

ତା’ର ଗୁଲୁଗୁଲିଆ ଚେହେରା ଉପରେ ଲୋଭ କରି ଜ୍ୟୋତ୍ସ୍ନା କହିଛି, ତୁମେ ହାଫ୍‌ପ୍ୟାଣ୍ଟ ପରିଧାନ କରିଛ ବୋଲି ମନେ ମନେ ପିଲା ହୋଇଯାଉଛ । କିନ୍ତୁ ତୁମକୁ ଯଦି ବର୍ତ୍ତମାନ ହାତକୁ ଦି’ ହାତ କରି ଦିଆଯାଏ, ତୁମେ କ’ଣ ସଂସାର କରିପାରିବନାହିଁ ?

ବିଜୁ ଆଖି ଚକିତ କରି ଅନାଏ । କହେ ଏଁ, ମୋ ଭଳି ପିଲାଙ୍କର ପୁଣି ବିବାହ ପ୍ରଶ୍ନ, ଯାହାର ନିଶ ଦାଢ଼ି ଉଠିନାହିଁ, ଆଉ ଯିଏ ଯୌବନ କ’ଣ କିଛି ଜାଣେନାହିଁ ! ଏହା ମନେ ମନେ ଭାବି ସେ ଗାଲରେ ଓ ନିଶରେ ହାତ ଆଙ୍ଗୁଳି ସଞ୍ଚାରଣ କରି ଆଣୁଥିଲା ।

ଠିକ୍ ସେତେବେଳେ ତା’ ଗାଲକୁ ଲକ୍ଷ୍ୟ କରି ଜ୍ୟୋତ୍ସ୍ନା ତା’ ଆଙ୍ଗୁଳି କେରାକରେ ପୁଳା ପୁଳା ଚିପି ପକେଇଥିଲା । ଆଉ ପାଟି ଖୋଲି କହିଥିଲା ଏମିତି ଆରମ୍ଭ ହୁଏ ପ୍ରେମ ଖେଳ । ତୁମ ସ୍ତ୍ରୀ ନୂଆ ହୋଇ ଆସିଲେ ସେ ପ୍ରଥମେ ଏହାହିଁ କରି ବସିବ ।

ତଥାପି ଜ୍ଞାନହୀନ ବିଜୁ ବୁଝିପାରେନାହିଁ । ଯେତିକି ସେ ଚର୍ଚ୍ଚାରୁ ଅନୁମାନ କରେ । ସେତିକିରେ କୁହେ ମୁଁ ବାଳକ ଜ୍ୟୋତ୍ସ୍ନା ଅପା । ବଡ଼ ହୋଇ ଯୁବକ ପାଲଟିଗଲେ ମୁଁ ବି କେତେ ଲୋକଙ୍କର ଗୁରୁ ହୋଇଯିବି ।

ଜ୍ୟୋତ୍ସ୍ନାର ମନ୍ତବ୍ୟ ଥିଲା ଯଥେଷ୍ଟ । ଆଉ ସେଇ ଅବକାଶରେ ସେ ମୋ ପ୍ରତି ଆସ୍ତେ ଆସ୍ତେ ଆସକ୍ତିର ସ୍ପର୍ଶ ଆଣିଦେଲା । ମୋର ନିଦ୍ରିତ ଦେହରୁ ନିଶିଥ ପୁଲୀନରେ ସମସ୍ତ ଉତ୍ତେଜନାର ମଧୁ ଆହରଣ କରି ନେବାକୁ ମଧ୍ୟ ଚେଷ୍ଟାକଲା ସେ । ହେଲେ ଭ୍ରମର ଫୁଲକୁ ଚୁମି ନ ଜାଣିଲେ ସେଭଳି ସଂସ୍ପର୍ଶର ମୂଲ୍ୟ କ’ଣ ?

ମୋତେ ଅବଶ୍ୟ ଖୁବ୍‌ ଭଲଲାଗିଥିଲା । ମୁଁ ଉତ୍ତେଜିତ ହୋଇ ଉଠିଥିଲି । ମୋ ନୂତନ ଶତଦଳ ପାଖୁଡ଼ା ମେଲିବାକୁ ଚେଷ୍ଟା କରୁଥିଲା । ଜ୍ୟୋତ୍ସ୍ନା ବିଭୋର ହୋଇ ଉଠୁଥିଲା । ନଦୀ ବିନା ତା’ ମରୁକାମନା ଓଏସିସ୍‌ର ସଂସ୍ପର୍ଶରେ ହେଲେ ସାମାନ୍ୟ ସନ୍ତୁଷ୍ଟ ହେଉ ।

ତୃପ୍ତି ଲାଭ କଲା ସେ । ମୋତେ ଅଡ଼ୁଆ ବୋଧହେଲା । ମୁଁ କ୍ଳିଷ୍ଟ କଣ୍ଠରେ କହିଲି, ଜ୍ୟୋତ୍ସ୍ନା ଅପା ତୁମେ ବିବାହ କଲେ ଯଦି ପ୍ରୀତି ସୁଖ ପାଇପାରିବ, ତେବେ ଶୀଘ୍ର ବିବାହ କରୁନାହଁ କାହିଁକି ? ତୁମପାଇଁ ବରର ଅଭାବ ଅଛି ?

ଜ୍ୟୋତ୍ସ୍ନା ମୋ କଥା ଶୁଣି ହସି ଦେଇଥିଲା । କହିଥିଲା, ବିଜୁ, ପ୍ରେମପାଇଁ ଯେଉଁ ଫନ୍ଦା ପାତିଛେ, ତାହା ବିବାହ ଉଦ୍ଦେଶ୍ୟରେ ନୁହେଁ । ସମସ୍ତଙ୍କୁ ସୁବିଧା ମିଳିଲେ ପ୍ରେମ କରି ଆସିବ; କିନ୍ତୁ ବିବାହ କରି ଆସିବନାହିଁ । ବିବାହରେ ପାର୍ଟନର ବାଛିବା ସବୁଠୁ ବଡ଼ କଷ୍ଟ ।

ବିଜୁ ଉଦାହରଣ ଛଳରେ କହିଲା, ତାହା ହୋଇପାରେ । ବାଉଁଆ ବଳଦ ଡାହାଣିଆ ଠଉଁ ନିହାତି ଗେମଣା ପଡ଼ିଲା, ତାହେଲେ ମୋଟେ ହଳ ଚାଲିବ ନାହିଁ । ସେମିତି କୁଜା ମରଦ ଓ ଡେଙ୍ଗୀ ମାଇପ ଭିତରେ ଜମା ପଡ଼େନାହିଁ କିମ୍ୱା ଡେଙ୍ଗା ମରଦ ଓ ଗେଡ଼ି ମାଇକିନିଆଙ୍କ ଯୋଡ଼ିରେ ସବୁବେଳେ ଖଟ ଖଟ ଲାଗିଥାଏ ।

ପୁଣି ହସି ଦେଇଥିଲା ଜ୍ୟୋତ୍ସ୍ନା । କହିଲା ସେମିତି ନୁହେଁ ବିଜୁ । ଉଚ୍ଚତା ସାଙ୍ଗରେ ବନ୍ଧନର ଭାରସାମ୍ୟ ରକ୍ଷା କରାଯାଏନାହିଁ । ସ୍ତ୍ରୀ ପୁରୁଷଙ୍କ ମଧ୍ୟରେ ମନର ତାରତମ୍ୟ ନ ରହିଲେ ସେଇ ବନ୍ଧନ ସୁଖକର । ତୁମେ ଅନ୍ତତଃ କୋଡ଼ିଏବର୍ଷ ବୟସ ପାର କଲେ ଏହି ଅନୁଭୂତି ଲାଭ କରିପାରିବ ।

ଜ୍ୟୋତ୍ସ୍ନା ଅପା ପ୍ରଣୟକ ଗୋଟିଏ ଦୃଷ୍ଟିରେ, ଆଉ ବିବାହକୁ ଅନ୍ୟ ଦୃଷ୍ଟରେ ଦେଖୁଥିଲେ । ତାଙ୍କ ସହିତ ମୋର ଯେଉଁ ଅଚାନକ ପ୍ରଣୟ ଦୁର୍ଘଟଣା ଘଟିଗଲା ତାହା ବିବାହର ଉଦ୍ଦେଶ୍ୟ ରଖି ନୁହେଁ । ଦେହ ମନକୁ ଶୃଙ୍ଗାର ଉତ୍ତେଜନାରେ ସନ୍ତୁଷ୍ଟ କରିବା ଲାଗି ।

ପ୍ରତି ଛୁଟିରେ ମାମୁଁ ଘରକୁ ଗଲେ ମୋର କାମନାସାଗର ଜ୍ୟୋତ୍ସ୍ନା ଅପାର ଉପକୂଳରେ ଉଛୁଳି ଉଠେ । କଅଁଳ ବୟସ, ନୂଆ ନୂଆ ମନ ଉତ୍ତେଜିତ ପ୍ରକୃତି ସବୁ ଏକାବେଳେ ଉତୁରି ପଡ଼େ ସେଇ ସାଗରର ଜୁଆରରେ ।

କ୍ରମଶଃ ମୁଁ ଲଜ୍ଜା ତ୍ୟାଗ କରି ମୁହଁ ଫିଟା ହୋଇଯାଏ । ପୁଣି ମନକୁ ମନ କହି ହୁଏ ସତେ ତ ମୁଁ ଗୋଟିଏ ପକ୍‌କା ହୀରୋ ହେବାକୁ ଯାଉଛି । କଲେଜ କ୍ୟାରିଅର୍‌ରେ ମୋତେ କେବେହେଲେ କେହି ହଟାଇ ପାରିବେନାହିଁ ।

Image

 

ସପ୍ତମ ପରିଚ୍ଛେଦ

 

ପହିଲି ପ୍ରଣୟର ନଈରେ କେତେ ଉଜାଣି ଜୁଆର ମାଡ଼ ଆସିଥିଲା ବିଜୁ ତା’ର ହିସାବ ରଖିନାହିଁ । କିନ୍ତୁ ଜ୍ୟୋତ୍ସ୍ନା ତାକୁ ଆନନ୍ଦ ଦେଇଥିଲା, ପୁନେଇ ରାତିର ଶୀତଳ କିରଣ ତା’ ଦେହରେ ବିକିରଣ କରି ତାକୁ ଉଲ୍ଲାସିତ କରିଥିଲା । ପ୍ରତୀକ୍ଷାର ଉନ୍ମାଦନା ଅଭ୍ୟର୍ଥନା ଅର୍ଥରେ ଭରି ଦେଇଥିଲା ତା’ ନିର୍ଜନ କକ୍ଷରେ ପୁଲକର ବନ୍ୟା ଶିହରେଇ ଉଠିଥିଲା ବିଜୁ । ଆନନ୍ଦରେ କୁରୁଳି ଉଠିଲା ତା’ ମନ । ଜ୍ୟୋତ୍ସ୍ନା ଅପା ତା’ର ଖୁବ୍‌ ଭଲ । ତା’ ପରି ଝିଅ କୋଟିକରେ ଗୋଟିଏ ନାହାନ୍ତି-। କଲେଜ ଝିଅଗୁଡ଼ାକ ଭେଜାଲ ବୋଲି କେମିତି ଅବାନ୍ତର ଧାରଣା ତା’ ମନରେ ଆସିଯାଇଥିଲା-

 

ଚାରିବର୍ଷ କଲେଜରେ ପଢ଼ିଲାବେଳେ କୌଣସି ଗୋଟିଏ ହେଲେ ଝିଅ ପ୍ରତି ଆସକ୍ତି ପ୍ରକାଶ କରି ନଥିଲା ସେ । ଯେତେ ସମୟ ସେ ସମ୍ପର୍କ ରଖିଥିଲା ସବୁ ସେଇ ଜ୍ୟୋତ୍ସ୍ନା ସହିତ । କିନ୍ତୁ କଲେଜରେ ଦୁଇବର୍ଷ ବିତେଇଲା ପରେ ତାକୁ ଦୈବକ୍ରମେ ବିଚ୍ଛିନ୍ନ ହେବାକୁ ପଡ଼ିଥିଲା ତା’ଠାରୁ । କାରଣ ବୟସ ଆଉ ବେଶୀ ସମୟ ଅବସର ଦେଇପାରିଲାନାହିଁ ତାକୁ । ଝିଅ ହୋଇ ସେ କେତେ ଦିନ ବା ରହିପାରିଥାନ୍ତା ।

 

ବିଜୁ ବି.ଏ: ପଢ଼ିଲାବେଳେ ଜ୍ୟୋତ୍ସ୍ନାର ବିଭାଘର ହୋଇଗଲା । ବର ତା’ର ଡିଫେନସ୍‌ ସର୍‌ଭିସ୍‌ରେ କାମ କରନ୍ତି । ବିବାହରେ ବିଚ୍ଛିନ୍ନ ହେବାକୁ କେତେଦିନ ଥାଏ ବିଜୁର ଶେଷଥର ପାଇଁ ସାକ୍ଷାତ ହୋଇଥିଲା ଜ୍ୟୋତ୍ସ୍ନା ସହିତ । ଜ୍ୟୋତ୍ସ୍ନା ହସି ହସି କହିଥିଲା, ବିଜୁ ମୋ ବିଭାଘରକୁ ତୁମକୁ ଏକ ବଡ଼ ନିମନ୍ତ୍ରଣ ରହିଲା । ତୁମେ ମୋର ବଡ଼ ଅତିଥି ହୋଇ ଆସିବ । ବିଜୁର ମାମୁଁ ମାଇଁ ମଧ୍ୟ ଜ୍ୟୋତ୍ସ୍ନା ତରଫରୁ ସେଇ ନିମନ୍ତ୍ରଣ ଦେଇ ପଠାଇଥିଲେ ।

 

ସ୍କୁଲ ଛାତ୍ର ହିସାବରେ ବିଜୁର ଜ୍ୟୋତ୍ସ୍ନା ସହ ପ୍ରଣୟାଭିସାର ଯେଉଁଭଳି ଚପଳ ସୁଲଭ ଆୟତନରେ ପର୍ଯ୍ୟାୟଭୁକ୍ତ ହୋଇଥିଲା । କଲେଜଛାତ୍ରବେଳେ ତାହା ସମ୍ପୂର୍ଣ୍ଣ ଭିନ୍ନମୁଖର ହୋଇ ଉଠିଥିଲା । ବିଜୁ ଚିଠିପତ୍ର ଦିଆନିଆ କରୁଥିଲା ତା’ ନିକଟ । ଜ୍ୟୋତ୍ସ୍ନା ଅପା ବୋଲି ସମ୍ୱୋଧନ କରି ସାର କଥା ଲେଖୁଥିଲା ପ୍ରଣୟ ସମ୍ୱନ୍ଧରେ । କଲେଜ ଝିଅମାନେ ରୂପ ଠାଣିରେ କେମିତି ଆଖିଠାର ମାରିଥାନ୍ତି, ବେଶଭୂଷା ଜାଣିଶୁଣି ଅଶ୍ଳୀଳତା ସହ ପରିଧାନ କରିଥାନ୍ତି, ସେ କଥା ଅତି ନିଖୁଣଭାବେ ବର୍ଣ୍ଣନା କରେ ବିଜୁ । ଆଉ ଲେଖେ ଜ୍ୟୋତ୍ସ୍ନା ଅପା, ମୁଁ ତୋ ସାଙ୍ଗରେ ଯେଉଁ ଭାବ ରଖିଛି ତାହା ମୋ ସାଙ୍ଗପିଲାଙ୍କ ଆଗରେ ମୋଟେ କହିନାହିଁ । କାରଣ ମୋତେ ଲାଜ ଲାଗେ । ସେମାନେ ଶୁଣିଲେ ମୋତେ ଘୃଣା କରିବେ । ଆଉ ଆଶଙ୍କା ଉପୁଜେ, ସେମାନେ ସମାଲୋଚନା କରି କହିଦେବେ ଜଣେ ବୟସ୍କା ଝିଅ ସହିତ ନିମ୍ନବୟସର ଯୁବକ ଅଶ୍ଳୀଳଭାବ ସ୍ଥାପନ କରିବା ନିନ୍ଦନୀୟ । ଯାହାହେଉ ଆମ ପ୍ରଣୟପ୍ରୀତିରେ ମୁଁ ଗୋପନୀୟତା ରକ୍ଷା କରିଛି ।

 

ଜ୍ୟୋତ୍ସ୍ନା ବିଜୁ ହସ୍ତାଙ୍କିତ ସେଇ ଭାବଧାରାକୁ ଅନୁଭବ କରି ସାକ୍ଷାତରେ ବିଜୁକୁ କୁହେ, ତୁମେ ବଡ଼ ମାଇଚିମ ବିଜୁ । ପ୍ରଣୟପାଇଁ ବୟସର ସାମ୍ୟ ଦରକାର କ’ଣ ? ବୟସର ତାରତମ୍ୟ ପ୍ରଣୟ କ୍ଷେତ୍ରରେ ଆଇନାନୁମୋଦିତ ହୋଇଥିଲେ, ରାଧାଙ୍କ ପ୍ରଣୟ ପଦତଳେ ଶ୍ରୀକୃଷ୍ଣ ଆଶ୍ରୟ ଭିକ୍ଷା କରିଥାନ୍ତେ କାହିଁକି ? ସେଇ ନିକୁଞ୍ଜ ତମାଳର ନିକ୍ୱଣିତ ବ୍ୟଞ୍ଜନା ଏବେବି ପ୍ରତି ଅଭିସାରିକାଙ୍କର କାମ୍ୟ । ଭଲପାଇ ଆସେ ଯାହାକୁ ତା’ ଯୁବତୀ ଜନ୍ମରେ ସାର୍ଥକତା ଅଛି । ବିବାହର ଲକ୍ଷ୍ୟ ଚୋରା ପୀରତିଠାରୁ ସମ୍ପୂର୍ଣ୍ଣ ଭିନ୍ନ ।

 

ଜ୍ୟୋତ୍ସ୍ନାର ଭଲପାଇବା ଯେ ଏକାଧାରରେ ତାମସିକ ଥିଲା, ତା’ ନୁହେଁ । ସେଥିରେ ଆଦର ଥିଲା, ଅନୁରାଗ ଥିଲା । ଆଉ ଥିଲା ଅନୁପମ ଗୁଞ୍ଜନ । କିଛି ଭଲ ଖାଇବା ଜିନିଷ ତା’ ହାତରେ ପଡ଼ିଲେ ସେ ମୋ ପାଟିରେ ଖୁଆଇ ନ ଦେଇ ନିଜେ ଖାଉ ନଥିଲା । ମାମୁଁ ଘର ଗାଁର ମେଳା, ଯାତ୍ରାରେ ସେ ମୋତେ ଯାତ୍ରା ଖର୍ଚ୍ଚ ଦେଇ ମନକୁ ଖୁସି କରାଉଥିଲା । ମୁଁ ନେବାକୁ ଅମଙ୍ଗ ହେଲେ, ସେ କହୁଥିଲା ତୁମେ ପିଲା ବିଜୁ । ବଡ଼ମାନେ ସାନମାନଙ୍କୁ ସେଇଭଳି ଦେଇଥାନ୍ତି ।

 

ସେ ଥିଲା ଜ୍ୟୋତ୍ସ୍ନା ଅପା, ଆଉ ମୁଁ ଥିଲି ଛୋଟ ବିଜୁ । ଅଳ୍ପଦିନ ବିଭାଘର ଥିଲା ମଧ୍ୟରେ ଆମ ଦୁହିଁଙ୍କର ଯେଉଁ ଶେଷ ସାକ୍ଷାତ ଘଟିଥିଲା, ସେଥିରେ ସେ ତା’ ବରର ଫଟୋ ମୋତେ ଦେଖାଇ କହିଥିଲା, ବରଙ୍କ ଚେହେରା ଠିକ୍‌ ତୁମରି ପରି । ତୁମେ ବଡ଼ ହୋଇ ତାଙ୍କ ଭଳି ହୋଇଥିଲେ ମୋତେ ଦୂରକୁ ଯିବାକୁ ପଡ଼ି ନଥାନ୍ତା । ବଳଦ ଯେମିତି ନ ଦାନ୍ତିଲେ, ଚାଷୀ ତାକୁ ଚାଷୋପଯୋଗୀ ମନେକରେ ନାହିଁ, ତୁମେ ସେମିତି ଦାମ୍ପତ୍ୟ ଚାଷୋପଯୋଗୀ ଜମିରେ ଅନୁପଯୁକ୍ତ ବଳଦ ବୋଲି ସମସ୍ତେ କହିବେ । ଭଗବାନ ଆରଜନ୍ମ ପାଇଁ ଆମକୁ ତିଆରି କରି ରଖିଥାନ୍ତୁ ।

 

ସେତେବେଳେ ଜ୍ୟୋତ୍ସ୍ନା ହସୁଥିଲା । ଖୋଲା ପ୍ରାଣର ସେ ହସ ଥିଲା ଅତି ଆନନ୍ଦଦାୟକ । ଜ୍ୟୋତ୍ସ୍ନା କହିଥିଲା, ବିବାହପାଇଁ ଯେଉଁ ପ୍ରେମଗଢ଼ା ହୋଇଥାଏ ତାହା ଯଦି ଘଟଣାକ୍ରମେ ସମ୍ଭବ ନ ହୁଏ ତେବେ ସେଥିରେ ଦୁଃଖ ଆସେ, ଆଘାତ ଲାଗେ । କିନ୍ତୁ ଆମ ପ୍ରେମର ଉଦ୍ଦେଶ୍ୟ ତାହା ନଥିଲା । ଦେହର ଖୁସି ମେଣ୍ଟାଇବା ପାଇଁ ଆମେ ମିଛିମିଛିକା ଖେଳୁଥିଲେ ।

 

ଜ୍ୟୋତ୍ସ୍ନା କଥାରେ ବିଜୁ ଅଭିମାନ କରି ନଥିଲା । କାରଣ ତା’ର ତ ବିବାହ କରିବାର ବୟସ ହୋଇ ନଥିଲା, ସେଥିପାଇଁ ସେ ଶୋଚନା କରିଥାନ୍ତା କାହିଁକି ? ଜ୍ୟୋତ୍ସ୍ନା ବିବାହରେ ଯୋଗ ଦେଇଥିଲା ସେ । ଆଉ ଏକାନ୍ତରେ ତାକୁ ସାକ୍ଷାତ କରି ଅଶ୍ରୁପୂର୍ଣ୍ଣ କଣ୍ଠରେ କହିଥିଲା, ଜ୍ୟୋତ୍ସ୍ନା ଅପା ତୋ ବାହାଘରକୁ ଖାଲି ହାତରେ ଆସି ମୁଁ ଭୁଲ କରିଛି । ସମସ୍ତେ କିଛି ନା କିଛି ଉପହାର ଆଣିଲେ ଅଥଚ ମୁଁ ଶୂନ୍ୟ ହସ୍ତରେ ଆସିବାଟା ଠିକ୍ ହେଲା ନାହିଁ ।

 

ବିଜୁ ମୁହଁରେ ଲୁହର ଛାୟା ଦେଖି ଜ୍ୟୋତ୍ସ୍ନା କହିଥିଲା, ଛି ତୁମେ ସେଇଥିପାଇଁ ଦୁଃଖ କରୁଛ । ଉପହାର ବା ଭେଟିରେ ଘଟଣାର ସ୍ମୃତି ମନେରୁହେନାହିଁ । ଅନ୍ତରର ଭେଟି ହେଉଛି ପ୍ରକୃତ ସ୍ମାରକୀ ।

 

ଜ୍ୟୋତ୍ସ୍ନା ବିବାହ କରି ବିଦାୟ ନେଇଥିଲା । ସେଇଠୁ ଭଲପାଇବାର ଜୁଆର ଉପରେ ଭଟ୍ଟା ପଡ଼ିଗଲା । ମୁଁ ଫେରିଆସି ମୋ ପଢ଼ାରେ ମନ ଦେଲି । ତା’ ପରଠାରୁ ମୋ ଆକାଂକ୍ଷାର ଆକାଶରେ ଶୁଷ୍କ ମେଘଖଣ୍ଡ ଦେଖି କୌଣସି ମୟୂରୀ ନାଚିବାକୁ ଆସିଲେ ନାହିଁ ।

 

ଘଟଣାକ୍ରମେ ଜ୍ୟୋତ୍ସ୍ନା କଥା ମନେପଡ଼ିଲେ ଅତୀତଟା ପୂରାପୂରି ନାଚିଉଠେ । ବିଜୁ କହେ, ପ୍ରତି ସ୍ତରେ ସ୍ତରେ ତା’ ଅତୀତ ଲୁଚି ରହିଛି । କେହି ଜାଣନ୍ତିନାହିଁ କିମ୍ୱା ଜାଣିବାର ସୁଯୋଗ ପାଇନାହାନ୍ତି । ଦୁନିଆରେ ଯେତେ ଗୋପନ ପ୍ରଣୟ ବଣର ମଲ୍ଲୀ ପରି ଝରି ଯାଇଛି, ବିଜୁର ପ୍ରଣୟ ସେଇ ମଧ୍ୟରେ ଅନ୍ତର୍ଗତ ।

 

ରେଣୁର ପହିଲି ନିମନ୍ତ୍ରଣ ବିଜୁ ରକ୍ଷା କରି ନଥିଲା । ହାତ ଧରି, ବିଜୁଭାଇ ଡାକି ଯେତେ ଅନୁରୋଧ କରିଥିଲା, ସେ ସବୁକୁ ପ୍ରତ୍ୟାଖାନ କରି ଦେଇଥିଲା ସେ । ସେଥିଲାଗି ରେଣୁ ଦୁଇଦିନ ଧରି ଅଭିମାନ କରିଛି । ମୁହଁ ଫୁଲାଇ ଆଡ଼େଇ ଯାଇଛି । ତଥାପି ବିଜୁର ମନ ତରଳିନାହିଁ-

 

ତୋଷାମଦ କରିବା ଆବଶ୍ୟକ ନଥିଲା । ସେଇ ଝିଅମାନେ ଦୁରନ୍ତ ବିହଙ୍ଗୀ । ଆଜି ପାଖରେ ଅଛନ୍ତି, କାଲି ଅନ୍ୟତ୍ର ସୁବିଧା ହେଲେ ଉଡ଼ି ଚାଲିଯିବେ । ଜ୍ୟୋତ୍ସ୍ନାକୁ ପ୍ରେମ କରି ବିଜୁ ଜାଣିଛି । ଭାତହାଣ୍ଡିରୁ ଗୋଟିଏ ଚିପିଲେ ଯାହା, ସବୁ ଚପିଲେ ସେଇଆ । ସେଥିଲାଗି ରେଣୁର ଅଭିମାନରେ ଯେଉଁ ସାମୟିକ ବ୍ୟବଧାନ ଉପୁଜି ଥିଲା, ବିଜୁ ତାହାକୁ ନିଜ ହାତରେ ଯୋଡ଼ିବାକୁ ଚେଷ୍ଟା କରୁ ନଥିଲା ।

 

କ୍ଷଣକୋପ ସଦୃଢ଼ ଅଭିମାନ ଦୀର୍ଘସ୍ଥାୟୀ ନୁହେଁ । ମନ ବଦଳି ଗଲେ ସ୍ଥିତାବସ୍ଥା ପୁଣି ଫେରିଆସେ । ରେଣୁ ପକ୍ଷରେବି ତାହା ପରିଦୃଷ୍ଟ ହେଉଥିଲା । ମନକୁ ମନ ସେ ଆସି ବିଜୁ କାନ୍ଧରେ ପଛ ଆଡ଼େ ନାଉ ହୋଇ କହେ, ସତ କହିଲ ବିଜୁଭାଇ ମୋ ଉପରେ ତୁମେ ରାଗିନାହଁ-?

 

ବିଜୁ ମୁହଁ ହଲାଇନାହିଁ କରେ । ଆଉ କୁହେ ଭାଇର ଭଉଣୀ ଉପରେ ରାଗ ସିନା ମୁହଁରେ, ହେଲେ ପେଟ ଭିତରେ ନୁହେଁ । ଅନ୍ତର ଆଖିରେ ଦୁହେଁ ଏକ ନାହି ଦୁଇଖଣ୍ଡ ଭଳି । ତୁ ମୋତେ ଯେହେତୁ ଭାଇ ଡାକୁଚୁ, ମୁଁ ତୋତେ ସେମିତି ଆଦର କରିବିନାହିଁ କାହିଁକି ?

 

ବିଜୁକୁ ରେଣୁ ଭାଇ ଡାକିବାର ରହସ୍ୟ ଥିଲା । ପ୍ରଥମ ସାକ୍ଷାତରେ ବିଜୁ ତା’ ଇଜ୍ଜତ ରକ୍ଷା କରିଥିବାରୁ ସେ ତା’ର ଦ୍ୱାରସ୍ଥ ହୋଇ କହିଥିଲା, ଆପଣ ଆଜିଠାରୁ ମୋର ଭାଇ ହେଲେ; କାରଣ ସେଦିନ ବିପଦ ସମୟରେ ଆପଣ ଯେଉଁ କର୍ତ୍ତବ୍ୟ କରିଛନ୍ତି ତାହା କେବଳ ଭାଇ କିମ୍ୱା ସେହି ସ୍ଥାନୀୟ ବ୍ୟକ୍ତିଙ୍କଦ୍ୱାରାହିଁ ସମ୍ଭବ । ତା’ ନ ହେଲେ ଅନେକ ଉଚ୍ଛୃଙ୍ଖଳ ଯୁବକ ଅଛନ୍ତି, ସେମାନେ ସେଇ ସୁଯୋଗର ଫାଇଦା ଉଠାଇଥାନ୍ତି ।

ଆପ୍ୟାୟିତ ହୋଇଯାଇଥିଲା ବିଜୁ । ରେଣୁର ଅନୁନୟ ଚାହାଣୀ ଓ ସରଳ ବ୍ୟବହାରରେ ଖୁବ୍‌ ପ୍ରୀତ ହୋଇ ପଡ଼ିଥିଲା ସେ । କିନ୍ତୁ ବିଜୁ ସହଜରେ ଭଳିଯିବା ଲୋକ ନୁହେଁ । ଆଜିକାଲି ସୂର୍ଯ୍ୟବନ୍ଧୁର ଭାଇ ଭଉଣୀ ସମ୍ୱନ୍ଧକୁ ସେ ମୋଟେ ପସନ୍ଦ କରେନାହିଁ । ତେଣୁ କିଛିଦିନ ପର୍ଯ୍ୟନ୍ତ ବିଜୁକୁ ସେ ଯେତେ ଭାଇ ବୋଲି ସମ୍ୱୋଧନ କଲେ ସୁଦ୍ଧା ସେ ତାକୁ ତେମେ ରେଣୁ କହି ଚାଲିଥାଏ ।

ପ୍ରୀତିର ଆରାଧନା ପ୍ରଣୟିନୀର କାମ୍ୟ । ମନର ଆକାଶରେ ଉତ୍ତେଜନାର ଚନ୍ଦ୍ର ଉଦିତ ହେଲେ ପ୍ରଣୟର କୁମୁଦିନୀ ଆନନ୍ଦିତା ହୋଇଉଠେ । ଉଲ୍ଲାସରେ ସେ ଜାଳେ କାମନା ପ୍ରଦୀପ । କୌମୁଦି ହୁଏ କାମର ତୈଳ । ଅମାବାସ୍ୟାର ଅଭିମାନରେ ସେ ତୈଳର ଅଭାବ ଯୋଗୁଁ ଦୀପ ଲିଭିଯାଏ । ଚନ୍ଦ୍ର ଲୁଚି ଯାଆନ୍ତି ଗୋପନରେ । ସରୋବରରେ କୁମୁଦିନୀ ମୁଦ୍ରିତ ହୋଇ ରୁହେ । ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ଅଭିମାନ ସେମିତି । ପ୍ରଣୟର ତୈଳଦାନରେ କାମନାର ପ୍ରଦୀପ ଜଳି ଉଠିଲେ ଅଭିମାନର ଅନ୍ଧକାର ଘୁଞ୍ଚିଯାଏ । ବିଜୁଭାବେ ସେ ତ ରେଣୁର ପ୍ରଣୟୀ । ସେ ଯେତେବେଳେ ତାକୁ ଭାଇ ବୋଲି ଡାକି ଆସୁଛି, ସେ ତାକୁ ସ୍ନେହରେ ତୁ ସମ୍ୱୋଧନ ନ କରିବ ବା କାହିଁକି ।

ଅନୁକ୍ରମେ ଦୃଢ଼ ହୋଇ ଆସିଲା ପ୍ରଣୟର ଡୋରୀ ! ଘରେ କୌଣସି ପର୍ବପର୍ବାଣୀ ଉପସ୍ଥିତ ହେଲେ, ରେଣୁ କହେ ବିଜୁଭାଇ ମୋ ରାଣ, ତୁମକୁ ଆମ ଘରକୁ ଯିବାକୁ ହେବ । ବୋଉ କହିଛି, ବାପା କହିଛନ୍ତି ।

ବାପା କହିଛିନ୍ତି ? ଆଶ୍ଚର୍ଯ୍ୟରେ ବିଜୁ ପଚାରି ଆଖିପତା ଉପରକୁ ଟେକି ଦିଏ ।

ରେଣୁ କୁହେ, କାହିଁକି ? ବାପା ତୁମକୁ ନିମନ୍ତ୍ରଣ କରିବା କ’ଣ କିଛି ଅସ୍ୱାଭାବିକ ବୋଲି ଭାବୁଛ ।

 

ହଁ । ବିଜୁ କୁହେ ।

 

କାରଣ ?

 

ରେଣୁର ପ୍ରଶ୍ନରେ ବିଜୁ ଉତ୍ତର ଦିଏ । ସତ କହିଲୁ ରେଣୁ ତୋର ବାପା ଅଫିସର ହିସାବରେ ଏଇ କିରାଣୀ ଜାତିଟାକୁ କେତେଦୂର ଭଲପାଆନ୍ତି ?

 

ରେଣୁ ହିସ ଦିଏ । କହେ, ବାପରେ ବାପ୍‌ । ଏଇ କିରାଣୀ ଜଟିଳ ଲୋକ ମୁଁ ଦେଖୁଛି । ବାପା ତ ତୁମ ଆମ ଭଳି ମଣିଷ । ସେ କ’ଣ ବାଘ ଭାଲୁ ହୋଇଛନ୍ତି ଯେ କିରଣୀମାନଙ୍କୁ ଖାଇଯିବେ ?

 

ରେଣୁ କଥାରେ ବିଦ୍ରୂପର ହସ ଖଣ୍ଡେ ହସି ଦିଏ ବିଜୁ । କହେ ବାଘ, ଭାଲୁଙ୍କ ସମ୍ମୁଖରେ ଅହରହ ମଣିଷ ପଡ଼ୁନାହିଁ । କିନ୍ତୁ ଦୁର୍ଦ୍ଦାନ୍ତ ମଣିଷ ସହିତ ସରଳ ମଣିଷର ସାକ୍ଷାତ ପ୍ରାୟ ସବୁଦିନେ ଘଟୁଛି । ଭୟଙ୍କର ଜନ୍ତୁମାନେ ଗୋଟିଏ ମୁହୂର୍ତ୍ତରେ ଜୀବନର ସର୍ବନାଶ ଘଟାଇଥାନ୍ତି । କିନ୍ତୁ କୁଚକ୍ରୀ ପୁରୁଷମାନେ ହାତରେ ନ ମାରି ସବୁଦିନ ପାଇଁ ଭାତରେ ମାରୁଥାନ୍ତି ।

 

ତୁମେ ଭାବୁଛ ମୋ ବାପା କ’ଣ ଦୁର୍ଦ୍ଦାନ୍ତ ବ୍ୟକ୍ତି ?

 

ରେଣୁ ପ୍ରଶ୍ନରେ ବିଚଳିତ ହୋଇ ପଡ଼ିଥିଲା ବିଜୁ । ସେ କହିଲା, ତୁ ବ୍ୟଥିତ ହୋଇ ପଡ଼ନା ରେଣୁ । ମୁଁ ଆମ ଦୁହିଁଙ୍କ ଭଲପାଇବାର ପୋତାଶ୍ରୟ ମଧ୍ୟରେ ଜୀବନ ଦୃଷ୍ଟିର ବତୀଖୁଣ୍ଟକୁ ଚିରି ଆଲୋକିତ ହେବାକୁ ପରୀକ୍ଷା କରୁଥିଲି । ଯେପରି ତାହା ଆଗନ୍ତୁକ ଆକାଂକ୍ଷାର ଜାହାଜକୁ ସଠିକ୍‌ ଭାବରେ ଦିଗ ନିର୍ଦ୍ଦେଶ ଦେଇପାରିବ ।

 

ବିଜୁର କଥା ରେଣୁ ବୁଝିଯାଇଥିଲା । ଆଉ କହିଥିଲା, ତୁମେ ଅତି ଚାଲାକ୍‌ ବିଜୁଭାଇ । ବାପା ବୋଉଙ୍କ ଆଗରେ ସେଦିନର ତୁମ ସାହସ କଥା ବର୍ଣ୍ଣନା କରି ସେମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲି । ବୋଉ ତୁମକୁ ଆଶୀର୍ବାଦ କରିଥିଲେ । ବାପା ତୁମକୁ ପ୍ରଶଂସା କରିଥିଲେ । ଆଉ କହିଥିଲେ, ତୁମ ଭଳି ପିଲା ଭବିଷ୍ୟତରେ ନିଶ୍ଚୟ ଉନ୍ନତି କରିବ । ତେଣୁ ସେଇଥିରୁ କ’ଣ ବୁଝୁନା ଯେ ଆମ ପ୍ରଣୟର ଆଲୋକ ଭବିଷ୍ୟତର ଅନ୍ଧକାରକୁ ପ୍ରକୃତ ସ୍ପଷ୍ଟ କରିଦେବ ।

 

ଆସ୍ଥା ଉପୁଜିଥିଲା ବିଜୁ ମନରେ । ରେଣୁ ବାକ୍‌ଚାତୁରୀରେ ଛଳନାର କୌଣସି ରଙ୍ଗଥିବାର ମନେହେଲାନାହିଁ । ଅଫିସର ଘର ସାଙ୍ଗରେ ତା’ର ସମ୍ପର୍କ ଯୋଡ଼ା ହୋଇଯାଉଛି । ତେଣୁ ନିମନ୍ତ୍ରଣ ରକ୍ଷା କଲା ରେଣୁର । ଜ୍ୟୋତ୍ସ୍ନାପାଇଁ ଭାବନା ବା ଭୟ ଉପୁଜୁ ନଥିଲା । କାରଣ ସେ ତା’ ସ୍ୱାମୀ ସହ ଡେରାଡ଼ୁନ୍‌ରେ ଯାଇ ରହିଛି । ହିସାବରେ ରେଣୁ ଭାଇ ତା’ର ଭିଣୋଇ ହେବେ-। ତାହା ସେ ମନ ଭିତରେ ଲୁଚେଇ ରଖିଚି । କେବଳ ରେଣୁ ଜାଣେ ଯେ ନୂଆବୋଉ ତା’ ବିଜୁ ଭାଇର ଚିହ୍ନା ।

 

ସେଇଟା ସେତେ ମନ ଭିତରେ ଆଲୋଡ଼ନ ସୃଷ୍ଟି କରିନି ।

Image

 

ଅଷ୍ଟମ ପରିଚ୍ଛେଦ

 

ଆଶ୍ଚର୍ଯ୍ୟ ! ଭଲପାଇବାର ବଂଶୀ ଫୁଙ୍କିବାରେ ତୁମେ ଠିକ୍‌ କୃଷ୍ଣ ବୋଲି ମାନିଲି ବିଜୁଭାଇ । ହେଲେ ତୁମ ପାରଦର୍ଶିତା ଶୁଣିବାରେ ତୁମ ରାଣ ଖାଇବାର କାରଣ କ’ଣ ଥଲା ?

 

ତୁ ଜାଣିନୁ ରେଣୁ, ଜୀବନ ଏକ ପିପାସା । ତାକୁ ମିଠା ଦରିଆର ସବୁତକ ପାଣି ଦେଲେ ସେ ପିଇ ତା’ ତୃଷ୍ଣା ମେଣ୍ଟେଇ ପାରିବନାହିଁ । ଜ୍ୟୋତ୍ସ୍ନାକୁ ମୁଁ ଭଲପାଇଥିଲି । ସେ ତୋ ଭାଉଜ ହୋଇ ଆସିବ ଏମିତି ଗଣନା ମୁଁ କରି ନଥିଲି । ଏବେ ତମରି ଘରେ ଜ୍ୟୋତ୍ସ୍ନାର ଉପସ୍ଥିତିକୁ ଅନୁଭବ କରି ମୋତେ ଭାରି ଭୟ ଲାଗୁଛି । ମନରେ ଆସୁଛି, ତୁମରି ହୋଇ ତୁମ ଘରେ ସେ ମୋତେ ଦେଖିଲେ ନିଶ୍ଚୟ କହିବେ ରାଧାକୁ ଠକେଇ ଦେଇ ଅଷ୍ଟପାଟବଂଶୀଙ୍କ ଗହଣ ଖୋଜୁଛି ବୋଧହୁଏ । ତା’ ନ ହେଲେ ରେଣୁକୁ ଫାନ୍ଦରେ ପକାଇବାର ଅର୍ଥ ?

 

ତୋପାଇଁ ମୁଁ ସଙ୍କୁଚିତ ହୋଇଯାଉଛି ରେଣୁ । ତୁ ଯଦି ମୋତେ ମୋଟେ ଭଲପାଇ ବସିନଥାନ୍ତୁ ତାହେଲେ ମୁଁ ଜ୍ୟୋତ୍ସ୍ନାର ଛାଇ ଦେଖିଲେ ଡରି ଯାଆନ୍ତିନାହିଁ ।

 

ହେଲେ ମୁଁ ତ ତୁମକୁ ଘୃଣା କରୁନାହିଁ । ମୋ ନୂଆବୋଉଙ୍କୁ ତୁମେ ଚରିତ୍ରହୀନା କରିଥିବାର ଜାଣି ମୁଁ ରାଗି ଉଠିବା କଥା । ତୁମକୁ ଦୂରେଇ ଦେବା ସମୀଚୀନ । କିନ୍ତୁ ବିବେକ ନିକଟରେ ମୁଁ ଠିକ୍‌ ଅଛି । ମୁଁ ଜାଣୁଛି ଜ୍ୟୋତ୍ସ୍ନା ନୂଆବୋଉଙ୍କ ଯୌବନ ପ୍ରତି ତୁମେ ଯେଉଁ ଅବିଚାର କରିଛ, ସେଥିରେ କିଛି ଭୁଲ ହୋଇନାହିଁ । ଚହଲିବାକୁ ତାଙ୍କର ଇଚ୍ଛା ଥିଲା । ମନର ଘୋଡ଼ା ବେପରୁଆ, ଲଗାମଛଡ଼ା ହୋଇ ଧାଇଁବାକୁ ସ୍ଫୁତ୍ତିର ସୁଯୋଗ ଖୋଜୁଥିଲା । ତାହା ତୁମେ ଆଣି ପହଞ୍ଚାଇଲ । ଯୌବନ ଉପବେଳାର ପିଚୁ ରାସ୍ତା ନିର୍ମାଣ କରିଦେଇ ନିଜେ ସଇସ ହୋଇ ସେଇ ଘୋଡ଼ାକୁ ଦଉଡ଼ାଇ ଦେଲ । ଭୁଲ ତୁମର ନୁହେଁ । ଭୁଲ ତାଙ୍କର । ବେଳ ଆସିଲା ସେ ଆପଣା ଚିତ୍ତରେ ଚିତାକାଟି ଦେଲେ । ତେଣୁ ତାଙ୍କୁ ସମୟ ମାର୍ଜନା କରିବନାହିଁ । ଅତୀତ କ୍ଷମା ଦେବନାହିଁ-। କୁହୁଡ଼ି ଭିତରେ ଲୁଚିଗଲେ ଯେ ଅନ୍ଧକାର ଦେହରେ ଅସ୍ପଷ୍ଟ ରହିଗଲ, ତାହା ଭାବିବା ଧୃଷ୍ଟତା ମାତ୍ର ।

 

ଜ୍ୟୋତ୍ସ୍ନା ଆରୋପ ଓ ଆକ୍ଷେପ ପ୍ରଣାଳୀ ଯଥାର୍ଥ ଥିଲା । ପ୍ରେମର ସାହାନାଇ ଯୁଗେ ଯୁଗେ ବାଜି ଆସୁଛି । କେଉଁଠି ତାହା ଆଦର୍ଶ ବା କେଉଁଠି ବାସ୍ତବର ସ୍ୱର ନେଇ ଝଙ୍କୃତ ହୋଇ ଉଠୁଛି । ସେଥିଲାଗି ଜ୍ୟୋତ୍ସ୍ନାର ପ୍ରେମ ନିରପେକ୍ଷ ।

 

ବିବାହ ପରେ ଜ୍ୟୋତ୍ସ୍ନାଠାରୁ ଖଣ୍ଡେ ମାତ୍ର ଚିଠି ପାଇଥିଲା ବିଜୁ । ସେଥିରେ ସେ ଲେଖିଥିଲା, ମୁଁ ପ୍ରଣୟକୁ ଶୃଙ୍ଗାର ସଦୃଶ୍ୟ ଦେଖିଥିଲି ଅବିବାହିତ ଅବସ୍ଥାରେ । କିନ୍ତୁ ବିବାହ କଲାପରେ ମୁଁ ଅନୁଭବ କରୁଛି ଯେ ତାହା ହେଉଛି ଶାଶ୍ୱତ ଆଉ ଛନ୍ଦଯୁକ୍ତ । ନଡ଼ିଆର ଗୁଣ ପରି ମୋ ବର ଦେଖିବାକୁ କଠିନ । କିନ୍ତୁ ତାଙ୍କ ଅନ୍ତରଟା ଭାରି କୋମଳ ଓ ସରସଯୁକ୍ତ । ମୋତେ ସେ ଅତି ଆଦର କରୁଛନ୍ତି । ପୁଣି ଟିକେ ଫାଙ୍କା ପାଇଲେ ମୋ ସହିତ ମିଳିବାକୁ ତାଙ୍କ ମନ ବ୍ୟଗ୍ର ହୋଇଉଠେ । ଆଖିରେ ପ୍ରଣୟର କଥା । ଫୋନ୍‌ରେ ପ୍ରଣୟର କଥା । ପୁଣି ବାଟଘାଟରେ ପ୍ରଣୟର କଥା । କେତେବେଳେ ତ ତାଙ୍କୁ ଫୁରୁସତ ଅଛି ବୋଲି ମୁଁ ଦେଖୁନାହିଁ ।

 

ଅବଶ୍ୟ ଜ୍ୟୋତ୍ସ୍ନାର ଚିଠି ସମ୍ୱନ୍ଧରେ ବିଜୁ ରେଣୁକୁ କିଛି କହି ନଥିଲା । ତା’ ଭାଇ କଥା ସେ କହିବା ଅସୁନ୍ଦର । କିନ୍ତୁ ସେଇ ଚିଠିର ସାରାଂଶରୁ ବିଜୁ ଏତିକି ମାତ୍ର ଜାଣିପାରିଥିଲା ଯେ ଜ୍ୟୋତ୍ସ୍ନା ଖୁସିରେ ଅଛି । ତାକୁ କୌଣସି ଅଭିମାନର ରାହୁ ଗ୍ରାସ କରିନାହିଁ କି କରିବନାହିଁ । ଜ୍ୟୋତ୍ସ୍ନା ହୁଏତ ତା’ ନୂଆବୋଉ ଭଳି ନୁହେଁ । ତାକୁ ଅଭିମାନର ରଙ୍ଗ ରଞ୍ଜିତ କରିଛି । ପ୍ରଣୟର ପୂର୍ଣ୍ଣିମା ବିରହ ଦୃଷ୍ଟିରେ ଜ୍ୟୋତ୍ସ୍ନା ବିଧୌତ କରିଛି ।

 

ବିଜୁ କହିଲା ରେଣୁ, ଗଲା କଥା ଗଲାଣି । ଅତୀତକୁ ଭାବି ଆଉ ଲାଭ ନାହିଁ । ଭଲପାଇବା ଏକ ସସ୍ନେହ ଆବେଦନ, କିନ୍ତୁ ପ୍ରେମ କରିବା ହେଉଛି ଏକ କାଳାନ୍ତକ ମୋହ । ମୁଁ ଯେ ଜ୍ୟୋତ୍ସ୍ନା ନୂଆବୋଉଙ୍କୁ ଓ ତୋତେ ଭଲପାଇଛି, ତା’ ନୁହେଁ । ମୁଁ ପ୍ରେମ କରିଛି । ଆଉ ତା’ରି ପ୍ରତିଦାନରେ ତୁମେ ମୋତେ ଚଖାଇଛ ମଧୁ ମଦିରା ।

 

ବିଜୁ ଭାଇ !

 

ରେଣୁ !

 

ଆମେ କ’ଣ ଯାତ୍ରା ପଥରେ ସଫଳ ହୋଇପାରିବା ନାହିଁ ?

 

ଯଦି ସମ୍ଭବ ନ ହୁଏ....ବିଜୁ ଅସମାପ୍ତ ଉତ୍ତର ଦେଇଥିଲା । ତେବେ ପ୍ରେମପାଇଁ ଜୀବନ ବଳି ଦେବା । ଲୋକେ ପୁଣି ଜାଣିବେ ଯେ ଆମ ଦେଶରେ ସବୁସମୟରେ କେଦାରଗୌରୀ ଜନ୍ମ ହେଉଛନ୍ତି ଓ ହେଉଥିବେ । ଯେତେଦିନ ଯାଏ ଏ ମାଟିରେ ପ୍ରଣୟ ସଫଳ ନ ହୋଇଛି, ସେତେଦିନ ପର୍ଯ୍ୟନ୍ତ କେଦାରଗୌରୀଙ୍କ ଅଶାନ୍ତ ଆତ୍ମା ତମ ଆମ ଦେହରେ ଛଳ କରି ଜନ୍ମଗ୍ରହଣ କରୁଥିବେ ।

 

ବିଜୁ କହିଲା ଭବିଷ୍ୟତର ଆଶଙ୍କା ଏବେଠାରୁ କରି ଲାଭନାହିଁ । ଏବେ ଆମ କର୍ତ୍ତବ୍ୟ କରିଯିବା । ସେଥିରେ ଯଦି କୌଣସି ଖିଲାପ ନ ହୁଏ ତେବେ ଉଚିତ ପୁରସ୍କାର ପାଇବା ।

 

ରେଣୁ ବିଜୁଠାରେ ଆଶାବାଦ ସପକ୍ଷରେ ଦୃଢ଼ ମନୋବୃତ୍ତିକୁ ଉପଲବ୍‌ଧ କରି ଆନନ୍ଦରେ ବିଦାୟ ନେଇଥିଲା ଓ ବିଜୁକୁ ଆସନ୍ତାକାଲି ପାଇଁ ନିମନ୍ତ୍ରଣ ଜଣାଇ ଯାଇଥିଲା ।

Image

 

Unknown

ନବମ ପରିଚ୍ଛେଦ

 

ସନ୍ଦେହର ସାଗରରେ ଢେଉ ଉଠିଲେ ଥଳକୂଳ କିଛି ମାନେ ନାହିଁ । କୂଳର ବାଲିକୁ ଧସି ନେଇଯାଏ । ଦର୍ଶକମାନେ ସ୍ଥିତିହରା ହୋଇ ସେହି ଢେଉରେ ଲହଡ଼ି ଭାଙ୍ଗିଥାନ୍ତି ।

 

ବିଜୁ ଜୀବନରେ ସେଇଭଳି ଦିନ ଆସିଥିଲା । ସନ୍ଦେହର ସମୁଦ୍ରକୂଳ । ପରିଧିର ଢେଉ ଥିଲା ସେ । ଆଉ ଦର୍ଶକ ଥିଲେ ଅନ୍ୟ ଯେତେକ ।

 

ରେଣୁ ସହିତ ପ୍ରଣୟର ଡୋରୀ ବନ୍ଧା ହେବା ଦିନଠାରୁ ଯେତେଥର ସେ ତା’ର ନିମନ୍ତ୍ରଣ ରକ୍ଷା କରି ତାଙ୍କ ଘରକୁ ଯାଇଛି, ସବୁବେଳେ ସେ ଫେରିଛି ଆଦର ଅଭ୍ୟର୍ଥନାର ରଙ୍ଗ ବୋଳି ହୋଇ । ହସ ହସ ମୁଖ, ସ୍ଫୀତ ସନ୍ଦେହର ଜୁଆର, ଅନୁକୂଳ ବାତାବରଣ, ସବୁ କିଛିର ମଧୁ ସ୍ପନ୍ଦନକୁ ଅନୁଭୂତିର ସମ୍ପଦ କରି ସେ ସାଇତି ରଖିଥିଲା ତା’ ଡାଏରୀ ଭିତରେ । କିନ୍ତୁ ଅଚାନକଭାବେ ତା’ ଆନନ୍ଦ ଉପକୂଳରେ ଜୁଆରହୀନ ଭଟ୍ଟାର ଭ୍ରୂଣହତ୍ୟାକୁ ସେ ଦେଖିବାକୁ ପାଇଲା ।

 

ଗୋପନରେ ଅଶ୍ରୁ ମୁଞ୍ଚନ କରୁଥିଲା ସେ । ସେଇ ଭଟ୍ଟା ଜୀବନର ଯୌବନକୁ ସଫେଇ ଦେଇ କଇଁ କଇଁ କାନ୍ଦି ଉଠିଥିଲା ସେଦିନ ।

 

ଜ୍ୟୋତ୍ସ୍ନା ଅପା ! କରୁଣ କଣ୍ଠରେ ବିଜୁ ମୁହଁ ଖୋଲିଲା ।

 

ଉଁ ।

 

ଜ୍ୟୋତ୍ସ୍ନା ଅପା ତୁମେ କାନ୍ଦୁଛ ? ବିରହିଣୀ ନାୟିକାମାନେ ଅତୀତର ପ୍ରେମିକକୁ ଦେଖିଲେ ଅଭିମାନରେ ସିନା କାନ୍ଦିଥାନ୍ତି । ହେଲେ ତୁମେ ତ ସୁଖୀ ଅଛ ବୋଲି ଚିଠିରେ ଲେଖିଥିଲ । ପୁଣି ଅସୁବିଧା କ’ଣ ହେଲା ? ବିଜୁ ପ୍ରଶ୍ନରେ ଜ୍ୟୋତ୍ସ୍ନା ଚହଲି ଯାଇଥିଲା ଓ ଆଖିରୁ ଲୁହ ପୋଛି କହିଥିଲା, ମୋ ଅସୁବିଧା ହେଉଚ ତୁମେ । ତୁମେ ମୋ ନାରୀ ଜୀବନକୁ ନିଉଛୁଣା କରି ଦେଇଛ । ପ୍ରେମ କରିଥିବା ପ୍ରତି ନାରୀ ପ୍ରେମିକ ବ୍ୟତୀତ ଅନ୍ୟ ଯାହାକୁ ବିବାହ କରିଥାନ୍ତି, ପ୍ରାୟ ଏହାହିଁ ଅନୁଭବ କରିଥାନ୍ତି । ସେମାନେ କ୍ଷତ । ସତୀତ୍ୱର ରଣାଙ୍ଗନରେ ସେମାନେ ଯେଉଁଭଳି ଆହାତ ହୋଇଥାନ୍ତି, ତା’ର ଯନ୍ତ୍ରଣା ମୃତ୍ୟୁ ପର୍ଯ୍ୟନ୍ତବି ଶୁଖେ ନାହିଁ । ସେଥିରେ ପୁଣି ତୁମେ ଯେବେ ମୋ ପଛରେ ଛାଇ ହୋଇ ଚାଲିବ......

 

ଜ୍ୟୋତ୍ସ୍ନା ଅପା...... !

 

ବିଜୁ !

 

ତୁମକୁ ମୁଁ ସନ୍ଦେହ କରୁଛି ।

 

ମୁଁ ଜାଣେ । ଆଉ ସେଇ ସମୁଦ୍ରର କୂଳରେ ଅବସ୍ଥାନ ନ କରିବାକୁ ମୁଁ ଦୃଢ଼ପ୍ରତିଜ୍ଞ ଥିଲି-। ସେଥିଲାଗି ଆଦର୍ଶକୁ ଜଳାଞ୍ଜଳି ଦେବାପାଇଁ ମୁଁ ଚେଷ୍ଟା କରିଥିଲି । କିନ୍ତୁ ସବୁ ବ୍ୟର୍ଥ ହୋଇଗଲା-? ମୁଁ କେବଳ ସେଇ ସନ୍ଦେହକୁ ସ୍ଫୀତ କରିବାପାଇଁ ତୁମକୁ ଦେଖା କରୁ ନଥିଲି ।

 

ବିଜୁ କଥାରେ ଜ୍ୟୋତ୍ସ୍ନା କହିଲା ତାହେଲେ ଆସୁଥିଲ କାହିଁକି ? ରେଣୁଠାରେ ନୂଆ ଭାବ ଲଗେଇଥିବା ସମ୍ୱାଦ ଭବିଷ୍ୟତରେ କେବେ ଜଣେଇବା ପାଇଁ ଥୟ ହୋଇପାରିଲନାହିଁ ।

 

ଜ୍ୟୋତ୍ସ୍ନା ଅପା !

 

ମୁଁ ଜାଣେ ବିଜୁ ତୁମକୁ ପ୍ରାରମ୍ଭ ଯୌବନରେ ଚହଲାଇ ଦେଇ ଅସ୍ଥିର, ନିରୁପାୟ ଅବସ୍ଥାରେ ଛାଡ଼ି ଆସିଛି । ଅଧା ମଧୁ ଚାଖି ଜିହ୍ୱାର ସ୍ୱାଦ ତୁମେ ମେଣ୍ଟାଇ ପାରିନାହଁ । ତେଣୁ ଘୁରି ବୁଲୁଛ ।

 

ଜ୍ୟୋତ୍ସ୍ନାର ମନକୁ ସନ୍ଦେହବିମୁକ୍ତ କରିବାକୁ ଯାଇ ସବୁ କଥା ଖୋଲି କହିଥିଲା ବିଜୁ । ପୁଣି କହିଥିଲା, ତୁମେ ଆଉ ତୁମ ସ୍ୱାମୀ ଡେରାଡ଼ୁନ୍‌ରୁ ଛୁଟିରେ ଆସିବା ଖବର ମୁଁ ପାଇଥିଲି । ସେଥିଲାଗି ରେଣୁକୁ କହିଛି, ଏଣିକି ତୁମ ଘରେ ମୋ ପାଦ ପଡ଼ିବା ବନ୍ଦ ହୋଇଗଲା । କିନ୍ତୁ ରେଣୁ ମୋର ଭୀରୁତା ପ୍ରତି ଅସନ୍ତୋଷ ପ୍ରକାଶ କରିଛି । କହିଛି, ବାପା ବୋଉଙ୍କ ନିମନ୍ତ୍ରଣ ରକ୍ଷା ନ କଲେ ତୁମେ ସେମାନଙ୍କ ସନ୍ଦେହର ଘାଇରେ ପଡ଼ି ଛଟପଟ ହେବ । ଫଳରେ ଆମ ପଥ ପରିଷ୍କାର ହେବନାହିଁ ।

 

ରେଣୁ ମତରେ ମୁଁ ଏକମତ ହୋଇ ବସିଲି । ଅନ୍ୟଥା ଗତି ନଥିଲା । ତୁମ ଅନୁପସ୍ଥିତିରେ ବାରମ୍ୱାର ତୁମ ଘରକୁ ଆସିଛି । ତୁମ ଉପସ୍ଥିତିରେ ନ ଆସିଲେ ମଉସା ମାଉସୀଙ୍କ ମନ କେତେ ସନ୍ଦେହାଚ୍ଛନ୍ନ ହୋଇ ନଥାନ୍ତା !

 

ଜ୍ୟୋତ୍ସ୍ନା କହିଲା, ରେଣୁ ଯଦି ତୁମ ଠାରୁ ଆମ ଅତୀତ ଶୁଣେ, ତେବେ ସେ ତୁମକୁ ଘୃଣା କରିବ । ତୁମ ପ୍ରେମ ପରିଣାମରେ ଅଧା ରହିଯିବ । ସେଥିପାଇଁ ମୋର ଉପଦେଶ ଯେ ତୁମେ ଦୂରେଇ ରୁହ । ରେଣୁ ସାଙ୍ଗରେ ବାହାରେ ପ୍ରେମ କରି ସନ୍ତୁଷ୍ଟ ହୁଅ ପଛେ, ହେଲେ ଏ ଘରର ଛାଇ ଯେମିତି ତୁମ ଉପରେ ନ ପଡ଼େ ।

 

ଏ ଘରେ ଆଭିଜାତ୍ୟର ଲୁହାଛଡ଼ି ସବୁ ଝୁଲୁଛି । ସ୍ୱାର୍ଥସିଦ୍ଧିପାଇଁ କଅଁଳ ସମସ୍ତେ ମୁହଁରେ ଆଦର କରୁଥିବେ । ବାପା ଧନ କହି କୋଳରେ ବସେଇ ସରଲବଣୀ ଖାଇବାକୁ ଦେଉଥିବେ । କିନ୍ତୁ ଘରର କୌଣସି ଦୋଷ ଦୁର୍ଦ୍ଦଶା ଦେଖିଲେ, ସେମାନେ ତୁମକୁ ସେଥିରେ ଦୋଷୀ ବୋଲି ସାବ୍ୟସ୍ତ କରି ସେହି ଲୁହାଛଡ଼ରେ ପିଟି ପିଟି ଦରମଲା କରି ଛାଡ଼ିବେ ।

 

ଅଫିସର ଆଦର କାଇଦା । ମନୋବୃତ୍ତିବି ସେମିତି । ତଳିଆ ଲୋକେ ଯେତେ ଆଜ୍ଞା କହୁଥିବେ, ତୋଷାମଦ କରୁଥିବେ ସେତେ ଭଲ । ସମସ୍ତେ ଜାଣନ୍ତୁ ତୁମେ ରେଣୁକୁ ସ୍ନେହ କରୁଛ । ପ୍ରେମ କରୁଛ ଜାଣିଲେ ଜୀବନକୁ ଏମାନେ ବରବାଦ କରିଦେବେ । ଭଲପାଇବା ଏ ଘରେ ଅଭିଶାପ । ତୁମକୁ ଏଇ ଘରର ପ୍ରତ୍ୟେକ ଲୋକ ଯେଉଁପରି ଭୁଲ ବୁଝିଛନ୍ତି, ତାହାହିଁ ହେଉ ତୁମ ସାହାରା ମନୋବୃତ୍ତିରେ ଆଶ୍ୱାସନାର ନୀଳ ନଦୀ ।

 

ଜ୍ୟୋତ୍ସ୍ନା ଉପଦେଶ ଦେଇଥିଲା । ବିଜୁର ଆଶାତୁରା କାମିନୀ ଆକାଶରେ ଚନ୍ଦ୍ରର ଉପତ୍ୟକାକୁ ମ୍ଳାନ କରି ଦେଇଥିଲା । ପୁଣି ସେ କହିଥିଲା, ତୁମେ ରେଣୁକୁ ବିବାହ କରିବାପାଇଁ ଭୁଲିଯାଅ । ଭାବ ଯେ ସେ ତୁମର ପ୍ରଣୟିନୀ । ତାକୁ ଯେତେ ଇଚ୍ଛା ସେତେ ପ୍ରେମ କରିପାର । ତା’ ସହିତ ଭାବ ଲଗେଇ ତା’ ଦେହରୁ ତୋଳା କରିପାର ।

 

ବିଜୁର କଣ୍ଠସ୍ୱର ଜ୍ୟୋତ୍ସ୍ନାର ନିର୍ଦ୍ଦେଶନାମାରେ ସ୍ଫୀତ ହୋଇ ଆସିଲା । ସେ ତା’ର ଅବରୁଦ୍ଧ ମନକୁ ମୁକ୍ତ କରି କହିଲା, ମୁଁ ଏତେଟା ସ୍ୱାର୍ଥପର ହୋଇପାରିନାହିଁ ଜ୍ୟୋତ୍ସ୍ନା ଅପା ! ମୁଁ ଠିକ୍‌ ଅଛି । ମୁଁ ସୁସ୍ଥ ଅଛି । ମୁଁ ସଚେତନ ଅଛି । ଅନ୍ଧାରରେ ଗତି କରିବା ଦୁଃସହ ଜାଣି ସୁଦ୍ଧା ମୁଁ ଗତି କରୁଛି । ମୁଁ ଜାଣେ ରାୟସାହେବ ଜଣେ ଦୁର୍ଦ୍ଦାନ୍ତ ଅଫିସର । ତାଙ୍କ ଶାସନ ତୀବ୍ର । ତାଙ୍କ ଅନୁକମ୍ପା ସୀମିତ । ତେଣୁ ମନକୁ ନେଇ ମୁଁ ଠିକ୍‌ ସେଇଦିନ ପର୍ଯ୍ୟନ୍ତ ଖେଳ ଖେଳିବି । ଯେଉଁଦିନଯାକେ ସେ ମୋତେ ତୁମ ଭଳି ଆଡ଼େଇ ନ ଦେଇଛି । ଯେଉଁଦିନ ପର୍ଯ୍ୟନ୍ତ ସେ ମୋର ଗୋଟିଏ ହାତରେ ପ୍ରସାଦ ଦେଇ, ଅନ୍ୟ ହାତରେ ବିଷ ନ ଦେଇଛି । ମୁଁ ପ୍ରେମ କରୁନାହିଁ ଜ୍ୟୋତ୍ସ୍ନା ଅପା । ମୁଁ ପ୍ରଣୟର ଚିତ୍ରାଙ୍କନ କରୁଛି । ପ୍ରଣୟର ଟେଥିସ୍କୋପ ସାହାଯ୍ୟରେ ମନର ସ୍ପନ୍ଦନକୁ ନିର୍ଣ୍ଣୟ କରୁଛି-। ସେତିକିହିଁ ମୋ ଜୀବନର ଲକ୍ଷ୍ୟ ।

 

ତଥାପି ଜ୍ୟୋତ୍ସ୍ନା ବୁଝୁ ନଥିଲା । ତା’ ଦେହ ଥରୁଥିଲା । ଉନ୍ମନା ହୋଇ ଉଠୁଥିଲା ସେ-। ବିଜୁଠାରେ ସୌହାର୍ଦ୍ଦ୍ୟ ହରେଇଲେ ତା’ ଜୀବନର ଗତି ଯେ ଦୁଃର୍ବିସହ ହୋଇ ପଡ଼ିବ । ସେ କହିଲା, ବିଜୁ, ତୁମେ ମୋର କେଉଁ କଥା ରଖ ବା ନ ରଖ, ତୁମ ମନରେ ମୋପାଇଁ କାଣିଚାଏ ଜାଗା ରଖିଥାଅ । ମୁଁ ଯେପରି ରାଧା ଭଳି ତୁମ ମାନସ ସ୍ମୃତିମଣ୍ଡପରେ ପୂଜା ପାଏ । ଆଉ ସବୁଠୁଁ ଗୌରବମୟ, ଆଦର୍ଶସ୍ଥାନୀୟ ହେବ ତୁମର ପ୍ରେମ; ଯଦି ତୁମେ ଅତୀତର କୁପ୍ରଣୟକୁ ଈର୍ଷାନ୍ୱିତ ହୋଇ କେଉଁଠି ପ୍ରକାଶ ନ କରିବ । ଆମ ପ୍ରେମ ଅସଫଳ ହେବା ପ୍ରକୃତ ବାଞ୍ଚ୍ଥନୀୟ । ତେଣୁ ସେଥିଲାଗି ପ୍ରତିଶୋଧମୁଖର ନ ହେବାକୁ ମୋର ଅନୁରୋଧ ।

 

ଜ୍ୟୋତ୍ସ୍ନାର ଅନୁରୋଧକୁ ରକ୍ଷା କରିବାପାଇଁ ପ୍ରତିଶ୍ରୁତି ଦେଇଥିଲା ବିଜୁ । ରେଣୁ ପ୍ରେମର ଅନ୍ତରାଳେ ଅତୀତକୁ ସେ ସମାଧି ଦେଇ ବସିଲା । ଜ୍ୟୋତ୍ସ୍ନା ତା’ର ଆଉ କେହି ନୁହେଁ ।

 

ରେଣୁ କହିଲା ବିଜୁ ଭାଇ, ତୁମେ ଆମ ଘରେ ନୂଆବୋଉଙ୍କୁ ଦେଖି ଅତୀତର ପୁନରାବୃତ୍ତି ପାଇଁ ସ୍ୱପ୍ନ ଦେଖୁନାହଁ ତ ! ତା’ ଯଦି ହୁଏ ତେବେ ଭବିଷ୍ୟତରେ ଏକ ସୁନିଶ୍ଚିତ ଝଡ଼ ସୃଷ୍ଟି ହେବ । ଆଉ ପରିଣାମରେ ଆମେ ସମସ୍ତେ ପତଙ୍ଗ ପରି ମୃତ୍ୟୁ ସରଣୀରେ ମରି ଝରିବା ।

 

ପ୍ରଣୟର ଉପସଂହାର ସେଇଆ । ବନ୍ଧ ବିଚ୍ଛିନ୍ନ ହୋଇଗଲେ ସ୍ରୋତରେ ବୁଡ଼ିମରିବାହିଁ ସାର । ରେଣୁ କିଛି ଭୁଲ କହି ନଥିଲା । ସେ ଯାହା କୁହେ ତାହା ଅକ୍ଷର ଅକ୍ଷରେ ସତ୍ୟ । ଭୁଲ ବୁଝି ଅବା ଭ୍ରମରେ ପଡ଼ି ପରିବାର ମଧ୍ୟରେ ଯେଉଁ ଝଡ଼ଉଠେ; ତା’ର ସ୍ଥିରତା ଆସିବା ବଡ଼ କଷ୍ଟ । ସେଥିପାଇଁ ବ୍ରତତୀ କେତେ ସହ୍ୟ ନ କରେ ସତେ !

 

କିନ୍ତୁ ରେଣୁ ବା ଜ୍ୟୋତ୍ସ୍ନା କେହି ବ୍ରତତୀ ହୋଇପାରିଲେ ନାହିଁ । ଆପଣାକୁ ଝଞ୍ଜା ମଧ୍ୟରେ ନିକ୍ଷେପ କରିବାକୁ ସାହସ କଲେନାହିଁ । ସେଥିଲାଗି ବିଜୁକୁ ନିରପେକ୍ଷ ରହିବାକୁ ପଡ଼ିଥିଲା । ଆଭିଜାତ୍ୟର ଲୁହା ଫାଠକ ଖୋଲି ତା’ ଭିତରକୁ ଯିବାପାଇଁ ସେ ଆଉ କେବେହେଲେ ଇଚ୍ଛା କରି ନଥିଲା ।

Image

 

ଦଶମ ପରିଚ୍ଛେଦ

 

ଅପ୍‌ସରା ଅଙ୍ଗର ସୁସଜ୍ଜିତ ଆଲୋକମାଳା ନିଶିଥ ପୁଲୀନରେ ନିଷ୍ପ୍ରଭ ହୋଇଯାଆନ୍ତି-। ବ୍ୟତିବ୍ୟସ୍ତ ମନୋରଞ୍ଜନ ଦେହରେ ବିଶ୍ରାମର ଆଳସ୍ୟ ଛାଇ ଆସେ । କିନ୍ତୁ ଚମ୍ପାବାଇ ଟୁଙ୍ଗୀର ସେଇ ଡିବି ଆଲୁଅ ସେମିତି ସାରା ରାତି ଜଳୁଥାଏ । ସେହି ସ୍ୱଳ୍ପସଞ୍ଚୟକାରୀ ଯୁବକମାନଙ୍କ ସହଯୋଗରେ ଚମ୍ପାବାଈ ତା’ ଜୀବନ ନିର୍ବାହ କରୁଛି । ବୟସର ଅନିଚ୍ଛା ସତ୍ତ୍ୱେ ସେ ତା’ ଦେହର ସବୁତକ ସାର ନିଗାଡ଼ି ଦେଉଛି ସେଇମାନଙ୍କ ମନରେ । ଅର୍ଥର ପରିସର ଯେମିତି ସୀମିତ, ଉପଭୋଗର ଦହନ ସେମିତି ଅସ୍ୱାଦୁଯୁକ୍ତ । ତଥାପି ସେଇ ଅଶିକ୍ଷିତ, ମୂର୍ଖ ନାରକୀମାନେ ଚମ୍ପାବାଈ ସ୍ଫୀତ ଯୌବନ ଜୁଆରରେ ଲହଡ଼ି ଭାଙ୍ଗିବାକୁ ଜୁଲମ କରିଥାନ୍ତି ।

 

ନିହାରୀକାର ଅନୁପସ୍ଥିତିରେ ବିଜୁ ନିରୀକ୍ଷଣ କରେ । ଚମ୍ପାବାଈର ଝରକା ଫାଙ୍କ ଦେଇ ଦୂଷିତ ମଳୟର ଯେତକ ବାୟୁ ଦର୍ଶକର ନାଶାରନ୍ଧ୍ର ମଧ୍ୟରେ ପ୍ରବେଶ କରେ, ସେସବୁ ଯେ ଯୌବନ ରାଜ୍ୟରେ ବିଭୀଷିକାର ବିସ୍ଫୋରଣ ସୃଷ୍ଟି କରିବ ତାହା ଅନୁଭବ କରେ ବିଜୁ । ଚମ୍ପାବାଈ କୁହେ ବିଜୁ, ବଞ୍ଚିବାପାଇଁ ଦେହକୁ ଲାଗୁ କରି ଆସିଛି । ମରିବାକୁ ଇଚ୍ଛାହେଲେ ଏଇ ଖରାପ ଅଭ୍ୟାସଟା ଆପେ ଆପେ ମଉଳି ଯିବ । ଜୀବନ ଉପରେ ଛିନିମିନି କରି ସଭିଙ୍କର ପରା ଲୋଭରେ ବାପ । ମରିଗଲେ ଆପଣା ଆଖି ଆଉ କାହିଁ ଦେଖିବ ।

 

ଚମ୍ପାବାଈ ଦୁନିଆର ଅତିଥି ହେବାକୁ ବିଜୁ ମନରେ ବୈରାଗ୍ୟ ଜାତ ହୋଇଥିଲା । ସେ ଭାବୁଥିଲା ମଣିଷ ମନଟା ଯଦି ଅଚୈତନ୍ୟ ଅନ୍ଧକାରର ଗନ୍ତାଘର ହୋଇଥାନ୍ତା, ତେବେ ଚେତନାର ଚନ୍ଦ୍ର ଦେହରେ କୁମୁଦିନୀମାନଙ୍କୁ ବ୍ୟତିବ୍ୟସ୍ତ କରି କେହି କେବେ ସୁରାସାକୀର ନରକ ସୃଷ୍ଟି କରିବାପାଇଁ ଆଗେଇ ଆସନ୍ତେନାହିଁ ।

 

ନିହାରୀକାର ଯୁକ୍ତି ଯେ ଦୁନିଆ ସଭ୍ୟ, ମାର୍ଜିତ ପଥରେ ଅଗ୍ରସର ହେଉଛି । ନିତିଦିନ ପରିବର୍ତ୍ତନ ଆଉ ବିବର୍ତ୍ତନର ରଙ୍ଗରେ ରଞ୍ଜିତ ହୋଇ ମଣିଷକୁ ନୂତନ ରୂପରେ ଆଲୋକିତ କରୁଛି-। ସେପରି ସ୍ଥଳେ ଚମ୍ପାବାଈର ଦୂଷିତ ଯୌବନତଟରେ ଅବଗାହନ କରି ସ୍ୱାସ୍ଥ୍ୟର ସ୍ନାୟୁବିକ ଦୁର୍ବଳତାକୁ ମଣିଷ ବରଣ କରି ଆଣିବ କାହିଁକି ?

 

ହୁଏତ ସାମୟିକୀର ମନ ନେଇ ଅପ୍‌ସରାର ପ୍ରୋପାଇଟର ମି: ପାନିକର ଅନୁକମ୍ପାର ଉପହାର ସହ ଚମ୍ପାବାଈ ଦ୍ୱାରସ୍ଥ ହୋଇପାରନ୍ତି । କାରଣ ସେ ହେଉଛନ୍ତି ଜଣେ ଚତୁର ଶିକାରୀ । ତା’ ଆୟର ସମୁଦାୟ ଅଂଶରେ ଅପ୍‌ସରାର ମେଦଗ୍ରନ୍ଥି ଜୀବନ୍ତ । ସେଥିକୁ ସେ କେବେହେଲେ ଅଗ୍ରାହ୍ୟ କରିବେନାହିଁ । ଚମ୍ପାବାଈକୁ ଅବମାନନା କଲେ, ଅଭିଶାପର ଶଙ୍ଖ ବାଜି ଉଠିବ ଅପ୍‌ସରାର ଅଗ୍ରଭାଗରେ ।

 

ଚମ୍ପାବାଈ କୁହେ ମି: ପାନିକର ହେଉଛନ୍ତି ତା’ର ପ୍ରଥମ ସନ୍ତାନ । ନରକର ସୃଷ୍ଟିକର୍ତ୍ତା ସେ । ତେବେ ନରକକୁ ଆହୁତି ନ ଦେଲେ ପୂର୍ଣ୍ଣାହୁତିର ଲେଲୀହାନ ଅଗ୍ନିରେ ଜଳିପୋଡ଼ି ଧ୍ୱଂସ ହୋଇଯିବେ ମି: ପାନିକର । ଅତୀତର ସମନ୍ୱୟ ରକ୍ଷା ମଣିଷ ମନର କର୍ତ୍ତବ୍ୟ । ତାହାର ଅଭାବ ପରିଲକ୍ଷଣ ହେଲେ ଧ୍ୱଂସ ଅନିବାର୍ଯ୍ୟ । ଜୀବନଠାରେ ଯେଉଁ ଦୃଶ୍ୟମାନ ଜୀବାଣୁ ଚେଇଁ ରହିଛନ୍ତି, ସେଗୁଡ଼ିକ ସନ୍ଦେହ, ଅବିଶ୍ୱାସର କୀଟ ଅପେକ୍ଷା ମୋଟେ ଭୟାବହ ନୁହନ୍ତି । ଦୂରବୀକ୍ଷଣ ଯନ୍ତ୍ରଦ୍ୱାରା ସେ ସବୁ ଦେଖି ହୁଏ, ଆଉ ଔଷଧ ପ୍ରୟୋଗ ଫଳରେ ସେମାନଙ୍କୁ ବିନାଶ କରି ଦିଆଯାଇପାରେ । ହେଲେ ସନ୍ଦେହ, ଅବିଶ୍ୱାସର ଜୀବାଣୁମାନଙ୍କୁ ଦୁନିଆର କୌଣସି ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ର ଦେଖିପାରିବନାହିଁ, କି କୌଣସି ମନ୍ତ୍ର ବା ଔଷଧ ଦମନ କରିବାକୁ ସକ୍ଷମ ହେବନାହିଁ ।

 

ମି: ପାନିକର ଅର୍ଥର ହୁକୁମତ୍‌କୁ ଅପସ୍‌ରା ଦେହରେ ଲାଗୁ କରିପାରନ୍ତି; କିନ୍ତୁ ମନର ହୁକୁମତ୍‌କୁ ଚମ୍ପାବାଈଠାରେ ଲାଗୁ କରିପାରିବେନାହିଁ । ଅନେକ ଉପଦେଶ ଦେଇଛନ୍ତି ବେଆଇନ ବଳରେ ଚମ୍ପାର ସେ ଟୁଙ୍ଗୀଖଣ୍ଡିକ ସେଠାରୁ ଉଠାଇ ଦେବାପାଇଁ ପାନିକର ଶୁଣି ନୀରବ ରହିଛନ୍ତି । କେହି କେହି ବାଧ୍ୟ କରି କହିଲେ ସେ କୁହନ୍ତି, ବାଈର ଦିନକାଳ ସରିଆସିଲାଣି, ଆଉ କେଇଦିନ ବଳେ ବଳେ ସେଠୁ ସବୁ ନିଶ୍ଚିହ୍ନ ହୋଇଯିବ ଯେ ।

 

ଜୀବନର ପରିକ୍ରମାକୁ ଉପଲବ୍‍ଧି କରୁଥିବା ଲୋକେ ମି: ପାନିକରଙ୍କୁ ସେଥିପାଇଁ ସମର୍ଥନ ଜଣାଇଥାନ୍ତି । ବାକି ନାସ୍ତିକମାନଙ୍କ କଥା ଛାଡ଼ । କାର୍‌ ଖଣ୍ଡିକ ଚଢ଼ି, ପାଇଜାମା ପରିଧାନ ପୂର୍ବକ ପୂରା ସାହେବୀ ଆଦବକାଇଦା ଉପରେ ନାକ ଟେକି ଚାଲିଯାଆନ୍ତି । ପୁଣି ସବୁବେଳେ ସେଇ ଅଭ୍ୟାସରେ କଥା କହୁଥାନ୍ତି । ଚମ୍ପାବାଈର ଅପରିଷ୍କାର ଟୁଙ୍ଗୀକୁ ଉଠେଇ ନ ଦେଲେ ଅପ୍‌ସରାର ମର୍ଯ୍ୟାଦା କ୍ରମେ କ୍ଷୁଣ୍ଣ ହୋଇଯିବ ।

 

ପାନିକର ତର୍କ କରନ୍ତିନାହିଁ । ଅପ୍‌ସରାର ସ୍ଫୁର୍ତ୍ତ ଆଭିଜାତ୍ୟକୁ ଚାହିଁ ଜୀବନର ଧ୍ୱନି ତୋଳନ୍ତି ସେ । ବିଜୁକୁ ସେ ଅନେକଥର କହିଛନ୍ତି, ବଞ୍ଚିବାର ଅଧିକାରକୁ ବ୍ୟାହତ କରାଯାଇଛି ଯେତେବେଳେ, ତା’ର ଅଭିନୟକୁ ବାରଣ କରାଯିବ କେଉଁ ସର୍ତ୍ତରେ !

 

ଅବଶ୍ୟ ଅପ୍‌ସରାର ନିର୍ମାଣ ପଥରେ ପାନିକର କହିଛନ୍ତି, ଚମ୍ପାବାଇ, ତୁମେ ତୁମ ବୃତ୍ତି ଛାଡ଼ି ଦିଅ । ଆଶ୍ରୟ ନିଅ ଏଇ ମସୃଣ ସୁଶ୍ରୀ ଅଙ୍ଗରେ । ତାନେ ତାନେ ସୁର ମେଲି ଦିଅ ପ୍ରେମିକ ମନରେ । ଆପ୍ୟାୟିତ କର ସୁରାରେ ତା’ ଅବଶୋଷ ଶରୀରକୁ । ମଧୁର କଥା ଶୁଣିବାକୁ ମିଠା ଲାଗିଲା ପରି ଖୁବ୍‌ ଭଲଲାଗିଛି ଚମ୍ପା କାନକୁ ହେଲେ ସେ ପୁଲକିତ ହୋଇ ଉଠିନାହିଁ । ଆନନ୍ଦରେ ନର୍ତ୍ତି ଉଠିନାହିଁ ତା’ ନିରୁତା ଯୌବନ ! ବୟସର ଊର୍ମିଭରେ ସଂସ୍ପର୍ଶର ସ୍ୱପ୍ନ ଦେଖିନାହିଁ ସେ ସଭ୍ୟତାର ସାହେବମାନଙ୍କୁ ନେଇ ।

 

ସେ ତା’ ନିଜସ୍ୱ ସଂଳାପକୁ ନେଇ ଗର୍ବ କରିଛି । ଉଦ୍ଦୀପିତ କରି ଦେହ ମନକୁ ସଦାସର୍ବଦା କହି ହୋଇଛି, ମୁଁ ତୁମକୁ ଭଲପାଇଛି ପାନିକର । ତୁମେ ମୋତେ ସେଇଭଳି ଦେଖ । ମୋତେ ଭଣ୍ଡେଇ ମୋ ଜାଗାକୁ ଛଡ଼େଇ ନେବା କଥା ମନ ଭିତରେ ରଖୁଛ କାହିଁକି ? ବେଶ୍ୟା ଯଦି କାହା ସ୍ତ୍ରୀ ହେବା ଯୋଗ୍ୟା ହୋଇଥାନ୍ତା, ତାହେଲେ ଅବା ତୁମେ ମୋତେ ପରପୁରୁଷ ହାତରେ ଟେକିଦେଇ ପ୍ରଶଂସା ପାଆନ୍ତ । ଖାଲିଟାରେ ରାଜମହଲର ରାଣୀ ବୋଲାଇଲେ ମୋ ଭାଗ୍ୟରେ ବା ଲାଭ କ’ଣ ଅଛି ।

 

ପାନିକର ଭାବିଥିଲେ ଯେ, ଚମ୍ପାବାଈ ଉତ୍ସାହିତ ହୋଇ ରାଜି ହେବ । ସହଜ ସୂତ୍ରରେ ଜୀବିକାର୍ଜ୍ଜନ ପାଇଁ ପନ୍ଥା ବାଛିନେବ । କିନ୍ତୁ ସେ ଯେହେତୁ ନିଜ ଗୋଡ଼ରେ ଠିଆ ହୋଇଛି, ଦଇବ ତା’ ମୂଳକୁ ଦୋହଲେଇଲେ ଅବା ସେ କେଉଁଠି ଆଶ୍ରୟ ନେଇପାରେ । ନ ହେଲେ ତା’ ଦୁନିଆ ଯେମିତି ଅଛି ସେମିତି ଥାଉ । ତା’ର ପାପ ଯେଉଁଠି ଝରିଛି ସେଇଠି ଝରୁଥାଉ । ଅନ୍ୟ ଜାଗାରେ ଝରାଇ ପାପର ପରିବର୍ଦ୍ଧନ ସେ କରିବ କାହିଁକି ?

 

ଚମ୍ପାବାଈର ଇତିହାସନାହିଁ । ବିଜୁ ତା’ ନିଜ ଜୀବନର ସମ୍ୟକ୍‌ ରଖି ଯାହା ଭାବୁଥିଲା, ତାହା ଚମ୍ପାବାଈ କ୍ଷେତ୍ରରେ ସତ୍ୟ ହେଲାନାହିଁ । ଚମ୍ପାବାଈ କହୁଥିଲା ବିଜୁ, ଯେଉଁମାନେ ଜୀବନର ଆଦର୍ଶକୁ ଇତି କରିଛନ୍ତି, ସେମାନଙ୍କ ପାଇଁ ରାସ୍ତା ବହୁ ଜଟିଳ ପୁଣି ଲମ୍ବା ହୋଇଯାଇଛି । କିନ୍ତୁ ମୁଁ ସେ ସବୁ କିଛି ବୁଝିଲିନାହିଁ । ମୁଁ ଦେଖିଲି ଅଫିସର ମିଆଁ ଯବାନ୍‌ ଟୋକୀମାନଙ୍କୁ ନେଇ ରାତି ହାଟରେ ଅସଲ ଦି’ ପଇସା କମଉଛି । ତେଣୁ ମୁଁ ନିଜେ ମୋ ଫନ୍ଦା ପାତିଲି । ଟଙ୍କାର ମୋଡ଼ ଏଇଠି ବେଶୀ । ଅଥଚ ଏଥିରେ ମୂଳଧନ ଖଟେଇବାକୁ ପଡ଼େନାହିଁ । ସତ ଏକା, ନାଚି ଆସେ ଯାହାକୁ ତା’ର ନାଚଗୁରୁ ଦରକାରନାହିଁ ।

 

ଜୀବନ ଦର୍ଶନ ଦୃଷ୍ଟିରୁ ଚମ୍ପାବାଈ ଜୀବନର ମୂଲ୍ୟବୋଧ ବେଶୀ । ସେଠି ଥଳକୂଳନାହିଁ, ତେଣୁ କାତ କିରଳର ଆବଶ୍ୟକତା ପଡ଼ୁନାହିଁ । ନିହାରୀକାଙ୍କ ଉଦ୍‌ବୋଧନୀକୁ ସେଇ ଦୃଷ୍ଟିରୁ ବିଜୁ ପସନ୍ଦ କରେନାହିଁ । ନିହାରୀକା କୁହନ୍ତି, ଆପଣ ଅନାର୍ଯ୍ୟ ସଭ୍ୟତାକୁ ପୁଣି ପ୍ରଶୟ ଦେବାକୁ ବସିଛନ୍ତି ବିଜୁବାବୁ । ଚମ୍ପାବାଈ ବିଡ଼ି ଟାଣେ । ଇତର ପ୍ରେମିକଙ୍କ ମୁହଁରେ ମଦ ଢାଳେ । ପରିଣାମରେ ସୃଷ୍ଟି ହୁଏ ନାନା ଜଟିଳ ରୋଗ । ଅପ୍ରିୟ ସତ୍ୟ କଥା କହିବାକୁ ଯାଇ ବିଜୁ କୁହେ, ମୁଁ ଘୃଣା କରୁଛି ଅପ୍‌ସରାକୁ । ସେଠି ଧନୀ, ଶେଠ ଘରର ଦୁଲାଳୀମାନେ ଯୌବନ ପରିତୃପ୍ତି ଲାଳସାରେ ସିଗାରେଟ୍‌ ଖାଇଥାନ୍ତି । ବିଦେଶୀ ସୁରାର ପରିସର ମଧ୍ୟରେ ସୁନ୍ଦର ଯୁବକମାନଙ୍କୁ ଆୟତ୍ତ କରି ନିଅନ୍ତି । ସେମାନେ ତ ଚମ୍ପାବାଈଠାରୁ କୌଣସିଗୁଣରେ କମ୍‌ ନୁହନ୍ତି । ଏ ଯୁଗରେ ଜୀବନପାଇଁ ଯନ୍ତ୍ରଣା ଯାହା, ତାହା ଅପେକ୍ଷା ଛଳନା ଯେ ନାରୀମାନଙ୍କଠାରେ ଶତଗୁଣେ ଅଧିକ ।

 

ରେଣୁକୁ କ୍ଷତ ଅବସ୍ଥାରେ ଛାଡ଼ିଆସି ଥିବା ଦେହରେ ଆଉ ଜଣେ ଉପଲବ୍‍ଧି କରି ଯେ କି ମାଦକତା ଅନୁଭବ କରିବ । ହୁଏତ ନିଃସୀମ ନୀଳିମାର ରଙ୍ଗକୁ ଆକାଶ ବହନ କରିବାରେ ଠିକ୍‌ ମର୍ଯ୍ୟାଦା ଅକ୍ଷୁଣ୍ଣ ରଖିଛି । ଯାହାକି ଅନ୍ୟ କୌଣସି ପାତ୍ରରେ ଭରିଲେ ତା’ର ଗୁଣବୋଧ ହଠାତ୍‌ କମି ଯାଇପାରେ ।

 

ତେଣୁ ଚମ୍ପାବାଈ ଯେ ବେଶ୍ୟା, ସେ ତାହାହିଁ କହୁଛି । ସେ ବୁଝେନା ଗୌରବର ଗର୍ବ କିମ୍ବା ପଳାୟନବାଦର ପ୍ରତିକ୍ରିୟା । ମୁଁ ସେଦିନ ତା’ ହାତରେ ଦୁଇଟଙ୍କିଆ ନୋଟ ଖଣ୍ଡିକ ବଢ଼ାଇ ଦେଉ ଦେଉ ସେ ହସି ହସି କହିଲା, ପୁଅ ଠିକ୍‌ ମୋର ମନ ବୁଝେ । ଆନ ନାରୀଏ କାହୁଁ ଜାଣିବେ-? ପାନ ଗୁଆ ଗୁଣ୍ଡିପାଇଁ ଟଙ୍କା କିଛି ବଳି ନଥିଲା । ସବୁତକ ସେଇ ଧରମା, ଚେମା ମାଗି ନେଇଗଲେ । ଦାନ୍ତ ନିକୁଟେଇ ହାତ ପତେଇଲେ । କହିଲେ ବାଈଜୀ, ଆଜି ଧାର ଦେଇଥା-। କାଲିକି ଅଧିକ ବକ୍‌ସିସ୍‌ କରିଦେବୁ । ବଡ଼ ମେଳା ପଡ଼ିଚି, ଧୋତି ଚଦର ହୋଇ, ପାନ ଖାଇ ନାଲି ପାଟିରେ ଯାଉଚୁ, ହାତରେ ବହକା ଟଙ୍କା ନ ନେଲେ କେମିତି ହେବ ।

 

ଆନନ୍ଦପାଇଁ ଧର୍ମ ସବୁ । ଦେହ ଧର୍ମ, ମନ ଧର୍ମ । ସେଥିକି ଭେଳିକି ଯାହା ଘଟୁଛି ଘଟୁଥାଉ । ଧରମା, ଚେମାର ମନକୁ ମୁଁ ମୋଟେ ଭାଙ୍ଗିପାରେନାହିଁରେ ପୁଅ । ତୁମେମାନେ ହେଲ ଭଦ୍ର, ଶିକ୍ଷିତ । ଅସନା, ଅଳିଆକୁ ନାକ ଟେକିବା ହେଉଛି ତୁମ୍ଭମାନଙ୍କର ଅଭ୍ୟାସ । ଏଇ ଚେମା ହେଲା, ଧରମା ହେଲା, ଗନ୍ଧିଆ ହେଲା, ଭାବରେ ହେଉ ବା ଅଭାବରେ ହେଉ ମୋଠେଇଁ ଧାରଣା ଦେଇଥାନ୍ତି । କୂଳ ତାଙ୍କର ମୁଁ, କାତ ତାଙ୍କର ମୁଁ । କୋଉଠି ଝିଅ ମିଳିଲା ନାହିଁ ବୋଲି ସେମିତି ବାବନଭୂତ ଭଳିଆ ବୁଲୁଛନ୍ତି । ମଜୁରୀ ଖଟି ଯୋଉଠୁଁ ଦି’ ପଇସା କମେଇଲେ ତାକୁ ସବୁ ଉଡ଼େଇଲେ ।

 

ଅଧା ଓଡ଼ିଆ ଅଧା ବିହାରୀ ଲୋକ ହେଲେ ସେମାନେ । ମୁଁ ତାଙ୍କ ବଞ୍ଚିବାର ଭବିଷ୍ୟତ କଥା କହି ବସିଲେ ସେମାନେ ମୋତେ ଦୂର ଦୂର କରିଥାନ୍ତି । କହନ୍ତି ବାଈଜୀ, ଆମେ ଯେମିତି ଜାତି ଅଧା ହୋଇ ଜନମ ପାଇଛୁ, ବଞ୍ଚିବୁ ସେମିତି ଅଧା ବାହା, ଅଧା ଅବାଡ଼ୁଅ ରହି । ବାହା ହୋଇଥିଲେ ତୋ ସାଙ୍ଗରେ ଆଇଁଷିଆ ମନ ଗୋଡ଼ଉଥାନ୍ତା ବା କାହିଁକି ?

 

ଖିଲି ଖିଲି ହସି ହସି ଚମ୍ପାବାଈ କହେ, ଭାରି କୁହାଳିଆ ହୋଇଗଲଣିରେ ତେମେମାନେ । ଦିଲ୍ଲୀ ରାଜଧାନୀମାଟି ମାଡ଼ି ମନ ତ ସବୁ ତୁମର ଫୁଲି ଉଠୁଛି । ହଉ, ଦେଖ ତ ଗୋବିନ୍ଦର ଗତି । ମୋ କାଳ ସରିଗଲେ ତୁମକୁ ଆଉ ଆଶରା କିଏ ଦେବ କେଜାଣି ।

 

ଅଦ୍ଭୁତ ଏଇ ଚମ୍ପାବାଈର ଜୀବନ । ଶୋଷ କଲେ ଆଗଭର ହୋଇ ପାଣି ମୁନ୍ଦିଏ ପାଟିରେ ଢାଳିବାକୁ ସେ ବ୍ୟସ୍ତ ହୋଇପଡ଼େ । ଆପଣାର ହୋଇଗଲେ କେତେବେଳେ କେମିତି ଆଖି ତରାଟି ତା’ ଆଡ଼କୁ ହେଲେ ଚାହିଁବ ।

 

ଦାମ୍ପତ୍ୟ ଜୀବନର ପକ୍ଷ ଛିଡ଼ାଇ ନିହାରୀକା ଯେଉଁଭଳି ତା’ ପାଦତଳେ ଆସି ପଡ଼ି ଯାଇଛି, ସେଥିରେ ସମୟର ଶୋଷ ମେଣ୍ଟି ଯାଇପାରେ । ହେଲେ ତା’ର ? ତା’ ବିଦଗ୍‍ଧ ଜୀବନର ତୃଷ୍ଣା ସେଥିରେ ଅପନୋଦନ ହୋଇପାରିବ କି ?

 

ବିବ୍ରତ ମନଆକାଶରେ ଅସଂଖ୍ୟ ଚିନ୍ତାର ତାରକା ବିଦ୍ରୋହ ସୃଷ୍ଟି କରି ବସନ୍ତି । ବିଜୁଭାବେ ସେ କାହାର ନୁହେଁ । ମାନଅପମାନ, ସୁଖଦୁଃଖ, ଶାନ୍ତିଅଶାନ୍ତି ସବୁକୁ ନେଇ ସେ ଜୀବନ ସଂଗ୍ରାମରେ ଆଗେଇ ଯିବ । ରେଣୁ, ଜ୍ୟୋତ୍ସ୍ନାଙ୍କର ଅସ୍ତ ସହଯୋଗର ବେଳାଭୂମିରେ ନିହାରୀକାଙ୍କ ଉଦୟ ରାଗର କ୍ଷତିପୂରଣକୁ ଶୁଭ ଆଶ୍ୱାସନା ଭାବି ଆନନ୍ଦରେ ଆତ୍ମହରା ସେ ହୋଇ ନ ପାରେ । ସଂଗ୍ରାମପାଇଁ ତା’ର ପଥ ସୁଦୀର୍ଘ ।

Image

 

ଏକାଦଶ ପରିଚ୍ଛେଦ

 

ଉଦ୍ଭାବନ ଯାହା, ଆବିଷ୍କାର ସେଇଆ ନୁହେଁ । କୁଷ୍ଠରୋଗୀ ରାମଗୋପାଳଙ୍କୁ ନବଜୀବନ ଦାନ କରିବାରେ ଯେ ଡା. ସୁଧାକାନ୍ତବାବୁ ସେଇ ଦୁଇଟି ଜିନିଷରୁ କୌଣସି ଗୋଟିକର ବାହାଦୂରୀ ହାସଲ କଲେ ତାହା ନୁହେଁ । ବରଂ ରାମଗୋପାଳଙ୍କ କ୍ଷୁଧିତ ଆତ୍ମାର ମରୁଭୂମିରେ ସେ ଆହୁରି ଏକ ଶୋଷର ଆକାଶ ସୃଷ୍ଟି କରିଦେଲେ । ରାମଗୋପାଳ ତୃଷ୍ଣାର୍ତ୍ତ । ଆକଣ୍ଠ ପାନୀୟ ଦରକାର । ନୀଳ ନଦୀର ନିଶ୍ୱାସ ଛଳରେ ସେ ଶୋଷ ମେଣ୍ଟା ଯାଇପାରେନା । ଉତ୍‌କ୍ଷିପ୍ତ ସେ ସାହାରାର ଶରୀର । ତାଙ୍କୁ ତ ମନଭରି ବଞ୍ଚିବାକୁ ହେବ ।

 

ଆରୋଗ୍ୟ ଲାଭ ପରେ ରାମଗୋପାଳ ହେଲେ ଡା. ସୁଧାକାନ୍ତଙ୍କର ଶ୍ରେଷ୍ଠ ବନ୍ଧୁ । ଅଜସ୍ର ଅର୍ଥ ସେ ତାଙ୍କୁ ଦେଇଛନ୍ତି । ସୌନ୍ଦର୍ଯ୍ୟ ଓ ସ୍ୱାସ୍ଥ୍ୟର ପୁନର୍ଜନ୍ମ ଲାଭ କରିବାପାଇଁ ଅର୍ଥର ଲୋଭକୁ ନ୍ୟୂନ କରି ଦେଇଛନ୍ତି ସେ । ସୁଧାକାନ୍ତଙ୍କର ଅର୍ଥର ଆବଶ୍ୟକତା ସଙ୍ଗେ ସଙ୍ଗେ ସ୍ୱାର୍ଥର ମୋହ ମଧ୍ୟ ରାମଗୋପାଳଙ୍କ ଅପଭାଗ୍ୟର ଅନ୍ତର୍ଗତ ହୋଇ ବିଜୟର ଗୌରବ ଆଣି ପହଞ୍ଚାଇ ପାରିଛି । ଡା. ସୁଧାକାନ୍ତ ଏକ ସିଦ୍ଧହସ୍ତା ଡାକ୍ତର । ଚତୁର୍ଦ୍ଦିଗ ମୁଖରିତ ହୋଇ ଉଠିଛି ତାଙ୍କ ପ୍ରଶଂସାରେ । ସୁନାମର ଅଙ୍ଗେ ଅଙ୍ଗେ ଶିହରଣର ପ୍ଳାବନ ଛୁଟିଛି । ଅଳ୍ପ ବୟସର ଡା. ସୁଧାକାନ୍ତ ଅପହଞ୍ଚ ଆକାଶର ଶିରୋ ଦେଶରେ ଯାଇ ପହଞ୍ଚିପାରିଲେ । ଭାଗ୍ୟର କି ଅସୀମ ମମତା ବିବାହ ପରେ ପରେ ସୁଧାକାନ୍ତ ଯେ ସୁଷମ ସୌହାର୍ଦ୍ଦ୍ୟର ଅଧିକାରୀ ହୋଇପାରିଲେ ତାହା କହିବା ବାହୁଲ୍ୟ ମାତ୍ର ।

 

କୌଣସି ଯୁକ୍ତି ନଥିଲା ତାକୁ କାଟି ଦେବାକୁ । ରେଣୁ ହାତ ଧରିବା ପରେ ସେ ବଡ଼ ହୋଇଯାଉଛନ୍ତି । ଭାଗ୍ୟର ବରପୁତ୍ରଭାବେ ଗତି କରୁଛନ୍ତି । ଗର୍ବରେ ରେଣୁ ଛାତି କୁଣ୍ଢେମୋଟ ହୋଇଯାଉଛି । ସେ ମନେ ମନେ ଭାବୁଛି, ଡାକ୍ତର ବରର ହାତ ନ ଧରି ସେ ଯେବେ ତା’ ବିଜୁଭାଇର ହାତ ଧରିଥାନ୍ତା, ତାହେଲେ ତାକୁ କ’ଣ ଏତେ ପ୍ରଶଂସାର ଅଧିକାରିଣୀ ହେବାକୁ ପଡ଼ିଥାନ୍ତା !

 

ରାମଗୋପାଳ ମସ୍ତମନରେ ହାତରେ ତୋଫା ଧରି ଆସି ପହଞ୍ଚିଗଲେ । ଡକ୍ଟରେଟ୍‌ ପାଇବାକୁ ଯାଉଛନ୍ତି ତା’ର ସ୍ୱାମୀ ! ରେଣୁହିଁ ତା’ର ବନ୍ଧୁ ପତ୍ନୀ । ନିଃସୀମ ନୀଳିମାର ଯୋଗସୂତ୍ର । ରାମଗୋପାଳ ରେଣୁ ହାତକୁ ବଢ଼ାଇ ଦେଲେ ତୋଫା । କହିଲେ ଏଇଟି ଆପଣଙ୍କ ପାଇଁ । ଆଗାମୀ ଆଲୋକର ଉଦୟ ଉପଲକ୍ଷେ ମୁଁ ଏଇମାତ୍ର ତୋଫା ଆପଣଙ୍କୁ ଭେଟି ଦେବାକୁ ଆସିଲି-

 

ମୋ ନିଃସଙ୍ଗ ଜୀବନର ଶୁଭ ମୁହୂର୍ତ୍ତକୁ ମୁଁ କେବଳ ଆପଣ ଦୁହିଁଙ୍କର ସହଯୋଗ ଫଳରେ ଫେରାଇ ଆଣିପାରିବି । ରାମଗୋପାଳ ହସୁଥିଲେ । ରେଣୁ ବିଲକ୍ଷଣ କରୁଥିଲା ତାଙ୍କ ସୌନ୍ଦର୍ଯ୍ୟକୁ ରାହୁମୁକ୍ତ ଚନ୍ଦ୍ର ଦେହରେ ଚମ୍ପାର ସୁରଭିତ ବାସନାର ସନ୍ଧାନ ପାଉଥିଲା ରେଣୁ । ପୁରୁଷ ସଙ୍ଗରେ ନାରୀ ଦେହର ସୌନ୍ଦର୍ଯ୍ୟ କାମନା ପରିସ୍ଫୁଟ ହୁଏ । ରାମଗୋପାଳ କୌଣସି ଗୁଣରେ ଅସୁନ୍ଦର ପୁରୁଷ ନୁହନ୍ତି । ନିହାରୀକା ଯଦି ଉପସ୍ଥିତ ଥାନ୍ତେ, ତେବେ କେଡ଼େ ଖୁସି ହେଉ ନଥାନ୍ତେ ସେ ! ସାବିତ୍ରୀଙ୍କ ଭଳି ସେ ସିନା ସତ୍ୟବାନଙ୍କର ସେବା କରିପାରିଲେନାହିଁ, ହେଲେ ପଥରରେ ପାଦ ଥୋଇ ତାକୁ ଦିବ୍ୟସୁନ୍ଦରୀ ଅହଲ୍ୟାଙ୍କ ସ୍ଥିତି ଆଣିବାରେ ତା’ ସ୍ୱାମୀ ସୁଧାକାନ୍ତବାବୁ ରାମଚନ୍ଦ୍ରଙ୍କ ସମ କମ୍‌ ପାରଦର୍ଶିତା ଦେଖାଇ ନାହାନ୍ତି । ସେ ତ କୁଷ୍ଠରୋଗୀକୁ ଘୃଣା କଲେନାହିଁ ? ପଦରେ ଆଡ଼େଇ ଦେଲେନାହିଁ ?

 

ରାମଗୋପାଳ କହିଲେ ମୁଁ ଅଜସ୍ର ଟଙ୍କା ଖର୍ଚ୍ଚ କରିଛି ଓ କରିପାରେ । କିନ୍ତୁ ପୁନର୍ଜୀବନ ଲାଭ କଲା ଭଳି ଏ ଯେଉଁ ନବଜୀବନ ମୁଁ ପାଇଲି ତା’ ତୁଳନାରେ ଅର୍ଥର ମୂଲ୍ୟ କିଛି ନୁହେଁ । ଆପଣମାନଙ୍କ ସହଯୋଗ, ହାର୍ଦ୍ଦିକତା ତଥା ଏକାନ୍ତ ପ୍ରଚେଷ୍ଟା ନିକଟରେ ମୁଁ ଚିରଋଣୀ ।

 

ରେଣୁ ଆଖିରୁ ଆନନ୍ଦାଶ୍ରୁ ଗଡ଼ି ଆସୁଥିଲା । ସେ ଚିନ୍ତାରାଜ୍ୟରେ ମଗ୍ନ ରହି ମନେ ମନେ କହୁଥିଲା, ବିଜୁଭାଇ, ଜୀବନର ଅଶେଷ ପ୍ରହସନ ପ୍ରସଙ୍ଗ ଅତୀତରେ ବିଶ୍ଳେଷଣ କରି ଆସିଛନ୍ତି । କିନ୍ତୁ କୌଣସି ଗୋଟିକର ହେଲେ ପ୍ରତ୍ୟକ୍ଷଣ ପ୍ରତିପାଦନ କରିପାରିନାହାନ୍ତି । ଆଜି ରାମଗୋପାଳଙ୍କୁ ଦେଖିଲେ ସେ କୁହନ୍ତେ, ଆଦର୍ଶ କହି ହେଲେ ଲାଭ ବା କ’ଣ । ବାସ୍ତବତା ପରା ଯୁଗ ସହିତ ସଂଘର୍ଷ କରୁଛି !

 

ବିଜୁଭାଇ ଖାଲି ଦାନ୍ତ ନିକୁଟେଇ କଥା କହି ଜାଣନ୍ତି । ସାକୁଲେଇ କହନ୍ତି ରେଣୁ, ତୋତେ ମୁଁ ଆଦର କରେ, ସ୍ନେହ କରେ ! ପ୍ରେମର ଆକାଶରେ ମେଘ ସାଜି ତୋତେ ମୟୂରୀ ଭଳି ନଚାଉ ଥାଏ । ତୁ ଯଦି ପ୍ରେମର ଜ୍ୱଳନ ହେଉ ମୁଁ ପରା ପତଙ୍ଗ । ସେ ଜ୍ୱଳନ ମଧ୍ୟରେ ମୋର କେବେହେଲେ ମୃତ୍ୟୁ ହେବ କି ?

 

ଖତେଇ ହୁଏ ରେଣୁ । କୁହେ ଦାନ୍ତ ନିକୁଟା, ମାଇଚିଆ । ନୂଆବୋଉଙ୍କ ସାଥିରେ ଘଷି ହୋଇ ପ୍ରେମ ଶିଖୁଥିଲ ବୋଲି କ’ଣ ଅସଲ ପ୍ରେମିକ ହୋଇଗଲ କି ?

 

ସେ ଦିନ ଥିଲା ତରଳ । କିନ୍ତୁ ଆଜିର ଦିନଗୁଡ଼ିକ ଗାଢ଼ ନୀଳ । ଦାମ୍ପତ୍ୟର ଘନିଷ୍ଠ ଫାଶରେ ଅବରୁଦ୍ଧ । ଗୋଡ଼ ଟିପି ଟିପି ଚାଲିବାକୁ ହୁଏ । ଦାନ୍ତ ଚିପି ଚିପି କଥା କହିବାକୁ ପଡ଼େ । ଦେହ ମୁଣ୍ଡର ପରିଧାନକୁ ସଂଯତ କରି ନଥିଲେ ପରପୁରୁଷର ନଜର ପଡ଼ିଯିବାର ସଦାସର୍ବଦା ଆଶଙ୍କା ।

 

ରାମଗୋପାଳଙ୍କ ଆଖିକୁ ଠିକ୍‌ ବୁଝିପାରୁଥିଲା ରେଣୁ । ତୀକ୍ଷ୍‍ଣ ନଜର ସେ ଢାଙ୍କି ଥିଲେ । ରେଣୁର ଶରୀର ପ୍ରତି କ୍ଷୁଧିତ ଆତ୍ମା ତାଙ୍କର ନର୍ତ୍ତି ଉଠୁଥିଲା ବୋଧହୁଏ ।

 

ଯେଉଁ ନାରୀ ଭିନ୍ନ ଭିନ୍ନ ଫଳର ସ୍ୱାଦ ଚାଖିଛି, ସେ କେବେହେଲେ ଗୋଟିଏ ଫଳ ପ୍ରତି ଆବଦ୍ଧ ଆଶା ପୋଷଣ କରି ନଥାଏ । ସେହି ଦୃଷ୍ଟିରୁ ରେଣୁର ପ୍ରବୃତ୍ତି ସୀମାହୀନ । ସେ ବିଜୁ ଦେହରେ ଯେଉଁ ଲାଳସାର ପରିତୃପ୍ତି ଲାଭ କରିଥିଲା, ତାହା ଡା. ସୁଧାକାନ୍ତଙ୍କଠାରେ ସମାନ ନୁହେଁ-। ସଦୃଶ ଯାହା ଏକ ଭଳି ଅନୁମିତ ହୁଏ । ବ୍ୟବହାରର ତଥା ଉପଭୋଗରେ ତାହାର ବହୁ ପାର୍ଥକ୍ୟଥିବାର ପରିଲକ୍ଷିତ ହୁଏ ।

 

ବିଜୁ ସୁଧାକାନ୍ତ ନୁହେଁ କିମ୍ବା ରାମଗୋପାଳ ନୁହେଁ । ସେମାନେ ସ୍ୱାମୀର ସଇସ ହୋଇ ପତ୍ନୀର ଲଗାମ ଧରିବାକୁ ବ୍ୟସ୍ତ । ହୁଏତ ବିଜୁର ବ୍ୟସ୍ତତା ସ୍ୱାମୀ ହେବାକୁ ନୁହେଁ । ପ୍ରେମିକ ହେବାପାଇଁ । ପ୍ରଣୟ କାନ୍ତାରରେ ଲାଳସାର ମୂଲ୍ୟାଙ୍କନ କରିବାପାଇଁ । ଥରେ ଦୁଇଥର ବା ତିନିଥର ବିବାହ ଆଶାରେ ଅସଫଳ ହେବାପରେ ଚିରଦିନ ପାଇଁ ଜଣେ ପ୍ରେମିକ ହୋଇ ରହିଯିବାହିଁ ଭଲ ।

 

ନିହାରୀକାଙ୍କ ନରମ ଗଣ୍ଡଦେଶରେ ମସୃଣ ଯୌବନର ପୁଲକ ବିଲକ୍ଷଣ କରି ବିଜୁ ମନେକରେ ରେଣୁ, ଜ୍ୟୋତ୍ସ୍ନା କିମ୍ବା ଦୁନିଆର ଆଉ ଯେତକ ତରୁଣୀ ସମସ୍ତେ ପ୍ରତିଛଳରେ ଅନ୍ୟତ୍ର ବିଦ୍ୟମାନ ହୋଇଥାନ୍ତି । ଯାହାକି ଗୋଟିଏ ସୁଇଜରେ କାମ କରେ । ଅନ୍‌ କଲେ ଆଲୁଅ ହେବ, ଅଫ୍‌ କଲେ ଅନ୍ଧାର ହେବ । ଦେଖାଯିବ ସେଇ ଗୋଟିଏ ମାତ୍ର ପୃଥିବୀ ସମ ସାଦୃଶ୍ୟର । ତଫାତ୍‌ କେବଳ ରାସ୍ତା ।

 

କଦର୍ଯ୍ୟ ଭାବରେ ବିଜୁର ଅତୀତ ସବୁ ଗୋଟି ଗୋଟି କରି ମନେପଡ଼ିଯାଉଥିଲା । ଇନ୍ଦ୍ରିୟଲାଳସାର ପରିତୃପ୍ତି ନିମନ୍ତେ ଉପଭୋଗ ଅପନୋଦନ କରିବା ଯଦି ଏକାନ୍ତ କାମ୍ୟ, ତେବେ ପ୍ରଣୟର ବର୍ଗାକାର କ୍ଷେତ୍ରରେ କ୍ଷେତ୍ରଫଳ ବାହାର କରିବା ବିଧେୟ । ତା’ ନ ହେଲେ ବିପର୍ଯ୍ୟୟ ଅନିବାର୍ଯ୍ୟ ।

 

ନିହାରୀକା ସ୍ତମ୍ଭିତା ହୋଇଗଲେ । ହାତରେ ତାଙ୍କର ଓଡ଼ିଆ ସମ୍ବାଦପତ୍ର । ପ୍ରଥମ ପୃଷ୍ଠାରେ ସେହି ସରଗରମ ସମ୍ବାଦ ପରିବେଷିତ ହୋଇଛି । ତରୁଣ ଡାକ୍ତର ସୁଧାକାନ୍ତ ରାୟଙ୍କର ଅପୂର୍ବ କୃତିତ୍ୱ । କୁଷ୍ଠରୋଗର ମୂଳୋତ୍ପାଟନ କରିବା ଦିଗରେ ସେ ସଫଳତା ଅର୍ଜନ କରିଛନ୍ତି ଅତି ଆଶ୍ଚର୍ଯ୍ୟ ଭାବରେ । ରାମଗୋପାଳ ମୁକ୍ତ । ଜଟିଳ ରୋଗରୁ ମୁକ୍ତି ଲାଭ କରିବା ପରେ ସେ ଚାହିଁଛନ୍ତି ଜୀବନର ନୂତନ ନିର୍ବାହ । ସାଥୀଟିଏ ଧରି ନୂଆ ନୀଡ଼ ଗଢ଼ିବେ । ଆରୋଗ୍ୟ ନିକେତନର ଠିକଣା ଦେଇଛନ୍ତି ସେ । ପାତ୍ରୀ ଆବଶ୍ୟକତା ଉପରେ ଯେତେ ଫଟୋ ଓ ମତାମତ ଆସିବ ସବୁ ସେଇ ଠିକଣାରେ ।

 

ଅଡ଼ୁଆତଡ଼ୁଆ ଲାଗିଲା ନିହାରୀକାଙ୍କ ମନ । କାହୁଁ ଆସି କେହି ରାଜଜେମା ତାଙ୍କୁ ବରଣ କରି ନେଇଗଲେ ନିହାରୀକା ପୂରାପୂରି ବାଦ୍‌ ପଡ଼ିଯିବେ । ପୋକସୁଘାଂ ଫୁଲ ପରି ତାଙ୍କ ମୂଲ୍ୟ ଆଉ କେହି କଳିବେନାହିଁ ।

 

ନିହାରୀକାଙ୍କ ମନେପଡ଼ୁଥିଲା । ବୋହୂବୋହୂକାର ସ୍ୱପ୍ନକୁ ସାର୍ଥକ କରିବା ଆଶାରେ ସେ ଯେତେବେଳେ ବୋହୂ ସାଜି ଶାଶୁଘରକୁ ଯାଉଥିଲେ, ସେତେବେଳେ ନାନାଦି ଚିନ୍ତା ଖେଳିଯାଉଥିଲା । ମଳୟଭରା ଚଉଠି ରାତିରେ ଆଗେ ଭେଟ ହେବ ତାଙ୍କରି ସାଥିରେ । ତାଙ୍କ ଉଲଗ୍ନ ଦେହ ପୀଠରେ ସେ ମିଶାଇ ଦେବେ ତାଙ୍କ ପରିକଳ୍ପନାର ହୃଦୟକୁ । ସେ ଡାକିବେ, ନିହାରୀକା ଆସ । ଶେଷ ହୋଇଯାଉଚି ମଧୁଯାମିନୀ । ଆକାଶରେ ନକ୍ଷତ୍ର ଅପସରି ଯିବା ପୂର୍ବରୁ ଉନ୍ମାଦ ଆକାଂକ୍ଷାର ଶୋଷ ମେଣ୍ଟାଇ ନେବା । ତଳ ଉପର ସବୁ କିଛିର ଭାବନା କରି ଯାଉଥିଲା ନିହାରୀକା । ଝିଅ ଦିନର କାମ୍ୟ ସେଇ ପତ୍ନୀ ହେବାର ସୌଭାଗ୍ୟ କଳ୍ପନାରେ ସାର୍ଥକ ହୋଇଥାନ୍ତା କି ?

 

ନିହାରୀକା କହିଲେ, ମୁଁ ସ୍ୱପ୍ନ ଦେଖିଥିଲି ଯାହା, ଘଟିଲା ଠିକ୍‌ ତା’ର ବିପରୀତ । କିନ୍ତୁ ଏବେ ତାହା ଆହୁରି ଆଶ୍ଚର୍ଯ୍ୟ ଧରଣର ବିସ୍ଫୋରଣ ସୃଷ୍ଟି କରିବାକୁ ଯାଉଛି । ରାମଗୋପାଳ ମୋତେ ନ ପାଇଲେ ନକ୍‌ସଲାଇଟ୍‌ର ଭୂମିକା ଗ୍ରହଣ କରିବେ । ହିପ୍‌ପି ଭଳି ଦମନ ଲୀଳା ଆରମ୍ଭ କରିବେ । ମୋତେ ପାଇବାଲାଗି ସେ ହିଂସ୍ର ହୋଇ ଉଠିଛନ୍ତି ।

 

ବିଜୁ ଉପଲବ୍‌ଧି କରୁଥିଲା ନିହାରୀକାଙ୍କ ଭଗ୍ନ କଣ୍ଠର ଭାବ । ସେ ତାଙ୍କୁ ଛୁଇଁ ନାହିଁ । କେବେ କେବେ ଅସାବଧାନତା ହେତୁ ତାଙ୍କ ଦେହରେ ହାତ ବାଜିଗଲେ ବିଜୁ ମନକୁ ମନ ବରଂ ଲଜ୍ୟା ବୋଧକରେ, ହେଲେ ଉଚ୍ଛୃଙ୍ଖଳତାକୁ ପ୍ରଶ୍ରୟ ଦିଏନାହିଁ । ନିହାରୀକାଙ୍କ ନାରୀ ଜୀବନ ସାର୍ଥକ ହେଉ ଚରିତ୍ରବତ୍ତାରେ ବୋଲି ସେ ଶୁଭାଶିଷ ଢାଳେ ।

କେବେ ଯଦି ବିଜୁ ସ୍ୱପ୍ନ ଦେଖିଛି, ତେବେ ତାହା ରେଣୁକୁ ବିକେନ୍ଦ୍ରୀକରଣ କରି । ରେଣୁର ସ୍ୱାମୀକୁ ସଂଘର୍ଷରେ ପରାସ୍ତ କରି ତାଙ୍କ ସ୍ଥାନରେ ସେ ଦୃଢ଼ ଆସନ ଜମେଇ ରହିଛି । ଆଉ ରେଣୁର ଅନୁପମ ଅତନୁର ସମସ୍ତ ଅନ୍ଧକାରର ପୋତ ନିର୍ମାଣ କରି ଆଲୋକ ଦ୍ରଷ୍ଟାର ଅପେକ୍ଷାରେ ରହିଛି ସେ । ରେଣୁର ଆଉ ଅବଶୋଷ କ’ଣ ରହିଲା ?

ନିହାରୀକାଙ୍କ ଅପଛାୟା ହେଲେ ରାମଗୋପାଳ । ସେମିତି ରେଣୁର ହୁଅନ୍ତୁ ବିଜୁଭାଇ । ପରିପୂରକଭାବେ ଦୁନିଆର ସମସ୍ତ ଜୀବନ ନିୟନ୍ତ୍ରିତ ହେଉଛନ୍ତି । ବିଜୁର ଜୀବନ ସେଇଭଳି ହେବାକୁ ସେ ଦୁଃଖ କରୁନାହିଁ ।

ସେଥିଲାଗି ବିଜୁ ନିହାରୀକାକୁ ଉପଦେଶ ଦେଲା, ଆପଣ କେବେହେଲେ ଅନାଗମ୍ୟ ଭବିଷ୍ୟତ ପାଇଁ ଦୁଃଖ କରନ୍ତୁନାହିଁ । ସମୟ ଅନୁକ୍ରମେ ଯାହା ହେବାର ହୋଇଯାଉଛି । ଯାହା ବିଧେୟ ତାକୁ ବିଶେଷଣ ଦେଇ ନିୟନ୍ତ୍ରିତ କଲେ ଫଳାଫଳ ସୁନ୍ଦର ହେବ । ରାମଗୋପାଳ ଆପଣଙ୍କୁ ପାଇବା ଆଶାରେ ଯେଉଁଭଳି ବିବ୍ରତ ହୋଇ ଉଠିଛନ୍ତି, ତାହା ତାଙ୍କ ପକ୍ଷରେ ଦିବାସ୍ୱପ୍ନ ବ୍ୟତୀତ ଅନ୍ୟ କ’ଣ ହୋଇପାରେ ? ଆଇନ ବଳରେ ଆପଣ ତାଙ୍କୁ ପରିହାର କରି ଆସିଛନ୍ତି ଯେତେବେଳେ, କୌଣସି ବଳ ପ୍ରୟୋଗ ଫଳରେ ସେ ଆପଣଙ୍କୁ ଜବରଦସ୍ତ ଗ୍ରହଣ କରିପାରିବେନାହିଁ । ଆପଣ ସ୍ୱଚ୍ଛ ଗଙ୍ଗା । ଅଭିଶପ୍ତା ହେଲେ ଓ ଆପଣଙ୍କଠାରେ ସ୍ୱତନ୍ତ୍ରତା ଅଛି, ନିଜସ୍ୱ ଅଛି ।

ରାମଗୋପାଳ ଆଉ କେଇଦିନ ପରେ ଯଦି ଦିଲ୍ଲୀ ଆସି ଆପଣଙ୍କୁ ଭେଟନ୍ତି, ତେବେ ଆପଣ ତାଙ୍କୁ ବଧାଇ ଜଣାଇବେ । ଦରକାର ହେଲେ କହିବେ ମନ ଆପଣଙ୍କ ପାଇଁ ଅପେକ୍ଷା କରିପାରିଲାନାହିଁ ରାମଗୋପାଳବାବୁ । ମୁଁ ଶରୀର ଭେଦରେ ଅନ୍ୟର ହୋଇଗଲି ।

ବିଜୁ ଉପଦେଶ ଶୁଣି ନିହାରୀକା ଜିଭ କାମୁଡ଼ି ପକାଇ କହିଲେ ଅନ୍ୟର ମାନେ କାହାର-? କେଉଁ ଦେବତାଙ୍କୁ ମୁଁ ଆଉ ଏ ଉଚ୍ଛିଷ୍ଟ ଛଡ଼ା ଫୁଲ ଦେବାକୁ ସାହସ କରିବି ? ପାପକୁ ମୋର ଭାରି ଭୟ । ପୁଣ୍ୟକୁ ଛୁଇଁ ବସିଲେ ସେ ଯେଉଁ ପାପ ହେବ, ତାକୁ ମୁକ୍ତିଦାନ କରିବାପାଇଁ ବୋଧହୁଏ ଦୁନିଆରେ କୌଣସି ମନ୍ତ୍ରନାହିଁ ।

ତାହା ଠିକ୍‌ । ମନ ଜାଣିଲେ ପାପ ସେଇ ପୁଣି ପୁଣ୍ୟ ସେଇ । ସମାଜର କୁସଂସ୍କାରରେ ଆବଦ୍ଧ ମଣିଷ ପକ୍ଷରେ ମନ ବୁଝିବାପାଇଁ ସବୁ । ଭୁଲ, ଠିକ୍‌ ଗୋଟିଏ ସୂତ୍ରରୁ ଜଣାପଡ଼େ ।

ନିହାରୀକା ଜାଣେନା ଯେ ବିଜୁବି ଏକ ପ୍ରେମିକ ଥିଲା ବୋଲି । ପ୍ରେମପଥରେ ଝୁଣ୍ଟିପଡ଼ି ସେ ପାଗଳ ହୋଇଯାଇଛି କହିଲେ ଚଳେ । ସେଥିପାଇଁ ସେ ବେଶୀ ପାପ କରିବାକୁ ଯାଉଥିଲା ସେହି ଚମ୍ପାବାଈ ସାଙ୍ଗରେ ।

ମନେପଡ଼ିଗଲା ତା’ର । ସେ କହିଲା ନିହାରୀକା, ଆପଣ ଯଦି ସ୍ୱାମୀବିଚ୍ୟୁତାଭାବେ ନିଜକୁ ନିଜେ ପାପୀ ବୋଲି ସ୍ୱୀକାର କରୁଛନ୍ତି, ତେବେ ଚମ୍ପାବାଈ ସେଇ ଦୃଷ୍ଟିରୁ କ’ଣ ବଡ଼ ପାପୀ ନୁହେଁ ? କହିବାକୁ ହେବ ଯେ ସେ ତା’ ବୃତ୍ତି କରୁଛି । ବଞ୍ଚିବାର ଆଳ ଦେଖାଇ ଦେହକୁ ତର୍ପଣ କରୁଛି । ଆରୋଗ୍ୟ ଜନତା ଦେହରେ ଭରି ଦେଉଛି ବିଷ । ସେଥିରେ ଯଦି ତାକୁ ଠୋକର ଦିଆଯାଏ, ତାହେଲେବି ସେ ହସି ହସି ସହି ନେବାକୁ ରାଜି । କିନ୍ତୁ ସେ ତା’ ବୃତ୍ତି ଛାଡ଼ିବାକୁ ଇଚ୍ଛୁକା ନୁହେଁ ।

ପେଷାଦାର ହୋଇ ବଞ୍ଚିବାର ନିୟନ୍ତ୍ରଣକୁ ଅଭିନୟ କୁହାଯାଇପାରେ, ମାତ୍ର ତାହା ଜୀବନପାଇଁ ଏକ ସଂଜ୍ଞା, ଏକ ବ୍ୟୁତ୍ପତ୍ତି । ନିହାରୀକାଙ୍କୁ ଲୁଚାଇ ସ୍ୱାଗତ କରି ସେ ଆହୁରି କହିବାକୁ ବାଧ୍ୟ ହେଉଥିଲା ଯେ ରେଣୁ ଆଉ ଜ୍ୟୋତ୍ସ୍ନା ପାପ ପ୍ରଣୟ ପଥରେ କମ୍‌ ପରିଶାନ୍ତ ନୁହନ୍ତି-

ଚମ୍ପାବାଈ ଜୀବନରେ ସାହାନାଇ ବାଜିନାହିଁ । ସପ୍ତପଦୀ ରଚିତ ହୋଇନାହିଁ । ବ୍ରାହ୍ମଣର ହୋମ କିମ୍ବା ମନ୍ତ୍ରପାଠ କରାଯାଇନାହିଁ । ତଥାପି ସେ ସତୀ । ପେଷାଦାର ଭଳି ବଞ୍ଚିବାକୁ ଚାହିଁଲା ଯେ ତାକୁ ସେହି ଗୌରବରୁ ବଞ୍ଚିତ କରାହେବା ଠିକ୍‌ ହେବନାହିଁ ।

ବିଜୁ ଅନୁଭବ କରୁଛି ରେଣୁ ଆଜି ସୁଖର ଶିଖରୀରେ ଉପନୀତା । ତା’ ବାପଘର ଗାଁର ସେଇ ଦେ’ ଶିଯୁ କଣ୍ଟା ଗଛ କଥା ତା’ର ଆଉ ମନେପଡ଼ିବନାହିଁ । ସେ ଅଛି ସହରର ଦ୍ୱିତଳ ପ୍ରାସାଦରେ । କେତେ ଦୀନ ଦରିଦ୍ର ଅସହାୟ, ରୋଗୀ ତା’ରି ସୁପାରିଶକୁ ଚାହିଁ ରହିଛନ୍ତି ।

ରାମଗୋପାଳଙ୍କୁ ରୋଗମୁକ୍ତ କରିବା ପରେ ଡା. ସୁଧାକାନ୍ତଙ୍କ ସହ ତା’ର ଫଟୋ ସମ୍ବାଦପତ୍ରମାନଙ୍କରେ ପ୍ରକାଶ ପାଇଛି । ଚତୁର୍ଦ୍ଦିଗରେ ଭୁରି ଭୁରି ପ୍ରଶଂସା ଦେଶ ବିଦେଶରୁ ଅସଂଖ୍ୟ ପତ୍ର ଆସି ପହଞ୍ଚୁଛି । ଡା. ସୁଧାକାନ୍ତ ଜଣେ ଅସାଧାରଣ ଡାକ୍ତର । ତାଙ୍କୁ ଧାରଣ କରି ଦେଶ ନିଜକୁ ଖୁବ୍‌ ଧନ୍ୟ ମନେକରୁଛି ।

ଠିକଣା ସଂଗ୍ରହ କରି ରେଣୁ ଖଣ୍ଡିଏ ଚିଠି ଲେଖିଥିଲା । ସେଥିରେ ବାରମ୍ବାର ସମ୍ବୋଧନ କରିଥିଲା ବିଜୁଭାଇ ବୋଲି । ଆପଣାକୁ ଖୁବ୍‌ ଭାଗ୍ୟବତୀ ବୋଲି ମନେକରୁଥିବ ନିଶ୍ଚୟ । ବିଜୁ କହିଥିବା କଥାହିଁ ରହିଲା । ଯାହାର ଧନ ଅଛି, ଉଚ୍ଚଶିକ୍ଷା ଅଛି, ଭବିଷ୍ୟତରେ ଆଲୋକ ପାଇବାର ସମ୍ଭାବନା ଅଛି, ତାକୁହିଁ କେବଳ ଧନୀ, ଶିକ୍ଷିତା ଝିଅ ବିବାହ କଲେ ସାଜେ । ସେଭଳି ଝିଅର ମନ ଡବଲ ବାରେଲ ଇଞ୍ଜିନ୍‌ ଭଳି କାମ କରିବ । ଆମ ପାଖରେ ସେମିତି ଉପାଦାନ କାହିଁ ?

ରେଣୁ ଲେଖିଛି ନୂଆବୋଉଙ୍କୁ ଡରି ଡରି ତୁମେ ପ୍ରେମିକରୂପେ ମୂକ ପାଲଟିଗଲ । ମୁଁ ତୁମ କପାଳରେ ସିନ୍ଦୂର ଦେଲି, ପାଟିରେ ଭୋଗ ଖୁଆଇଲି ତଥାପି ତୁମେ ମୋର ହୋଇପାରିଲନାହିଁ । ବିହି ମୋ ଭାଗ୍ୟରେ ଲେଖିଥିଲା, ଜଣେ ଅଜଣା ପୁରୁଷଙ୍କ ଜୀବନସାଥୀଭାବେ ମୁଁ ବଞ୍ଚି ରହିବାକୁ । ତାହାହିଁ ହେଲା । ଆଉ ସେ କ’ଣ କହୁଛନ୍ତି ଜାଣିଛ ?

ସେ କୁହନ୍ତି ଯେ ମୋ ହାତ ଧରିଲା ଦିନୁ ତାଙ୍କର ଉତ୍ତରୋତ୍ତର ଉନ୍ନତି ଘଟୁଛି । ମୁଁ କୁଆଡ଼େ ତାଙ୍କ ମନଆକାଶର ପୂର୍ଣ୍ଣେନ୍ଦୁ ।

ତାଙ୍କୁ ସବୁବେଳେ ଖୁସି କରିବାକୁ ପଡ଼ୁଛି । ମୁଁ ଟିକେ ମୁହଁ ଶୁଖେଇ ଦେଲେ ତାଙ୍କର ଯେଉଁ ରୋଷ ! ଆଲୋ ମା’, ମୁଁ ଜମା ବରଦାସ୍ତ କରିପାରେନାହିଁ । କଣେଇ କଣେଇ ହସିଦିଏ । ଠାକୁରଙ୍କ କୃପାରୁ ଏତେ ବଡ଼ ମଣିଷ ସେ ହେବାକୁ ଯାଉଛନ୍ତି, ତଥାପି ତାଙ୍କର ପିଲାଳିଆ ଢଙ୍ଗ ଛାଡ଼ି ଯାଇନାହିଁ ।

ପ୍ରତିଦାନରେ ମୋତେ ଖୁସି କରିବାକୁ ଯାଇ ସେ ସବୁତକ ସ୍ୱାଧୀନତା ଅଜାଡ଼ି ଦେଇଛନ୍ତି । ଏକୁଟିଆ ଡ୍ରାଇଭର ସାଙ୍ଗରେ କାର୍‌ ନେଇ ଯେଉଁଆଡ଼େ ବୁଲି ଆସିଲେବି ତାଙ୍କର ଅଭିଯୋଗ ନଥାଏ । ବିଜୁଭାଇ, ମୋର ଅନେକ ଥର ଇଚ୍ଛା ହୋଇଛି ଯେ ତୁମ ପାଖକୁ ଯାଇ ଟିକେ ବୁଲି ଆସନ୍ତି । ସେଥିପାଇଁ ଅବଶ୍ୟ ମୋର ଯଥେଷ୍ଟ ପ୍ଳି ଅଛି । ମୁଁ ଅନୁମତି ନିଅନ୍ତି ଯେ ଭାଇ ଓ ନୂଆବୋଉଙ୍କୁ ଦେଖିବା ଲାଗି ମୁଁ ଡେରାଡ଼ୁନ୍‌ ଯିବି । ସେଥିରେ ଅବଶ୍ୟ ସେ ମନା କରନ୍ତେନାହିଁ-। କିନ୍ତୁ ମୋର କହିବାକୁ ଇଚ୍ଛା ହେଉନାହିଁ । ତାଙ୍କ ପାଖରେ ଅନୁପସ୍ଥିତ ରହିଲେ ସେ କାଳେ ଅତୃପ୍ତି ଉପଲବ୍‌ଧି କରିବେ, ସେଇ ଆଶାରେ ମୁହଁ ଫିଟାଇ ମୁଁ କିଛି କହିନାହିଁ ।

ମୋର ସ୍ୱେଚ୍ଛାଚାରିତା ପ୍ରତି ସେ ମୋଟେ ଆକ୍ଷେପ କରିନାହାନ୍ତି । ସେ ମୋତେ ପ୍ରଶ୍ରୟ ଦେଇଛନ୍ତି ରାମଗୋପାଳଙ୍କ ସାଙ୍ଗରେ ସିନେମା ଯିବାକୁ, ପାର୍ଟିରେ ଯୋଗ ଦେବାକୁ । ତୁମେ ବିଶ୍ୱାସ କରିବନାହିଁ ବିଜୁଭାଇ, ରାମଗୋପାଳବାବୁ ଏକାନ୍ତଭାବେ ଆମ ଦୁହିଁଙ୍କର ବିଶ୍ୱାସୀ ହୋଇ ଗଲେଣି । ସବୁକ୍ଷେତ୍ରରେ ସେ ସ୍ୱାମୀଙ୍କର ପରାମର୍ଶଦାତାଭାବେ କାମ କରୁଛନ୍ତି । ଭାରି ଭଲଲାଗୁଛି ତାଙ୍କ ଆଚରଣ । ତାଙ୍କୁ ଛାଡ଼ପତ୍ର ଦେଇଥିବା ତାଙ୍କ ପତ୍ନୀ ନିହାରୀକା ଯେ କିଭଳି ନିର୍ମମ ହୋଇପାରିଲେ ତାହା ଚିନ୍ତାକରି ମୁଁ ଦୁଃଖ ପ୍ରକାଶ କରୁଛି ।

ସେ ବ୍ୟସ୍ତ ହୋଇ ପଡ଼ୁଛନ୍ତି ନିହାରୀକାଙ୍କୁ ପାଇବାପାଇଁ । ବିବାହ ଉଦ୍ଦେଶ୍ୟରେ ନୁହେଁ, ପ୍ରତିଶୋଧ ନେବା ଲକ୍ଷ୍ୟରେ । ତାଙ୍କ ଯୁକ୍ତି ହେଉଛି ଏହି ଯେ ଅନୁସୂୟା ପତିବ୍ରତ୍ୟ ପ୍ରତିପାଦନ କରିବାକୁ ଯାଇ କୁଷ୍ଠରୋଗୀ ସ୍ୱାମୀଙ୍କୁ ଧରି ଦ୍ୱାରେ ଦ୍ୱାରେ ଭିକ୍ଷା ମାଗିଲେ; ଅଥଚ ନିହାରୀକା ତାଙ୍କ ସ୍ୱାମୀଙ୍କୁ ଘୃଣା କରି ଛାଡ଼ପତ୍ର ଜରିଆରେ ପ୍ରତ୍ୟାଖାନ କଲେ । ନାରୀ ହିସାବରେ ବଡ଼ କିଏ ହେଲେ କହିଲ ବିଜୁଭାଇ ?

ଶରୀର ବହି ସ୍ୱାସ୍ଥ୍ୟ ସମସ୍ତଙ୍କର ଅଛି । କେହି ଜାଣି ଜାଣି ମଦ ନିଶାରେ ସେଇ ସ୍ୱାସ୍ଥ୍ୟକୁ ଦୂଷିତ କରି ଦେଉଚନ୍ତି ତ, କେହି ଦୁର୍ଭାଗ୍ୟର ଦୁର୍ବିପାକରେ ପଡ଼ି ସ୍ୱାସ୍ଥ୍ୟଭଙ୍ଗର ଇସ୍ତାହାରକୁ ଶରୀରରେ ପ୍ରକାଶ କରି ଦେଉଛନ୍ତି । ଧନୀ ଦରିଦ୍ର କାହାକୁ ଭଲା ରୋଗ ଛାଡ଼ି ଦୂରରେ ରହିଛି କୁହ ତ । ତୁମେ ପରା ଦେଖୁଛ, ମୋ ଦେହ କେଡ଼େ ନସମା । ଟିକେ ଥଣ୍ଡା ବାଜିଲେ କାଶ ସର୍ଦ୍ଦି ମୋଟେ ଛାଡ଼ିବନାହିଁ । ସେଥିରେ ପୁଣି କେବେ କେବେ ଜ୍ୱର ଆକ୍ରମଣ କରେ ଯେ ମୁଁ ଚାରି ପାଞ୍ଚଦିନ ବିଛଣାରେ ପଡ଼ିରୁହେ । ଆପଣାର ଯେ କେହି ଆସି ମୋତେ ଖାଇବା ପିଇବାକୁ ବାଧ୍ୟ କରି ଗଲେବି ମୁଁ ମୋଟେ କାହା କଥା ଶୁଣେନାହିଁ ।

ମୋର ମନେ ଅଛି ମୁଁ କେତେଥର ତୁମ ଉପରେ ମୁହଁ ଛିଞ୍ଚାଡ଼ି କଥା କହିଥିବି । ତୁମେ ଖାଲି ସାକୁଲେଇ ହୋଇ ମୋ ପାଟିରେ ଔଷଧଗୁଡ଼ା ଗିଳେଇ ଦେଉଥିବ । ସେଥିରେ ମୁଁ ଯେଉଁ ରାଗିଉଠେ ! ପରେ ଭଲ ହୋଇଗଲେ ଠାକୁରଙ୍କୁ ଡାକେ । କହେ ଠାକୁରେ ମୋତେ ରୋଗ ଦିଅନ୍ତୁ ପଛକେ, ହେଲେ ବିଜୁଭାଇକୁ ସେବାଦୂତ କରି ମୋ ପାଖକୁ ପଠାନ୍ତୁନାହିଁ । ସେ କାହିଁକି ମୋ ଲାଗି ଭଲା ଦହଗଞ୍ଜ ହେଉଥିବେ ।

 

ମୁଣ୍ଡ ବଥେଇଲେ ତୁମେ ମୋ ମୁଣ୍ଡ ଚିପି ଦେଇଛ ମୁଁ ଆଶ୍ୱସ୍ତି ପାଇବି ବୋଲି । ମୋ ପିଠି ଆଉଁସି ଦେଇଛ । ହେଲେ ମୁଁ ଅଭାଗିନୀ ତୁମର କୌଣସି ସେବା କରିପାରିଲିନାହିଁ । ତୁମର ଋଣୀ ହୋଇ ରହିଗଲି ।

 

ତୁମେ ଯେତେବେଳେ କୁହ ରେଣୁ, ତୋତେ ତ ଅଧିକାଂଶ ଦିନ ଜ୍ୱର ହେଉଛି, ହେଲେ ମୋତେ ଦିନକପାଇଁ ସୁଦ୍ଧା କାଇଁ କିଛି ହେଉନାହିଁ । ମୁଁ ତୁମ ପାଟିରେ ହାତ ଦେଇ ଦିଏ । କୁହେ ଛି, ସେମିତି କୁହ ନାହିଁ । ତୁମ ରୋଗଯାକ ମୋତେ ସବୁ ଝାଡ଼ିଝୁଡ଼ି ଦିଅ ।

 

ମୁଁ ଦେଖିବାତକ ତୁମର କିଛି ହୋଇନାହିଁ । ଠାକୁରେ କରନ୍ତୁ ତୁମେ ସବୁଦିନେ ସେହିପରି ଆରୋଗ୍ୟରେ ଥାଅ । ମୁଁ ଖାଲି ଶୁଣୁଥାଏ ଯେ ତୁମେ ଭଲରେ ଅଛ । ଦିଅଁ ଭୋଗ ଖୁଆଇ ଦୂରେଇ ଦେଇଛି ବୋଲି ପାପଯାକ ପଛେ ମୁଁ ନିଏ, ହେଲେ ପୁଣ୍ୟ ଯାକ ସବୁ ତୁମର ହେଉ ।

 

ତୁମପାଇଁ ମନରେ ହେଲେ ସୁଦ୍ଧା ମୁଁ ଭାବୁଛି ରୋଗ ନିରୋଗର କଥା । ଯାହାକି ଥରୁଟିଏ ପାଇଁ ପଲକ ପକାଇ ସୁଦ୍ଧା ନିହାରୀକା ସହ୍ୟ କରିପାରିଲାନାହିଁ । ପ୍ରେମିକା ହୋଇଥିଲେ ସେ ସିନା ସଂସ୍ପର୍ଶର ମୂଲ୍ୟ ବୁଝିଥାନ୍ତା । ସେ ପରା ସ୍ତ୍ରୀ !

 

ଇଚ୍ଛା ହେଉଛି ବିଜୁଭାଇ, ନିହାରୀକାଙ୍କୁ କେଉଁଠି କେମିତି ମୁଁ ଦେଖି ପକାଇଲେ ସେଇକଥାହିଁ କୁହନ୍ତି । ଆଉ କୁହନ୍ତି ସେ ଅଭିମାନରେ ଖୁମାଣ ପୋତି ଚାଲିଗଲେ, ନା ଏକସ୍ୱାମୀବ୍ରତ ପାଳନ କରିବେନାହିଁ ବୋଲି ଅପସରି ଗଲେ ।

 

କୋକିଳକଣ୍ଠୀ ସେ କିନା, ତେଣୁ ସମ୍ଭବ ଅସମ୍ଭବ ତାଙ୍କ ପକ୍ଷରେ ଗୁରୁତ୍ୱପୂର୍ଣ୍ଣ କଳ୍ପନାର ଘାଟୀ ଜାଗା ହୋଇଥିବ । ସେ ଭାବୁଥିବେ ଦୂରବୀକ୍ଷଣ ଯନ୍ତ୍ର କଥା, ଆକାଶର ମିଛ ଜହ୍ନମାମୁଁ କଥା, ପୁଣି ପଲାଶର ରଙ୍ଗ କଥା ।

 

ତାଙ୍କ ମିଛମିଛିକା ବିବାହ ଅନ୍ୟମାନଙ୍କ ପାଇଁ ଏକ କାହାଣୀ ନୁହେଁ ଆଉ କ’ଣ । ଜାଣି ନ ଜାଣି ସତୀତ୍ୱ ହରେଇ ବସିଲେ ଯେମିତି ଏକ ପ୍ରକାର ବିବାହ ହୁଏ, ଏ ସେମିତି କଥା । ଏଠି ସବୁଦିନେ ବ୍ୟବଧାନରେହିଁ ବିବାହ ଘଟୁଥାଏ । ଏଠି ପ୍ରଜାପତି ପରାଙ୍‌ମୁଖ ।

 

ରେଡ଼ିଓ ଷ୍ଟେସନରେ ତୁମେ ନିଶ୍ଚୟ ନିହାରୀକାଙ୍କୁ ଦେଖୁଥିବ । ସେ ମଧ୍ୟ ତୁମର ଏକରକମ ଚିହ୍ନା ହୋଇଯାଇଥିବେ କହିଲେ ଚଳେ । ତାଙ୍କୁ ମୁହଁ ଖୋଲି ମୋର ଲେଖିଥିବା କଥାରୁ ଯଦି କିଛି କିଛି କହିପାରନ୍ତ, ସେ ବୋଧହୁଏ ତୁମକୁ ତାଙ୍କ ମତ ଦେଇପାରନ୍ତେ । ଖାଲି ଏତିକିରୁହିଁ ଆରମ୍ଭ କରନ୍ତ ମଧୁଯାମିନୀର ପ୍ରଥମ ପ୍ରହରରେ ସ୍ୱାମୀକୁ ପରିତ୍ୟାଗ କରି ଆମ ଜନ୍ମ ଭୂଇଁରେ କେଉଁ ନାରୀ କ’ଣ ପଦାକୁ ପାଦ କାଢ଼ିପାରେ ? ନାରୀ ପକ୍ଷରେ ଲଜ୍ଜାର ଜୁଆର ଏତେଦୂର କ’ଣ ଉଚ୍ଛୃଙ୍ଖଳ ?

 

ସୀମିତର ସୀମାବଦ୍ଧ ହୋଇ ମୁଁ ରହିଗଲି ବିଜୁଭାଇ । ଏତେଦିନ ପରେ ଏଣୁତେଣୁ ବୁଲେଇ ବଙ୍କେଇ ଲେଖିଲା ପରେ ମୁଁ ବର୍ଣ୍ଣନା କରୁଛି ମୋ ମଧୁରାତିର କାହାଣୀ ।

 

ସେଇ ରାତିଟା ମୋ ପକ୍ଷରେ ମଧୁରାତି ନଥିଲା ମ ବିଜୁଭାଇ ! ଛାତି ଧଡ଼ପଡ଼ ଉଠୁଥିଲା, ଆଉ ପଡ଼ୁଥିଲା । ବିବାହର କେଇଦିନ ପୂର୍ବରୁ ସେଇ କମ୍ପନର କଳ୍ପନା ସମ୍ପର୍କରେ ଆଭାଷ ଦେବାରୁ ମୋ ଜ୍ୟୋତ୍ସ୍ନା ନୂଆବୋଉ ଦେଖେଇ ଶିଖେଇ କହିଥିଲେ, ହଁ ଗୋ ହଁ । ତେମେ ପରା ପୁରୁଣା ମୂଷା । ତୁମକୁ କ’ଣ ମୁଁ ଶିଖେଇ ଦେବି ମ ।

 

ସେ ତୁମକୁ ଲକ୍ଷ୍ୟ କରି କହୁଥିଲେ । ସେଥିରେ ମୁଁ ମନରେ କିଛି ନ ଭାବି ନବୀନ ଲକ୍ଷ୍ୟରେ ଚହଲି ଉଠିଥିଲି । ଭାବିଥିଲି କିଛି ନ ହେଲେ ତୁମକୁ ଭାବିହିଁ ତାଙ୍କୁ ମୁଁ ଠକେଇ ଦେବି । ଯେମିତି କି ସେ ହେବେ ଖେଳଣା, ଅଥଚ ତୁମେ ହେବ ଜୀବନ ।

 

ବେଶ୍‌ ସେଇ ଥିଲା ମୋର ସୁପରିକଳ୍ପିତ ଯୋଜନା । ତାଙ୍କ ସହ ବିବାହ ସ୍ଥିର ହେବା ଉପଲକ୍ଷେ ସେ ଅବଶ୍ୟ ମୋତେ ସିଲେକ୍‌ସନ୍‌ କରିବାକୁ ଆସିଥିଲେ । ତାଙ୍କ ସହିତ ତାଙ୍କର ଦୁଇଜଣ ସାଙ୍ଗ ମଧ୍ୟ ଆସିଥିଲେ । ସେ ମୋତେ ପସନ୍ଦ କରିବାରେ ତୃପ୍ତି ପାଇ ଫେରିଯିବାର ମୁଁ ଅନୁମାନ କରିଥିଲି । ଆଉ ତାଙ୍କ ସାଙ୍ଗଦ୍ୱୟ ମନ୍ତବ୍ୟ ଦେଇଥିବାର ମୁଁ ଶୁଣିବାକୁ ପାଇଥିଲି ଯେ ମୁଁ କୁଆଡ଼େ ଅବିକଳ ‘ମେରେ ମେହେବୁବ୍‌’ ଫିଲିମ୍‌ର ସାଧନା ।

 

ହେଲା ଏବେ ସେ ତ ଗୋଟିଏ ଉପମା । କେତେ ଝିଅଙ୍କୁ କିଏ ଭଲା ସେମିତି ଉପମାନ ଉପମେୟରେ ତୁଳନା କରିଛି ! ଶୁଣି ହସ ମାଡ଼ିଥିଲା । ଆଉ ମନେ ମନେ ରାଗ ହୋଇଥିଲା ତୁମ ଉପରେ । ଏତେଦିନ ଧରି ତୁମେ ମୋ ହୃଦୟର ହୋଇ ଯାହା ମନ୍ତବ୍ୟ ଦେଇ ନ ପାରିଥିଲେ କ୍ଷଣକରେ ଆସି ସେ ଦେଇ ଚାଲିଗଲେ !

 

ମନେ ମନେ ପ୍ରତିକ୍ରିୟା ସୃଷ୍ଟି ହେଲା ମୋର । ପ୍ରଣୟ କନ୍ଦର ମୋର ଅଚାନକ ବିରହ ବିସ୍ଫୋରଣରେ ଛିନ୍ନ ଛିନ୍ନ ହୋଇଗଲା । ତୁମଠାରେ ଲାଗି ଆସିଥିବା ଡୋରୀ ଆସ୍ତେ ଆସ୍ତେ ଖସି ଖସି ଆସିଲା । ମୁଁ ଯାହା ଭାବୁଥିଲି ତାହା ଠିକ୍‌ ହେଲା । ତୁମେ ବୋଧହୁଏ ନରମା ପଡ଼ିଗଲ ।

 

ନୂଆବୋଉ ମଧ୍ୟ ସେଇଆ କହୁଥିଲେ । ତୁମ ନରମା ପ୍ରେମିକଙ୍କ କଥା ଚଉଠି ରାତିରେ ମୋଟେ ଭାବିବ ନାହିଁ । ତାହେଲେ ତୁମେ ମଧ୍ୟ ସେଇଭଳି ନରମ ହୋଇଯିବ ।

 

ବିରହ ଗୋଟାଏ କ’ଣ ? ବିବାହ ପର୍ଯ୍ୟନ୍ତ ପ୍ରେମିକ ପ୍ରେମିକାଙ୍କ ଭିତରେ ସେଇ ଜିନିଷ କାମ କରୁଥାଏ । ବିବାହ ସରିଗଲେ କଥା ସରିଲା । ହାତଗଣ୍ଠି ପଡ଼ିଗଲେ ପରା ଛାତିରୁ ମସ୍ତବଡ଼ ଛନକା ଖସି ପଡ଼େ । ଯେଉଁମାନେ ଅସଲ ରସିକ ଆଉ ପୂରା ଛଟକୀ ସେଇମାନେହିଁ ତାହା ଅନୁଭବ କରିଥିବେ ।

 

ନୂଆବୋଉଙ୍କ କଥାରେ ମୁଁ ଡିଟୋ ମାରି ନଥିଲି, କି ଯୁକ୍ତି କରି ନଥିଲି । ଇଚ୍ଛା ହେଉଥିଲା ବିଦାୟବେଳ ପାଖେଇ ଆସୁଛି ଯେତେବେଳେ, ତାଙ୍କୁ ମୁଁ ପଦେ ହାଣି କହିବି । ସେ ବୋଧହୁଏ ତୁମରି ଚିନ୍ତାକରି ଛାତିରେ ଛନକା ପଶିବା କଥା କହିଲେ ।

 

କିନ୍ତୁ କହି ହେଲାନାହିଁ । ତୁମ ପାଖରେ କରିଥିବା ପ୍ରତିଜ୍ଞାକୁ ଭ୍ରଷ୍ଟ ନ କରି ମୁଁ ଚୁପ୍‌ ରହିଥିଲି । କେବଳ ତାଙ୍କୁ ଭୁଲେଇବା ଛଳରେ କହିଥିଲି ନୂଆବୋଉ ଆଜିକାଲି ବରମାନେ କ’ଣ ସଖୀକୁଣ୍ଢେଇ ଭଳି ଦେଖାଯାଉଛନ୍ତି । ଲମ୍ବାକଲି, ପଏଣ୍ଟେଡ଼୍‌ ସୋ । ପୁଣି ଛାପି ଛାପିକିଆ ବ୍ଲାଉଜ୍‌ କନାର ହାୱାନି ଓ ଜିଗିନି ହାର । ବରମାନେ ଓଲଟି ଯାଇ ସତେ କନିଆ ହୋଇଯିବେ କି ।

 

ମନ୍ତବ୍ୟ ପ୍ରକାଶ କରିଥିଲି ନୂଆବୋଉଙ୍କ ଆଗରେ । ଭଲ ଭେଲର ସମୀକ୍ଷା କରା ହେଉ ନଥିଲା । ଉପଲକ୍ଷ୍ୟ ଦିଆହେଉଥିଲା । ତୁମର ଲମ୍ବାକଲିନାହିଁ, ପଏଣ୍ଟେଡ଼୍‌ ସୋନାହିଁ, କି ଚିପା ପ୍ୟାଣ୍ଟନାହିଁ । ଅଥଚ ତୁମେ ଏଇ ଯୁଗର ମଣିଷ । ଏଇ ଫେସନପାଇଁ ତ ବିଶେଷ କିଛି ପଇସା ଖର୍ଚ୍ଚ ହେଉନାହିଁ ।

 

ମୋ ବିବାହ ଉପଲକ୍ଷେ ଏଇ ବରଙ୍କର ଫେସନ ତାହାହିଁ ଥିଲା ଓ ମୋ ମନ୍ତବ୍ୟରେ ଉନ୍ମୁଖମନା ନୂଆବୋଉ ହସି ହସି କହିଥିଲେ ଏ ସମୟରେ ଯୁଗ ବା ଆଧୁନିକତାର ରୁଚି କାମ କରୁନାହିଁ । ଗୋଟିଏ ଦଶନ୍ଧି ପରେ ଆଉ ଗୋଟିଏ ଦଶନ୍ଧି ଯେତିକି ତଫାତ୍‌ରେ ଆଗେଇ ଚାଲିଛି । ମଣିଷର କାରିଗରୀ ମନ ବା ରୁଚି ସେତିକି କିମ୍ବା ତାଠାରୁ ଅଧିକ ନୂଆ ନୂଆ ପ୍ରବୃତ୍ତିଦ୍ୱାରା ପରିମାର୍ଜିତ ହୋଇ ବଢ଼ି ଚାଲିଛି । ଫଳରେ ଆଜି ଦେଖିଲାବେଳକୁ ଯେଉଁଠି ଡେକ୍ରୋନ୍‌ ଶାଢ଼ୀ ବାହାରିଲାଣି, କାଲିକି ତା’ର ବଜାର ଆଉ ନାହିଁ । ସେଇଟା ପୁରୁଣା ହୋଇଗଲା । ରୁବିଭଏଲ ବା ଟେରୀଭଏଲ ଯେଉଁଟି ସର୍ବାଧୁନିକ ସେଇ ବଜାରକୁ ଆସୁ ।

 

ବାଆଁ ହାତରେ ଘଡ଼ି ନ ପିନ୍ଧି ଡାହାଣ ହାତରେ ପିନ୍ଧିବାଟା ପୁରୁଣା କାଳରେ କୌଣସି ଲୋକଙ୍କର ରୁଚି ନଥିଲା । ସ୍ତ୍ରୀ ଲୋକମାନେ ସେମିତି ପିନ୍ଧି ଆସୁଥିଲେ । ଏଣିକି ପୁରୁଷମାନେ ଡାହାଣ ହାତରେ ଘଣ୍ଟା ପିନ୍ଧି ଫେସନ ଦେଖେଇ ହେଲେଣି । ମନେ ମନେ ସେମାନଙ୍କୁ ଭାରି ସୁନ୍ଦର ଦିଶୁଛି । ଆପେ ଉତ୍‌ଫୁଲ୍ଲିତ ହୋଇ କଳ୍ପନା କରୁଛନ୍ତି ଯେ ତରୁଣୀମାନେ ତାଙ୍କୁ ଚାହିଁବେ । ଯୌବନର ମାଦକତାକୁ ଇଙ୍ଗିତ କରିବେ ।

 

ହେଲେ କୋଉ ଝିଅ ଏମିତି ରଙ୍କୁଣୀ ହୋଇଛି ଯେ ଖାଲି ଆଖି ଗଳେଇ ଚାହୁଁଛି । ମୋତେ ଯେତେବେଳେ ସିଏ ଦେଖିବାକୁ ଆସିଥିଲେ, ତାଙ୍କ ସାଙ୍ଗରେ ଆସିଥିବା ବନ୍ଧୁ ଦୁହିଁଙ୍କ ମଧ୍ୟରୁ ଜଣେ ଡାହାଣ ହାତରେ ଘଣ୍ଟା ପିନ୍ଧିଥିଲେ । ଇଚ୍ଛା ହେଉଥିଲା, ଶାଢ଼ୀ ଖଣ୍ଡିଏ ତାଙ୍କୁ ପିନ୍ଧିବାକୁ ଦେଇଥାନ୍ତି । ଆଉ କହିଥାନ୍ତି, ମାଗୁର ନିଶକୁ କାଟି ପକେଇ ଆସି ଏଇ ଶାଢ଼ୀ ଖଣ୍ଡିଏ ପିନ୍ଧି ଦେଖିଲ ! ଡାହାଣ ହାତରେ ଘଣ୍ଟା ସାଙ୍ଗକୁ ସ୍ନୋମଖା ମୁହଁ, ଛାପିଛାପିକିଆ ବ୍ଲାଉଜ କପଡ଼ାର ହାୱାନି ସାଙ୍ଗକୁ ମୁଣ୍ଡରେ ମାଇପଙ୍କ ଭଳି କେଶବିନ୍ୟାସ ଓ କପାଳରେ ସିନ୍ଦୂର କଲି । ବାଃ, ବର ଆଉ ମୋତେ ପସନ୍ଦ କରି ଆସିଥିଲେ କ’ଣ ମ । ସେଇ ବନ୍ଧୁଙ୍କୁ ତ ପସନ୍ଦ କରି ସିଆଡ଼େ ରଖିଥାନ୍ତେ !

 

ଏଇ କଥା କହି ଅବଶ୍ୟ ମୁଁ ମୋ ସ୍ୱାମୀଙ୍କୁ ପରେ ଅନେକ ହସେଇଛି । ସେ ମଧ୍ୟ ତାଙ୍କ ବନ୍ଧୁଙ୍କୁ ତାହା ଖୋଲି କହିବାରେ ପଶ୍ଚାତ୍‌ପଦ ହୋଇନାହାନ୍ତି ।

 

ସେ ସବୁ ପରର କଥା । ମୋ ବିବାହ ସରିଲା । ଚଉଠି ରାତି ହେଲା । ଚଉଠି ରାତିର କାର୍ଯ୍ୟକ୍ରମ ସିନା ମୋତେ ଜଣା, ହେଲେ ଉପକ୍ରମ ? ନୂଆବୋଉ ତ ଆଡ଼ୁସାଡୁ କହି ଭୁଲେଇ ଦେଇଥିଲେ । ମୁଁ ଏବେ କରିବି କ’ଣ ? କିଛି ନ ଆସିଲେ ସେ ଯଦି ମୋତେ ହୁଣ୍ଡୀ ଭାବନ୍ତି, ତାହେଲେ କଥା ସରିଲା । ଡାକ୍ତର ଲୋକ, ମନ ସେମିତି କେତେ ଯୋଜନ ଉଡ଼ୁ ନଥିବ ! ମୁଁ ତାହା ଭାବି ଅସ୍ଥିର ହୋଇ ଉଠୁଥିଲି ।

 

ନିର୍ଜନ, ଗୋପନ କକ୍ଷରେ ଆମେ ଦୁହେଁ ଭେଟାଭେଟି ହେଲୁ ! ଦୂରତା ଥିଲା ସଂସ୍ପର୍ଶ । ମାପିବାକୁ ଉଦ୍‌ବିଘ୍ନ ହୋଇ ଉଠିଥିଲା ସ୍ପନ୍ଦନ । ପରଶର ରଜ୍ଜୁ ଲମ୍ବା ହୋଇଗଲା । ସେ ଏକ ଚାଲାଖି ଖେଳି ବସିଲେ । ଟେଥିସ୍କୋପ୍‌ଟାକୁ ଟେବୁଲ ଉପରୁ ନେଇ ଆସି ସେ ମୋ ଛାତି ଦେହରେ ଲଗେଇ ଦେଲେ । ଅନୁମାନ କରୁଥିଲେ ମୋ ମନର ଉଚ୍ଚାଟ । ତା’ପରେ ସେ ତାହାକୁ ଏକ ଦଉଡ଼ା ଭଳି ବ୍ୟବହାର କଲେ ମୋ ଶରୀରର ଚତୁଃପାର୍ଶ୍ୱରେ । ମୁଁ ତାଙ୍କ ଛାତିକି ଆଉଜି ଆସି ସତ୍ତା ହରାଇ ଦେଲି । ମୋ ଯୌବନରେ ଆକାଶରେ ଯେ ନୂଆ ରକେଟର ଉଦ୍ଭାବନକୁ ମୁଁ ଅନୁଭବ କରି ବସିଲି ତାହା ନୁହେଁ । ହଜିଯିବାକୁ ମୁଁ ବାଧ୍ୟ ହୋଇଥିଲି ଚେତନାର ଶିହରଣରେ । ଜୁଆର ଯେଭଳି ମାଡ଼ି ଆସିଥିବ ସେ କଥା ତୁମେ ଭାବିବ । ସବୁ କଥା ଖୋଲି କହି ଦେଲେ ମଜ୍ଜା ଆଉ କେଉଁଠି ରୁହେ ?

 

ତୁମକୁ ସେଦିନ ରାତିରେ ବାସ୍ତବିକ୍‌ ମୁଁ ଭୁଲିଯାଇଛି । ପୁଣି ଏ କଥା ମୁଁ ଦୃଢ଼ଭାବରେ କହିପାରେ ଯେ ପ୍ରତି ପ୍ରେମିକ ପ୍ରେମିକା ବିଚ୍ଛିନ୍ନ ହୋଇ ଅନ୍ୟ ସହିତ ବିବାହ କଲେ ସେଇ ରାତିରେ ସେଇ ବେଳାଭୂଇଁରେ କେତେକ ମୁହୂର୍ତ୍ତ ଲାଗି ସେମାନେ ଭୁଲିଯାଇଥାନ୍ତି ସେମାନଙ୍କ ପୂର୍ବସ୍ଥିତି । ତୁମେ କହିପାର ଉପକୂଳ ଖାଇଗଲେ ବାନ୍ଧି ହୋଇଯାଇପାରେ, ମାତ୍ର ବିବାହରେ ବିଚ୍ଛିନ୍ନ ହୋଇଯାଇଥିବା ପ୍ରେମର ଆଉ ସଂଯୋଗ ହୋଇପାରେନା । ତେଣୁ ଏ ନିର୍ମମତାର ପରିତ୍ରାଣ ନାହିଁ ।

 

ବିଧିର ଗତି ସେଇଆ ନୁହେଁ ଆଉ କ’ଣ ବିଜୁଭାଇ ? ସ୍ତ୍ରୀ ପକ୍ଷରେ ସ୍ୱାମୀ ହେଉଛି ବଡ଼-। ପ୍ରେମିକ ନୁହେଁ । ପରପୁରୁଷକୁ ସେ ନିଜ ସ୍ୱାମୀର ପ୍ରତିଛବିରେହିଁ ଦେଖିଥାଏ । ସେଥିଲାଗି ମୁଁ ନିହାରୀକାଙ୍କୁ ଦୋଷ ଦେଉଛି । ତାଙ୍କୁ ଯଦି ମୋ ବାର୍ତ୍ତା ତୁମେ ଜଣାଇପାର ତେବେ କୌଣସି ଅସ୍ୱାଭାବିକ ହୁଅନ୍ତା ନାହିଁ ।

 

ମୋ ଚିଠିରୁ ଏଇସବୁ ସାରାଂଶ ମନରେ ଗୁନ୍ଥି ତୁମେ ନିଶ୍ଚୟ ରାଗିଉଠୁଥିବ ବିଜୁଭାଇ । ହେଲେ ତପସ୍ୟାର ଫଳ ଗୋଟିଏ ଜନ୍ମପାଇଁ ନୁହେଁ । ଆର ଜନ୍ମକୁ ଅଛି । ମୁଁ ସେଇ ଆସନ୍ତା ଜନ୍ମପାଇଁ ତୁମ ଅପେକ୍ଷାରେ ରହିଛି । ଏ ଜନ୍ମରେ ତୁମେ ଆଗାମୀ ନୂଆବୋଉଙ୍କର ହୋଇଯାଅ ।

 

ରେଣୁ ଚିଠିର ଆହୁରି କିଛି ଅଂଶ ରହିଗଲା । ନିହାରୀକା ଆସିବା ପୂର୍ବରୁ ସେ ଯେତିକି ପଢ଼ିଥିଲା ସେତିକି । ଗୋଟାଏ ଭାଗବତ ସେ ଲେଖିଛି । ସେହି ଖଣ୍ଡିକ ତା’ ପାଖରୁ ଯେ ସେ ପାଇବ ଏ ବିଶ୍ୱାସ ତା’ର ନଥିଲା ।

 

ତା’ ସ୍ୱାମୀ ଡକ୍ଟରେଟ୍‌ ପାଇବା ଉପଲକ୍ଷେ ଯେଉଁ ସମ୍ବର୍ଦ୍ଧନା ସଭା ଆୟୋଜିତ ହେଉଛି, ସେଥିଲାଗି ନିମନ୍ତ୍ରଣ କରିବା ସଙ୍ଗେ ସଙ୍ଗେ ସେଇ ଚିଠିଟି ଆସିଛି ।

 

ପୁଣି ପରେ ପଢ଼ିବାକୁ ସଯତ୍ନେ ସାଇତି ରଖିଲା ବିଜୁ ।

Image

 

ଦ୍ୱାଦଶ ପରିଚ୍ଛେଦ

 

କୀଟଦଂଷ୍ଟ କୁସୁମ ଅପେକ୍ଷା ଦେବତାଙ୍କ ଶିରଛଡ଼ା କୁସୁମର ଗର୍ବ ବେଶୀ । ସେଇଲାଗି କୁସୁମ ଫୁଟିବାକୁ ବ୍ୟାକୁଳ ହୋଇ ଉଠେ । ଦେବତାଙ୍କ ଶିରରେ ପହଞ୍ଚିବା ତା’ର ଲକ୍ଷ୍ୟ । ଭକ୍ତ ହସ୍ତରେ ନିବେଦିତା ହେବାପାଇଁ ତା’ର ଉଦ୍ଦେଶ୍ୟ । କିଶୋରୀ ଅବସ୍ଥାରୁ ଝିଅମାନଙ୍କର ଲକ୍ଷ୍ୟ ସେଇଆ । ବିବାହ ସେମାନଙ୍କ ମନରେ କାମନା ସୃଷ୍ଟି କରିଥାଏ । ସ୍ୱାମୀପାଇଁ ଯୌବନର କୁଞ୍ଜ ସଜେଇ ରଖିଥାନ୍ତି ସେମାନେ । କେମିତି ମଥାରେ ସିନ୍ଦୂର ନାଇ, ଓଢ଼ଣି ଟାଣି ପୁରୁଷ ସାଥିରେ ସ୍ତ୍ରୀ ଭଳି ଗତି କରିବେ ତାହାହିଁ ଥାଏ ଆବାଲ୍ୟରୁ ପ୍ରତ୍ୟେକ ଝିଅମାନଙ୍କର ସ୍ୱପ୍ନ ।

 

ନିହାରୀକା ମଧ୍ୟ ସେହି ସ୍ୱପ୍ନ ଦେଖିଥିଲେ । ମନ-ରାତ୍ରିରେ ଅନେକ ଥର ଶୋଇ ସେଇଭଳି ସ୍ୱପ୍ନରେ ଚେଇଁ ଉଠିଥାନ୍ତି ସେ । ଝିଅ ଦିନ କଟିଗଲେ ସେ ପତ୍ନୀ ହେବେ । ଅପାର ଆନନ୍ଦ ଖେଳି ଯାଉଥିଲା ମନରେ ।

 

ସେତେବେଳେ ନିହାରୀକାଙ୍କ ବୟସ ଥିଲା ମାତ୍ର ବାରବର୍ଷ । କିଶୋର ଅବସ୍ଥାରେ ସେ ପଦାର୍ପଣ କରୁଥିଲେ । ଉଚ୍ଚ ବିଦ୍ୟାଳୟର ଛାତ୍ରୀଭାବେ ପାଠପଢ଼ା ପ୍ରତି ତାଙ୍କର ଯେତେ ଆଗ୍ରହ ନଥିଲା, ବେଶୀ ସେ ଆକୃଷ୍ଟ ହୋଇ ପଡ଼ୁଥିଲେ ସଙ୍ଗୀତ ପ୍ରତି । ବିଦ୍ୟାଳୟରେ ସଙ୍ଗୀତ ପ୍ରତିଯୋଗିତା ହେଲେ ସେ ସେଥିରେ ଅଂଶ ଗ୍ରହଣ କରିବାକୁ ଆଗଭର ହୋଇଥାନ୍ତି । ସଙ୍ଗୀତ ରାଜ୍ୟରେ ଖଣ୍ଡିଉଡ଼ା ଦେଇ ଶିଖୁଥାନ୍ତି ନିହାରୀକା । ତେଣୁ ପ୍ରତିଯୋଗିତାରେ ଅସଫଳ ହେଲେବି ତାଙ୍କର କୌଣସି ଅବଶୋଷ ନଥାଏ ।

 

କ୍ରମେ ଅନୁକ୍ରମେ ତାଙ୍କ କଣ୍ଠରେ ସରସ୍ୱତୀ ବିଜେ କଲେ । ବିଦ୍ୟାଳୟରେ ଶେଷ ଦୁଇବର୍ଷ ମଧ୍ୟରେ ସେ ପରିଗଣିତା ହେଲେ ଜଣେ ସୁଗାୟିକାରୂପେ । ତାଙ୍କ କଣ୍ଠ ଯେ କେବଳ ଶ୍ରୋତାଙ୍କ ମନକୁ ଜୟ କଲା ତାହା ନୁହେଁ, ଅରଣ୍ୟର କାକଳୀ ମଧ୍ୟ ତାଙ୍କ ରାଜ୍ୟରେ କଣ୍ଠ ଝରାଇବାକୁ ଗୁମାନରେ ବସି ରହିଲା । ନିହାରୀକାଙ୍କୁ ତ ସେ ପରାସ୍ତ କରିପାରିବନାହିଁ ତେଣୁ ସେ ଅପମାନ ପାଇବାକୁ କୁହୁତାନ ମେଲି ବସିବ କାହିଁକି ? ବ୍ଳକ, ଅନୁଷ୍ଠାନ ବା ସଙ୍ଗୀତ ଉତ୍ସବମାନଙ୍କରେ ବୀଣା ମଧ୍ୟ ତାର ଛିଣ୍ଡାଇ ଲୁଚି ରହିବାପାଇଁ ଇଚ୍ଛା ପ୍ରକାଶ କଲା । କାରଣ ସେ ନିହାରୀକାଙ୍କ ସମତାଳ ଦେବାପାଇଁ ଅନୁପଯୁକ୍ତ ।

 

ନିହାରୀକା ବିଜୟିନୀ ହେଲେ । ପ୍ରାରମ୍ଭ ପ୍ରଭାତର ବସନ୍ତ ସ୍ପର୍ଶରେ ସେ ଉଜ୍ଜ୍ୱଳି ଉଠିଲେ-। ମଫସଲ ଗାଁର ଝିଅ ଥିଲେ ନିହାରୀକା । ପାରିବାରିକ ସମ୍ବଳ ତାଙ୍କର ସେତେ ସ୍ୱଚ୍ଛଳ ନଥିଲା । ବାଲ୍ୟକାଳରୁ ପିତାମାତାଙ୍କୁ ହରାଇ ଦାଦା ଖୁଡ଼ୀଙ୍କ ପାଖରେ ଚଳି ଆସୁଥିଲେ ସେ ।

 

ଉଭୟ ଦାଦା ଖୁଡ଼ୀଙ୍କର ସ୍ୱଭାବ ତଥା ବ୍ୟବହାର ଯେ ତାଙ୍କ ପ୍ରତି ଭଲଥିଲା ତା’ ନୁହେଁ-। ସେମାନେ ନିହାରୀକାଙ୍କୁ ଅତି କ୍ରୂର ଚକ୍ଷୁରେ ଦେଖୁଥିଲେ । ଉଦ୍ଦେଶ୍ୟ ଥିଲା, ନିହାରୀକା ଯେ କୌଣସି ଦୈବୀ ଶକ୍ତି ବଳରେ ଯଦି ନିଶ୍ଚିହ୍ନ ହୋଇଯାଆନ୍ତି ତେବେ ସେମାନଙ୍କ ଭବିଷ୍ୟତରୁ ଏକ କଣ୍ଟା ଯିବ ।

 

ହେଲେ ତାହା ହେଲାନାହିଁ । ଦଇବ ତାଙ୍କୁ ବଞ୍ଚାଇଲା । ଛୋଟରୁ ବଡ଼ଟିଏ କଲା । କିଶୋରୀରୁ ସେ ହେଲେ ଯୁବତୀ । ଯୌବନ ଆସନରେ ପହଞ୍ଚିବା ପରେ ପରେ ତାଙ୍କ ସୁନାମ ବ୍ୟାପକ ଆକାରରେ ପ୍ରଚାରିତ ହେବାକୁ ଲାଗିଲା ।

 

ଅନେକ ସୁଧୀ ବିଜ୍ଞ ବ୍ୟକ୍ତି ପରାମର୍ଶ ଦେଲେ ଯେ ସହରକୁ ଯାଇ ସେ ରେଡ଼ିଓରେ କଣ୍ଠଦାନ କରନ୍ତୁ । ନିହାରୀକା ଶୁଣିଲେ । ସେମାନଙ୍କ ମତ ତା’ ମନକୁ ଠିକ୍‌ ପାଇଲା । ମାତ୍ର ଦାଦା ଖୁଡ଼ୀ ଆପଣା ସ୍ୱାର୍ଥ ଆଳରେ ଅବଜ୍ଞା କରି ବସୁଥିଲେ । ବଢ଼ିଲା ଝିଅ ତାକୁ ଆମେ ସହରକୁ ପଠେଇବୁ ? ଲୋକେ କ’ଣ କହିବେ ?

 

ନାକ ଟେକି ଦେଉଥିଲେ ଦାଦା ଖୁଡ଼ୀ । କହୁଥିଲେ, ଝିଅ ଜନମ ପର ଘରକୁ । ତାକୁ ବାହା ନ ଦେଇ ସହର ବଜାରରେ ବୁଲେଇଲେ ଆମ ବିବେକ କ’ଣ କହିବ ? ତା’ ଭାଗ୍ୟରେ ଥିଲେ ସେ ଛତରୀଙ୍କ ପରି ସହର ବଜାରରେ ବୁଲିପାରେ । କିନ୍ତୁ ଆମ ଆକଟରୁ ଆମେ କେବେହେଲେ ଛାଡ଼ିବୁନାହିଁ ।

 

ଦାଦା ମହାନ୍‌ କୁଚକ୍ରୀ ଲୋକ । ତାଙ୍କ ମାୟାରେ ପଶିବା ସହଜ ନୁହେଁ । ଏପାଖ ଗଛକୁ ସେପାଖରେ ଥୋଇବା ଲୋକ ସେ । ଭାରି ଅର୍ଥଲୋଭୀ । ପଇସାଟିଏ ସ୍ୱାର୍ଥ ଦେଖିଲେ ପରର ଛିଦ୍ର କାଢ଼ି ତାକୁ ଖାଲରେ ନ ପକାଇ ସେ ଛାଡ଼ନ୍ତିନାହିଁ । ପର ଧନ, ପର ସମ୍ପତ୍ତି ବାଡ଼ିକୁ ସବୁବେଳେ ଆଶା କରିଥାନ୍ତି ସେ । ପୈତୃକ ସମ୍ପତ୍ତି ଯେତିକି ଥିଲା ଏହିପରି ଅସତ୍‌ ଉପାୟରେ ସେ ବଢ଼େଇବାକୁ ଲାଗିଲେ ।

 

ଖୁଡ଼ୀ ମଧ୍ୟ ତାଙ୍କ ସାଙ୍ଗକୁ ଯୋଡ଼ି । ତାଙ୍କ ସାଣଦିଆ ମୁହଁ ଖଣ୍ଡିକ ଆଗରେ ସମସ୍ତେ ନରମି ଯାଆନ୍ତି । ନିହାରୀକା ଉପରେ ମିଛରେ ସଦାସର୍ବଦା ରାଉଁ ରାଉଁ, କାଉଁ କାଉଁ ହେବା ତାଙ୍କ ପକ୍ଷରେ ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା ।

 

ନିହାରୀକା ବଢ଼ିବାକୁ ଲାଗୁଥିଲେ ସୌନ୍ଦର୍ଯ୍ୟର ଉପବନରେ । ସୂର୍ଯ୍ୟ ଚନ୍ଦ୍ରଙ୍କ କିରଣ ଲାଭ କରି ସବୁଜିମା ଉତ୍‌ଫୁଲ୍ଲିତ ହେବା ସମ ନିହାରୀକା ଉନ୍ମୁଖା ହୋଇ ଉଠୁଥିଲେ । ତାଙ୍କ କଣ୍ଠରୁ ଝରି ପଡ଼ୁଥିଲା ପ୍ରଣୟର ସଙ୍ଗୀତ । ମଧୁଚନ୍ଦ୍ରିକାରେ ପରିବର୍ଦ୍ଧିତା ସେ ମୋଟେ ସ୍ଥିର ହୋଇରହିପାରୁ ନଥିଲେ ।

 

ଅନୁସନ୍ଧାନର ଆଖି ତାଙ୍କର ଲକ୍ଷ୍ୟ ଭେଦ କରୁଥିଲା ଉପଯୁକ୍ତ ସାଥୀଟିଏ ପାଇଁ । ଯେ କି ତାଙ୍କୁ ଠିକ୍‌ ବୁଝିପାରିବ । ତାଙ୍କ ମନ କାନନର କୋକିଳକୁ ସାଦରେ ସମ୍ଭାଷଣ କରିବ । ଦୁଃଖୀ, ଦରିଦ୍ର ହେଲେବି ତାଙ୍କର ଅବଶୋଷ ନାହିଁ । ମାତ୍ର ସେ ହୋଇଥିବେ ଦରଦୀ । ସେ ହୋଇଥିବେ ବିଚିତ୍ରମନା । ସେ ହୋଇଥିବେ ଅସଂଖ୍ୟ ଫଗୁଣର କବି ।

 

ସେଇଭଳି ଜଣେ ଯୋଗ୍ୟ ସାଥୀର ଆବଶ୍ୟକତା ଥିଲା ନିହାରୀକାଙ୍କ ଲକ୍ଷ୍ୟ ସ୍ୱୟମ୍ବରରେ । ସେ କଳ୍ପନାର ଦୂରବୀକ୍ଷଣ ଯନ୍ତ୍ରରେ ସେହିଭଳି ପାତ୍ରଙ୍କର ସ୍ୱରୂପ ଦେଖିବେ ବୋଲି ସଚେଷ୍ଟ ହୋଇ ଚାହିଁ ରହିଥିଲେ । ମାତ୍ର ଦେଖି ହେଲାନାହିଁ । ଦୁର୍ଭାଗ୍ୟର କୁହୁଡ଼ି ତାଙ୍କ ଆତୁର ଆଖିକୁ ଅବରୋଧ କରିଦେଲା । ଅର୍ଥପିପାସୁ ଦାଦା ଖୁଡ଼ୀଙ୍କର ଚକ୍ରାନ୍ତ ନିହାରୀକାଙ୍କ ଆଶା ଆକାଙ୍‌କ୍ଷାକୁ ପଣ୍ଡ କରିଦେଲା ।

 

ସେମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆୟୋଜିତ ହେଲା ତାଙ୍କ ବିବାହ । ପାଖ ଆଖ ଗାଁଗଣ୍ଡାରେ କେହି ଜଣାଶୁଣା ନଥିବା ସ୍ଥାନମାନଙ୍କରେ ପାତ୍ର ସନ୍ଧାନରେ ରହିଲେ ତାଙ୍କ ଦାଦା । ତିନି ଚାରି ଜିଲ୍ଲା ଡେଇଁ ଏଇ ଧନଶାଳୀ ଯୁବକ ରାମଗୋପାଳ ଆଖିରେ ପଡ଼ିଲେ ।

 

ରାମଗୋପାଳ ହେଉଛନ୍ତି ପିତୃମାତୃହରା ସନ୍ତାନ । ତାଙ୍କର ଏକମାତ୍ର ବିଧବା ପିଉସୀ ବ୍ୟତୀତ ଅନ୍ୟ କେହି ଆତ୍ମୀୟସ୍ୱଜନ ନଥିଲେ । ଦାଦା ନିଜର ସ୍ୱାର୍ଥ ଦୃଷ୍ଟିରୁ ପିଉସୀଙ୍କ ସହିତ ହାତ ମିଳେଇଲେ ।

 

ଚିହ୍ନାଜଣା ପ୍ରତ୍ୟେକ ଅନୁମାନ କରି ଆସୁଥିଲେ ଯେ କୁଷ୍ଠରୋଗୀ ହେତୁ ରାମଗୋପାଳଙ୍କୁ କେହି ବିବାହ କରିବେନାହିଁ । ସେଥିପାଇଁ ଅତି ବ୍ୟାକୁଳ ଥିଲେ ତାଙ୍କ ପିଉସୀ । ରାମଗୋପାଳ ବିବାହ ନ କଲେ ଯେ ଏତେ ବଡ଼ ବଂଶ ଲୋପ ହୋଇଯିବ । ତାଙ୍କର ଭଲା ସନ୍ତାନ ସନ୍ତତି ଥାଆନ୍ତେ । ସେ ଥିଲେ ଏକ ଦିଗରେ ସ୍ୱାମୀହୀନା, ଅପର ଦିଗରେ ସନ୍ତାନହୀନା ।

 

ପିତୃବଂଶ ରକ୍ଷା କରିବା ଦିଗରେ ପିଉସୀ ରାମଗୋପାଳଙ୍କର ବିବାହ ଆୟୋଜନ ଗୋପନରେ କରି ବସିଲେ ।

 

ଦାଦା ପିଉସୀଙ୍କର ଘନ ଚକ୍ରାନ୍ତକୁ ଭେଦ କରିବାର ସନ୍ଧାନ କେହି ପାଇପାରିଲେନାହିଁ-। ନିହାରୀକାଙ୍କ ଫଟୋ ଦେଖିପିସାସିତ ରାମଗୋପାଳଙ୍କ ପାଟିରୁ ଲାଳ ବୋହି ପଡ଼ିଲା । ସେ ସମ୍ମତି ଦେଲେ ବିବାହପାଇଁ । ଅବଶେଷରେ ଦୁହିଁଙ୍କର ଶୁଭପରିଣୟ ଘଟିଲା ଏକ ନିର୍ଜନ ଅଜ୍ଞାତ ସ୍ଥାନରେ-

 

ନିହାରୀକାଙ୍କୁ ସେହି ସ୍ଥାନରୁ ବଧୂଯାତ୍ରା ଆରମ୍ଭ କରିବାକୁ ପଡ଼ିଥିଲା । ଜନସମାଗମହୀନ ସୁଦୂର ରାଜ୍ୟରୁ ସେ ଯେତେବେଳେ ବୋହୂ ହୋଇ ରାମଗୋପାଳଙ୍କ କରରେ ଆସୁଥିଲେ ତାଙ୍କୁ ସେତେବେଳେ ସନ୍ଦେହର ଛାୟା ଆଚ୍ଛନ୍ନ କରି ଦେଇଥିଲା । ମନ ଭିତରେ ସେ ଅନେକ ଥର ପ୍ରଶ୍ନ ପଚାରୁଥିଲେ ଦାଦା କାହିଁକି ଧନଲୋଭରେ ତାଙ୍କୁ ଏତେ ଦୂରରେ ବିବାହ ଦେଲେ ? ସେଥିରେ କିଛି ଦୂରଭିସନ୍ଧିନାହିଁ ତ ?

 

ଢେଉ ପରେ ଢେଉ ବାଡ଼େଇ ହୋଇଯାଉଥିବା ନିହାରୀକାଙ୍କ ମନ ଘରେ ପ୍ରବେଶ କରିବାମାତ୍ରେ ସେଇ ସୁରାକ୍‌ ଅନୁଭବ କରିବାକୁ ପାଇଲେ । ପାଖ ଲୋକ ଯେଉଁମାନେ ତାଙ୍କୁ ଦେଖିବାକୁ ଆସୁଥିଲେ, ସେମାନେ ଅନୁକମ୍ପା ବହି ତାଙ୍କ ଭାଗ୍ୟକୁ ଆଶୀର୍ବାଦ କରିଯାଉଥିଲେ । ସେଥିରୁ ବୁଝିନେଲେ ନିହାରୀକା । ପୂରାପୂରି ଷଡ଼ଯନ୍ତ୍ର । ତାଙ୍କ ଜୀବନ ସହିତ ଖେଳ ଖେଳି ସେମାନେ ଫାଇଦା ଉଠାଇବାର କ୍ଷେତ୍ର ତିଆରି କରି ଖସି ଯାଇଛନ୍ତି ।

 

ସେଇ ଛିଦ୍ର ଜାଣିବାକୁ ନିହାରୀକାଙ୍କ ଚତୁର ଚକ୍ଷୁ ଘୁରି ବୁଲୁଥିଲା । ଠାକୁରେ ତାଙ୍କ ପ୍ରତି ସଦୟ ହେଲେ ଓ ତାଙ୍କୁ ସବୁ ଦେଖେଇ ଦେଲେ । ଅତି ଆନନ୍ଦର ଚଉଠି ରାତିରେ ନିହାରୀକା ସମ୍ମୁଖରେ ରାମଗୋପାଳଙ୍କୁ ବିଲୋକନ କରି ଭୀଷଣଭାବେ ଆଘାତ ପ୍ରାପ୍ତ ହେଲେ । ନାରୀ ଦୁର୍ବଳା । କିନ୍ତୁ ନିହାରୀକା ତାହା ନୁହନ୍ତି । ସେ ଦୁର୍ବଳତାଠାରୁ ଅନେକ ଊର୍ଦ୍ଧ୍ୱରେ । ଝଡ଼ ଝଞ୍ଜା ସହି ଯେ ପଥର ପାଲଟି ଆସିଛନ୍ତି, ତାଙ୍କୁ ଷଡ଼ଯନ୍ତ୍ର ବା କେତେ ଦୁର୍ବଳ କରିପକାଇବ !

 

ମୁହୂର୍ତ୍ତର ମୁକାବିଲା କରିଥିଲେ ନିହାରୀକା । ସମୟର ଚକ୍ରାନ୍ତକୁ ପଣ୍ଡକରି ଭିନ୍ନ ଯାତ୍ରା ପଥରେ ସେ ସାଜିଲେ ପଥୁକି ।

 

ସେଇ ଦୁର୍ଦ୍ଦିନର ନିହାରୀକା ଆଜି ଗଣ୍ୟମାନ୍ୟା ନାରୀ ।

Image

 

ତ୍ରୟୋଦଶ ପରିଚ୍ଛେଦ

 

ଗୋପନ କଥା ପ୍ରକାଶ କରିଦେଲେ ଯେତିକି ଖୁସି ଲାଗେ, ଶ୍ରୋତା ଯେ ଶୁଣେ ତାକୁ ତା’ଠାରୁ ଆହୁରି ବେଶି ମିଠା ଲାଗେ । ନିହାରୀକା ତାଙ୍କ ଗୋପନ ଅତୀତକୁ ପୂରାପୂରି ବଖାଣି ବସିଥିଲେ ବିଜୁ ଆଗରେ । କିନ୍ତୁ ବିଜୁ ତା’ କାହାଣୀ କାହାକୁ ସମ୍ପୂର୍ଣ୍ଣ ଭାବରେ ଖୋଲି କହିନାହିଁ । ଜ୍ୟୋତ୍ସ୍ନା ଯାହା ଶୁଣିନାହିଁ, ତାହା ରେଣୁ ଶୁଣିଛି । ରେଣୁ ଯାହା ଶୁଣିନାହିଁ, ତାହା ନିହାରୀକା ଶୁଣିଛନ୍ତି-

 

ନିହାରୀକା ଜାଣିଶୁଣି ବା ଅଜଣା ଅଶୁଣା ଭାବରେ ବିଜୁ ଲାଗି କିଛି କରିବାକୁ ଯାଇନାହାନ୍ତି । ବିଜୁ ଜୀବନରେ ସେ ଚାହିଁଛନ୍ତି ପ୍ରତିଷ୍ଠା । ଚମ୍ପାବାଈର ନଷ୍ଟ ଜୀବାଣୁ ନିକଟରୁ ତାଙ୍କୁ ମୁକ୍ତ କରି ସେ ଆଣିବାକୁ ଚେଷ୍ଟା କରିଛନ୍ତି ସୁସଂସ୍କାରର ଆଲୋକ ।

 

ବିଜୁ ବିବାହ କରିବେ । ତାଙ୍କ ବିଜୁ ମଥାରେ ମୁକୁଟ ନାଇ ବେଦୀରେ ବସିବେ । ନିହାରୀକା ଦେଖିଲେ ଛାତି ତାଙ୍କର କୁଣ୍ଢେମୋଟ ହୋଇଯିବ । ଜ୍ଞାନ ଚକ୍ଷୁରେ ରାମଗୋପାଳଙ୍କୁ ନିର୍ଦ୍ଦେଶ କରି ସେ କହିବେ । ଦେଖୁଛ ତୁମେ, ବିଜୁବାବୁଙ୍କୁ ଦେଖୁଛ । ସେ ତ ତୁମ ପରି ଯୁବକ । ତାଙ୍କ ଯୌବନର ସ୍ୱର୍ଣ୍ଣ ପ୍ରାଙ୍ଗଣରେ ରୂପର ସୂର୍ଯ୍ୟ କେମିତି ଚିକ୍‌ ଚିକ୍‌ କରୁଛି ଦେଖିଲ । ଖିଲି ଖିଲି ହସୁଛନ୍ତି ସେ । କପାଳରେ ନାଇଛନ୍ତି ଟୋପି ଟୋପି ଚନ୍ଦନ । ମଥାରେ ଏକ ସିନ୍ଦୂର କଲି । ପାଦରେ ଅଳତାର ଧାର । ସପନପୁରୀ ରାଜକୁମାରୀ ଆସିବେ ତାଙ୍କୁ ବରଣ କରିବାକୁ । ଖୁବ୍‌ ଭଲ ଦେଖାଯାଉଛନ୍ତି ସେ ।

 

ବିଜୁବାବୁଙ୍କ ଶୁଭପରିଣୟର ପରିକଳ୍ପନା ଠିକ୍‌ ଏଇଭଳି ଯଥାର୍ଥ ହେବ । ଯାହା ହୁଏତ ରାମଗୋପାଳଙ୍କ ଭାଗ୍ୟରେ ସଫଳ ହୋଇପାରିଲାନାହିଁ । ନିହାରୀକା କହିଲେ, ବିଜୁବାବୁ, ମୋତେ ଋଷିଆରୁ ଯେଉଁ ନିମନ୍ତ୍ରଣ ଆସିଛି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ, ସେଥିଲାଗି ମୁଁ ଭାରି ଖୁସି । ସେ ନିମନ୍ତ୍ରଣକୁ ମୁଁ ସାଦରେ ଗ୍ରହଣ କରୁଛି । ମୋର ଇଚ୍ଛା, ମାନସିକ ଚିନ୍ତା ଯନ୍ତ୍ରଣାରୁ ରକ୍ଷା ପାଇବାକୁ ମୁଁ ପୂରାପୂରି ଚିରଦିନ ଲାଗି ସେଇ ଋଷିଆରେହିଁ ରହିଯିବି । ଏଇ କେଇଦିନ ରେଡ଼ିଓ ଷ୍ଟେସନରେ ଋଷିଆ ଭାଷା ଶିକ୍ଷା କରିବାପାଇଁ ଯେଉଁ ତାଲିମ୍‌ ଦିଆଗଲା, ତାହା ମୋତେ ଯାତ୍ରା ପଥରେ ନିଶ୍ଚୟ ସହାୟକ ହେବ ଓ ମୁଁ ଖୁସିରେ ସେ ଦେଶ ନାଗରିକମାନଙ୍କ ସହ ମିଳିମିଶି ଚଳିପାରିବି ।

 

ନିହାରୀକାଙ୍କ ପରିକଳ୍ପନାକୁ ଶ୍ରବଣ କରି ବିଜୁ ମନ ଚହଲି ଯାଇଥିଲା । ସେ ନିହାରୀକାଙ୍କ ପ୍ରେମିକ ହୋଇନାହାନ୍ତି ସତ, ମାତ୍ର ତାଙ୍କ ଭଗ୍ନ ମନ୍ଦିରରେ ଗୋପନର ଶିଳାରୂପେ ପୂଜା ପାଇବାକୁ ଆଶା କରି ବସିଛନ୍ତି । ସମ୍ପର୍କର କେତେଦିନ ପରେ ତାହା ଅନୁଭବ କରି ଆସୁଥିଲା ଓ ମୁହଁ ଖୋଲି କିମ୍ବା ତନୁ ମୁକ୍ତ କରି ବିଜୁବାବୁଙ୍କୁ ସେ ଇଙ୍ଗିତ କରିପାରୁ ନଥିଲେ । ପରିଚୟର ପ୍ରଥମ ଦିନରୁ ସେ ରହି ଆସିଛନ୍ତି ଲାଜକୁଳି ଲତା ପରି । ଯେମିତି ଖୋଲା ଥିଲେ ସେମିତି ଅଛନ୍ତି । କେବଳ ମାତ୍ର ତଫାତ୍‌ ଯେ ଅବିବାହିତ ଅବସ୍ଥାରେ ଦାଦା ଖୁଡ଼ୀଙ୍କ ପାଖରେ ଯେଉଁଭଳି ସେ ପଥର ଥିଲେ ବିଜୁବାବୁଙ୍କ ନିକଟରେ ସେହିପରି ନାହାନ୍ତି ।

 

ଦୁର୍ଭାଗ୍ୟର ଉପବେଳାହିଁ ତାଙ୍କର ସାଥୀ । ସଙ୍ଗୀତ ତାଙ୍କ ସାନ୍ତ୍ୱନା ? ଆଉ ଜୀବନ ତାଙ୍କ ପକ୍ଷେ ଯନ୍ତ୍ରଣା । ସେ ମୁମୂର୍ଷୁ ଜୀବନ ନେଇ ବଞ୍ଚିଛନ୍ତି । କିମ୍ବଦନ୍ତୀର ସଭ୍ୟତାରେ ପରିବର୍ଦ୍ଧିତ ହୋଇଛନ୍ତି । ରାମଗୋପାଳ ତାଙ୍କ ଅନୁସନ୍ଧାନରେ ଆସିବେ । ଆସନ୍ତୁ ! କିନ୍ତୁ.....

 

ଡା. ସୁଧାକାନ୍ତଙ୍କର ନିର୍ଦ୍ଦେଶ ଯେ ରେଣୁ ଓ ରାମଗୋପାଳ ଦୁହେଁ ନିହାରୀକାଙ୍କ ପାଖକୁ ଆସିବେ । ତାଙ୍କୁ କୋସିସ୍‌ କରିବେ ଫେରିବାପାଇଁ । ଛାଡ଼ପତ୍ରକୁ ରଦ୍ଦ କରି ସେ ତାଙ୍କରି ହେବେ ।

 

ତାଙ୍କ ପ୍ରସ୍ତୁତିର ସୂଚନା ପାଇଛନ୍ତି ନିହାରୀକା । ରେଡ଼ିଓ ଷ୍ଟେସନରେ ସେଇ ବାର୍ତ୍ତା ଆସି ପହଞ୍ଚିଥିଲା । ଫଳରେ ସମସ୍ତେ ଜାଣିବାକୁ ପାଇଲେ ତାଙ୍କ ଜୀବନର ଅଲିଭା କାହାଣୀ ।

 

ନିହାରୀକା ବିଦଗ୍‌ଧା । ଜୀବନର ଡୋରୀ ତାଙ୍କର ଛିଣ୍ଡି ଯାଇଛି । ସେଥିଲାଗି ରାମଗୋପାଳଙ୍କ ସାଙ୍ଗରେ ତାଙ୍କର ଆଉ ସାଲିଶ୍‌ ସହଯୋଗ ହୋଇ ନ ପାରେ ।

 

ପ୍ରତ୍ୟେକ ନିହାରୀକାଙ୍କୁ ତାହାହିଁ କହୁଥିଲେ । ପରାମର୍ଶ ଦେଇଥିଲେ ଯେ, ସେ ନିଜକୁ ଦୃଢ଼ କରି ରଖନ୍ତୁ । ଶିଉଳି ପାଖକୁ ଯାଇ ପାଦ ଖସାଇଲେ ଲାଭ ବା କ’ଣ ? ବିଭ୍ରାନ୍ତ ଜୀବନରେ ସେ ଯେଉଁ ରାଗ ରାଗିଣୀର ସୁଅ ଛୁଟାଇ ଚାଲିଛନ୍ତି ସେତିକିରେ ଧନ୍ୟ ହେଉ ତାଙ୍କ ନାରୀ ଜୀବନ-

 

ଦରଭଙ୍ଗା ଜୀବନରେ ନିହାରୀକା ପାଉଥିଲେ ଆଶ୍ୱାସନା । ଆଉ ରାମଗୋପାଳ ପାଉଥିଲେ ସାହସ । ରାମଗୋପାଳଙ୍କ ହୃଦୟରେ ପ୍ରତିଶୋଧର ଅଗ୍ନି ହୁ ହୁ ହୋଇ ଜଳି ଉଠୁଥିଲା-

 

ରେଣୁର ସଂସାର ସେ ଦେଖୁଛନ୍ତି । ଉପଲବ୍‌ଧି କରୁଛନ୍ତି । ଡା. ସୁଧାକାନ୍ତ ଓ ରେଣୁ ଦୁହେଁ ସ୍ୱର୍ଗର ସଂସାର ଗଢ଼ିଛନ୍ତି । କେହି କାହାକୁ ଥରକପାଇଁ ହେଲେ ଭୁଲ ବୁଝୁନାହାନ୍ତି । ଅତି ଆନନ୍ଦରେ ଉତ୍ତେଜିତ ହୋଇ ପଡ଼ିଲେ ଡା. ସୁଧାକାନ୍ତ ରାମଗୋପାଳଙ୍କ ସମ୍ମୁଖରେବି ରେଣୁ ସାଙ୍ଗରେ ଥଟ୍ଟା ଖେଳିଥାନ୍ତି । ଖଣ୍ଡେ ବେତ ବାଡ଼ି ହାତରେ ଧରି ରେଣୁର ବ୍ରେସିଆରକୁ ଫୁଟାଇ ଦିଅନ୍ତି । ଆଉ ମଜ୍ଜା ଉପଲବ୍‌ଧି କରିବା ଲକ୍ଷ୍ୟରେ କୁହନ୍ତି, ସାଦା ଦେହରେ ଘର ଭିତରେ ବୁଲଚାଲ କଲେ କ’ଣ ଚଳନ୍ତାନାହିଁ ? ବାହାରୁ କ୍ଳାନ୍ତ ହୋଇ ଫେରିଲେ ତୁମ ଖୋଲା ତନୁ ଦେଖି ଅବା ମନର ଅଳସ ଭାଙ୍ଗିଯାଆନ୍ତା ।

 

ସେତକ ଶୁଣିଲେ ରାମଗୋପାଳ ଶୁଖିଲା ହସ ଖଣ୍ଡେ ହସି ଦିଅନ୍ତି । ମନ ତାଙ୍କର ଫିକା ପଡ଼ିଯାଏ । ବାନ୍ଧବୀ ଯାହାର ଅଛି ତା’ର ଦୁନିଆରେ ଆଉ ଅଭାବ କ’ଣ । ଆମେରିକା, ୟୁରୋପ, ଲଣ୍ଡନ କିଛି ନ ବୁଲି ସେଇ ସଂସାର ଭିତରେ ମୃତ୍ୟୁ ପର୍ଯ୍ୟନ୍ତ ବୁଲୁଥିଲେବି ଅକ୍ଳେଶରେ ଯଥେଷ୍ଟ ଆନନ୍ଦ ପାଇପାରିବ । ତା’ ତୁଳନାରେ ସାରା ସଂସାରର ଆନନ୍ଦ କିଛି ନୁହେଁ ।

 

ଡା. ସୁଧାକାନ୍ତ ରେଣୁକୁ କହିଥିବାର ମଧ୍ୟ ସେ ଶୁଣିଛନ୍ତି । ମୁଁ ତୁମ ବିନା ଋଷିଆ ଗଲେ ମୋତେ କେବେ ସୁଖବୋଧ ହେବନାହିଁ ରେଣୁ । ତୁମେ ମୋର ଚଳନ୍ତି ତାଜମହଲ । ତୁମେ ପାଖେ ପାଖେ ଥିଲେ ମୋଠାରେ ଅମାବାସ୍ୟାର ସ୍ଫୀତି ମୋଟେ ଅନୁଭୂତି ହୁଏନାହିଁ ।

 

ରେଣୁ ହସି ଦିଏ । ରାମଗୋପାଳଙ୍କ ଅଲକ୍ଷ୍ୟରେ ସେ ଆଉଜି ପଡ଼େ ଡା. ସୁଧାକାନ୍ତଙ୍କ ଛାତିରେ । ଫୁଲି ଉଠେ ତା’ର ଗଣ୍ଡଦେଶ । ଆରକ୍ତ ହୋଇ ଉଠେ ତା’ ମୁଖର ମାଧୁରିମା । ଗୋପନରେ ରାମଗୋପାଳ ଦେଖି ନିଅନ୍ତି । ଆଖି ତାଙ୍କର ଖୋସି ହୋଇଯାଏ । ଇଚ୍ଛା ହୁଏ, ପ୍ରତିବାଦର ବନ୍ଧ ଭାଙ୍ଗି ସେ ଲମ୍ଫ ପ୍ରଦାନ କରନ୍ତେ ରେଣୁ ଉପରକୁ ।

 

ଋତୁବର୍ଣ୍ଣା ରେଣୁ !

 

ଆଃ, କି ଚମତ୍କାର ଭଙ୍ଗୀ ! କି ମଦାଳସ ଯୌବନ ।

 

ଚନ୍ଦ୍ର ମଲ୍ଲିକାର ସଂଯୋଗ କେବଳ ସେଇ କ୍ଷେତ୍ରରେହିଁ ସମ୍ଭବ ।

 

ରାମଗୋପାଳଙ୍କୁ ଯଦି ଇଙ୍ଗିତ ଦିଆଯାଆନ୍ତା.....

 

ରେଣୁକୁ ଶିକାର କରିବାପାଇଁ ରାମଗୋପାଳ ଅନେକ ସୁଯୋଗର ବଶବର୍ତ୍ତୀ ହୋଇଛନ୍ତି । କିନ୍ତୁ କୌଣସି ଗୋଟିକ ପ୍ରତି ଅପବ୍ୟବହାରର ଅପଲକ ନୟନ ସୁଦ୍ଧା ସେ ନିକ୍ଷେପ କରିନାହାନ୍ତି ।

 

ରାମଗୋପାଳ ଏଣିକି ଶେଷ ନିଷ୍ପତ୍ତି କରିସାରିଛନ୍ତି ଯେ, ସେ ଯଦି ନିହାରୀକାଙ୍କୁ ଫେରାଇ ଆଣିବାରେ ବିଫଳକାମ ହୁଅନ୍ତି, ତେବେ ସେ ଆତ୍ମହତ୍ୟା କରିବେ । ମାତ୍ର ଅସଦ୍‌ ଉପାୟରେ ସେ ତାଙ୍କ ଜୀବନ କାମନା ପରିତୃପ୍ତି କରିପାରିବେନାହିଁ ।

 

ପାପ ଚିନ୍ତା ପରିହାର କରି ମନରେ ରେଣୁ ଓ ସୁଧାକାନ୍ତବାବୁଙ୍କ ପ୍ରତି ତାଙ୍କର ଭକ୍ତିଭାବ ଉଚ୍ଚକିତ ହୋଇ ଉଠୁଥିଲା ।

Image

 

ଚତୁର୍ଦ୍ଦଶ ପରିଚ୍ଛେଦ

 

କାହିଁକି ? କାହିଁକି ତୁମେ ପୁଣି ମୋ ପାଖକୁ ଆସିଲ ? ମୋ ପଛେ ପଛେ ଛାୟା ଭଳି ଗୋଡ଼ାଇ ଚାଲିଲେ ତୁମର କୌଣସି ଲାଭ ହେବନାହିଁ । ମୋ ପଛରେ ଦୃଢ଼ ସମର୍ଥନ ରହିଛି । ଅସଂଖ୍ୟ ଜନତା ମୋ ଜୀବନ ପ୍ରତି ମମତା ପ୍ରକାଶ କରିଛନ୍ତି । ତୁମେ ଫରିଯାଅ । ତୁମ ବିଶାଳ ସମ୍ପତ୍ତି ବଳରେ ଅନ୍ୟ ଜଣେ ତରୁଣୀଠାରେ ଫାଶ ବସାଇ ସଂସାର ବାନ୍ଧିବ ।

 

ରାମଗୋପାଳ ହସିଥିଲେ ।

 

ସେ ହସ ଥିଲା ବିଦ୍ରୂପର । ମର୍ମ ଦ୍ରୋହର । ମନଭରି ସେ ଯେଉଁ ହସ, ସେଥିରେ ଅନ୍ତରର ଭାଷା ଫୁଟି ଉଠି ନଥିଲା ।

 

ରାମଗୋପାଳଙ୍କୁ ଆକ୍ଷେପ କରି ନିହାରୀକା କହିଥିଲେ, ତୁମକୁ ମୁଁ ଭଲପାଇ ବିବାହ କରି ନଥିଲି । ମାତ୍ର ଅଳ୍ପ କେତେ ମୁହୂର୍ତ୍ତପାଇଁ ମୁଁ ତୁମକୁ ପଲକ ପକାଇ ଦେଖିଛି ଓ ତୁମ ସହିତ ଆଳାପ କରିଛି । ତେଣୁ ସେଭଳି ବିବାହର ମୂଲ୍ୟ କ’ଣ ? ଭାବ ଯେ ଆମ ବିବାହ ଥିଲା ମିଛିମିଛିକା । ଘାସ ଉପରେ କାକରର ପତନ ପରି ।

 

ରାମଗୋପାଳ କହିଥିଲେ, ମୋ ଧନ ଲୋଭରେ ଅନେକ ତରୁଣୀ ନିଶ୍ଚିତଭାବେ ମୋତେ ବିବାହ କରିବାପାଇଁ ଆଗ୍ରହ ପ୍ରକାଶ କରିବେ; କିନ୍ତୁ ମୁଁ ସେଥିପାଇଁ ଚେଷ୍ଟିତ ନୁହେଁ । ମୋ ଆଶା ଆକାଶର ମଲାଜହ୍ନ ହେଉଛ ତୁମେ । ତୁମର ଉଜ୍ଜ୍ୱଳତାକୁ ଉଦ୍ଧାର କରିବା ଲାଗି ପ୍ରତି ଅମାବାସ୍ୟାରେ ମୁଁ ସ୍ୱପ୍ନ ଦେଖିଛି । ଦୂରରେ ଥାଇ ମଧ୍ୟ ମୁଁ ରାତିଭରି ବିଚଳିତ ହୋଇ ପଡ଼ିଛି । ବ୍ୟର୍ଥତାରେ ମୋଠାରେ ଯେଉଁ କ୍ଷରଣ ଅନୁଭୂତି ହୋଇଛି, ତାହା ବିରହୀ ପକ୍ଷେ କେଡ଼େ ମର୍ମସ୍ପର୍ଶୀ ନୁହେଁ କହିଲ ?

 

ତୁମକୁ ସେଇ ସ୍ୱଳ୍ପ ମୁହୂର୍ତ୍ତପାଇଁ ବିଲୋକନ କରି ମୁଁ ଭାବିଥିଲି ଯେ ତୁମେ ପ୍ରହସନ କରି ମୋତେ ଛାଡ଼ପତ୍ର ଦେଇଯାଇଛ । ମୋ ରୂପ ଫେରିଆସିଲେ ତୁମେ ନିଶ୍ଚୟ ଫେରିଆସିବ-। ସେଥିଲାଗି ତୁମ ପ୍ରତ୍ୟାବର୍ତ୍ତନର ପଥକୁ ମୁଁ ଚାହିଁ ରହିଲି । କେବଳ ମୁଁ ଏକା ଚାହିଁଲି ନାହିଁ । ମୋ ଜୀବନର ପଟ୍ଟ ପରିବର୍ତ୍ତନକାରୀ ଡା. ସୁଧାକାନ୍ତବାବୁ ଓ ତାଙ୍କ ସ୍ତ୍ରୀ ମଧ୍ୟ ଚାହିଁ ରହିଲେ । ଦିନ ଦିନ ମାସ ମାସ ଭରି ସେମାନେ ମୋତେ ସହୃଦୟ ଭଳି ସେମାନଙ୍କ ଘରେ ଅତିଥି ବନ୍ଧୁଭାବେ ସ୍ଥାନ ଦେଲେ ।

 

ଆଶାଥିଲା ଯେ, ତୁମେ ଫେରିବ । ତୁମେ ସେହି ନିରାଶାର ଓଡ଼ିଶାକୁ ଫେରିଥିଲେ, ସେଇ ବନ୍ଧୁ ଓ ବନ୍ଧୁ ପତ୍ନୀଙ୍କ ଗହଣରେ ଆମର ପୁନର୍ମିଳନ ସମ୍ଭବ ହୋଇଥାନ୍ତା । କେଡ଼େ ବଡ଼ ଡାକ୍ତର ସେ ନୁହନ୍ତି, ଅଳ୍ପ ବୟସରେ କେତେ ନାଁ ସେ ନ କମେଇଲେ । ସେଭଳି ଭଦ୍ରବ୍ୟକ୍ତିଙ୍କର ଆମପାଇଁ ମନ ତୁଟିଲା, ଅଥଚ ତୁମ ମନରେ ମୋ ଅନୁରୋଧ ପ୍ରତି ଟିକେ ସହାନୁଭୂତି ଜାଗୁନାହିଁ-?

 

ନିହାରୀକାଙ୍କ ଉପଗ୍ରହରେ ସହାନୁଭୂତି ଅନେକ ଥର ଏକ୍‌ସପେରିମେଣ୍ଟ ହୋଇ ବିଫଳ ହୋଇଛି । ସେଠାରେ ସୃଷ୍ଟି ହୋଇଛି ସାହାରାର ନିଷ୍ଫଳ ଶୈକତ । ଆଉ ସେହିଠାରେ ପୁଣି ସହାନୁଭୂତିର ନୀଳ ହ୍ରଦ ଉପୁଜିବ କେମିତି ?

 

ବଡ଼ ଡାକ୍ତର, ଆଉ ବଡ଼ ଲୋକ । ଖ୍ୟାତି ଆଉ ଅର୍ଥର ସମ୍ମୋହନରେ କେତେ କେତେ ଯୁବତୀ କନ୍ୟା ଆଶାର ଢେଉ ଭାଙ୍ଗି ବସିବେ ଯେ !

 

ନିହାରୀକାଙ୍କୁ ଜବରଦସ୍ତ ଫେରାଇ ନେବାରେ ଅନେକ ଯୋଜନା ପଣ୍ଡ ହୋଇଯାଇଥିଲା ରାମଗୋପାଳଙ୍କର ।

 

କିନ୍ତୁ ଏକ ଅପରିଣାମଦର୍ଶୀ ଉଷ୍ଣ ସ୍ରୋତ ବହି ଯାଇଥିଲା ଉନ୍ମତ୍ତ ଦିଲ୍ଲୀ ନଗରୀ ବକ୍ଷରେ-। ବିଜୁ ଦକ୍ଷିଣ ଆଡ଼କୁ ମୁହଁ କରି ଦଣ୍ଡାୟମାନ ହୋଇଥିଲା । ରେଣୁ ଚୁପ୍‌ ଚୁପ୍‍ ଯାଇ ତା’ ଆଖିକୁ ନିଜ ଦୁଇ ପାପୁଲିରେ ବନ୍ଦ କରିଦେଲା । ଅନୁମାନ କରି ନେଲା ବିଜୁ । ନିଶ୍ଚୟ ଜଣେ ତରୁଣୀର ସେ ହାତ ।

 

କିଏ ସେ ?

 

ନିହାରୀକା ?

 

ଉହୁଁ ।

 

ଚମ୍ପାବାଈ ?

 

ଉହୁଁ ।

 

ନା, ନା, ତୁମେ ନିହାରୀକା । ତୁମେ ରାମଗୋପାଳଙ୍କୁ ଶେଷରେ ଠକେଲ ଦେଇ ମୋରିଠାରେ ବସା ବାନ୍ଧିବାର ଆଶା ରଖି ଧାଇଁ ଆସିଛ । ହେଲେ ମୁଁ ଯେ ଉତ୍ତପ୍ତ ଶୈକତ । ଶୀତ ସକାଳର ସାମାନ୍ୟ ଶିଶିର ମୋ ଦୀର୍ଘ ଅବଶୋଷର ତୃଷ୍ଣାକୁ କ’ଣ ଅପନୋଦନ କରିପାରିବ ? ତୁମେ ପରା ସୁଗାୟିକା । ବିରହ ସଙ୍ଗୀତର ମର୍ମ ତୁମକୁ କ’ଣ ନିର୍ଜନରେ ଦହ୍ୟ କରେନାହିଁ ।

 

ରେଣୁ ହାତ ଛାଡ଼ି ମୁହଁ ବୁଲାଇ ଦେଇଥିଲା । ବିଜୁ ଦେଖି ଅବାକ୍ ହୋଇଗଲା । ବିଶ୍ୱାସ ସେ କରିପାରିଲାନାହିଁ । ରେଣୁ ଏତେ ଅପ୍ରତ୍ୟାଶିତ ଭାବରେ ତା’ ପାଖରେ ଉପସ୍ଥିତ ହୋଇଯିବ ବୋଲି ।

 

ଅତୀତ ପରି ହାତ ତା’ର ଉଠିଯାଉ ନଥିଲା ରେଣୁର ଅଧରରେ ଆଲିଙ୍ଗନର ସ୍ୱାଗତିକା ରଚନା କରିବାକୁ । ତଥାପି ସେ ନିଜକୁ ସ୍ଥିର କରି ବାକ୍ ଚାଳନା ଆରମ୍ଭ କରିଦେଲା ।

 

ବିଜୁର କଅଁଳ ଡାକକୁ ରେଣୁ ଶୁଣିବାକୁ ନାରାଜ ହେଲା । କହିଲା, ତୁମେ ଏତେ ତଳକୁ ଯାଇଛ ବିଜୁ ଭାଇ ।

 

ଦିଲ୍ଲୀ ଭଳି ଉଚ୍ଚନଗରୀକୁ ଆସି କେଉଁ ବ୍ୟକ୍ତ ସିନା ଆହୁରି ଊର୍ଦ୍ଧ୍ୱକୁ ଉପନୀତ ହୋଇଥାନ୍ତି । ହେଲେ ତୁମେ ନିହାତି ନିମ୍ନକୁ ଖସି ଯାଇଛି । ତୁମକୁ ପ୍ରେମ କରିବାପାଇଁ ଆଉ କୌଣସି ଝିଅ ମିଳିଲେ ନାହିଁ, ଶେଷରେ ତୁମେ ଚମ୍ପାବାଈ ଓ ନିହାରୀକାଙ୍କ ଦେହ ଦାହରେ ନିଜକୁ ଉତ୍ସର୍ଗ କରିଦେଲେ ?

 

ରେଣୁ କଥାରେ ବିଜୁକୁ ଫାଙ୍କି ମାରିବାର ବାଟ ଆଉ କିଛି ଦେଖାଯାଉ ନଥିଲା । କାରଣ ସେ ଯେ ସ୍ୱୀକାର କରି ଦେଇଛି ସେମାନଙ୍କୁ ସେ ଭଲପାଏ । ସେମାନଙ୍କ ପ୍ରତି ତା’ର ଦୁର୍ବଳତା ଅଛି ।

 

ଅପରାଧୀ ଶିଶୁଙ୍କ ପରି ବିଜୁ ସ୍ଥାଣୁବତ୍‌ ଦଣ୍ଡାୟମାନ ହୋଇ ରହିଲା ରେଣୁ ଆଗରେ । ପାଟିରୁ ତା’ର କୌଣସି ଭାଷା ସ୍ଫୁରଣ ହେଲାନାହିଁ । ତଥାପି କିଛିକ୍ଷଣ କରେ ସେ ତା’ର ସ୍ଥିତିକୁ ଦୃଢ଼ କରି ରେଣୁକୁ କହିଲା ରେଣୁ, ତୋ ବିଜୁଭାଇଙ୍କୁ ତୁ ଏତେଟା ଭୁଲ ଭାବିବା ଉଚିତ ନୁହେଁ । ବିଜୁଭାଇ ତୋର ସ୍ୱାମୀ ନ ହୋଇପାରେ, ଆଜିର ମୃତ ପ୍ରେମିକ ହୋଇପାରେ, ହେଲେ ବିଜୁଭାଇ ସବୁଦିନ ପାଇଁ ତୋର ହୋଇ ରହିଥିବେ । ଡା. ସୁଧାକାନ୍ତ ତୋର ନୈଷ୍ଠିକ ସ୍ୱାମୀ, କିନ୍ତୁ ବିଜୁଭାଇ ତୋର ସାଂସ୍କୃତିକ ପ୍ରେମିକ । ମୁଁ ଅନ୍ୟ ଝିଅର ପାଣି ଗ୍ରହଣ କଲେ ସୁଦ୍ଧା ତା’ର ପ୍ରେମିକ ହେବାକୁ ସେଦିନ ଭଳି ପୋଷାକ ପିନ୍ଧି ପାରିବିନାହିଁ ।

 

ବିଜୁଭାଇ !

 

ରେଣୁ !

 

ଦୁହେଁ ଦୁହେଁଙ୍କୁ ଅଭିମାନର ପରଶରେ ସ୍ପର୍ଶ କରି ବସିଥିଲେ ।

 

ରେଣୁ କହିଲା ବିଜୁଭାଇ, ମନ ମୋର କରେଣ୍ଟ ଭଳି କାମ କରୁଛି । ଯେତେ ଦୂରରେ ଥିଲେହେଁ ମୁଁ ସେଇ ମନରେ ଆମ ଅତୀତର ବିଚ୍ଛିନ୍ନ ପ୍ରେମ କରେଣ୍ଟକୁ ସଜାଡ଼ି ଜଳାଇବାକୁ ଆଶା କରି ଚାହିଁଛି । ପ୍ରେମିକା ଯିଏ, ସେ ପ୍ରେମିକର ନ ହୋଇ ଆଉ କାହାର ହେବ କହିଲେ ?

 

ବିଜୁ ସଂସ୍ପର୍ଶରେ ରେଣୁ ଦୁର୍ବଳ ହୋଇ ପଡ଼ିଲା । ନିଆଁ ପାଖରେ ଘିଅ ତରଳି ଯିବା ଭଳି ଦୁହେଁ ପରସ୍ପରକୁ ସମପ୍ରକ୍ରିୟାରେ ସମର୍ପଣ କରି ବସିଥିଲେ ।

 

ପତ୍ନୀ ଜୀବନରେ ରେଣୁ ସତ ହାରିଲା । ଡା. ସୁଧାକାନ୍ତଙ୍କ ନିକଟରେ ସେ ଯେଉଁ ଶପଥ କରି ଆସୁଥିଲା, ତା’ର ଦିଗ ଭ୍ରଷ୍ଟ ହୋଇଗଲା ବିଜୁ ଦେହରେ । ବିଜୁ ଆକାଶରେ ଅଦିନ ବିଜୁଳି ଖେଳିଯିବା ଫଳରେ ସେ ଆନନ୍ଦିତ ହେଲା, ହେଲେ ରେଣୁ ?

 

ରେଣୁର ଅବସ୍ଥାକୁ ମୁକ୍ତ ଚକ୍ଷୁରେ ଦେଖିନେଇଥିଲେ ରାମଗୋପାଳ । ନିହାରୀକାଙ୍କ ନିକଟରୁ ନିରାଶାର ଚାବୁକ୍‌ ପହାର ଖାଇ ସେ ଯେତେ ଆଘାତପ୍ରାପ୍ତ ହୋଇଥିଲେ, ତା’ଠାରୁ ଅଧିକ ଆଘାତ ଲାଗିଲା ରେଣୁର ଗୋପନ ପ୍ରଣୟ ଅବଲୋକନ କରି ।

 

ମନେ ମନେ କ୍ଷୁବ୍‌ଧ ହୋଇ ଉଠିଥିଲେ ରାମଗୋପାଳ । ଇଚ୍ଛା ହେଉଥିଲା, ରେଣୁ ଯଦି ତାଙ୍କର ସ୍ତ୍ରୀ ହୋଇଥାନ୍ତା, ତାହେଲେ ସେ ସେହିଠାରେ ତା’ର ତଣ୍ଟି ଚିପି ନିଃଶେଷ କରି ଆସିଥାନ୍ତେ-। ଜୀବନସାରା ନିହାରୀକାଙ୍କ ପ୍ରତାରଣାର ଜ୍ୱାଳା ତାଙ୍କୁ ଦହନରେ ମ୍ରିୟମାଣ କରୁଥିଲା; କିନ୍ତୁ ରେଣୁର ପରପୁରୁଷ ପ୍ରୀତି ତାଙ୍କ ଜ୍ୱାଳାକୁ ଆହୁରି ଦ୍ୱିଗୁଣିତ କରିଦେଲା ।

 

ରାମଗୋପାଳ ତତ୍‌କ୍ଷଣାତ୍ ରେଣୁକୁ ଯେଉଁ ଅବସ୍ଥାରେ ଦେଖିପକାଇଥିଲେ, ରେଣୁ ମଧ୍ୟ ତାଙ୍କୁ ପ୍ରତିଶରରେ ସେହି ପଲକରେ ଦୃଷ୍ଟି ବିନିମୟ କରି ନାଇଥିଲା ।

 

ତେଣୁ ରେଣୁର ମନ ବିଷର୍ଣ୍ଣ ହୋଇଗଲା । ସେ ଅପ୍ରସ୍ତୁତ କଣ୍ଠରେ କହି ପକାଇଲା ରାମଗୋପାଳବାବୁ, ଆପଣ କେତେବେଳୁ ବାହାରେ ଆସି ଅପେକ୍ଷା କଲେଣି । ଅଥଚ ମୋତେ ଡାକୁ ନାହାନ୍ତି ? ବାହାରକୁ ସେ ଚାଲି ଆସିବା ସମୟରେ ବିଜୁ ମଧ୍ୟ ସହଗମନ କରିଥିଲା ।

 

ତା’ପରେ ରାମଗୋପାଳ ଦ୍ୱିତୀୟଥର ପାଇଁ ପରିଚୟ କରାଇ ଦେଇଥିଲା ରେଣୁ । ନିହାରୀକା ପ୍ରଥମେ ବିଜୁର ଯେଉଁ ପରିଚୟପତ୍ର ଦେଇଥିଲେ ସେଥିରେ ରେଣୁର କୌଣସି ସମ୍ପର୍କ ନଥିଲା । କାରଣ ନିହାରୀକା ଓ ରେଣୁ ଉଭୟ ପରସ୍ପର ପ୍ରତି ଅଜଣା ଅଶୁଣା ଥିଲେ ।

 

ବିଜୁର ଜାଣିବା ସମ୍ୱନ୍ଧରେ କୌଣସି ବିସ୍ମିତ ହେବାର ନଥିଲା । କିନ୍ତୁ ରାମଗୋପାଳବାବୁ ଅସ୍ୱାଭାବିକତାର ଝଡ଼ରେ ବିକ୍ଷୁବ୍‌ଧ ହୋଇ ପଡ଼ିଲେ । ରେଣୁ ଯାହା ଆଭାସ ଦେଲା ସେଥିରୁ ସେ ବୁଝିନେଲେ ଯେ, ବିଜୁ ହେଉଛି ତା’ର ପ୍ରେମିକ । ଡା. ସୁଧାକାନ୍ତ ରେଣୁର ଅତୀତ ପ୍ରତି ପୂରାପୂରି ଅଜ୍ଞାତଥିବାରୁ ନବଦାମ୍ପତ୍ୟ ବନ୍ଧନରେ ଆନନ୍ଦର ମଦିରା ପାନ କରିବାରେ ଲାଗିଛନ୍ତି । ଥରେ ଯଦି ସତ୍ୟ ତାଙ୍କ କାନରେ ପ୍ରଚାରିତ ହୁଏ, ତାହେଲେ....

 

ଯୌବନର ମଧୁମକ୍ଷିକା ବିଦ୍ରୋହ କରି ଉଠିବେ । ଚକ୍ରବ୍ୟୂହ ରଚନା କରି ବସିବେ । ଫଳରେ ଗୋଲାପ ଅକାଳରେ ବୃନ୍ତଚ୍ୟୁତା ହୋଇ ଝରି ପଡ଼ିବ ।

 

ହାୟ, ନିହାରୀକା ତୁମେ ବୁଝିଲନାହିଁ । ଅନ୍ତତଃ ମୋ ପାଖରେ ଥିଲେ ରେଣୁ ପରି ତ ମୋତେ ଠକେଇ ପାରିଥାନ୍ତ ।

 

ସୁଧାକାନ୍ତ ଡାକ୍ତର, ବିତ୍ତଶାଳୀ । ସମ୍ମାନର ଅପହଞ୍ଚ ଆକାଶ ତାଙ୍କ ଶିରରେ ଆସି ବାଜୁଛି । ଯୌବନର ଲକ୍ଷ ସୁରଭି ତାଙ୍କ ଗୌରବ ଉପଲକ୍ଷେ ଗନ୍ଧ ବିସ୍ତାର କରିବାକୁ ଚାହିଁ ରହିଛନ୍ତି-। ସୁଖୀ ବୋଲି ତାଙ୍କୁ ସମସ୍ତେ ଜାଣନ୍ତି । ତାଙ୍କ ଅନ୍ତର୍ନିହିତ ବୌଦ୍ଧିକ ଗୁଞ୍ଜନରେ ବସନ୍ତ ପରାଧୀନ । ଜରାବି ମଳୟ ଲାଭ କରେ ।

 

ଡା. ସୁଧାକାନ୍ତ ସେ । ରୋଗର ଯମ । ଯାହା ଲାଗିଲେ ମୃତ୍ୟୁ ସହଜେ ଛୁଏଁନା । ସେଇ ଡା. ସୁଧାକାନ୍ତ–ଆଉ ତାଙ୍କରି ଅଲିଅଳି ପତ୍ନୀରୂପେ ରେଣୁ ଯେ ଏତେ ଦୁର୍ବଳା ! ଏତେ ଉନ୍ମୁଖା ! ଏତେ ପିପାସିତା !

 

ରାମଗୋପାଳଙ୍କ ଆସକ୍ତ ମନ ଯେଉଁ ସୁଧାକାନ୍ତ ବ୍ୟକ୍ତିତ୍ୱ ବଳରେ ରେଣୁ ପ୍ରତି ମନର ଅନ୍ତରାଳେ ହ୍ରାସ ପାଇ ଯାଇଥିଲା, ତାହା ପୁଣି ସତେକ ହୋଇ ଉଠିଲା । ଚିନ୍ତା କରି ସେ କହିବାକୁ ଲାଗୁଥିଲେ, ନାରୀ ରହସ୍ୟମୟୀ ସତ, ମାତ୍ର ବ୍ୟଭିଚାରର ପରଦାତଳେ ତା’ ଗୁଞ୍ଜନ ଶୁଣିବାକୁ ଦୁନିଆରେ ଖୁବ୍ କମ୍‌ ଜୀବନ-ଯନ୍ତ୍ର ସୃଷ୍ଟି ହୋଇଛି । ଏକ ଦିଗରେ ସେ ସ୍ୱାମୀ ଅପେକ୍ଷା ଧନକୁ ବେଶୀ ଲୋଭ କରେ, ଅନ୍ୟ ଦିଗରେ ସେ ସ୍ୱାମୀ ଅପେକ୍ଷା ପ୍ରେମିକକୁ ବେଶୀ ଭଲପାଏ ।

 

ଦିଲ୍ଲୀର ରହସ୍ୟମୟ ପରିବେଶ ମଧ୍ୟରେ ରାମଗୋପାଳ ଆଉ ମୁହୂର୍ତ୍ତେ ମାତ୍ର ରହିବାକୁ ଇଚ୍ଛା ପ୍ରକାଶ କରୁ ନଥିଲେ । ରେଣୁର ମନ ମଧ୍ୟ ଦବିଗଲା । ସେ ଅଳ୍ପ ଦିନ ମଧ୍ୟରେ ଫେରିଯିବାକୁ ମନସ୍ଥ କରି ନ ଆସିଥିଲେହେଁ, ରାମଗୋପାଳଙ୍କ ଭୟରେ ତାକୁ ସମ୍ମତି ଜଣାଇବା ପାଇଁ ସମୟ ସମର୍ଥନ କରିଥିଲା ।

 

ଓଡ଼ିଶା ଫେରିଆସିବା ବାଟରେ ରାମଗୋପାଳ ରେଣୁକୁ ଏକାକିନୀ ସହଯାତ୍ରୀଣୀଭାବେ ଲାଭ କରି ମନରେ ଶୁପ୍ତ ଆସକ୍ତିକୁ ଉଜ୍ଜୀବିତ କରାଇଲେ ।

 

ଯାତ୍ରୀ ଭଳି ସେ ଦୁହେଁ ଟ୍ରେନ୍‌ର ଏକ ରିଜର୍ଭ କମ୍ପାର୍ଟମେଣ୍ଟରେ ଯାତ୍ରା କରୁଥିଲେ । ସମୟ ଥିଲା ରାତି ଗୋଟାଏ । ଥ୍ରୀ ଟାୟାର ସ୍ଳିପର କୋଚ୍‍କୁ ରିଜର୍ଭ କରିଥିଲେ ସେମାନେ । ରେଣୁ ଶୋଇଥିଲା ଉପର ଟାୟାରରେ । ରାମଗୋପାଳବାବୁ ବସିଥିଲେ ତଳେ ।

 

ଶୀତ ରାତିରେ ଥଣ୍ଡା କ୍ରମେ ଜମି ଆସୁଥିଲା । ଉପରେ ରେଣୁ ଆଖିରେ ପ୍ରଗାଢ଼ ନିଦ୍ରା ଛାଇ ଯାଇଥିଲାବେଳେ, ତଳେ ରାମଗୋପାଳ ଛଳନାରେ ଆଖିକୁ ମିଞ୍ଜି ମିଞ୍ଜି କରୁଥିଲେ । ଆଖିର ଅନ୍ତରାଳେ ଲାଳସାର ଜିହ୍ୱା ଲହ ଲହ କରୁଥିଲା । ଛାତିରେ ସ୍ପନ୍ଦନ ଉଠୁଥିଲା ଆଉ ପଡ଼ୁଥିଲା ।

 

ଅପେକ୍ଷା ସହ୍ୟ କରି ହେଲାନାହିଁ । କମ୍ପାର୍ଟମେଣ୍ଟର ଅନ୍ୟ ସମସ୍ତ ସିଟ୍‌ ଆଡ଼କୁ ସେ ଆଖି ବୁଲାଇ ନେଲେ । ଦେଖିଲେ ଯେ ଅନ୍ୟ ଯାତ୍ରୀମାନେ ଶୋଇ ଯାଇଛନ୍ତି । ରାମଗୋପାଳ ଉତ୍‌କ୍ଷିପ୍ତ ହୋଇ ଉଠିପଡ଼ିଲେ । ରେଣୁ ଶରୀରକୁ ସ୍ପର୍ଶ କରିବା ଛଳରେ ସେ ଆବରଣକୁ ଠିକ୍‌ ଭାବରେ ଆଚ୍ଛାଦନ କରି ଆଣିଲେ ।

 

ତଥାପି ରେଣୁର ନିଦ ଭାଙ୍ଗିଲାନାହିଁ । ସେ ତା’ ଗଣ୍ଡ ଦେଶରେ ପାପୁଲିର ସ୍ପର୍ଶ ଦିଅନ୍ତେ ରେଣୁର ନିଦ ଚାଉଁ କିନା ଭାଙ୍ଗିଗଲା । ସେ ଉଚ୍ଚ କଣ୍ଠରେ ଡାକିଲା କିଏ ?

 

ରାମଗୋପାଳ ତତ୍‌କ୍ଷଣାତ୍‌ ସେଇ ପାପୁଲିକୁ ରେଣୁ ପାଟିରେ ଚାପି ଦେଲେ । ଯେପରିକି ସେ ଆଉ ଚିତ୍କାର କରି ନ ପାରିବ ।

 

ଫଳରେ ତାହାହିଁ ହେଲା । ରେଣୁର ନିଦ ଭାଙ୍ଗିଗଲା ସତ ମାତ୍ର ସମ୍ମୁଖରେ ରାମଗୋପାଳଙ୍କୁ ଦେଖି ସେ ବିଶ୍ୱାସ କରିପାରିଲାନାହିଁ । କ୍ରୋଧରେ ଆରକ୍ତ ହୋଇ ଉଠିଲା ତା’ ନୟନ । ସେ ତାଙ୍କୁ ଆକ୍ଷେପ କରିବାର ପ୍ରତିବାଦରେ ରାମଗୋପାଳ ଧମକ୍ ଦେଇ କହିଲେ ରେଣୁ, ତୁମକୁ ଗୌରବର ଲକ୍ଷ୍ମୀରୂପେ ସମ୍ମାନ ଦେଇ ଆସୁଥିଲି । କିନ୍ତୁ ଆଜି ଆଉ ତୁମେ ତାହା ଲାଭ କରିବାର ହକଦାର ନୁହ । ତୁମକୁ ବିଜୁବାବୁ ଯେଉଁଭଳି ବ୍ୟବହାର କରିଛନ୍ତି, ମୁଁ ସେହିପରି କରିବି । ମୋ ଆକାଙ୍‌କ୍ଷା ବର୍ତ୍ତମାନ ସ୍ଫୁର୍ତ୍ତ । ମୋ ମାନସ ପ୍ରବୃତ୍ତି ସ୍ୱତଃ ପିପାସିତ ।

 

ରାମଗୋପାଳବାବୁ ?

 

ରେଣୁର ଗର୍ଜନରେ ଡରିଯାଇ ନଥିଲେ ସେ । ସେ ପୁନର୍ବାର ଧମକ ଦେଲେ ଯେ ତାଙ୍କ ଆଶା ପୂରଣ ନ କଲେ ସେ ଡା. ସୁଧାକାନ୍ତଙ୍କ ସଂସାରରେ ଝଡ଼ ସୃଷ୍ଟି କରିବେ । ସୁଧାକାନ୍ତ ବିବେକୀ । ଆଶାର ଉର୍ବର ଉପକୂଳରେ ଦାମ୍ପତ୍ୟ ଜୀବନର ସମୁଦାୟ ପରିକଳ୍ପନାକୁ ସେ ଗଭୀରଭାବେ ଚାଷ କରି ରଖିଛନ୍ତି । କେତେ ଯୋଜନା ତାଙ୍କର । ତାଙ୍କ ସୁନାମର ନଈରେ କେତେ ପଟୁ ମାଟିର ସ୍ୱେଦ । ତୁମେ ତାକୁ ବଦନାମର ଜୁଆରରେ ଭସାଇ ନେବାକୁ ଆୟୋଜନ କରୁଛ ରେଣୁ ? ତୁମକୁ ଲଜ୍ୟା ଲାଗିଲାନାହିଁ ? ଦେହ ଉପଭୋଗ କରିବାକୁ ତୁମେ ଦିଲ୍ଲୀ ପର୍ଯ୍ୟନ୍ତ ଧାଇଁ ଆସିଲ ?

 

ରାମଗୋପାଳଙ୍କ କ୍ରୋଧାଗ୍ନିରେ ରେଣୁର ଅଶାନ୍ତ ହୃଦୟ ଜଳି ବସିଲା । ସେ ଖୁବ୍‌ ଅସହାୟ ଓ ଦୁର୍ବଳ ହୋଇ ପଡ଼ିଲା । ରାମଗୋପାଳଙ୍କ କ୍ଷୁଧାରେ ଆହାର ହେବା ବ୍ୟତୀତ ଅନ୍ୟ ଉପାୟନାହିଁ ଜାଣି ସେ ପ୍ରକମ୍ପିତ ହେବାକୁ ଲାଗିଲା । ଆଖିର ଘୁମନ୍ତ ନିଦ୍ରା ସେଇ ଭୟରେ ଅପସରି ଯାଇଥିଲେ । ରେଣୁ ଢଳି ପଡ଼ିଲା ତାଙ୍କ କୋଳରେ ।

 

ଏକ୍‌ସପ୍ରେସ୍‌ ଗାଡ଼ି ଗର୍ଜନ କରି ଦ୍ରୂତ ଆଗକୁ ମାଡ଼ି ଚାଲିଥାଏ । କିନ୍ତୁ ଶକ୍ତ ବାକ୍ ସଂଳାପରେ ରାମଗୋପାଳ ଶିଥିଳ ହୋଇ ପଡ଼ିଲେ । ଆଉ କହିଲେ ରେଣୁ, ମୁଁ ତୁମକୁ ଏତେ ଶୀଘ୍ର ଉପଭୋଗ କରିବାକୁ ଚାହେଁନାହିଁ । ମୋ ମନର ଦୀର୍ଘ ଶୋଷ ମେଣ୍ଟିବ କେବଳହିଁ ନିର୍ଜନ ସ୍ଥାନରେ-। ସେଇ ସୁଯୋଗ ଆସୁ ।

 

ତା’ପରେ ଦୁହେଁ ଶାନ୍ତ ହୋଇଗଲେ ଓ ରାମଗୋପାଳଙ୍କ ଯାତ୍ରା ସୂଚୀର ପୁନଃ ପରିବର୍ତ୍ତନ ଘଟିଲା । ସ୍ଥିର ହେଲା ଯେ, ସେମାନେ କଲିକତାରେ କୌଣସି ଏକ ହୋଟେଲରେ ଭଡ଼ା ନେଇ ଦୁଇଦିନ ରହିବେ । ସେଥିରେ ବିରୋଧ କରିବାର ସାହସ ନଥିଲା ରେଣୁର । ଶଙ୍କାକୁଳ ଚିତ୍ତରେ ସେ ଖାଲି ଅନୁଭବ କରୁଥିଲା ନାରୀ ଜୀବନର ଗତି । ଯାହାର ଛନ୍ଦ କେବେହେଲେ କେଉଁଠାରେ ସିଧାସଳଖ ନୁହେଁ ।

Image

 

ପଞ୍ଚଦଶ ପରିଚ୍ଛେଦ

 

ନିହାରୀକା କହିଲେ, ମୁଁ ତାଙ୍କୁ ଫେରାଇ ଦେବାରେ ଉଚିତ ସଫଳତା ହାସଲ କଲି ବିଜୁବାବୁ । ତା’ ନ ହେଲେ ମୋତେ ତାଙ୍କ ସହିତ ଯିବାକୁ ପଡ଼ିଥାନ୍ତା ଓ ମୁଁ ମୋ ଲକ୍ଷ୍ୟ ଦିଗରେ ଭ୍ରଷ୍ଟ ହୋଇ ପଞ୍ଜୁରୀବଦ୍ଧ ହୋଇଥାନ୍ତି ।

 

କିଛି ଉତ୍ତର ଦେଲାନାହିଁ ବିଜୁ । ତା’ ମନର ସ୍ଫୁର୍ତ୍ତରେ ଭଟ୍ଟା ପଡ଼ିଯାଇଛି । ନିହାରୀକାର ସ୍ୱାମୀ ରାମଗୋପାଳବାବୁ ରେଣୁ ସହିତ ଫେରିବାବେଳେ ଯେଉଁ ଡାଏରୀ ସଂଗ୍ରହ କରିଗଲେ, ସେଥିରୁ ଡା. ସୁଧାକାନ୍ତ ଲେଶମାତ୍ର ଅବଗତ ହେଲେ ତାଙ୍କ ସଂସାରରେ ଯେ କିଭଳି ଚଡ଼କ ସୃଷ୍ଟି ହେବ ତାହା ସେ ପରିକଳ୍ପନା କରୁଥିଲା ।

 

ପୁଣି ନିହାରୀକା କହିଲେ, ଆପଣ ଯେ ଅନ୍ୟମନସ୍କ ରହିଗଲେ ବିଜୁବାବୁ । କୁହନ୍ତୁ ନା, ମୁଁ ଯାହା କଲି ତାହା କେତେଦୂର ଠିକ୍ ।

 

ବିଜୁର କଣ୍ଠ କ୍ରମେ ମୁକ୍ତ ହୋଇଗଲା । ସେ କହିଲା, ଭଲମନ୍ଦ, ଠିକ୍‍ଭୁଲର ସମୀକ୍ଷା ଏ ଯୁଗରେ ବ୍ୟକ୍ତିଗତ ବିଚାର ଉପରେ ନିର୍ଭର କରେ । ଆଜିକାଲି ଜଣେ ଯେଉଁ କଥାକୁ ଠିକ୍ ବୋଲି କହୁଛି, ଅନ୍ୟ କେହି ତାକୁ ଭୁଲ ଦର୍ଶାଇ କାଟି ଦେଉଛି । ହୁଏତ ଏମିତି ହୋଇପାରେ ଭୁଲ କେବଳ ମାତ୍ର କେତେକ ସମୟରେ କେତେକ ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରଯୁଜ୍ୟ ବିଚାରର ସ୍ଥାନ ପାଇଥାଏ-। କିନ୍ତୁ କୌଣସି ବିଚାରକ ବିବେକଶୂନ୍ୟ ହୋଇ ତର୍କ କରିପାରିବେନାହିଁ ଯେ ଅବିବାହିତ ରହିବା ଭୁଲ ବୋଲି । ତାହେଲେ ମୁନିଋଷିଙ୍କ ଅବିବାହିତ ଅବସ୍ଥାକୁ ତର୍କ ବଳରେ ସମାଲୋଚିତ କରାହେଉଥାନ୍ତା । ପରିସ୍ଥିତି ଭୁଲ ଠିକ୍‌ର ଉଚିତ ଅଦାଲତ । ଜୀବନର ନ୍ୟାୟ ଅନ୍ୟାୟ ସେହି ପରିସ୍ଥିତିର କଷଟି ପଥରରେହିଁ ଧରାପଡ଼ି ଯାଇଥାଏ ।

 

ଆଗ୍ରହ ସହକାରେ ବିଜୁବାବୁଙ୍କ କଥାକୁ କାନ ଡେରି ଶୁଣୁଥିଲେ ନିହାରୀକା । ବିବାହ, ଅବିବାହ-ଦିନ ଆଉ ରାତି । ଏଇ ଦୁଇ ସାମଗ୍ରୀର ସନ୍ଧି ସ୍ଥଳରେହିଁ ସେ ରହିଗଲେ । ସେ ବିବାହ କରିଛନ୍ତି, ପୁଣି ଅବିବାହିତ ରହିଛନ୍ତି । ସେ ଦିନ ରାତି ଉଭୟକୁ ବାଦ୍‌ ଦେଇ ଏକ ସନ୍ଧି ସନ୍ଧ୍ୟାରେ ଦଣ୍ଡାୟମାନ ହୋଇଛନ୍ତି । ସେ ସନ୍ଧ୍ୟା ମାହେନ୍ଦ୍ରବେଳା ନ ହୋଇପାରେ, ତା’ର ତ କିଛି ମହାର୍ଘ୍ୟ ମୂଲ୍ୟ ଅଛି । ପ୍ରଦୋଷ ସେ । ଦିଗନ୍ତର ଲାଲ ବର୍ଣ୍ଣକୁ ତୋଳି ଆଣି ଆଦରରେ ମଥାରେ ଲେପନ କରିଛି । ଆଉ ସୃଷ୍ଟିକର୍ତ୍ତାଙ୍କର ଜୈତ୍ର ସଙ୍ଗୀତ ଗାନ କରୁଛି ପ୍ରଦୋଷ ସନ୍ଧ୍ୟା ଉପଲକ୍ଷ୍ୟେ ।

 

ଜୀବନର ନିୟନ୍ତ୍ରଣକୁ ଅବମାନନା କଲେ, ପ୍ରକୃତିର ବିରୋଧାଚରଣ କଲେ, ପରିଣତିରେ ନିଶ୍ଚୟ ବିପର୍ଯ୍ୟୟ ଘଟେ । ତଥାପି ମଣିଷ ବିପକ୍ଷବାଦିତାର ଭୂମିକା ଗ୍ରହଣ କରିବାକୁ ବାଧ୍ୟ ହେଉଛି । ନିଜର ମଙ୍ଗଳ ଦୃଷ୍ଟିରୁ ତାହାହିଁ କରଣୀୟ । ନିହାରୀକା ରେଡ଼ିଓ ଷ୍ଟେସନରେ ସହକର୍ମୀବୃନ୍ଦଙ୍କ ସହିତ ଅନେକ ଯୁକ୍ତି କରିଛନ୍ତି । କହିଛନ୍ତି, ତାଙ୍କ ମିଛ ସ୍ୱାମୀ ଆସିଥିଲେ, ସେ ତାଙ୍କୁ ସତ କହି ଫେରାଇ ଦେଲେ । ବିଦାୟ ଦେଲାବେଳେ ସେ ତାଙ୍କୁ ଆଶୀର୍ବାଦ ଦାନସ୍ୱରୂପ ଏତିକି ବାକ୍ୟ ଦେଲେ ଯେ ସେ ଯେପରି ଯେଉଁ ଝିଅର ପାଣିଗ୍ରହଣ ପୂର୍ବକ ସଂସାର ବନ୍ଧନରେ ଆବଦ୍ଧ ହୁଅନ୍ତୁ ନା କାହିଁକି ଆପଣକୁ ଠିକ୍‌ ରଖି ପରେ ଭାଗ୍ୟ ପତ୍ନୀର ମନକୁ ଅନୁଭବ କରନ୍ତୁ । ତା ନ ହେଲେ ଅଦୂରରେ ଆଲୋକକୁ ଅବଲୋକନ କରି ପତଙ୍ଗ ପରି ଧାଇଁବାରେ ଦଶାହିଁ ସାର ହେବ-

 

ମୁଁ ଆଉ କିଛି କହିପାରିଲିନାହିଁ । ତାଙ୍କ ଲୋଭିଲା ଆଖିର ପ୍ରତିକ୍ରିୟା ଅନୁଭବ କରି ମୁଁ ନିଜକୁ ଏତେ ସଂଯତ କରି ନେଇଥିଲି ଯେ ଆପଣ ବିଶ୍ୱାସ କରିବେନାହିଁ ବିଜୁବାବୁ । ସେ ମୋତେ ବଳତ୍କାର କରିବାର ସୁପରିକଳ୍ପିତ ଯୋଜନାକୁ ହଠାତ୍‌ କାର୍ଯ୍ୟକାରୀ କରି ବସିଲାବେଳେ ମୁଁ ପଚାରିଲି ଆପଣ ମୋତେ ସ୍ପର୍ଶ କରିବାକୁ କିଏ ? ସ୍ୱପ୍ନେ ଜାଗରଣେ ଆପଣଙ୍କ ପାଇଁ ତ ମୁଁ ମୁହୂର୍ତ୍ତେ ହେଲେ ଚହଲି ଯାଇନାହିଁ ? ସଂସ୍ପର୍ଶପାଇଁ ମୋତେ ଅନେକ ସୁବିଧା ମିଳୁଥିଲା । କିନ୍ତୁ ମୁଁ ତାହାକୁ ଗୋଡ଼ରେ ଠେଲି ଦେଇଛି । ଚହଲିବାକୁ ଇଚ୍ଛା କରି ସୁଦ୍ଧା ମୁଁ ସ୍ଥିର ତରଙ୍ଗ ଭଳି ଅଛି । ମୋତେ ଦିବା କିମ୍ୱା ଶର୍ବରୀ କେହି ସ୍ପର୍ଶ କରିନାହାନ୍ତି । ମୁଁ ପ୍ରଦୋଷ କନ୍ୟା ।

 

ମୋ ପାଟିରୁ ଏମିତି କିଛି ସଂଳାପ ବାହାରିଲା ପରେ ସେ ଅବାକ୍‌ ହୋଇ ମୋତେ ଚାହିଁଲେ । ମୁଁ ମଧ୍ୟ ତାଙ୍କ ପାଟିରୁ ଉତ୍ତରର କିଭଳି ଆଦର୍ଶର ପ୍ରତିବାକ୍ୟବାଣ ବାହାରୁଛି ତାହା ଶୁଣିବାକୁ ଆଗ୍ରହୀ ହୋଇ ଅପେକ୍ଷା କରି ରହିଥିଲି । ହେଲେ ସେ ନୀରବ ରହିଲେ । ଆଉ ଯିବାକୁ ଉଦ୍ୟତ ହେଲାବେଳେ କାକୁସ୍ଥ ହୋଇ ମୋତେ କହିଲେ, ଯଦି କିଛି ଅଭିଶାପ ଦେବାର ଅଛି ମୋତେ ଦିଅ ନିହାରୀକା । ମୁଁ ପୁଣି କୁଷ୍ଠରୋଗୀ ହୋଇଯାଏ । ଅଧିକ ଦିନ ଆରୋଗ୍ୟ ନିକେତନର ନିଃସଙ୍ଗ ବ୍ରହ୍ମଚାରୀଭାବେ ଏ ପିପାସିତ ଜୀବନକୁ ଛଟପଟ କରିବାକୁ ଇଚ୍ଛାନାହିଁ । ଦାମ୍ପତ୍ୟ ଜୀବନର ସଙ୍ଗମପାଇଁ ସ୍ୱପ୍ନ ଦେଖିବା ଏ ଜୀବନରେ ବୃଥା । ମୁଁ ଆଉ ଭାବପ୍ରବଣ ହେବାକୁ ଇଚ୍ଛା କଲିନାହିଁ । ପୁଣି ହୁଏତ ତାଙ୍କ ଧନରେ ତରୁଣୀମାନଙ୍କୁ ବାନ୍ଧି ଆଣିବାର ଆଘାତ ଦେଇ କହି ହୋଇଥାନ୍ତା । କିନ୍ତୁ ଏତେ ଭାବାସକ୍ତ ହେବାକୁ ମୁଁ ପସନ୍ଦ ମନେକଲିନାହିଁ । ଏପରିକି ମୋଟାମୋଟିଭାବେ ତାଙ୍କ ପିଉସୀ ଓ ମୋ ଦାଦାଙ୍କର ଷଡ଼ଯନ୍ତ୍ର ତଥ୍ୟ ସମ୍ପର୍କରେ ସମ୍ୟକ୍‌ ସୂଚନା ମଧ୍ୟ ପ୍ରଦାନ କରିବାକୁ ମୁଁ ଭୁଲିଗଲି ।

 

ସାହାରା ବକ୍ଷରେ ନୀଳ ନଦୀ ଯେତିକି ପ୍ରକୃତିଦତ୍ତ ନୁହେଁ, ସେତିକି ମଣିଷ ସୃଷ୍ଟ । ମଣିଷ ତାକୁ ଖୋଳି ଦୀର୍ଘ କରିଛି । ମୃତ୍ତିକାର ଉର୍ବରତା ଲକ୍ଷ୍ୟରେ ନିରାଶାର ସୈକତରେ ଆଶାର ନୀଳ ଜଳ ଛୁଟାଇ ଦେଇଛି । ସେମିତି ସେ ତାଙ୍କ ସାହାରାର ଶୋଷ ମେଣ୍ଟାଇବାକୁ ଆସିଥିଲେ । ମୋତେ ଜୋର କରି ସେ ତାଙ୍କ ତୃଷାର ଜଳରୂପେ ବ୍ୟବହାର କରିଥାନ୍ତେ ।

 

ରେଡ଼ିଓ ଷ୍ଟେସନର ମୋ ସହକର୍ମୀବୃନ୍ଦ ଏହି ମନ୍ତବ୍ୟ ଦେବାବେଳେ ମୁଁ ଭାରି ହସିଲି । ପୁଣି ଟାଣୁଆ ଯୁକ୍ତି ଦେଖାଇ କହିଲି ଦେଖି ମୋ ଭଳି କିଏ ଅଧା କୁମାରୀ ଅଧା ପତ୍ନୀ ହୋଇ ମଣିଷ ଦୁନିଆରେ ଜୀବନ ନିର୍ବାହ କରୁଛି । ଏଥର ସେମାନେ ହସିଥିଲେ । କିଛି ସମୟ ପରେ ସେମାନଙ୍କ ମଧ୍ୟରୁ କେହି ଉର୍ବର ମସ୍ତିଷ୍କ କହି ଉଠିଲେ, ନିହାରୀକା ଦିଦି ଯାହା କହିଲେ କିଛି ଭୁଲ ନୁହେଁ । ସେ ଯେମିତି ଅଧା, ରାମଗୋପାଳ ମଧ୍ୟ ସେମିତି । ସେ ରାମ ନୁହନ୍ତି, କି କୃଷ୍ଣ ନୁହନ୍ତି । ଚନ୍ଦ୍ରସେଣା କି କ’ଣ କେବଳ ସେ ଜାଣନ୍ତି ।

 

ଯାହାହେଉ ରାମଗୋପାଳଙ୍କ ସହିତ ସମ୍ପର୍କ ଯେ ତୁଟାଇ ଦିଆଗଲା ସେତିକି ଯଥେଷ୍ଟ-। ନିହାରୀକା ସେଥିପାଇଁ ଅନୁତପ୍ତା ନୁହନ୍ତି । ବରଂ ଭୀଷଣ ଖୁସି । ସେ ବିଜୁ ମନର ପ୍ରତିକ୍ରିୟା ଲକ୍ଷ୍ୟ କରୁଥିଲେ । ବିଜୁ ଯେ ତାଙ୍କୁ ଆଶାୟୀରୂପେ ଜାଲ ବିଛେଇବ ସେଇ ଅନୁମାନର ଲକ୍ଷ୍ୟ ପୋତୁଥିଲେ ।

 

ବଡ଼ ସନ୍ଦେହ ଏଇ ନାରୀ ଜାତିକି । କେଉଁଠି ଥଳ, କେଉଁଠି କୂଳ ମୋଟେ ବାରି ହୁଏନାହିଁ । କେତେବେଳେ ସାବିତ୍ରୀ ହୋଇ ଯାଆନ୍ତି ତ, କେତେବେଳେ ଚମ୍ପାବାଈ ସାଜିବାକୁ ମନେକରନ୍ତି ।

 

ବିଜୁ ବେଶ୍‌ ହୃଦୟଙ୍ଗମ କରିପାରୁଥିଲା । ନିହାରୀକା ଜାଣନ୍ତି ବିଜୁ ଅବିବାହିତ । ସେତିକିହିଁ ତାଙ୍କ ପକ୍ଷରେ ଏତେଦିନର ପରିଚୟ ମଧ୍ୟରେ ସାଙ୍କେତିକ ଠିକଣା । କିନ୍ତୁ ସେ ଯେ ପ୍ରେମର କ୍ୟାରଫ୍‌ ହୋଇସାରିଛି, ତାହା ଅନ୍ଧକାରାଚ୍ଛନ୍ନ ହୋଇ ରହିଛି ନିହାରୀକାଙ୍କୁ । ଅନେକଥର ବିଜୁ ଚେଷ୍ଟା କରିଛି ତା’ ସମ୍ୱନ୍ଧରେ ସେ ସମ୍ପୂର୍ଣ୍ଣ ସୂଚନା ନିହାରୀକାଙ୍କୁ ଦେବ । ଭୁଲି ହୋଇଯାଇଛି ଖିଆଲରେ ।

 

ନିହାରୀକାଙ୍କ ଉନ୍ନତ ସମ୍ମୁଖଭାଗ ଓ ମସୃଣ ପଶ୍ଚାତ୍‌ପଟ୍ଟରେ ଲୋଭାକୃଷ୍ଟ ସମଦ୍ୱିବାହୁ ଦୃଷ୍ଟିଭଙ୍ଗୀକୁ ତୀକ୍ଷ୍ଣ କରି, ଲାଳାୟିତ ଜିହ୍ୱା ତଳର ଅନଙ୍ଗ ଭାବନାକୁ ଉଦ୍ଦୀପିତ କରାଇ ରେଣୁ ଉଦ୍ଦେଶ୍ୟରେ ବିଜୁ କହିଛି, ଆପଣଙ୍କ ଭଳି ଯେ କୌଣସି ବାଳିକାଙ୍କୁ ପ୍ରେମ କରାଗଲେ ଭବିଷ୍ୟତର ଦାମ୍ପତ୍ୟ ଜୀବନ ଯେ ସୁଖମୟ ହୋଇ ଉଠିବ ତାହା କହି ହେବନାହିଁ । କାରଣ ଥରେ ଯେଉଁ ଝିଅକୁ ଜଣେ ପୁରୁଷ ସ୍ପର୍ଶ କରେ, ତାକୁ ଆଉ ଜଣେ ପୁରୁଷ ଜାଣିଶୁଣି ବା ନ ପଚାରି ନ ଉଚାରି ବିବାହ କରିବା ଅବିଧେୟ ।

 

ବିଜୁର ମନ୍ତବ୍ୟ ଉପରେ ଜୋର ଦେଇ ନିହାରୀକା କହିଲେ, ସ୍ପର୍ଶ ଯୌବନର ସ୍ୱଭାବ । ସ୍ପର୍ଶ ନଥିଲେ ମଳୟର ମାଦକତା ଉପଲବ୍‍ଧି କରି ହୁଅନ୍ତାନାହିଁ । କିନ୍ତୁ ମୁଁ ମୋ କ୍ଷେତ୍ରରେ ସେଇ ବ୍ୟତିକ୍ରମକୁ ଦୃଢ଼ ଭାବରେ ସ୍ୱୀକାର କରୁଛି ।

 

ନିହାରୀକା ?

 

ବିଜୁବାବୁ ?

 

ଆପଣ ତ ଦିନେ କହୁଥିଲେ ଯେ ଋଷିଆର ନିମନ୍ତ୍ରଣ ରକ୍ଷା କରି ଆପଣ ସେଇ ଦେଶର ନାଗରିକତ୍ୱ ଗ୍ରହଣ କରିନେବେ ବୋଲି । ତାହା କ’ଣ ଆପଣଙ୍କ ଅଭିମାନର ଫଳନ ନୁହେଁ-?

 

ନା ।

 

ବିଜୁ ପ୍ରଶ୍ନର ଏଇ ମାତ୍ର ସଂକ୍ଷେପିତ ଉତ୍ତର ଥିଲା ନିହାରୀକାଙ୍କର ।

 

ଏଇ ଚମ୍ପାବାଈକୁ ଦେଖୁଛନ୍ତି ?

 

ହଁ ।

 

ତା’ ଜୀବନର ଅସଂଖ୍ୟ ସ୍ପର୍ଶକୁ ଅନୁମାନ କରୁଛନ୍ତି ?

 

ହଁ ।

 

ସେଠି ବିଚ୍ଛେଦର ଅଭିମାନ ଅଛି କି ?

 

ବିଜୁବାବୁ ?

 

ଆଖିପତା ଉପରକୁ ଟେକି ନିହାରୀକା କ୍ରୋଧପରବେଶ ହୋଇ ଉଠିଲେ ।

 

ବିଜୁ କହିଲା, ମୁଁ ଜାଣେ ଆପଣ ଏହାର ଉତ୍ତର ଦେଇପାରିବେନାହିଁ । ବିରହ, ବିଚ୍ଛେଦ, ଅଭିମାନ, ସ୍ପର୍ଶ ଆହୁରି ଯେତେ ସଂଜ୍ଞା ଅଛି ସେ ସବୁ ହେଉଛି ଯୌବନର ଧର୍ମ । ତା’ ନଥିଲେ କେହି ଦୁର୍ବଳ ହୋଇ ପଡ଼ନ୍ତେ ନାହିଁ । ଜୀବନର ଲକ୍ଷ୍ୟ ସାଙ୍ଗରେ ଏହାର କୌଣସି ସମ୍ବନ୍ଧ ନାହିଁ ।

 

ନିହାରୀକାଙ୍କ ହୃଦୟରେ କାମନାପ୍ରଦୀପ ଜଳି ଉଠିଲା । ସେ କହିଲେ, ବିଜୁବାବୁ, ମୋତେ ଟିକେ ଆପଣଙ୍କ ଶଯ୍ୟାର ବିଶ୍ରାମ ନେବାକୁ ଅନୁମତି ଦିଅନ୍ତୁ । ମୁଁ ଏକାକିନୀ ଏହିଠାରେ ପଡ଼ି ମୋର କ୍ଳାନ୍ତ ମନରେ ସାନ୍ତ୍ୱନା ଫେରାଇ ଆଣେ ।

 

ବିଜୁ ମୁରୁକିହସା ଦେଇ ହଁ ଭରିଥିଲା । ଆଉ ମନେ ମନେ ଭାବିଥିଲା ମୋ ଶଯ୍ୟାରେ ଶୟନ କରି ନିହାରୀକା ପୁରୁଷର ଗନ୍ଧ ବାରନ୍ତୁ; ମୁଁ ପ୍ରେମିକ ନା ସାଧାରଣ ଯୁବକ ।

Image

 

ଷୋଡ଼ଶ ପରିଚ୍ଛେଦ

 

ବିଜୁଭାଇ, ବାଘବଜାରୀ ଖେଳରେ ବାଘ ଛେଳି ହେବାର ପୋଷାକ ବଦଳାଇବାକୁ ଏ ଜୀବନରେ ଯେ ଦରକାର ଆସେ, ତାହା ମୁଁ ଭାବି ନଥିଲି । ମୁଁ ବାଘ ହେଲେ ହାରୁଛି, ଛେଳି ହେଲେବି ହାରୁଛି । ତୁମେ ବିଶ୍ୱାସ କରିବନାହିଁ, ଦିନୁ ଦିନ ମୋ ମୁଣ୍ଡରୁ ବୁଦ୍ଧି କୁଆଡ଼େ ଲୋପ ପାଇଯିବାକୁ ବସିଲାଣି । ପିଲାଦିନେ ମୋଠେଇଁ କେତେ ବୁଦ୍ଧି ଥିଲା ବୋଲି ତୁମେ ମୋତେ ପ୍ରଶଂସା କରୁଥିଲ । କରୁଥିଲ ରେଣୁ, ତୋ ହାତ ଯିଏ ଧରିବ ସେ କେଡ଼େ ଭାଗ୍ୟବାନ ହୋଇ ନଥିବ ସତେ !

ସତରେ ଏକା ତୁମ କହିଥିବା କଥା ଠିକ୍‌ ଡା. ସୁଧାକାନ୍ତଙ୍କ ହାତ ଧରିବା ପରେ ଫଳ ବସିଲା । ବାହାଘର ତିନିବର୍ଷ ନ ପୁରୁଣୁ ସେ ଅତି ଭାଗ୍ୟବାନ ବୋଲି ସମାଜରେ ଖ୍ୟାତି ଲାଭ କଲେ । ତାଙ୍କ ପ୍ରମୋଶନ, ତାଙ୍କ ଡକ୍ଟରେଟ୍‌ ଉପାଧି ସବୁ ମୋ ଲାଗି ବୋଲି ସେ ପ୍ରଚାର କରିବାକୁ ଲାଗିଲେ । ଶୁଣି ମୁଁ ଖୁସି ହେଲି । ମୋ ଛାତି କୁଣ୍ଢେମୋଟ ହୋଇଗଲା ।

ସେହି ଅବସ୍ଥାର ଆନନ୍ଦରେ ଆତ୍ମହରା ହୋଇ ମୁଁ ପ୍ରତ୍ୟେକ ଆତ୍ମୀୟସ୍ୱଜନଙ୍କ ନିକଟ ପତ୍ର ଦେଇଥିଲି । ସେଥିରେ ବେଶୀ ଟିକିନିଖି କରି ଲେଖି ବସିଥିଲି ତୁମ ପାଖକୁ ଓ ନୂଆବୋଉଙ୍କ ପାଖକୁ । ତୁମ ନିକଟରୁ କୌଣସି ଉତ୍ତର ପାଇଲିନାହିଁ । କିନ୍ତୁ ନୂଆବୋଉଙ୍କଠାରୁ ଏକ ଦୀର୍ଘ ଚିଠି ମିଳିଲା ।

ନୂଆବୋଉ ଲେଖିଥିଲେ ଜୀବନ ଏକ ନାଟକ ଲୋ ରେଣୁ । ଆମେ ସବୁ ସେହି ନାଟକର ନାୟିକା, ଆଉ ପୁରୁଷମାନେ ଆମର ନାୟକ କିମ୍ୱା ଖଳନାୟକ । ସମୟେ ସମୟେ ପ୍ରେମିକ ବା ସ୍ୱାମୀ ଅଭିନୟ ଦୃଷ୍ଟିକୋଣରୁ ସେହି ଭୂମିକା ଗ୍ରହଣ କରିଥାନ୍ତି । ନତୁବା ଏ ଦୁହିଁଙ୍କ ମଧ୍ୟରେ ଆଉ ଜଣେ ଏପରି ଧୂମକେତୁ ପ୍ରବେଶ କରେ, ଯେ କି ଯଥାର୍ଥଭାବେ ସେଇ ଭୂମିକା ତୁଲାଇଥାଏ । ନୂଆବୋଉଙ୍କ ଚିଠି ଲେଖାର ମର୍ମ ମୁଁ ମୋଟେ ବୁଝିପାରି ନଥିଲି ସେଦିନ । ବରଂ ବ୍ୟଙ୍ଗର ହସ ହସି ମନକୁ କହିଥିଲି ସେ ଗୋଟିଏ ପକ୍‌କା ଘରଣୀ ହୋଇଗଲେଣି । ତୁମ ସାଙ୍ଗରେ ତାଙ୍କର ହାତଧରାଧରି ଖେଳ ବା ମୋ ସହିତ ତୁମର କାଠି ଗଡ଼ାଗଡ଼ି ଖେଳକୁ ସେ ଆଦୌ ମନେରଖିନାହାନ୍ତି ।

ଭଲ, ସେ ଭଳି ଘରଣୀ ନ ହେଲେ ଜୀବନନଉକା ବାହିବା ସହଜ ନୁହେଁ । ବିଶେଷ ଗଭୀର ରେଖାପାତ୍‌ କରି ନଥିଲା ମୋ ମନରେ । ଡେରାଡ଼ୁନ୍‌ର ଧାରଣାକୁ ଓଡ଼ିଶାର ଖିଅରେ ଧରି ରଖିବାର ସୂତ୍ର ମୋତେ ଆସି ନଥିଲା ।

କିନ୍ତୁ ଆଜି ତାଙ୍କ ସୁଟ୍‌କେଶରୁ ବାହାର କରି ମୁଁ ତନ୍ନ ତନ୍ନ କରି ପଢ଼ୁଛି, ପଢ଼ିଲାବେଳେ ଆଖିରୁ ଲୁହ ଗଡ଼ିପଡ଼ିଲେ ସୁଦ୍ଧା ମୋତେ ଭାରି ଭଲଲାଗୁଛି । ସେ ଲେଖିଥିଲେ ଜୀବନ ଏକ ନାଟକ । ତୁମେ କହୁଥିଲ ଜୀବନ ଏକ ବାଘବଜାରୀ ଖେଳ । ପୁଣି ଅଭିମାନର ମନ ନେଇ ଆମ ଦାଣ୍ଡ ଆଗରେ ଥିବା ଦେ’ଶିଯୁ କଣ୍ଟା ଗଛ କଥା ଲେଖିଥିଲ । କୌଣସିଟିର ଗୁରୁତ୍ୱ ମୁଁ ଏପର୍ଯ୍ୟନ୍ତ ଉପଲବ୍‌ଧି କରି ନଥିଲି ।

ସମୟ ମୋତେ ମୋହଗ୍ରସ୍ତ କରି ଦେଇଥିଲା । ଉତ୍ତୁଳା ଆକାଶରେ ମତୁଆଲା ଚନ୍ଦ୍ର କରି ରଖିଥିଲା । ଧନ ମାନରେ ମୁଁ ଭୁଲିଯାଇଥିଲି । ଭାବି ନଥିଲି ଯେ ନାୟକର ପ୍ରଚ୍ଛଦପଟରେ ଜଣେ ଖଳନାୟକର ଛବି ଅଛି ବୋଲି ।

ସତ ହୋଇଗଲା ନୂଆବୋଉଙ୍କ ଚିତ୍ରଣ । ଖଳନାୟକ ଛବି ନୁହେଁ କିମ୍ୱା ମନଗଢ଼ା ନୁହେଁ । ସେ ଯେ ଜୀବନ୍ତ । ହାତ ଗୋଡ଼ ଚାଲି ଚଳନ ଧରି ମଧୁର ଭାଷା କହି ଆଗରେ ଆସି ଉଭା ହୋଇଯାଆନ୍ତି । ସୁବିଧା ପାଇଲେ ସେ ତାଙ୍କର ଆବରଣ ଖୋଲି ଅସଲ ରୂପ ଦେଖେଇ ଦେଇଥାନ୍ତି । ଜୀବନ୍ତ ପୁଣି ଭୟାନକ । ବେଳ ଉଣ୍ଡି ସରଳତାକୁ ବିଭ୍ରାନ୍ତ କରିବା ତାଙ୍କ ଲକ୍ଷ୍ୟ ।

ମୁଁ ଜାଣି ନଥିଲି ବିଜୁଭାଇ ଏଇ ଘରେ ସେହି ଖଳନାୟକ ଅବସ୍ଥାନ କରିଛନ୍ତି ବୋଲି-। ସେ କିଏ ଜାଣୁ ? ସେ ହେଉଛନ୍ତି ତୁମ ମୋ ପ୍ରଣୟ ବିଧି ଦେଖିଥିବା ସେ ଦିନର ରାମଗୋପାଳ-

ସେ ଆମର ହୋଇ ଅଛନ୍ତି । ଆମେ ତାଙ୍କ ସ୍ୱାସ୍ଥ୍ୟ ଫେରାଇ ଆଣି ସେଥିରେ ମଳୟର ପୁଲକତା ଭରି ଦେଇଛୁ । ଆମେ ତାଙ୍କ ଭଗ୍ନ ଦାମ୍ପତ୍ୟ ଜୀବନକୁ ସଜାଡ଼ିବାରେ ବ୍ୟସ୍ତ । ହେଲେ ସେ ଏଇ ଘରେ ଆମର ଶତ୍ରୁରୂପେ ଦଣ୍ଡାୟମାନ ହେଲେଣି । ବିଶେଷତଃ ମୋରି ଚାଲିଚଳନ ଉପରେ ତାଙ୍କର ଲୋଲୁପ ଦୃଷ୍ଟି ।

ତୁମ ପାଖରୁ ସେଦିନ ରାତିରେ ବିଦାୟ ନେଇ ଆସିଲୁ । ଆଶଙ୍କାର ହୃଦୟ ନେଇ ଯାତ୍ରା କରୁଥିବା ସମୟରେ ରାମଗୋପାଳ ମୋତେ ଅତର୍କିତଭାବେ ଆକ୍ରମଣ କରିବାକୁ ବସିଲେ-

ସେଇ ଟ୍ରେନ ମଧ୍ୟରେ ଶୁପ୍ତ ଯାତ୍ରୀମାନଙ୍କ ଗହଣରେ ତାଙ୍କ ଆସ୍ପର୍ଦ୍ଧା ଦେଖି ମୁଁ କ୍ରୋଧରେ ଆରକ୍ତ ହୋଇ ଉଠିଲି । କିନ୍ତୁ ସେ ମୋ ଦୁର୍ବଳତାକୁ ଆକ୍ଷେପ କରି କହିବାରୁ ମୁଁ ଚୁପ୍‌ ରହିଗଲି । ମୋତେ ମୋ ସ୍ୱାମୀଙ୍କ ଆଗରେ ସେ expose କରି ଦେବେ ବୋଲି ଧମକ ଦେଲେ-

ତେଣୁ ମୁଁ ତାଙ୍କ କଥା ମାନିନେଲି । ସେ କହିଲେ କଲିକତାରେ ଦୁଇଦିନ ପାଇଁ ରହିବାକୁ, ତାହାହିଁ ହେଲା । ହାୱଡ଼ା ଷ୍ଟେସନରେ ଓହ୍ଲାଇ ଆମେ କଲିକତାସ୍ଥ ଏକ ମନୋରମ ହୋଟେଲରେ ଭଡ଼ା ନେଇ ରହିଲୁ । ଦୁଇ ଦିନ ପାଇଁ ସେଠି ଆମ ରହଣୀର ବନ୍ଦୋବସ୍ତ ହୋଇଗଲା ଓ ହୋଟେଲ ମାଲିକଙ୍କୁ ରାମଗୋପାଳ ପରିଚୟ ଦେଲେ ଯେ ମୁଁ ହେଉଛି ତାଙ୍କ ସ୍ତ୍ରୀ ।

ତାହା ଶୁଣି ମୋତେ ଅବଶ୍ୟ ଖରାପ ଲାଗିଥିଲା । ଅନ୍ତର ମୋର ତାଙ୍କ ପ୍ରତି ଘୃଣାରେ ଜଳି ଉଠିଥିଲା । ହେଲେ ମୁଁ ନିରୁପାୟ ରହିଲି । ମୋ ଦୁର୍ବଳତାହିଁ ମୋତେ ଭୟ ଦେଖାଇଲା ।

ସେହିଠାରୁ ଖଳନାୟକ ରାମଗୋପାଳଙ୍କ ଭୂମିକା ଶେଷ ହେଲାନାହିଁ । ଟ୍ରେନ୍‌ ଭିତରେ ମୋ ପେତି ବଳ ପ୍ରୟୋଗର ଅସଫଳତାକୁ ସେହି ହୋଟେଲ ମଧ୍ୟରେହିଁ ସେ ସଫଳ କରି ବସିଲେ-। ସେ ସବୁ ମୁହୂର୍ତ୍ତ ବର୍ଣ୍ଣନା କରିବାକୁ ମନରେ ମୋର ଧୈର୍ଯ୍ୟ ଆସୁ ନାହିଁ ବିଜୁଭାଇ । ହୋଟେଲର ନିର୍ଜନ କକ୍ଷରେ ଦୁଇଦିନ ଦୁଇ ରାତିଭରି ମୁଁ ତାଙ୍କ କଦର୍ଯ୍ୟ ମାଂସ ପିପାସାର ପାନୀୟ ହୋଇ ରହିଲି । ନିବାରଣ କରିବାର ଶକ୍ତି ମୋଠାରେ ନଥିଲା । ରକ୍ଷାକର୍ତ୍ତା ଦୟାମୟଙ୍କୁ ସ୍ମରଣ କରିଥିଲେହେଁ ସେ ମୋପାଇଁ ପଥର ହୋଇଗଲେ ।

ତା’ପରେ ଆମେ ଓଡ଼ିଶା ଫେରିଲୁ । ଯାତ୍ରା ଶେଷ ହୋଇଗଲା ନିହାରୀକାଙ୍କ ବ୍ୟତୀତ ଆମ ଦୁହିଁଙ୍କୁ ଡା. ସୁଧାକାନ୍ତ ଦେଖି ସମବେଦନା ଜ୍ଞାପନ କରିଥିଲେ । ଛଳନାର ଛାୟାରେ ଅବଶୋଷର ଛାଇ ଖେଳି ଯାଇଥିଲା ରାମଗୋପାଳଙ୍କ ମୁହଁରେ ।

 

ତାଙ୍କ ଦୁଃଖ ସହ୍ୟ କରି ନପାରି ଡା. ସୁଧାକାନ୍ତ କହିଲେ, ବ୍ୟସ୍ତ ହେବାର କୌଣସି କାରଣନାହିଁ । ଆପଣଙ୍କ ଅବଶୋଷକୁ ଦୂର କରିବାପାଇଁ ମୁଁ ଓ ରେଣୁ ଯତ୍‌ପରୋନାସ୍ତି ଚେଷ୍ଟା କରିବୁ । ନିହାରୀକାଙ୍କ ଅପେକ୍ଷା ଅଧିକ ସୁନ୍ଦରୀ ତରୁଣୀଙ୍କୁ ଆଣି ଆପଣଙ୍କ ହାତରେ ଛନ୍ଦି ଦେବୁ । ସେଥିପାଇଁ ଆପଣ ନିଶ୍ଚିନ୍ତ ରୁହନ୍ତୁ ।

 

ତାଙ୍କୁ କୃତ୍ରିମ ଆନନ୍ଦ ମଧ୍ୟରେ ମଜ୍ଜାଇ ରଖିବା ଲାଗି ସୁଧାକାନ୍ତ ବାବୁ ସେଇଠାରେହିଁ ଆଗାମୀ ଉତ୍ସବର ଆୟୋଜନ ପ୍ରସ୍ତାବ ଦେଲେ । ଲକ୍ଷ୍ୟ ଥିଲା ନିହାରୀକାଙ୍କୁ ପାଇବାପରେ ତାଙ୍କ ଡକ୍ଟରେଟ୍‌ ଉତ୍ସବ ସମାହିତ ହୋଇଥାନ୍ତା । ସେ କ୍ଷେତ୍ରରେ ବିଫଳତା ହାସଲ କରିବାରୁ ସଙ୍ଗେ ସଙ୍ଗେ ଏକ ପ୍ରସ୍ତାବ ନିକଟବର୍ତ୍ତୀ ତାରିଖରେ ଧାର୍ଯ୍ୟ ହୋଇଗଲା ।

 

ଆଉ ମାତ୍ର ଆଠଦିନ ରହିଲା ସେଇ ଉତ୍ସବର ଦିନ । ସେଥିରେ ଭୋଜିଠାରୁ ଆରମ୍ଭ କରି ଅନେକ ପ୍ରକାରର ଆମୋଦ ପ୍ରମୋଦର ବ୍ୟବସ୍ଥା କରାଯାଇଛି । ରାମଗୋପାଳ ହୋଇଛନ୍ତି ସେ ସବୁର ପୁରୋଧା । ତାଙ୍କ ନିର୍ଦ୍ଦେଶକ୍ରମେ ସବୁ ଆୟୋଜନ ତଥା ପ୍ରୟୋଜନର ମୋଡ଼ ପରିବର୍ତ୍ତିତ ଓ ପରିବର୍ଦ୍ଧିତ ହେଉଛି ।

 

ରାମଗୋପାଳ ଯେହେତୁ ଅଧା ଅର୍ଥ ସେଥିପାଇଁ ଖର୍ଚ୍ଚ କରୁଛନ୍ତି, ସେଥିଲାଗି ସେ ବା ଅଗ୍ରଣୀ ନ ହେବେ କେମିତି । କାର୍ଯ୍ୟନିର୍ଘଣ୍ଟ ଅତି ଅଜବଭାବେ ସ୍ଥିରୀକୃତ ହୋଇଛି । ମୁଁ କୁଆଡ଼େ ସେଇ ଉତ୍ସବରେ ରାମଗୋପାଳଙ୍କ ସହ ବଲ୍‌ ଡ୍ୟାନସ୍‌ରେ ଭାଗ ନେବି ।

 

ସ୍ୱାମୀ ସୁଧାକାନ୍ତ ମଧ୍ୟ ସେଥିରେ ଅସମ୍ମତ ନୁହନ୍ତି । ବରଂ ପୂର୍ଣ୍ଣ ପ୍ରାଣରେ ସେ ତାଙ୍କୁ ସ୍ୱାଗତ ଜଣାଇ କହୁଛନ୍ତି ରେଣୁକୁ ଶୀଘ୍ର ତାଲିମ ଦିଅନ୍ତୁ ନା ରାମଗୋପାଳବାବୁ ତା’ ନହେଲେ ସାଥୀ ସୁଧୀବର୍ଗଙ୍କ ଗହଣରେ ସେ ଅପ୍ରସ୍ତୁତ ହୋଇଯିବ ।

 

ତାଙ୍କ କଥାରେ ମୁଁ ଏକ ଶୁଖିଲା ହସ ହସି ସମ୍ମତି ଜ୍ଞାପନ କରିଥିଲି । ଡା. ସୁଧାକାନ୍ତଙ୍କ ସହ ଅନେକ ଥର ବାର୍‌କୁ ଯାଇ ମୁଁ ବଲ ଡ୍ୟାନସ୍‌ କରିବାର ସୁଯୋଗ ପାଇଛି । ସେଥିରେ ମୁଁ ତୃପ୍ତି ଲାଭ କରୁଥିଲି । କାରଣ ସ୍ୱାମୀଙ୍କ ବାହୁଛନ୍ଦରେ ମୁଁ ତାଙ୍କ ପତ୍ନୀ ହିସାବରେ ଅଖଣ୍ଡତା ରକ୍ଷା କରି ଆସୁଥିଲି । ହେଲେ ରାମଗୋପାଳଙ୍କ ସହିତ ମୋତେ ଯେ ସେପରି ଅଭିନୟରେ ବ୍ୟାପୃତ ରହିବାକୁ ହେବ ତାହାହିଁ ଦହ୍ୟ କରୁଛି ମନକୁ ।

 

ଏକଦିଗରେ ବିବାହିତ ପତ୍ନୀରୂପେ ମୁଁ ମୋ ସ୍ଥିତିରୁ ଚ୍ୟୁତା ହେଲି । ଦ୍ୱିତୀୟରେ ଜନସମାଜ ଆଖିରେ ମୁଁ ମୋ ଅଙ୍ଗର ସ୍ପର୍ଶ ଦେବି ପରପୁରୁଷଙ୍କୁ । ସେଥିଲାଗି ମୁଁ ନିରୋଳାରେ ସ୍ୱାମୀଙ୍କ ଆଗରେ ଅଭିଯୋଗ ଆଣିଥିଲି । ମାତ୍ର ଫଳ କିଛି ହେଲାନାହିଁ ।

 

ସେ କହିଲେ, ତୁମକୁ ରାମଗୋପାଳଙ୍କ ସହ ଅବାଧ ମିଳାମିଶାର ପ୍ରଶ୍ରୟ ମୁଁ ଦେଇଛି । ସେଥିନେଇ ଦିନେ ହେଲେ ମୁଁ ମନରେ ସନ୍ଦେହ କରିନାହିଁ । ଦିଲ୍ଲୀଠାରୁ ଏ ପର୍ଯ୍ୟନ୍ତ ରାତି ଦିନ ଯାଏ ମୋ ଚକ୍ଷୁର ଅନ୍ତରାଳେ ବିତାଇ ଦେଇ ଆସିଛ । ଆଉ ମୋ ଖୁସି ଉପଲକ୍ଷ୍ୟେ ତୁମେ ଏତିକି ମାତ୍ର ସଭ୍ୟତାର ସାଜ ପିନ୍ଧି ପାରିବନାହିଁ ?

 

ମୁଁ ଶିଥିଳ ହୋଇଗଲି ବିଜୁଭାଇ । ମୋ ଭବିଷ୍ୟତ ମୋତେ ଅନ୍ଧକାର ଦେଖାଗଲା । ସ୍ୱାମୀ ଯେତେବେଳେ ନିର୍ଦ୍ଦେଶ ଦେଉଛନ୍ତି ମୁଁ ଆଉ ପଛଘୁଞ୍ଚା ଦେବି କେଉଁ ସାହସରେ ?

 

ମୋ ଦୁର୍ବଳତା ହେଲା ମୋ ମନ ଜାହାଜର ଶୁକାନୀ । ତାକୁ ଅବଲମ୍ୱନ କରି ସେଦିନପାଇଁ ମୁଁ ଅପେକ୍ଷାରେ ରହିଲି । ମୋ ପ୍ରାଣରେ ଆଉ ପିଣ୍ଡ ନାହିଁ । ରାମଗୋପାଳଙ୍କ ଗୋପନ ଅଟ୍ଟହାସ୍ୟ ମୋତେ ଦୃଷ୍ଟି ପଲକରେ ଶୋଷି ଶୋଷି ନେଉଛି । ବୋଧହୁଏ ସେଇ ଦିନ ତାଙ୍କ ଶୋଷ ଶେଷ ହେବ । ତାଙ୍କ ପାଟିରୁ ମୋତେ କେହି ରକ୍ଷା କରିପାରିବେନାହିଁ । ମୋର ଶତ ଅନୁରୋଧ, ତୁମେ ଯଦି ନିମନ୍ତ୍ରଣ ରକ୍ଷା ଉଦ୍ଦେଶ୍ୟରେ ସେହିଦିନ ଆସି ପହଞ୍ଚି ଯାଅନ୍ତ, ତାହେଲେ ମୋ ଜୀବନର ଗତି ଭିନ୍ନ ରୂପ ଧାରଣ କରନ୍ତା । ତା ନ ହେଲେ ଏଭଳି ବାରବନିତାର ରୂପ ଧରି ବଞ୍ଚିବାର ଲାଭ କ’ଣ ? ଗୌରବ କ’ଣ ?

 

ଆଉ ଆଠଦିନ ରହିଲା, ତେଣୁ ମୋ ରାଣ, ଆସିବାକୁ ଭୁଲିବ ନାହିଁ ।

Image

 

ସପ୍ତଦଶ ପରିଚ୍ଛେଦ

 

ଆସିନାହିଁ ।

 

ଚିଠି ପାଇବା ସତ୍ତ୍ୱେବି ବିଜୁ ଆସିପାରିଲାନାହିଁ । ଦୁଇ ଚାରି ଦିନ ଛୁଟି ନେଇ ଆସି ହୋଇଥାନ୍ତା, ମାତ୍ର ନିହାରୀକା ଅନୁରୋଧ ଏଡ଼ାଇ ହେଲାନାହିଁ । ନିହାରୀକା କହିଲେ, ବିଜୁବାବୁ, ମୁଁ ଋଷିଆ କାର୍ଯ୍ୟକ୍ରମରେ ଯିବାକୁ ବାହାରିଲିଣି । ଆପଣ ଏ ସମୟରେ ଉପସ୍ଥିତ ନ ରହିଲେ ବାସ୍ତବିକ୍‌ ମୋତେ ଦୁଃଖ ଲାଗିବ । ଆପଣ ହେଉଛନ୍ତି ମୋର ଏକାନ୍ତ ପ୍ରିୟଜନ । ବିଦାୟ ବେଳାରେ ପ୍ରିୟବନ୍ଧୁଙ୍କ ମୁହଁ ଚାହିଁବାକୁ କିଏ ଭଲା ବ୍ୟାକୁଳ ନ ହୁଏ କହିଲେ ?

 

ନିହାରୀକା ଓ ରେଣୁ–ଦୁଇ ଦିଗରେ ଦୁଇ ଅନୁରୋଧ–ଦୁଇ ସମସ୍ୟା ଓ ତା’ର ସମାଧାନ-। ରେଣୁ ଯେଉଁ ସନ୍ଦେହର ସାଗରରେ ଉବୁଟୁବୁ ହେଉଛି, ନିହାରୀକା ବିନା ତା’ର ଉଦ୍ଧାର ଅସମ୍ଭବ । ନିହାରୀକା ଯେତେ ସଫେଇ ଦେଲେହେଁ ସେ ହେଉଛନ୍ତି ପ୍ରକୃତ ମୂଳ କାରଣ । ତାଙ୍କୁ ଅବସ୍ଥାର ସମ୍ମୁଖୀନ କରାଇଲେ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ ।

 

ବିଜୁ ପାଲଟା ଅନୁରୋଧ କରିଥିଲା ନିହାରୀକାଙ୍କୁ । ଆପଣ ଋଷିଆ କାର୍ଯ୍ୟକ୍ରମ ସ୍ଥଗିତ ରଖନ୍ତୁ । ଚାଲନ୍ତୁ ମୋ ସହିତ ଓଡ଼ିଶା । ସେଠି ଆପଣଙ୍କ ଜୀବନର କୌଣସି କ୍ଷତି ଘଟିବନାହିଁ । ବରଂ ଶେଷଥର ପାଇଁ ଆପଣ ଦେଖି ଆସିବେ ଜନ୍ମଭୂମିକୁ । Please, ଚାଲନ୍ତୁ ନିହାରୀକା ଦେବୀ ।

 

ନିହାରୀକା ଅଗ୍ରାହ୍ୟ କରିପାରିଲେନାହିଁ ବିଜୁର ଅନୁରୋଧ । କିନ୍ତୁ ଓଡ଼ିଶା ଗସ୍ତର ଉଦ୍ଦେଶ୍ୟ ? ଅଭିପ୍ରାୟ ?

 

ଉଦ୍ଦେଶ୍ୟବିହୀନ ଯାତ୍ରା ବୋଲି ମିଛ ସୂଚନା ଦେଇ ନିହାରୀକାଙ୍କ ମନକୁ ବଦଳେଇ ଦେଇଥିଲା ସେ । ଯାତ୍ରାର ଦିନ ସ୍ଥିର ହୋଇଗଲା ।

 

ଶୁଭ ସମୟ ଦେଖି ଦୁହେଁ ଯାତ୍ରା ଆରମ୍ଭ କରିଦେଲେ । ବାଟରେ ସେମାନେ କେଉଁଠି ହେଲେ ଅଟକି ନାହାନ୍ତି । ନିହାରୀକାଙ୍କୁ ବାଟ ଭୁଲାଇ ଆଣିଲା ବିଜୁ । ସେ ଭାବିଥିଲେ ଅବା ପୁରୀ ଜଗନ୍ନାଥଙ୍କ ନିକଟକୁ ଯାଇଁ ଶେଷ ଦର୍ଶନ କରି ଫେରିବେ ।

 

କିନ୍ତୁ ଏ କ’ଣ ହେଲା ? ନିହାରୀକାଙ୍କ ଆଖିରେ କୁହୁକ ସୃଷ୍ଟି କଲା କିଏ ? ସେ କହିଲେ ବିଜୁବାବୁ, ମୁଁ ଏସବୁ କ’ଣ ଦେଖିଯାଉଛି, କିଛି ବୁଝିହେଉନାହିଁ । ଏଇ କୋଠାଘର, ତା’ ପାଖରେ ଏଡ଼େ ବଡ଼ ଜନତାର ସମାଗମ । ଠାଏ ଠାଏ ପୋଲିସ, ପୁଣି ପାଟିଗୋଳ । ଘଟଣା ଜାଣିଶୁଣି ଆପଣ ଏଠାରେ ପହଞ୍ଚିଛନ୍ତି, ନା କ’ଣ ?

 

କିନ୍ତୁ କିଛି ନ କହି ନିହାରୀକାଙ୍କ ହାତ ଧରି ସେଇ କୋଠା ଘର ଭିତରକୁ ପଶିଗଲା । ଘର ଭିତରେ ଶୋକ, ଆର୍ତ୍ତନାଦର ଢେଉ ଭାଙ୍ଗୁଛି ।

 

ବିଜୁ ରେଣୁକୁ ଦେଖିବା ମାତ୍ରେ ତା’ ନିକଟ ଧାଇଁ ଗଲା । ରେଣୁ ଆଉ ତା’ର ଆଲିଙ୍ଗନ କରିପାରିଲାନାହିଁ । ସେତେବେଳକୁ ତା’ର ଦୁଇ ହାତରେ ପୋଲିସ୍‌ ହାତକଡ଼ି ପିନ୍ଧାଇ ଦେଇ ସାରିଲାଣି ।

 

ଭୋ ଭୋ କରି ବିଜୁ ସମ୍ମୁଖରେ ସେ ଆର୍ତ୍ତନାଦ କଲାକ୍ଷଣି ଅନ୍ୟମାନେ ତାକୁ ପରିସ୍ଥିତି ବୁଝାଇ ଦେଲେ । ତାହା ଶୁଣି ନିହାରୀକାଙ୍କ ମନ କରୁଣାକ୍ତ ହୋଇ ଉଠିଲା । ସେ ଡା. ସୁଧାକାନ୍ତଙ୍କୁ ତାତ୍ସଲ୍ୟ ଇଙ୍ଗିତ କରି କହିଲେ, ଆପଣ ମୋ ସ୍ୱାମୀଙ୍କର ଚିକିତ୍ସକ ଦାୟିତ୍ୱ ଏଇଭଳି ତୁଲାଉ ଥିଲେ, ନୁହେଁ ? ରେଣୁ ତାଙ୍କୁ ଗୁଳି କରି ଖୁନୀ ସାଜିଲା କାହା ଯୋଗୁଁ ?

 

କାହା ଯୋଗୁଁ ତା’ ହାତରେ ଏ ହାତକଡ଼ି ? କାହା ଯୋଗୁଁ ଡକ୍ଟରେଟ୍‌ ଉପାଧିରେ ଭୂଷିତ ହୋଇଥିବା ଆପଣ ଆଜି ଧରିତ୍ରୀ ଉପରେ ସମ୍ମାନିତ ? ସେ ପିପାସିତ ଥିଲେ ସତ, ହେଲେ ତାଙ୍କ ପିପାସାକୁ ପୂରଣ କରିବାର ଅନ୍ୟ ରାସ୍ତା କ’ଣ ନଥିଲା ? ଦୁନିଆରେ ଅନ୍ୟ ତରୁଣୀ କ’ଣ ନଥିଲେ-? ତାଙ୍କ ମାନସିକ ଚିକିତ୍ସାକୁ ଜାଣିଶୁଣି ଆପଣ ଖିଲାପ କରିଛନ୍ତି । କେବଳ ତାଙ୍କୁ ପରିଣୟ କ୍ଷେତ୍ରରେ ବିଭ୍ରାନ୍ତ କରି ତାଙ୍କ ବିଶାଳ ସମ୍ପତ୍ତି ଉପଭୋଗ କରିବା ଆଶାରେ । ମୋର ଦାଦା ଆଉ ତାଙ୍କ ପିଉସୀ ସେଇ ଷଡ଼ଯନ୍ତ୍ରର ବ୍ୟର୍ଥ ଶିକାର ହେଲେ । ତାଙ୍କ ପରାମର୍ଶକୁ ଗୋପନରେ କାର୍ଯ୍ୟକାରୀ କରିବାର ଲକ୍ଷ୍ୟ ରଖି ଆପଣ ମଧ୍ୟ ବିଶିଷ୍ଟ ପ୍ରଚ୍ଛନ୍ନ ଡାକୁ ବୋଲି ସାବ୍ୟସ୍ତ ହେଲେ ।

 

ଏଇ ନିଅନ୍ତୁ ଦଲିଲ୍‌ । ଏ ସବୁ ଡା. ସୁଧାକାନ୍ତଙ୍କ କୃତୀତ୍ୱ । ଯାହାକୁ କି ଦିଲ୍ଲୀ ରହଣୀ କାଳ ମଧ୍ୟରେ ସି.ଆଇ.ଡ଼ି.ଙ୍କ ସାହାଯ୍ୟରେ ମୁଁ ହସ୍ତଗତ କରିଥିଲି । ନିହାରୀକା ଦଲିଲଟି ପୋଲିସ୍‌ ଇନିସ୍ପେକ୍ଟରଙ୍କ ହାତକୁ ବଢ଼ାଇ ଦେଇ କହିଲା, ମୁଁ ଏଇ ମୃତ ରାମଗୋପାଳବାବୁଙ୍କ ଧର୍ମପତ୍ନୀ । ଅଭିନୟ କରିବା ଇଚ୍ଛାରେ ମୁଁ ଦିଲ୍ଲୀରେ ଥିଲି । ଏଣିକି ମୋ ଅଭିନୟ ଶେଷ ହୋଇଛି । ଏଥର ଜୀବନ ତପସ୍ୟା ମୋ ପକ୍ଷରେ ଶେଷ ତୀର୍ଥ ।

 

ଏତକ କହି ନିହାରୀକା ଶବ ନିକଟକୁ ଚାଲିଗଲେ ଓ ରାମଗୋପାଳଙ୍କ ପଦଧୂଳି ଆଣି କପାଳରେ ଆଙ୍କୁଥିବାବେଳେ କାନ୍ଦିଉଠି କହିଲେ, ତୁମେ ମୋତେ ବଞ୍ଚିଥିବା ସମୟରେ ପତ୍ନୀ ବୋଲି ସ୍ୱୀକାର କରିଆସିଛ, ଯାହାକି ମୁଁ ଅସ୍ୱୀକାର କରିଛି । ଏବେ ତୁମ ମୃତ୍ୟୁପରେ ମୁଁ ତୁମକୁ ସ୍ୱାମୀ ବୋଲି ସ୍ୱୀକାର କଲି । ତୁମ ପ୍ରାୟଶ୍ଚିତ ପାଇଁ ମୁଁ ସମସ୍ତ ବ୍ରତ ପାଳନ କରିବି । ମୋତେ କ୍ଷମା ଦେଇଯାଅ । ସ୍ୱର୍ଗରେ ଥାଇ ମୋ ପ୍ରତି ଆଶିଷ ଢାଳୁ ଥାଅ । ଆଉ ସ୍ୱପ୍ନ ଛଳରେ ପ୍ରତି ନାରୀଙ୍କୁ ଦୁନିଆରେ ଶିକ୍ଷା ଦେଇଯାଅ ଯେ, ସତୀ ନାରୀ ଯେ ସେ କେବେହେଲେ ଚଳନ୍ତା ପଥରେ ଝୁଣ୍ଟି ପଡ଼େ ନାହିଁ ।

 

ନିହାରୀକା ଏକାକିନୀ ଆଗେଇ ଚାଲିଲେ । ତାଙ୍କୁ ଫେରାଇବାକୁ ବିଜୁ ପାଟିରୁ ବାକ୍ୟ ସ୍ଫୁରିଲା ନାହିଁ ।

 

ସେଇ ଦୃଶ୍ୟକୁ ଅବାକ୍‌ ନେତ୍ରରେ ଉପଲବ୍‌ଧି କରୁଥିଲେ ଅଗଣିତ ଜନତା ।

 

ଅପରାଧୀଙ୍କ ପାଇଁ ଉପହାସର ଧ୍ୱନି ପ୍ରତିଧ୍ୱନିତ ହୋଇ ଉଠୁଥିଲା ଚତୁଃପାର୍ଶ୍ୱରୁ ।

 

ଆକାଶରେ ପୂର୍ଣ୍ଣିମାର ଚାନ୍ଦ ନିଃସଙ୍ଗ ନକ୍ଷତ୍ରର ଶୋଭାଯାତ୍ରାକୁ ରୂପାୟିତ କରୁଥିଲା ।

Image